Unknown

 

 

 

 

 

 

 

 

 

 

 

ଚମ୍ପକ ବଣରେ ଏଲିଜି

ରମେଶଚନ୍ଦ୍ର ଧଳ

 

 

 

 

 

 

 

 

..........................................................

............................................

.............................ଙ୍କୁ

ଶ୍ରଦ୍ଧାର/ସମ୍ମାନର/ରକ୍ତିର ସହିତ ।

 

କହି ରଖେ

 

ମୋର ଏ ବହିରେ ଥିବା ଗଳ୍ପଗୁଡ଼ିକ ବିଭିନ୍ନ ସମୟରେ ଝଙ୍କାର, ଡଗର, ସାମ୍ମୁଖ୍ୟ, ଜୀବନରଙ୍ଗ, କଳିଙ୍ଗ, ପ୍ରଜାତନ୍ତ୍ର, ଗଣତନ୍ତ୍ର, ଶତରୂପା ଏବଂ ଅନ୍ୟାନ୍ୟ କେତେକ ସମସାମୟିକ ପତ୍ରପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ଗଳ୍ପଗୁଡ଼ିକ ମୋର ପ୍ରିୟ ପାଠକ ବୁଦ୍ଧିଜୀବୀ ଓ ସାହିତ୍ୟିକ ମହଲରେ ବିଶେଷ ଆଦୃତ ହୋଇ ପାରିଥିଲା । ନୂଆ ନୂଆ ଗଳ୍ପ ସୃଷ୍ଟି କରିବା ନିମନ୍ତେ ବହୁ ଉତ୍ସାହପୂର୍ଣ୍ଣ ପତ୍ର ଅନେକ ଶୁଭେଚ୍ଛୁଙ୍କଠାରୁ ପାଇଛି । ଏହିସବୁ ଗଳ୍ପଗୁଡ଼ିକ ଏକତ୍ର କରି ଆଜି ବହି ଆକାରରେ ପ୍ରକାଶ କରୁଛନ୍ତି ପ୍ରକାଶକ ନିଉ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର । ଗଳ୍ପଗୁଡ଼ିକ ଆଲୋକକୁ ଆଣି ଯେଉଁ ସମ୍ପାଦକମାନେ ମୋତେ ଉତ୍ସାହିତ କରିଛନ୍ତି ଓ ଯେଉଁମାନେ ସେମାନଙ୍କ ମୂଲ୍ୟବାନ୍ ପରାମର୍ଶ ମୋ ଗଳ୍ପ ସମ୍ପର୍କରେ ମୋତେ ଦେଇଛନ୍ତି, ଏହି ଅବସରରେ ମୁଁ ସେମାନଙ୍କ ନିକଟରେ କୃତଜ୍ଞତା ଜଣାଉଛି ।

ଏ ବହିର ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ମୋତେ ଶ୍ରଦ୍ଧେୟ ପ୍ରଦୋଷ ପଟ୍ଟନାୟକ, ଅଧ୍ୟାପିକା ପ୍ରେମଲତା ଦାସ, ଅଧ୍ୟାପିକା ଶାନ୍ତି ଧଳ ବିଶେଷ ସାହାଯ୍ୟ କରିଛନ୍ତି । ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ।

କ୍ୱାଟର ନଂ ୪୬/୧

ରମେଶ ଧଳ

ଟାଇପ୍‌–୪ଏ, ୟୁନିଟ୍‌-୨

ପଣାସଂକ୍ରାନ୍ତି

ନୂଆ ରାଜଧାନୀ ଭୁବନେଶ୍ୱର

୧୪-୪-୭୧

Image

 

ଏଥିରେ ଅଛି :

 

୧.

ନିଲାମ

୨.

ଜଳର ରଙ୍ଗ

୩.

ତମସାର କବିତା

୪.

ନାରୀ

୫.

ପି. ଆଇ. ଓ.

୬.

ପଳାଶର ଅଶ୍ରୁ

୭.

ମଉଡ଼ମଣି ଛକକଦମ୍ବ

୮.

ସୁନାଫୁଲ

୯.

ଉଦୟଭାନୁର କାହାଣୀ

୧୦.

ଅସମାପିକା

୧୧.

ଢେଉର ବ୍ୟଥା

୧୨.

କାନନ, କଳାକୋଟ୍‌, କାଳିଗାଈ

୧୩.

ଚମ୍ପକ ବନର ଏଲିଜି

୧୪.

ପ୍ରଥମ ସକାଳ

୧୫.

ମଧୁଛନ୍ଦା

୧୬.

ପୋଡ଼ାମାଟି

୧୭.

ଶିକାର

୧୮.

ଚର୍ଚ୍ଚବେଲ୍‌

୧୯.

ପୃଷ୍ଠଭୂମି

Image

 

ନିଲାମ

 

‘ଶ୍ରାବଣୀ’ର ସନ୍ଧ୍ୟା ସଂସ୍କରଣ......

 

ଆଇ. ଏ. ଏସ୍‌. ପରୀକ୍ଷା ଫଳ ପ୍ରକାଶ ପାଇଛି । ରାସ୍ତାରେ ହକର ପାଟି କରି କରି ଚାଲିଛି । ଦେବ ଦାସ କାଶ୍ମୀର କାର୍ପେଟ ବିଛା ଡ୍ରଇଂ ରୁମରେ ପଦଚାରଣ କରି ଚାଲିଛନ୍ତି । ହକର୍‌ ପାଟି ଶୁଣି ସେ ଟେବୁଲ ଉପରୁ ଶ୍ରାବଣୀ ସନ୍ଧ୍ୟା ସଂସ୍କରଣଟିକୁ ଆଣି ଆଖି ବୁଲାଇ ଆଣିଲେ, ତା’ପରେ ଡାକିଲେ–‘‘ଶ୍ରୀକାନ୍ତ,...କ’ଣ ବୁଝିଲ ? ଏଇ ତ ଫଳ ବାହାରିଲା ।’’

 

–ନମ୍ରକଣ୍ଠରେ ଶ୍ରୀକାନ୍ତ କହିଲେ–‘‘ଆଜ୍ଞା, ବୁଝିଲି । ଲିଷ୍ଟରେ ମାତ୍ର ତିନି ଜଣ ଓଡ଼ିଆ ପିଲା ଅଛନ୍ତି ଅଛନ୍ତି । ପ୍ରଥମ ପିଲାଟି ହେଲା ସୁଶାନ୍ତ ମିଶ୍ର, ଦ୍ୱିତୀୟ ହେଲା ସୁମନ୍ତ ମଙ୍ଗରାଜ, ଆଉ ତୃତୀୟଟି ହେଲା ରଜନୀକାନ୍ତ ବର୍ମା । ପ୍ରଥମ ପିଲାଟି ବିବାହ କରିସାରିଛି...’’

 

–‘‘ଶ୍ରୀକାନ୍ତ, ମୋର ଉଦ୍ଦେଶ୍ୟ ତୁମେ ବୁଝିଛ ବୋଲି ମୋର ବିଶ୍ୱାସ । ମୁଁ ଜଣେ ତଥାକଥିତ ଦେଶପ୍ରେମୀ ନୁହେଁ । ଏ ଜାତିର କେତେ ପିଲା ଆଇ. ଏ. ଏସ୍‌. ହେଲେ ତାଙ୍କୁ ନେଇ ଗର୍ବ କରିବି । ତୁମେ ଜାଣ, ଆମ ରଶ୍ମି ଲାଗି ମୋର ଗୋଟିଏ ଆଇ. ଏ. ଏସ୍‌. ଜ୍ୱାଇଁ ଦରକାର । ସେଥିପାଇଁ କେତେ ଦରକାର କୁହ । ମୁଁ ଜାଣେ, ଆଇ. ଏ. ଏସ୍‌.ର ଦରମା କେତେ । ମୁଁ ଜାଣେ, ରଶ୍ମିକୁ ସେ ରୋଜଗାର ଆକର୍ଷଣ କରିପାରିବନି । ତେବେ ମୁଁ ଚାହେଁ, ମୋର ନାତୁଣୀକୁ ଗୋଟାଏ ଆଇ. ଏ. ଏସ୍‌. ସହିତ ବିବାହ ଦେବାକୁ । ବ୍ୟବସାୟୀ ବିଜୟ କେତନ ତା’ ଝିଅକୁ ଜଣେ ଆଇ. ଏ. ଏସ୍‌.କୁ ବାହା ଦେଇଛି । ଆମର ଜଣେ ଦରକାର । ତୁମେ ଆଉ ଡେରି କରନି ।’’

 

–‘‘ସାର୍‌...’’

 

–‘‘କୁହ, କ’ଣ କହୁଛ ।’’

 

–ସାର୍, ମୁଁ ବୁଝିଛି । ରଜନୀକାନ୍ତ ଏକ କ୍ଷୟିଷ୍ଣୁ ଆଭିଜାତ୍ୟପୂର୍ଣ୍ଣ କ୍ଷତ୍ରିୟ ପରିବାରର ସନ୍ତାନ । ନିମ୍ନ ମଧ୍ୟବତ୍ତି ପରିବାର । କେବଳ ମା’ଟିଏ ଅଛି । ମାମୁଁ ହେଲେ ତା’ର ଅଭିଭାବକ । ସମ୍ପତ୍ତି ଭିତରେ ଜମି କେଇ ମାଣ ଓ ଗାଈଟିଏ । ବହୁତ ପ୍ରସ୍ତାବ ଆସିଛି । କେଇଟି ଶୁଣନ୍ତୁ । ଅବସରପ୍ରାପ୍ତ ଅବକାରୀ ସୁପରିନ୍‌ଣ୍ଟେଣ୍ଡଣ୍ଟ୍‌ ତାଙ୍କ ଝିଅ ଲାଗି ପ୍ରସ୍ତାବ ପକାଇଛନ୍ତି, ରେଡ଼ି କ୍ୟାସ ଟେନ୍‌ ଥାଉଜାଣ୍ଡ...ପଚାଶ ଭରି ସୁନା...ଗୋଟାଏ ଆମ୍ବାସାଡ଼ର ଗାଡ଼ି । ଢେଙ୍କାନାଳ କଲେକ୍ଟରଙ୍କ ଶାଳୀପାଇଁ ପ୍ରସ୍ତାବ ଅଛି । ରେଡ଼ି କ୍ୟାସ ସିକ୍‌ସ ଥାଉଜାଣ୍ଟ । ଗାଡ଼ି ଆଉ ଗାଁରେ ଦଶ ମାଣ ଜମି । ମାଧବପୁର ଜମିଦାର, କେହି ନାହିଁ, ଗୋଟିଏ ଝିଅ । ସବୁ ଝିଅ ନାଁରେ କରିଦେବେ । ହେଲେ ଝିଅର କଟିଂ ଆଦୌ ଭଲ ନୁହେଁ । ତେଣୁ ସେ ପ୍ରସ୍ତାବ...

 

–‘‘ବନ୍ଦ କର’’ । ଟେବୁଲରେ ହାତ ପିଟି ଦେବ ଦାସ କହିଲେ– ‘‘ମତେ ଏତେ କଥା ବୁଝାଇବା ଦରକାର ନାହିଁ । ମୋରବି ଏତେ କଥା ଶୁଣିବାକୁ ସମୟ ନାହିଁ । ଗୋଟାଏ ଆଇ. ଏ. ଏସ୍‌. ଜ୍ୱାଇଁ ପାଇବାକୁ ମୁଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରିପାରିବି ନାହିଁ । ତୁମେ ଜାଣ, ଲକ୍ଷେ ଟଙ୍କା ପାଇବାର ଆଶା ଥିଲେ କେବଳ ଦେବ ଦାସ ଫୋନ୍‌ ଛୁଏଁ । ଥରେ କହିଲି ବିଜୟକେତନ ବର୍ଦ୍ଧନର ଜ୍ୱାଇଁ ଗୋଟାଏ ଆଇ. ଏ. ଏସ୍‌, । ଲାଞ୍ଚ ଅଭିଯୋଗରେ ଏବେ ସସ୍‌ପେଣ୍ଡ ହୋଇଛି; ତଥାପି ତା’ର ଦିମାକ କମିନି । ସେଇ ଦିମାକକୁ ଧୂଳିସାତ୍‌ କରିବାପାଇଁ ମୋର ଗୋଟାଏ ଆଇ. ଏ. ଏସ୍. ଚାପ୍‌ ଦରକାର । ତୁମେ ଜାଣ, ଦେବ ଦାସର ଜିଦ୍‌,...ଆତ୍ମଭିମାନ, ଆଭିଜାତ୍ୟ ଭବେନ୍ଦ୍ର ନାଥର ତାଚ୍ଛଲ୍ୟପାଇଁ–ହଜାର ଦୁଇ ହଜାର ନୁହେଁ–ପନ୍ଦର ହଜାରରେ ‘ତୋଫାନ’ କିଣା ହେଲା । ଦିନେ ସୁଦ୍ଧା ଚଢ଼ି ନାହିଁ । ସଇସ ଚଢ଼ିଚି । ଏବେ ମା ବିକିଦେବା ଲାଗି କହୁଥିଲେ । ମୁଁ ରାଜି ହେଲିନି । ଦେବ ଦାସର ଆଭିଜାତ୍ୟ ପାଇଁ ଏ ଘରେ ଯେପରି ରୟାଲ୍‌ ବେଙ୍ଗଲ ଟାଇଗର, ଓଟ, ଜିରାଫ, ହରିଣ ପ୍ରଭୃତି ଅଛନ୍ତି, ଚାରି ଚାରିଟା ଆଲ୍‌ସେସିଆନ ସାଇତା ଯାଇଛନ୍ତି, ‘ତୋଫାନ’ବି ସେମିତି ରଖାଯିବ । ଠିକ୍‌ ସେହିପରି, ମୋର ଖେୟାଲପାଇଁ ଗୋଟାଏ ଆଇ. ଏ. ଏସ୍‌. ଚାପ୍‌ ଦରକାର ।’’ କିଛି ସମୟ ପାଇଁ ଚୁପ୍‌ ରହିଲେ ଦେବ ଦାସ । ଡ୍ରଇଂ ରୁମ୍‌ରେ ଥିବା ମୃତ ବାଘର ନିଶରୁ ଧୂଳି ଝାଡ଼ୁ ଝାଡ଼ୁ ଗମ୍ଭୀର କଣ୍ଠରେ ଦେବ ଦାସ ପୁଣି କହିଲେ–‘‘ଡୋଣ୍ଟ ଓ୍ୱେଷ୍ଟ ମଚ୍‌ ଅଫ୍‌ ମାଇଁ ଟାଇମ–ୟୁ ନୋ–ଭାରତକୁ ଖଣ୍ଡ ଖଣ୍ଡ କରି ଆମର ନେତାମାନେ ଯେପରି ଏକ ଅକ୍ଷମଣୀୟ ଭୁଲ୍ କରି ଯାଇଛନ୍ତି–ସ୍ୱାଧୀନ ଭାରତରେ ଏଇ ଆଇ. ଏ. ଏସ. ଚାକିରି ସୃଷ୍ଟି କରି ସେମାନେ ସେହିପରି ଏକ ଭୁଲ୍ କରି ଯାଇଛନ୍ତି । ପୁଞ୍ଜିପତି, ଜମିଦାର ଶ୍ରେଣୀର ବିଲୋପ ହେବାକୁ ଯାଉଥିବାବେଳେ ଏଇ ଆଇ. ଏ. ଏସ. ମାନଙ୍କର ଏକ ନୂତନ ଶ୍ରେଣୀ ସୃଷ୍ଟି ହେଉଛି । ଛାଡ଼, ଲେଟ୍‌ ଆସ୍‌ ନଟ୍‌ ଡିସକସ ଏବାଉଟ୍‌ ଦିଜ୍‌ ପୁଅର୍‌ ଚାପ୍‌ସ– । ଏବେ ବୁଝିଲ ଶ୍ରୀକାନ୍ତ, ମୁଁ କ’ଣ ଚାହେଁ ? ‘ତୋଫାନ’ ପାଇଁ ଯେପରି ଟଙ୍କା ଫିଙ୍ଗା ହୋଇଥିଲା–ରଜନୀକାନ୍ତକୁ ଧରିବାକୁ ହେବ ।

 

ଶ୍ରୀକାନ୍ତ ଶାନ୍ତ, ଭଦ୍ର କିନ୍ତୁ ଭୀଷଣଭାବେ ଧୂର୍ତ୍ତ । ବୈଷୟିକ ବୁଦ୍ଧି ଭୟଙ୍କର ଭାବରେ ତୀବ୍ର । ବିଶ୍ୱସ୍ତ ଓ ଅଜ୍ଞାଧୀନ । ଏହି ଗୁଣ ହେତୁ ଅଳ୍ପ ଶିକ୍ଷିତ ହେଲେ ମଧ୍ୟ ଦେବ ଦାସଙ୍କର ଏକାନ୍ତ ପ୍ରିୟପାତ୍ର ହୋଇପାରିଛନ୍ତି । ଦେବ ଦାସଙ୍କ ପାଖକୁ ବିଭିନ୍ନ କାମରେ ଯିବାଆସିବା କରିବାରେ ଶ୍ରୀକାନ୍ତଙ୍କ ସଙ୍ଗେ ମୋର ଘନିଷ୍ଠତା ବୃଦ୍ଧି ପାଇଛି । ଦେଖା ହୋଇଗଲେ ଚା’ରେ ଆପ୍ୟାୟିତ ନ କରି ଛାଡ଼ନ୍ତି ନାହିଁ । କଥା ପ୍ରସଙ୍ଗରେ ତାଙ୍କରିଠାରୁ ଦେବ ଦାସଙ୍କ କଥା ଶୁଣେ । ତାଙ୍କରିଠୁ ରଜନୀକାନ୍ତଙ୍କ କଥା ମଧ୍ୟ ଜାଣି ପାରୁଥିଲି ।

 

ରଜନୀକାନ୍ତ ଇତିହାସରେ ଏମ୍‌. ଏ. ପ୍ରଥମ ଶ୍ରେଣୀ ପାଇଥିଲେ । ଛାତ୍ର ଥିବାବେଳେ ସେ ଭଲ ପାଇଥିଲେ ତାଙ୍କ ସହପାଠିନୀ ସାରଦାକୁ । ସାରଦାର ବାପା ଜଣେ ହେଡ଼୍‌ ଆସିଷ୍ଟାଣ୍ଟ । ସେ ଥିଲା ବାପା ମାଙ୍କର ଏକମାତ୍ର ସନ୍ତାନ । ଏଇ ଏକମାତ୍ର ସନ୍ତାନ ହେବାର ସୁଯୋଗ ନେଇ ସନ୍ତାନମାନେ ସବୁ ଭୁଲ୍ କରି ସୁଦ୍ଧା ବାପାମାଙ୍କର କ୍ଷମଣୀୟ ହୁଅନ୍ତି । ସାରଦାର ସେ ସୁଯୋଗ ଥିଲା । ସାରଦା ସୁନ୍ଦରୀ ଥିଲା । ମଧ୍ୟମ ଧରଣର ଛାତ୍ରୀ । ପ୍ରତିବର୍ଷ ପାଶ୍‌ କରିଯାଏ ।

 

ସାରଦା ଭଲପାଇ ବସେ ରଜନୀକାନ୍ତକୁ–ପ୍ରଥମେ ଏ ଭଲ ପାଇବା ପଛରେ ବିବାହର ଆକର୍ଷଣ ନଥିଲା । ଥିଲା ଗୋଟାଏ ମାୟାମମତା–ବନ୍ଧୁ ପାଇଁ ବନ୍ଧୁର ଯେତିକି ଦରଦ ରହିବାର କଥା, ସେତିକି । ପ୍ରଥମେ ପ୍ରଥମେ ରଜନୀକାନ୍ତ ସାରଦା ଘରେ ପ୍ରବେଶ କରିବାରେ ଯେଉଁ ବାରଣ ଥିଲା, ତାହା ଧୀରେ ଧୀରେ ଅପସରି ଯାଇଥିଲା । ସାରଦାର ମା ରଜନୀକାନ୍ତଙ୍କୁ ଆଦର କରିଥିଲେ । ଜନ୍ମକଲା ପୁଅ ଓ ଜ୍ୱାଇଁ ଭିତରେ ତଫାତ ବା କେତେ ?–

 

ଆଇ. ଏ. ଏସ. ପରୀକ୍ଷା ଲାଗି ଯେଉଁଦିନ ଫର୍ମ ପୂରଣ କରିବା କଥା, ସେଦିନ ରଜନୀକାନ୍ତଙ୍କ ନିକଟରେ ଥିଲା ମାତ୍ର ଦୁଇଟି ଟଙ୍କା । କେଇ ପ୍ୟାକେଟ୍‌ ପାନାମାର ଦାମ୍ । ବହୁ ସୁଗୁଣ ମଧ୍ୟରେ ଏଇ ଏକମାତ୍ର ଦୋଷ । ଧୂମପାନକୁ ସାରଦା ପସନ୍ଦ ନ କଲେ ମଧ୍ୟ ବରଦାସ୍ତ କରିଥିଲା । କାରଣ, ସିଗାରେଟ ନ ଖାଇଲେ ସେ ପଢ଼ି ପାରିବେ ନାହିଁ । ରଜନୀକାନ୍ତ ସାରଦାଙ୍କ ଦେହ ଛୁଇଁ ଶପଥ କରିଥିଲେ, ଆଇ. ଏ. ଏସ୍‌. ପାଇବା ପରେ ସେ ଆଉ ସିଗାରେଟ୍‌ ଛୁଇଁବେ ନାହିଁ । ହଁ, ଫର୍ମ ପୂରଣ ଦିନ କ’ଣ କରାଯିବ ? ରଜନୀକାନ୍ତଙ୍କୁ ଧାରସୂତ୍ରରେ ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେଇଥିବା ଭଦ୍ରଲୋକ ଶେଷ ମୁହୂର୍ତ୍ତରେ ମନା କରି ଦେଇଥିଲେ । ଶେଷରେ ସାରଦା ନିଜର ବାପାଙ୍କ କଷ୍ଟଅର୍ଜିତ ଅର୍ଥରେ କିଣା ସୁନାଚୁଡ଼ି ବିକି ଫିସ ଜମା କରିଥିଲେ ରଜନୀକାନ୍ତଙ୍କ ପାଇଁ । ରଜନୀକାନ୍ତ ବହୁ ଦ୍ୱିଧାରେ ସେ ଅର୍ଥ ଗ୍ରହଣ କରୁ କରୁ କହିଥିଲେ, ‘‘ଦେଖ, ସର, କ’ଣ ଦେଖି ତୁମେ ନିଜ ହାତର ସୁନା ଚୁଡ଼ି ବିକିଲ, ମୁଁ ବୁଝିପାରୁନି । ଆଇ. ଏ. ଏସ. ମିଳିଲେ ତ ଭଲ, ଯଦି ନ ମିଳେ– ?’’ ‘‘ମିଳିଲେ ଭଲ ନ ମିଳିଲେବି ଦୁଃଖ ନାହିଁ । ଚୁଡ଼ି ବିକିବା ପଛରେ କେବଳ ଗୋଟିଏ କଥା ରହିଛି । ଅନ୍ତତଃ ଜୀବନରେ କେବେ ପସ୍ତେଇବ ନାହିଁ, ଯେ ଟଙ୍କା ଅଭାବରୁ ତମେ ଆଇ. ଏ. ଏସ. ଦେଇପାରିଲ ନାହିଁ ।’’ ସାରଦାର କହିବା ଭଙ୍ଗୀରେ ଥିଲା ଦୃଢ଼ତା । ତଥାପି ରଜନୀକାନ୍ତ ମନରେ ଦ୍ୱିଧା । ସାରଦା ମୁହଁରେ ହସଫୁଟାଇ କହିଲା, ‘‘ଟଙ୍କା କେତେଟା ନବାକୁ ଏତେ ଢଙ୍ଗ ବାହାରୁଛି । ଆଉ ନିଜକୁ ଯେତେବେଳେ ତମକୁ ଦେଇଦେଇଛି, ପଦେ ହେଲେ ଆପତ୍ତି ବାହାରିନି ତ ? ମୋ ତୁଳନାରେ ଏଇ ସୁନାକାଚର ମୂଲ୍ୟ କେତେ କମ୍‌, ସେ କଥା କ’ଣ ତମକୁ ବୁଝେଇବାକୁ ପଡ଼ିବ ?’’ ତଥାପି ରଜନୀକାନ୍ତ ଗମ୍ଭୀର ରହିବାର ଦେଖି ସାରଦା ଧମକ ଦେଇ କହିଥିଲା–‘‘ମତେ ଆଉ ବିରକ୍ତ କରନି କହିଦଉଛି । ଅଯଥା ସମୟ ନଷ୍ଟ ନ କରି ଟଙ୍କା ନେଇଯାଅ-। ଫର୍ମ ପୂରଣ କରି ଦେଇ ଯାଇ ପଢ଼ାପଢ଼ି କରିବ ।’’ ବାତାବରଣକୁ ଟିକେ ହାଲୁକା କରିବାପାଇଁ ପରିହାସ କରି ସାରଦା କହିଥିଲା–‘‘ଯଦି ଆଇ. ଏ. ଏସ୍‌. ପାଅ, ତେବେ ପ୍ରଥମ ମାସ ଦରମାରେ ମୋ ପାଇଁ କାଚ କିଣିଦେବ । ମନେରହିଲା ? ହଁ, ଦେଖ, ଆଉ ଟଙ୍କା ଦରକାର ହେଲେ ସଙ୍ଗେ ସଙ୍ଗେ କହିବ ।’’

 

ଆଉ ଦମକାଏ ସିଗାରେଟ୍‌ ଟାଣି, ଟଙ୍କା ଧରି ଚୁପ୍‌ଚାପ୍‌ ରଜନୀକାନ୍ତ ଫେରିଥିଲେ । ତାଙ୍କ ଯିବାବାଟକୁ ଚାହିଁ ସାରଦା ଭାବିଥିଲା, ଧନ୍ୟ ଏ ପୁରୁଷ ଜାତି । ନାରୀର ସତୀତ୍ୱ ଲୁଟି ନେବାରେ ସାମାନ୍ୟ ସଙ୍କୋଚ ନାହିଁ; ମାତ୍ର ନାରୀ ହାତରୁ ସାମାନ୍ୟ କେଇଟା ଟଙ୍କା ନେଲାବେଳକୁ ପୌରୁଷରେ ଆଘାତ ଲାଗେ ।...

 

ସାରଦା ଓ ରଜନୀକାନ୍ତକୁ ନେଇ କେତେ ଆଲୋଚନା, ଉପହାସ ପରିହାସ, ଜୋତା ଘୋଷରା, ସିଟି ମରା, ପାମ୍ପ୍ଳେଟ୍‌ ଲେଖା । ସାରଦା ସବୁ ଶୁଣିଛି, କିନ୍ତୁ ଭ୍ରୂକ୍ଷେପ କରିନାହିଁ । ସେ ଏ ସବୁକୁ ପ୍ରଣୟର ପୁରସ୍କାରରୂପେ ଧରି ନେଇଛନ୍ତି । ସାରଦାର ବାପା ଏ ସବୁ ଶୁଣନ୍ତି...ବିରକ୍ତ ହୁଅନ୍ତି; ମାତ୍ର ଝିଅକୁ କିଛି କହିପାରନ୍ତି ନାହିଁ । ଏକମାତ୍ର ସନ୍ତାନ...ତା’ର ସାମାନ୍ୟ ଦୁଃଖ ବହୁଗୁଣିତ ହୋଇ ତାଙ୍କୁଇ ଆଘାତ ଦେବ । କେବେକେବେ ସାରଦାଙ୍କ ବାପା ବିରକ୍ତ ହେବାର ଶୁଣି ମା କହନ୍ତି–‘‘କାହିଁକି ବିରକ୍ତ ହେଉଛ ଣୁଣେ ? ଝିଅ ବଡ଼ ହେଲା, ତା’ ପସନ୍ଦ ଅନୁସାରେ ବାଛିବ । ଯୁଗ ବଦଳିଗଲାଣି । ସେ ଛୁଆ ହୋଇନି ଯେ, ଆଖି ଦେଖାଇଲେ ଡରିଯିବ । ତାକୁ କିଛି କହିବନି । ନ’ଟା ବା ଛ’ଟା । ମୋ ଝିଅ କ’ଣ କରିଛି କି ? ମହାନ୍ତି ଘର ପାଞ୍ଚ ପାଞ୍ଚଟା ଝିଅ ପ୍ରେମ କରି ବାହା ହେଲେ । କିଏ ତେଲି ଘରେ ପଶିଲା ତ କିଏ ଚଷା ଘରେ । କହିବା ଲୋକେ ବଳେ ଚୁପ୍‌ ହେବେ-।’’

 

ଏଇ ରଜନୀକାନ୍ତ ଆଇ. ଏ. ଏସ୍‌. ଟ୍ରେନିଂରେ ଥିବାବେଳେ ସାରଦାକୁ ଲେଖିଥିଲେ–‘‘ମୁଁ ଆଜି ଯାହା ହୋଇଛି, ଦୁଇପଟ ସୁନାଚୁଡ଼ି କଥା କହିପାରିଲେ, ମୋର ଆଉ କହିବା ଦରକାର ପଡ଼ନ୍ତା ନାହିଁ । ...ସତରେ ମୋର ବିଶ୍ୱାସ ନଥିଲା ଝିଅମାନେ ଏତେ ଶସ୍ତା ହୋଇପାରନ୍ତି ବୋଲି । ସେମାନଙ୍କ ତୁଳନାରେ ତୁମେ କେତେ ଉଚ୍ଚରେ ସେ କଥା ବୁଝାଇ ପାରିବିନି । ....ସିଗାରେଟ୍‌ ଖାଇବାକୁ ମନା କରିଥିଲ । ଧର ଯଦି ମୁଁ ସିଗାରେଟ୍‌ ବଦଳରେ ଚୁରୁଟ ଖାଏ, କ’ଣ ଗାଳି ଦେବ ? ବିଶ୍ୱାସ କର, ମୁଁ ସିଗାରେଟ୍‌ ଛୁଇଁବି ନାହିଁ । ରଜନୀକାନ୍ତ ଅଭାବ ଅନାଟନର ମଣିଷ । ସେ ମଣିଷର ସେବା କରିବ । ମହିଳା କଲେଜର ଝିଅମାନଙ୍କ ପଛରେ ଗୋଡ଼େଇବନି ବା ମଦ ଖାଇ ରାସ୍ତାରେ ଗଡ଼ିବନି । ...ସୁରେନ୍‌କୁ ଜାଣ ? ସେ ଆଇ. ପି. ଏସ୍‌. ଟ୍ରେନିଂ ନେଉଛି । କେତେ ପିଉଛି, ନ ଦେଖିଲେ ଭାବି ପାରିବନି ।...ତମ କଥା ସବୁବେଳେ ମନେ ପଡ଼ୁଛି । ସମସ୍ତ ବ୍ୟସ୍ତତା ମଧ୍ୟରେବି ମୁଁ ତମ ହାତ ଚୁଡ଼ିର ଶବ୍ଦ ଶୁଣିପାରେ ।’’

 

ରଜନୀକାନ୍ତକୁ ନେଇ ସାରଦା କେତେ ସ୍ୱପ୍ନ ନ ଦେଖିଛି; କିନ୍ତୁ ସବୁ ସ୍ୱପ୍ନ ତା’ର ମିଳେଇଗଲା ଯେଉଁଦିନ ସେ ରଜନୀକାନ୍ତ ପାଖରୁ ପାଇଲା ଛୋଟ ଚିଠିଟିଏ । ଚିଠିଟିର ମର୍ମ ହେଲା, ସେ ସାରଦାକୁ ବିବାହ କରିବା ସମ୍ଭବ ନୁହେଁ । ଠକିବାର ଶୁଭାରମ୍ଭ ହେଲା, ସେଇଠୁ । ଯେଉଁଠି ଜୀବନ କହିଲେ ଅର୍ଥ ଓ କ୍ଷମତା ବୁଝାଏ, ବିବାହ ପ୍ରସ୍ତାବ ପଡ଼ିଲେ ହଜାର ହଜାର ରେଡ଼ି କ୍ୟାସ୍‌, ଗାଡ଼ି, ଆଉ ଗୋଲ୍‌ଡ଼ ବୁଝାଏ । ସେଠି ଦରିଦ୍ର କିରାଣୀ କନ୍ୟାର କଙ୍କଣର ଆକର୍ଷଣ କେତେ ହୋଇପାରିବ ?

 

ମୁଁ ବିସ୍ମିତ ହୋଇ ପ୍ରଶ୍ନ କଲି, ‘‘ବିବାହ ତେବେ ହୋଇପାରିଲା ନାହିଁ ? ସାରଦା କଥା କ’ଣ ହେଲା ?’’ ହସି ହସି ଶ୍ରୀକାନ୍ତ ଉତ୍ତର ଦେଲେ–ଛାଡ଼ନ୍ତୁ ସାରଦା କଥା । ଏ ସମାଜରେ କେତେ ସାରଦା ଏମିତି ରାସ୍ତାରେ ଗଡ଼ୁଛନ୍ତି । । ଆପଣ ଶୁଣନ୍ତୁ ରଜନୀକାନ୍ତର କାହାଣୀ...ତିନୋଟି ପ୍ରସ୍ତାବ କଥା କହି ସାରିଛି । ଏବେ ଚୁମ୍ବକରେ ଆଉ କେତେଟା ପ୍ରସ୍ତାବ କଥା କହୁଛି । ଶ୍ୟାମସୁନ୍ଦର...ମାଇନ୍‌ ଓନର୍‌...ରେଡ଼ି କ୍ୟାସ୍‌ ଷାଠିଏ ହଜାର–ଗୋଟାଏ ଫିଆଟ୍‌ ଆଉ କଟକରେ କୋଠା । ...ପୁରୀ ସଦର ଥାନା ପୋଲିସ୍‌ ଇନ୍‍ସପେକ୍ଟର, ରେଡ଼ି କ୍ୟାସ ଦଶ ହଜାର । ରାଜଧାନୀରେ ଘର ତୋଳିବାପାଇଁ ଜମି । ...ଅଧ୍ୟାପକ ମହାପାତ୍ର...ପନ୍ଦର ହଜାର...ଷ୍ଟାଣ୍ଡାର୍ଡ଼ ଗାଡ଼ି, ଆଉ ଗୋଲଡ଼୍–ଝିଅର ରୂପ ଲାଖି ରୂପ । ଏମ୍‌. ଏ.ର ପ୍ରଥମ ବାର୍ଷିକ ଛାତ୍ରୀ...ଉପମନ୍ତ୍ରୀ ଶ୍ରୀ ଦାସ ମଧ୍ୟ ଖବର ଦେଇଥିଲେ । ରାଜି ହେଲେ ଦେବା ନେବା ସ୍ଥିର ହେବ ।

 

ଅନ୍ୟ ପ୍ରସ୍ତାବ ଥାଉ...ଯେଉଁମାନେ ଗାଡ଼ି ଦେଇ ପାରିବେ ସେମାନଙ୍କ କଥା କହିଲି-। ...ଶ୍ରୀକାନ୍ତକୁ ପଚାରିଲି–‘‘ଆପଣ ତେବେ ରଜନୀକାନ୍ତକୁ ଧଇଲେ କିପରି ।’’ –‘‘ଟଙ୍କା, ଟଙ୍କା । ରୁପା ଚକି ଥିଲେ ଆଇ. ଏ. ଏସ୍‌. କ’ଣ ତାଙ୍କ ସାତପୁରୁଷଙ୍କୁ ଧରି ହେବ । ଦିଲ୍ଲୀରେ ନିଲାମରେ ଗୋଟାଏ କୋଠା ଧରିବାପାଇଁ ମତେ ଯେତେ କଷ୍ଟ ସହିବାକୁ ପଡ଼ିଥିଲା, ତା’ ତୁଳନାରେ ରଜନୀକାନ୍ତ କିଛି ନୁହେଁ ।’’ ମୁଁ କହିଲି–‘‘ଆଚ୍ଛା, ଶ୍ରୀକାନ୍ତବାବୁ, କିଛି ଭାବିବେ ନାହିଁ । ରଶ୍ମି କ’ଣ ସୁନ୍ଦରୀ ?’’

 

–‘‘ମୋଟେ ନୁହେଁ । ସାଧାରଣ କହିଲେ ଚଳିବ । ତେବେ ଝିଅ ଯେତେ ଅସୁନ୍ଦର ହେଉ, ସେମାନଙ୍କୁ ଟଙ୍କା ସୁନାରେ ସଜାଇଦେଲେ, ଆଧୁନିକ ଶିକ୍ଷିତମାନଙ୍କ ଆଖିକୁ ସୁନ୍ଦର ଦିଶେ-। କନ୍ୟାପିତାଙ୍କ ଗାଡ଼ିର ହର୍ଣ୍ଣ ସେମାନଙ୍କୁ ସଙ୍ଗୀତ ଶୁଣାଏ ।’’

 

ବିବାହ ସ୍ଥିର ହୋଇଯାଇଛି । କାଲି ନିର୍ବନ୍ଧ । ରଜନୀକାନ୍ତ ମାଇନ୍‌ ଓନର୍‌ ଶ୍ୟାମସୁନ୍ଦର ଝିଅ ରୀତା ସହିତ ଅନେକ ବୁଲାବୁଲି କରିଥିଲେ । ମୁଁ କୌଣସିମତେ ରଜନୀକାନ୍ତକୁ ଦେବ ଦାସଙ୍କ ନିକଟକୁ ନେଇ ଆସିଲି । ସେ ସିଧା ଆରମ୍ଭ କଲେ...ୟୁ ମାଇ ବୟ,...ଟେକ୍‌ ଇଓର ସିଟ୍‌...ମୁଁ ସବୁ ଶୁଣିଛି...ତୁମେ ରଶ୍ମିକୁ ମୋର ଦେଖିଛ । ସିଟିରେ ମୋର ଓ୍ୱେଷ୍ଟର୍ଣ୍ଣ ଫ୍ଲାଟ୍‌ ଦେଖିଛ । ଟୁ ନିଉ କାର୍‌ସ...ଗୋଟାଏ ଫିଆଟ୍‌...ମାଇଁ ଚାଇଲ୍‌ଡ଼ ଲାଇକ୍‌ସ୍‌ ଦ୍ୟାଟ୍‌ ଭେରି ମଚ୍‌ । ତା’ ବ୍ୟତୀତ ଆମ୍ୱାସାଡ଼ର୍‌...ଡୋଣ୍ଟ ଓରି...ଟଙ୍କାପାଇଁ ବ୍ୟସ୍ତ ହୁଅ ନାହିଁ । ଆଇ ହାଭ୍‌ ପ୍ଳେଣ୍ଟି...ମନଇଚ୍ଛା ଖର୍ଚ୍ଚ କର-। ମୁଁ ଜାଣେ ତୁମ ସ୍କେଲ୍‌...ଠୁ ସ୍କାଣ୍ଟିଫର ଦି ଟାଇମ୍‌ । ଛାଡ଼, ମୁଁ ସେଥିପାଇଁ ବ୍ୟସ୍ତ ନୁହେଁ । ମୁଁ ଚାହେଁ ତୁମେ ରଶ୍ମିକୁ ବିବାହ କର । ତୁମେ କେଉଁଠି ପୋଷ୍ଟିଂ ହେବାକୁ ଚାହଁ କୁହ...ଆଇ ଉଇଲ୍‌ ସ୍ପିକ୍ ଟୁ ଦୋଜ୍‌ ମିନିଷ୍ଟର୍‌ସ୍‌...ସେମାନେ ଆଗାମୀ ନିର୍ବାଚନ ଲାଗି ମତେ ଲକ୍ଷେ ଟଙ୍କା ମାଗିଛନ୍ତି । ରଶ୍ମି ପାହାଡ଼ିଆ ଜାଗାକୁ ପସନ୍ଦ କରେ । ତୁମେ ଯେକୌଣସି ପୂର୍ବତନ ଗଡ଼ଜାତକୁ ଯାଇପାର । ଢେଙ୍କାନାଳ, କଳାହାଣ୍ଡି...ସୁନ୍ଦରଗଡ଼...ଏନି ପ୍ଳେସ୍‌..... ।’

 

–‘‘ସାର୍‌...’’

 

–‘‘ନୋ କୋଶ୍ଚେନ୍‌ ଆଫ୍‌ ସାର୍‌ ! ତୁମେ ରୀତା ସହିତ ଘୂରିଛ, ସେଥିରେ ଦୁଃଖିତ ହେବାର କିଛି ନାହିଁ । ୟୁ ଆର ଏ ୟଙ୍ଗ ମ୍ୟାନ୍‌...ତୁମ ଲାଗି ଏପରି ବହୁ ସୁବିଧା ସୁଯୋଗ ଆସିବ । ସେଥିରେ କ’ଣ ଅଛି ? ତୁମ ମାମୁଁ ଓ ମା’ଙ୍କୁ ଆଣିବାପାଇଁ ଗାଡ଼ି ପଠେଇଚି । ସେମାନେ ଏଇନେ ଆସି ପହଞ୍ଚିବେ ।...ତୁମେ ବସ, ମୁଁ ଆସୁଛି ।’’ ନିର୍ଦ୍ଦେଶମତେ ମୁଁ ହାତ ଖର୍ଚ୍ଚ ଲାଗି ଦଶ ଖଣ୍ଡ ଶହେଟଙ୍କିଆ ନୋଟ ରଜନୀକାନ୍ତ ପକେଟରେ ଗୁଞ୍ଜିଦେଲି ।

 

ମୁଁ ଚାହିଁ ରହିଥିଲି ଶ୍ରୀକାନ୍ତଙ୍କ ମୁହଁକୁ । ଘୃଣାରେ, ବ୍ୟଥାରେ ଆଉ ଅପମାନରେ ମୋ ମୁଣ୍ଡ ନଇଁଗଲା । ଆଇ. ଏ. ଏସ୍‌. ଅର୍ଥ ଓ କ୍ଷମତା ଅନ୍ୟ କର୍ମଚାରୀଙ୍କ ତୁଳନାରେ ଅଧିକ । ପ୍ରତିଭାବାନ ଯୁବକ ମୋ ଜାତିର ଯୋଗ୍ୟ ନାଗରିକ...ସେଇମାନଙ୍କର ଏ ଅଧଃପତନ । ମଧ୍ୟ ଯୁଗରେ ରୋମ୍ ଗ୍ରୀସ୍‌ରେ କ୍ରୀତଦାସ ନିଲାମ ହେଉଥିଲେ...ସୁଠାମ ସୁନ୍ଦରୀ ଯୁବତୀମାନଙ୍କୁ ପାଇବାପାଇଁ ଧନିକଙ୍କ ମଧ୍ୟରେ ରକ୍ତାକ୍ତ ବିବାହ ଉପୁଜୁଥିଲା...ଆଉ ଆଜି ? ବିଂଶ ଶତାବ୍ଦୀରେ, ସ୍ୱାଧୀନ ଭାରତର ଧନିକ ଶ୍ରେଣୀ ଆପଣାର କନ୍ୟାରତ୍ନମାନଙ୍କର କ୍ରୀଡ଼ନକ ହେବାଲାଗି ଆଇ. ଏ. ଏସ. ମାନଙ୍କୁ ନିଲାମ ଧରୁଛନ୍ତି । ମତେ ଚିନ୍ତିତ ହେବାର ଦେଖି ଶ୍ରୀକାନ୍ତ ପ୍ରଶ୍ନ କଲେ–‘‘କ’ଣ ଭାବୁଛନ୍ତି ?’’

 

‘‘ନା କିଛି ନୁହେଁ । ସବୁ ଆଇ. ଏ. ଏସ. ମାନେ ରଜନୀକାନ୍ତ ନୁହନ୍ତି । ମୋର ଜଣେ ଆଇ. ଏ. ଏସ୍‌. ବନ୍ଧୁ ବହୁ ଧନ ସମ୍ପତ୍ତି ଆଡ଼େଇ ଦେଇ ଏବେ ବିବାହ କରିଛନ୍ତି । ଶ୍ୱଶୁରଘରୁ ଆଣିଛନ୍ତି ମାତ୍ର ଗୋଟିଏ ଝରକଲମ ।’’

 

‘‘ତେବେ କେଉଁଠି କିଛି ଗଲତି ରହି ଯାଇଥିବ ।’’ ସାମାନ୍ୟ ରୁକ୍ଷଗଳାରେ କହିଲି–‘‘ହଁ, ଆପଣମାନେ ଯେଉଁଠି ନିଲାମ ଧରିପାରନ୍ତି ନାହିଁ, ସେଠି ସବୁ ଗଲତି ରହିଯାଏ । ସେଠାରେ ସବୁ ଖାର, ସାର ଜିନିଷ କିଛି ମିଳେ ନାହିଁ ।’’

 

‘‘ଭିତର କଥାଟା କ’ଣ ବନ୍ଧୁଙ୍କୁ ଲେଖି ବୁଝନ୍ତୁ ।’’ ମୁଁ କିଛି ନ କହି ଭାବିଲି ନିଶ୍ଚୟ ମୋର ବନ୍ଧୁଙ୍କୁ ମୁଁ ଲେଖିବି । ତା’ପରି ଏକ ବୁଦ୍ଧିମାନ ବନ୍ଧୁଠାରୁ ଠିକ୍‌ ଉତ୍ତର ପାଇବି ନିଶ୍ଚୟ । ଜାତିର ଆଇ. ଏ. ଏସ୍‌.ମାନଙ୍କୁ ରାଜପଥରେ ପଣ୍ୟଦ୍ରବ୍ୟ ପରି ନିଲାମ କରିବାଲାଗି ଯେଉଁମାନେ ଜାଲ ବିସ୍ତାର କରୁଛନ୍ତି, ସେମାନଙ୍କ କବଳରୁ ଏମାନଙ୍କୁ ରକ୍ଷା କରିବାକୁ ହେବ । କେବଳ ସେତିକି ନୁହେଁ, ଏଇ କଳଙ୍କିତ ଅଧ୍ୟାୟକୁ ସବୁଦିନ ପାଇଁ ପୋଛି ଦେବା ଲାଗି ମୋ ଦେଶର ଅଗଣିତ ମା, ଭଉଣୀ ଓ ବୁଦ୍ଧିଜୀବୀ ଜନସାଧରଣଙ୍କୁ କର୍ତ୍ତବ୍ୟ ସ୍ଥିର କରିବାକୁ ଆହ୍ୱାନ କରିବି ।

 

ଶ୍ରୀକାନ୍ତ ଆଉ ଥରେ ଚେତେଇ ଦେଲେ...‘‘ମନେ ରଖିଲେ ତ ? ୧୯୬୬ରେ ଆଇ. ଏ. ଏସ୍‌. କେତେରେ ନିଲାମ ହେଲେ ? ବେଶି ନୁହେଁ ମୋଟେ....

 

ଗୋଟାଏ ଫିଆଟ୍‌, ରେଡ଼ି କ୍ୟାସ୍‌ ୨୫ ହଜାର ।

 

ସିଟିରେ ଗୋଟାଏ ଫ୍ଳାଟ୍‌, ମୁଁ ବୋକାଙ୍କ ପରି ନିର୍ବାକ ହୋଇ ଚାହିଁ ରହିଥିଲି ଶ୍ରୀକାନ୍ତଙ୍କୁ ମୁହଁକୁ....

Image

 

ଜଳର ରଙ୍ଗ

 

ନଳିନୀଗଡ଼ ରାଜପ୍ରସାଦ । ବହୁ ଐତିହ୍ୟ, ଇତିହାସ ଓ କିମ୍ବଦନ୍ତୀର କେନ୍ଦ୍ର ବିନ୍ଦୁ । ଦିନ ଥିଲା, ଯେତେବେଳେ ଏହି ଅଞ୍ଚଳ ଶତ୍ରୁର ହୃଦୟରେ ଆତଙ୍କ ସୃଷ୍ଟି କରୁଥିଲା । ଆଭିଜାତ୍ୟ, ଆସ୍ଫାଳନରେ ଏହାର ପରିବେଶ ପ୍ରତିଧ୍ୱନିତ ହୋଇଉଠୁଥିଲା । ପ୍ରବୀଣ ମୁନିଋଷିର ଶ୍ମଶ୍ରୁରାଜି ପରି ଏହି ପ୍ରାସାଦ ଆଜି ବନ୍ୟ ଗୁଳୁରାଜିରେ ଆଚ୍ଛାଦିତ । ଏହି ପ୍ରାସାଦର ରଙ୍ଗ ଗ୍ରୀଷ୍ମ, ଶୀତ, ବର୍ଷାର ଅତ୍ୟଧିକ ଅତ୍ୟାଚାରରେ ପୁରାତନ ଯାଦୁରୋଗୀର ଶ୍ରୀହୀନ ତନୁପରି ମନେ ହେଉଛି । ପ୍ରାସାଦ ମଧ୍ୟରେ ପ୍ରାସାଦର ଶ୍ରୀବୃଦ୍ଧି କରିବା ନିମନ୍ତେ କାନ୍ଥବାଡ଼ରେ ଯେଉଁ ପଶୁରାଜ ଓ କୁଳର ଚିତ୍ର ବିହଙ୍ଗ ଅଙ୍କନ ହୋଇଥିଲା ଓ ଦର୍ଶକ ସେ ସବୁ ଅବଲୋକନ କରି ତାହା ଜୀବନ୍ତ କିମ୍ବା ମୃତ ବୋଲି ସନ୍ଦେହ ପ୍ରକାଶ କରୁଥିଲା, ଆଜି ସେ ସବୁ ଏକାନ୍ତଭାବେ ନିଷ୍ପ୍ରଭ ହୋଇପଡ଼ିଛି । କ୍ଷୟିଷ୍ଣୁ ଆଭିଜାତ୍ୟପୂର୍ଣ୍ଣ ନଳିନୀଗଡ଼ର ରାଗବଂଶ ସହିତ ଏହି ଯୁବତୀଟି ଯେ ଅଙ୍ଗାଙ୍ଗୀଭାବେ ଜଡ଼ିତ, ସେ କଥା ଯେଉଁଦିନ ଜାଣିବାକୁ ପାଇଲି, ସେ ଦିନ ଏହି ଯୁବତୀ ସମ୍ପର୍କରେ ଆହୁରି ଅନେକ କଥା ଜାଣିବାକୁ ସ୍ୱତଃ ମୋର ଆଗ୍ରହ ବୃଦ୍ଧି ପାଇବାକୁ ଲାଗିଲା ।

 

ଅଫିସ ଯିବା ରାସ୍ତାରେ ମୋର ସର୍ବପ୍ରଥମେ ଏହି ଯୁବତୀଟି ସଙ୍ଗେ ସାକ୍ଷାତ ହୁଏ । କେବେ ଧୀର ପଦକ୍ଷେପରେ ଓ ଅଧିକାଂଶ ସମୟରେ ରିକ୍‌ସାରେ ଯିବାର ମୁଁ ତାଙ୍କୁ ଲକ୍ଷ୍ୟ କରେ । ତାଙ୍କ ଚାଲିରେ ଛନ୍ଦ-ସୃଷ୍ଟି ହେଉଥିଲା କି ନାହିଁ ଲକ୍ଷ୍ୟ କରିବାଲାଗି ମୋତେ କେବେ ଅବସର ମିଳି ନାହିଁ । ଅଫିସ ଯିବାଲାଗି ମୁଁ କେବେ ଠିକ୍‌ ସମୟରେ ପ୍ରସ୍ତୁତ ହୋଇପାରେନି । ତେଣୁ ଠିକ୍‌ ସମୟରେ ପହଞ୍ଚିବା ଲାଗି ମୁଁ ଦ୍ରୁତପଦରେ ଯିବାବେଳେ ଯେଉଁ ଅଳ୍ପ କେତେଗୋଟି ଜିନିଷ ଓ ପରିଚିତ ମୁହଁ ଦେଖିବାକୁ ମିଳେ, ସେ ମଧ୍ୟରେ ଏହି ଯୁବତୀଟି ଅନ୍ୟତମା ।

 

ଯୁବତୀଟିର ଦେହରେ ଗଠନ ପରିପାଟୀ ଥିଲା । ଚାହାଣିରେ ଅନାୟାସରେ ଅପରକୁ ଆକର୍ଷଣ କରିବାର ଶକ୍ତି ମଧ୍ୟ ଥିଲା ବେଶ୍ ପରିପାଟୀରୁ ମନେ ହେଉଥିଲା ସେ ଶିକ୍ଷିତା, ଆଧୁନିକା, ରୁଚିସମ୍ପନ୍ନା । ? ଏହି ନଳିନୀଗଡ଼ର ବହୁ କୁମାରୀଙ୍କ ମଧ୍ୟରୁ ସେ ଅନ୍ୟତମା । ନଳିନୀଗଡ଼ ରାଜା ବିବାହ ସମୟରେ ଯୌତୁକସୂତ୍ରରେ ଯେଉଁ ଧନ ସମ୍ପତ୍ତି ଶ୍ୱଶୁର ଘରୁ ପାଇଥିଲେ, ସେମାନଙ୍କ ମଧ୍ୟରେ ଏହି ଯୁବତୀଙ୍କ ମା ଅନ୍ୟତମା । ନଳିନୀଗଡ଼ ରାଣୀଙ୍କ ଦାସୀରୂପେ ସେ ଆସିଥିଲେ, ଆଉ ଫେରି ନାହାନ୍ତି । ଏହି ଯୁବତୀଟିର ପିତା କିଏ ଜଣାନାହିଁ, ବା ସେ ସମ୍ବନ୍ଧରେ ଜାଣିବାକୁ କେହି ଆଗ୍ରହ ପ୍ରକାଶ କରିନାହିଁ । ଆମେ ସାଧାରଣତଃ ଫୁଲର ସୌରଭ ଆଘ୍ରାଣରେ ଆଗ୍ରହ ପ୍ରକାଶ କରିଥାଉ, ତା’ର ଇତିବୃତ୍ତ ଜାଣିବାକୁ ନୁହେଁ । ସେ ଯାହାହେଉ, ନଳିନୀଗଡ଼ ରାଜପ୍ରସାଦର ଅନ୍ୟାନ୍ୟ ଯୁବତୀମାନଙ୍କ ପରି ଏହି ଯୁବତୀଟିକୁ ମଧ୍ୟ ରାଜକୀୟ ସମ୍ମାନରେ ସମ୍ମାନିତ କରାଯାଇଥାଏ । ଅନେକ ମଧ୍ୟ ଏହି ଯୁବତୀଟିକୁ ନଳିନୀଗଡ଼ର ଜେମା ବୋଲି ସମ୍ବୋଧନ କରିଥାନ୍ତି । କେତେକ ଏହି ଜେମା ସମ୍ବୋଧନ କରିବାକୁ କୁଣ୍ଠାବୋଧ କରିବା ସଙ୍ଗେ ସଙ୍ଗେ କହିଥାନ୍ତି, ଗଡ଼ଜାତଗୁଡ଼ିକ ମୋଗଲବନ୍ଦୀ ସଙ୍ଗେ ମିଶିଯିବା ପରେ ଓ ରାଜାମାନେ ସେମାନଙ୍କର ପ୍ରତିପତ୍ତି ତଥା କ୍ଷମତା ହରାଇବା ପରେ ସେମାନଙ୍କ ପରିବାର-ଲୋକଙ୍କୁ ଛାମୁ, ମଉଡ଼ମଣି, ରାଣୀମା, ଜେମା, ଯୁବରାଜ, ପଟ୍ଟାୟତ ଇତ୍ୟାଦି ସମ୍ବୋଧନ କରି ଅଯଥା ଆଘାତ ଦେବା ଅପେକ୍ଷା, ବରଂ ସାଧାରଣଲୋକଙ୍କ ପରି ସେମାନଙ୍କୁ ସମ୍ବୋଧନ କରି ସେମାନଙ୍କ ମନରେ ନୂତନ ସାମାଜିକ ମୂଲ୍ୟବୋଧ ସୃଷ୍ଟି କରିବା ଉଚିତ ।

 

ଏହି ଯୁବତୀଟି ସଙ୍ଗେ ପ୍ରତିଦିନ ସାକ୍ଷାତ ହେବା ଫଳରେ ମୋର ତାଙ୍କ ସଙ୍ଗରେ ଏକପ୍ରକାର ପରିଚୟ ହୋଇ ଯାଇଥିଲା । ଆମ ମଧ୍ୟରେ ଅବଶ୍ୟ କେବେ ଆଳାପ ହେବାର ସୁଯୋଗ ମିଳି ନାହିଁ । ମୁଁ ମଧ୍ୟ ଏପରି ସୁଯୋଗ ଲାଗି କେବେ ଅପେକ୍ଷା କରି ନାହିଁ । ବିନାକାରଣରେ ଅପରିଚିତା ମହିଳାଙ୍କୁ ରାସ୍ତାଘାଟରେ ଅଟକାଇ ଆଳାପ କରିବାକୁ ମୁଁ ଅସାମାଜିକତାର ଲକ୍ଷଣ ବୋଲି ମନେକରେ ।

 

ଏହି ଯୁବତୀଟି, ଯାହାକୁ ସମସ୍ତେ ଜେମା ବୋଲି ଜାଣନ୍ତି, ତାକୁ ଦେଖି ନଳିନୀଗଡ଼ ସମ୍ବନ୍ଧରେ ବିଶେଷତଃ ଏହାର ପତିତ ଓ ଲକ୍ଷ୍ମୀଛଡ଼ା ରାଜତନ୍ତ୍ର-ପର ପରିସ୍ଥିତିର ଏକ କରୁଣ ଚିତ୍ର ମୋର ମନରେ ଜଗରୁକ ହୋଇଉଠେ । କାହିଁକି କେଜାଣି ଏହି ଯୁବତୀକୁ ଅନ୍ୟମାନେ ଜେମା ବୋଲି ସମ୍ବୋଧନ କରନ୍ତୁ ବୋଲି ମୁଁ ମୋଟେ ଚାହୁଁ ନଥିଲି । ମୁଁ ଚାହୁଁ ଥିଲି, ତାକୁ ଗୋଟିଏ ସାଧାରଣ ପରିବାରର ଲୋକ ବୋଲି ସମ୍ବୋଧନ କରିବାକୁ । ମାତ୍ର ତାଙ୍କୁ କେବେ ଡାକିବାର ପ୍ରୟୋଜନ ପଡ଼ିବ ନାହିଁ ବୋଲି ମୋର ଦୃଢ଼ ଧାରଣା ହୋଇ ଯାଇଥିଲା ।

 

ଏହି ଯୁବତୀଟି କେବେକେବେ କୌଣସି ଯୁବକଙ୍କ ସଙ୍ଗେ ରିକ୍‌ସାରେ ଯାଇଥାଏ । ସେମାନେ ହୁଏତ ତାଙ୍କର ପୁରୁଷବନ୍ଧୁ କିମ୍ବା ସମ୍ପର୍କୀୟ ହୋଇପାରନ୍ତି, ମୁଁ ଠିକ୍‍ କହି ପାରିବି ନାହିଁ । ତେବେ ଧରି ନିଆଯାଉ ସେମାନେ ଯୁବତୀଟିର ପୁରୁଷବନ୍ଧୁ କାରଣ ସମ୍ପର୍କୀୟ ହୋଇଥିଲେ ସାଧାରଣତଃ ହସ, ଚାହାଣି ଓ କଥା ଭାଷାର ଭଙ୍ଗୀ ଯେପରି ହେବା କଥା, ସେପରି ମନେହୁଏ ନାହିଁ । ଯୁବତୀର ଗୋଟିଏ କଥା ଦେଖି ମୋତେ ସତରେ ବହୁତ ଆଶ୍ଚର୍ଯ୍ୟ ଲାଗୁଥାଏ । ସେଇଟି ହେଲା–ତା’ର ଓଠଧାରର ରୁପା-ରଙ୍ଗଦିଆ ହସ ଧାରକ, ସବୁଦିନ କଥା ସବୁ ସମୟରେ ପ୍ରାୟ ସମାନ । ସତେ ଯେପରି ସମସ୍ତ ପୁରୁଷବନ୍ଧୁମାନଙ୍କ ପ୍ରତି ସମାନ ପରିମାଣରେ ସେ ଋଣୀ, କାହାକୁ ଅଧିକ କାହାକୁ ଊଣା ଭଲ ପାଇବାର ସୂଚନା ସୁଦ୍ଧା ଦେବାକୁ ପ୍ରସ୍ତୁତ ନୁହେଁ । ମୋର ବେଳେବେଳେ ଯାଇ ପ୍ରଶ୍ନ କରିବାକୁ ଇଚ୍ଛା ହୁଏ...ଆପଣଙ୍କ ନାମ କ’ଣ । ଏଇ ଯେଉଁମାନେ ବେଳେବେଳେ ଆପଣଙ୍କ ସଙ୍ଗେ ଯାଆନ୍ତି ରିକ୍‌ସାରେ, ସେମାନେ କ’ଣ ଆପଣଙ୍କ ସମ୍ପର୍କୀୟ ? ଷ୍ଟେସନରେ କେବେକେବେ ପ୍ରଥମ ଶ୍ରେଣୀ ଅପେକ୍ଷାଗୃହ ସମ୍ମୁଖରେ ଆପଣ ସେ ଯେଉଁ ଭଦ୍ରଲୋକଟି ସହିତ ଦୀର୍ଘ ସମୟ ଧରି ଆଳାପ କରନ୍ତି, ସେ କିଏ ?

 

ଜନପଥର ଧାରେ ଧାରେ ବର୍ଷାପାଣି ଛୁଟି ଚାଲିଥାଏ । ଉଭୟ ପାର୍ଶ୍ୱର କୃଷ୍ଣଚୂଡ଼ା, ନିମ, ବିଲାତିଚାକୁଣ୍ଡା ଓ ରାସ୍ତାପାର୍ଶ୍ୱସ୍ଥ ଅନ୍ୟାନ୍ୟ ବୃକ୍ଷ ଶାଖାରୁ ଟପ ଟପ ହୋଇ ଜଳବିନ୍ଦୁ ଝରି ଚାଲିଥାଏ-। ରାସ୍ତାର ତାରଖୁଣ୍ଟ ଉପରେ କେଉଁଠି କିପରି ଗୋଟାଏ ଅଧେ କାଉ । ହଠାତ୍‌ ମୁଁ ଜୋର୍‌ରେ ସାଇକେଲ୍‌ ପେଡ଼ାଲ ମାରିଲି । ଆରମ୍ଭ ହୋଇଗଲା ବର୍ଷା, ଦେଖୁ ଦେଖୁ ବର୍ଷାରେ ମୋର ସର୍ବାଙ୍ଗ ଜଡ଼ସଡ଼ । ଅଚାନକ ରିକ୍‌ସାବାଲା ଡାକିଲା-ବାବୁ ! ପଛକୁ ଚାହିଁଲି । ରିକ୍‌ସା ମଧ୍ୟରୁ ସେହି ଯୁବତୀଟି ମୋତେ କହୁଛି...‘‘ଆପଣ ମୋ ଛତାଟା ନେଇ ଯାଆନ୍ତୁ । କାଲି ଫେରାଇ ଦେବେ-। ଏତେ ବାଟ ବର୍ଷାରେ ଯିବେ କିପରି ?’’

 

‘‘ନା ବେଶିଦୂର ନୁହେଁ, ମୋ ବସା । ମୁଁ ଚାଲିଯିବି ।’’ ଆପଣଙ୍କ ବସା ପୋଷ୍ଟଅଫିସ ସମ୍ମୁଖରେ ତ ! ଏଠାରୁ ତିନି ମାଇଲ ହେବ । ବେଶି ଦୂର ନୁହେଁ–କହୁଛନ୍ତି କ’ଣ ? ଛତା ନିଅନ୍ତୁ । ମୋର ଦରକାର ନାହିଁ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି...ପୋଷ୍ଟଅଫିସ ଆଗରେ ମୋର ବସା ! ଆପଣ ଜାଣିଲେ କିପରି ? ଯୁବତୀଟି ସ୍ମିତ ହସି କହିଲା...ମୁଁ ଜାଣେ....ଆପଣଙ୍କ ବସା...ଆପଣଙ୍କ କ୍ୱାଟରରେ ଯେଉଁ ଲାଲ୍ ଗୋଲାପ ଗଛଟି ଥିଲା, ଏବେ ସେଥିରେ ଫୁଲ ଫୁଟୁଛି ନା ? ବଡ଼ ଚମତ୍କାର ଫୁଲ ।’’ ମୁଁ ସାମାନ୍ୟ ବିସ୍ମିତ ହେଲି...ମୋ କ୍ୱାଟରରେ ଥିବା ଲାଲ ଗୋଲାପର ପ୍ରଶସ୍ତି ଯୁବତୀ ମୁହଁରୁ ଶୁଣି । ପଚାରିଲି ‘‘ଆପରଙ୍କ ବସା,...ଆପଣ ତେବେ ମୋ ବସା ଦେଖିଛନ୍ତି ?’’

 

ଆପଣଙ୍କ ବସାଠାରୁ ଗୋଟାଏ ଫର୍ଲଙ୍ଗ ଆଗରେ । କସ୍ତୁରବା ପାର୍କ ପଛରେ ଥିବା ଦ୍ୱିତୀୟ ଧାଡ଼ିର ଦୁଇ ନମ୍ବର କ୍ୱାଟର । ଛତା ଫେରାଇବା ଲାଗି ବ୍ୟସ୍ତ ହେବା ପ୍ରୟୋଜନ ନାହିଁ । କାଲି ଫେରାଇଲେ ଚଳିବ । ନଚେତ ସୁବିଧା ହେଲେ ମୁଁ କାହାକୁ ପଠାଇ ଛତାଟି ନେଇଯିବି ।

ମୁଁ କୃତ୍ୟକୃତ୍ୟ କଣ୍ଠରେ କହିଲି ନା କାହାକୁ ପଠାଇବା ପ୍ରୟୋଜନ ନାହିଁ । ମୁଁ ନିଜେ ନେଇ ଛତାଟି ଦେଇ ଆସିବି । ଆପଣଙ୍କ ନାମ...କିଛି ଭାବିବେ ନାହିଁ । ମୁଁ ସତରେ ଆପଣଙ୍କ ନାମ ଜାଣିନି । ‘‘ମୋର ନାମ ପ୍ରିୟତମା... । ମନେ ନ ପଡ଼ିଲେ ପଚାରିବେ ନଳିନୀଗଡ଼ ଜେମାଙ୍କ କ୍ୱାଟର କେଉଁଠି ? ସମସ୍ତେ ଜାଣନ୍ତି । ଯାହାକୁ ପଚାରିଲେ ବତାଇ ଦେବେ ।’’ ଆଉ ଅଧିକ କିଛି ନ ପଚାରି ଛତାଟି ଧରି ମୁଁ ସାଇକେଲ୍‌ ଚଳାଇ ଆସିଲି । ପୁଣି ଆଉ ତୁହାଏ ବର୍ଷା ବର୍ଷିବା ଉପରେ ।

ବସାରେ ପହଞ୍ଚିଲା ବେଳକୁ ବର୍ଷା ସମ୍ପୂର୍ଣ୍ଣ ବନ୍ଦ ହୋଇ ନଥାଏ । ଝରକା ଦେଇ ମୁଁ ସ୍ପଷ୍ଟ ଦେଖି ପାରୁଥାଏ, ମାଟିକୁଣ୍ଡରେ ଥିବା ଲାଲ ଗୋଲାପ ଗଛଟିକୁ । ବର୍ଷାରେ ସଫା ହେଇ ଫୁଲଗୁଡ଼ିକ ବେଶ୍‌ ସତେଜ ଦେଖାଯାଉଥାଏ । ହୁଏତ ଠିକ୍‌ ପ୍ରିୟତମାର କଲିଜାର ରକ୍ତପରି ଲାଲ୍‌ । ନଳିନୀଗଡ଼ ରାଜଜେମା ମୋ କ୍ୱାଟରର ଗୋଲାପକୁ ତେବେ ଭଲ ପାଏ...ପ୍ରାଣ ଦେଇ ଭଲ ପାଏ-। ଯୁବତୀର ରୁଚି ନିଶ୍ଚୟ ଅଛି...ହୁଏତ ଭୟଙ୍କରଭାବେ ରୋମାଣ୍ଟିକ ପ୍ରକୃତିର ! ଆସନ୍ତାକାଲି ଛତାଟାକୁ ଫେରାଇବାକୁ ଯିବାବେଳେ ସଙ୍ଗରେ ଗୋଲାପ ଫୁଲ କେଇଟି ନେଇଯିବି ସ୍ଥିର କରି...ମୁଁ ପୁଣି ମୋ କାମରେ ମନ ଦେଲି ।

ଜେମା ଅପେକ୍ଷା ପ୍ରିୟତମା ନାମଟି ମୋର ବେଶ୍‌ ପସନ୍ଦ ହେଲା । ମୁଁ ମନେ ମନେ ଠିକ୍‌ କଲି...ଆସନ୍ତାକାଲି ତାକୁ କହିବାକୁ...ସାଧାରଣଭାବେ ପ୍ରିୟତମା ନାମଟି କେତେ ସୁନ୍ଦର ! ସାଧାରଣ ପରିବାର ନାମ ଏଇଟି । ଏଣିକି ଆପଣ ଜେମା ନାମରେ ଅନ୍ୟକୁ ସମ୍ବୋଧନ କରିବାକୁ ବାରଣ କରନ୍ତୁ । ଏହି ଜେମା...ସାଧାରଣ ଓ ଆପଣଙ୍କ ମଧ୍ୟରେ ଗୋଟିଏ ସୀମାରେଖା ଟାଣିଦିଏ...ଗୋଟାଏ କ୍ଷୟିଷ୍ଣୁ ଅତୀତ ଓ ଆଭିଜାତ୍ୟକୁ ସ୍ମରଣ କରାଇ ଦେଇଥାଏ...ଲାଭ କିଛି ହୁଏ ନାହିଁ । ବରଂ ଅନୁଶୋଚନାରେ ମ୍ରିୟମାଣ ହେବାକୁ ପଡ଼ିଥାଏ ।’’

ତା’ ପରଦିନ ମୁଁ ‘ପ୍ରିୟତମା’ର କ୍ୱାଟର ନିକଟରେ ପହଞ୍ଚିଲି । ବସା ପାଇବାରେ ଅସୁବିଧା ହୋଇନାହିଁ । ଘର ସମ୍ମୁଖରେ ନେମ୍‌ପ୍ଳେଟ । ଡ୍ରଇଂ ରୁମ୍‌ରେ ମୁଁ ଅପେକ୍ଷା କରି ରହିଲି । ଛୋଟ ପିଲାଟିଏ ଚା’ କପଟିଏ ଥୋଇ ଦେଇ ବସିବାକୁ କହି ଚାଲିଗଲା । ଡ୍ରଇଂ ରୁମ୍‌ଟି ବେଶ୍‌ ନିରାଡ଼ମ୍ବରଭାବେ ସଜ୍ଜିତ । ଖଣ୍ଡିଏ ଆର୍‌ମ ଚେୟାର୍‌, ଟିପଏ, ସୋଫାସେଟ୍‌ଟିଏ ପଡ଼ିଛି । ଛୋଟ ଟେବୁଲ ଖଣ୍ଡିଏ । ଗୋଟିଏ ଛୋଟ କାଚ ଆଲମିରା ଉପରେ ବୁଦ୍ଧଦେବଙ୍କର ଗୋଟିଏ ଛୋଟ ମୂର୍ତ୍ତି-। ଆଲମିରାକୁ ଲାଗି ସିତାର ଗୋଟିଏ...ଥୁଆ ହୋଇଛି । ପ୍ରିୟତମା ତେବେ ଗାଇ ଜାଣେ, ବଜାଇ ଜାଣେ । କାନ୍ଥରେ ଗାନ୍ଧୀରଙ୍କ ଗୋଟିଏ ଫଟୋ...ଠିକ୍‌ ତା’ର ସାମନାରେ ସାମାନ୍ୟ ମଇଳା ହୋଇଯାଇଥିବା ଏକ ଶିକାରୀର ଫଟୋ–ଉନ୍ନତ ଚେହେରାର ମୁହଁକୁ ଚାହିଁ ଲମ୍ବା ଲମ୍ବା ନିଶ । ଦଶଫୁଟ ଦୀର୍ଘ ମୃତ ମହାବଳ ଉପରେ ବନ୍ଧୁକ ଥୋଇ ନିଶ ମୋଡ଼ୁଥିବାର ଏକ ଛବି । ସନ୍ଦେହ ହେଲା ହୁଏତ...ନଳିନୀଗଡ଼ର ରାଜା ହୋଇଥିବେ । ବିସ୍ମିତ ଅତୀତକୁ ଫେରିଯିବା ଲାଗି ଏହିପରି କେତେଗୋଟି ସ୍ମୃତି ଯଥେଷ୍ଟ ସହାୟକ ହେବ । ପ୍ରିୟତମା ନିଜର ଆଭିଜାତ୍ୟର ପରିଚୟ ଦେବା ଲାଗି ଏହି ଛବିଟି ଏଠାରେ ଝୁଲାଇ ରଖିଛି ନିଶ୍ଚୟ ।

ପ୍ରିୟତମା ଆସିବାର ବିଳମ୍ବ ଲାଗି ଦୁଃଖ କରି ବସିବା ସଙ୍ଗେ ସଙ୍ଗେ ମୁଁ ଫଟୋକୁ ଚାହିଁ ପ୍ରଶ୍ନକଲି–‘‘ଏ କିଏ ? କାହାର ଛବି ?’’ ‘‘ନଳିନୀଗଡ଼ ରାଜା–ମୋର ବାବା...ଶିକାରରେ ବେଶ୍ ଝୁଙ୍କ୍‌ ତାଙ୍କର । ଏହିପରି ଅନେକ ଫଟୋ ତାଙ୍କର ରହିଛି ।’’

 

‘‘ଆପଣ ତେବେ ନଳିନୀଗଡ଼ ରାଜକୁମାରୀ’’

 

‘‘ହଁ, ତେବେ ଆଜି ଆଉ ରାଜକୁମାରୀ ନୁହେଁ...ସାଧାରଣ କୁମାରୀ ମାତ୍ର ।’’

 

ସାମାନ୍ୟ ହସି ମୁଁ ପକେଟରେ ନେଇଥିବା ଲାଲଗୋଲାପକୁ ଟେବୁଲ ଉପରେ କାଢ଼ି ରଖୁ ରଖୁ କହିଲି–‘‘ଅନେକ ଗୋଲାପ ଫୁଟିଛି...ଆପଣ ଏହି ଗୋଲାପ କଥା ପଚାରୁଥିଲେ ନିଶ୍ଚୟ-।’’

 

‘ହଁ ଏଇ ଗୋଲାପ କଥା ପଚାରୁଥିଲି...ମାତ୍ର ଆପଣ ଆପଣ ନା’ ନା, କିଛି ନାହିଁ । କୁହନ୍ତୁ କ’ଣ କହୁଛନ୍ତି...ବନ୍ଦ ହେଲେ କାହିଁକି ?’’

 

ମୁଁ ଅଧିକ କିଛି ଆଉ ପଚାରିବାକୁ ଆଗେଇଲି ନାହିଁ । ହୁଏତ କୌଣସି କାରଣ ଥିବ...ଏଇ ଗୋଲାପ ସ୍ମୃତି ତାଙ୍କୁ ପଳେ ପଳେ ଆଘାତ ଦେଇଥିବ । ରାଜକନ୍ୟା...ବଡ଼ ବଡ଼ କଥା...ଅଜବ ଖିଆଲ...ଗୋଲାପ, ରଜନୀଗନ୍ଧା, ରାଧାତମାଳ, ଜ୍ୟୋତ୍ସ୍ନାରାତି...ଅନେକ ରୋମାଣ୍ଟିକ ପରିବେଶର ନୀରବ ସାକ୍ଷୀ । ଆମ ସାଧାରଣଙ୍କ ଲାଗି ଏ ସବୁର କୌଣସି ଅର୍ଥ ନାହିଁ-। କିନ୍ତୁ ସେ ଯେ ରାଜକୁମାରୀ !

 

ତା’ପରେ ପ୍ରଶ୍ନକଲି–‘‘ଆପଣ ନୃତ୍ୟଗୀତ ଇତ୍ୟାଦିରେ...ଏଠାରେ ସୀତାରଟିଏ....’’ ‘‘ନା, ମୁଁ ବଜାଏ ନାହିଁ...ମୋଟେ ବଜାଏ ନାହିଁ...ମୋତେ ବଜାଇ ଆସେନି । ମୋର ଯେଉଁ ସଙ୍ଗୀତ ମୋଦୀ ବନ୍ଧୁବର୍ଗ ଏଠାକୁ ଆସନ୍ତି, ତାଙ୍କରି ଲାଗି ଏ ସିତାରଟି ରଖାଯାଇଛି ।’’

 

ବିଶେଷ ବିସ୍ମିତ ହେଲି ରାଜଜେମାର ଖିଆଲି ଉତ୍ତର ଶୁଣି । ତା’ପରେ ପ୍ରଶ୍ନ କଲି–‘‘ଆଚ୍ଛା, ଆପଣ କ’ଣ କରି ସବୁଠାରୁ ଅଧିକ ଆନନ୍ଦ ପାଆନ୍ତି ?’’ ‘‘ଅନ୍ୟକୁ ସଫଳଭାବେ ପ୍ରତାରଣା କରିବାରେ ମୋର ଅସୁମାରି ଆନନ୍ଦ...ତୃପ୍ତି ।’’

 

ମାମୁଲି ଆଳାପ ଆଲୋଚନା ମଧ୍ୟରେ ସେ ମୋତେ ତାଙ୍କର ଆଲବମ୍‍ରେ ବିଭିନ୍ନ ପୋଜରେ ଉଠାଇଥିବା ଫଟୋଗୁଡ଼ିକ ଦେଖାଉଥାନ୍ତି । କିଛି ସମୟ ପ୍ରିୟତମା ନିକଟରେ କଟାଇ ମୁଁ ଆସିଲି ବସାକୁ... ।

 

ପ୍ରିୟତମାର ରକ୍ତଗୋଲାପର କପୋଳ ଉପରେ କୃଷ୍ଣଦାଗଟି ତା’ର ରୂପଶ୍ରୀକୁ ଅଧିକ ସୁନ୍ଦରତର କରୁଥିଲା ଏଥିରେ ସନ୍ଦେହ ନାହିଁ ।

 

–ଦୁଇ–

 

ପ୍ରିୟତମା ରାଜକୁମାରୀ ନୁହେଁ କେବଳ କୁମାରୀ । ଲାଲ ଗୋଲାପ କହିଲେ ଅତୀତକୁ ସ୍ମରଣ କରି ଅନ୍ୟମନସ୍କ ହୁଏ । ସଙ୍ଗୀତ ସାଧନାରେ ଆଗ୍ରହ ତୁଳନାରେ ସଙ୍ଗୀତଜ୍ଞର ପ୍ରଶସ୍ତି ଗାନରେ ଅଧିକ ଆତ୍ମହରା ହୋଇଉଠେ ।

 

ପ୍ରିୟତମା ସଙ୍ଗେ ଦିନୁ ଦିନ ମୋର ଘନିଷ୍ଠତା ବୃଦ୍ଧି ପାଉଥାଏ । ତା’ ସମ୍ପର୍କରେ ମୁଁ ନିତି ନିତି ନୂତନ କଥା ଶୁଣୁଥାଏ । ରାଜକୁମାରୀର ବେଶ ପୋଷାକ ଅଛି, ରୂପ ଅଛି, ଯୌବନ ଅଛି...ମାତ୍ର ଆଭିଜାତ୍ୟ ନାହିଁ...ବଡ଼ଲୋକି ଦେଖାଇବାର ମନୋବୃତ୍ତି ନାହିଁ ।

 

ତାଙ୍କ ସମ୍ପର୍କରେ ଆସିଥିବା ଯେକୌଣସି ଯୁବକ ବିଷୟରେ କୌଣସି ପ୍ରଶ୍ନକଲେ, ସେ ତାଙ୍କ ସଙ୍ଗରେ ଥିବା ଗଭୀର ବନ୍ଧୁତ୍ୱ କଥା ଉଠାଇ ଥାଆନ୍ତି । ନରେନ୍‌ ସାମ୍ବାଦିକ...ତାଙ୍କର ବନ୍ଧୁ ରଣଜିତ୍‌ କଳାକାର...‘ବ୍ଳୁ’ ଥିଏଟରର ମ୍ୟାନେଜର, ପ୍ରେମଲାଲ ବ୍ୟବସାୟୀ, ମାଧବାନନ୍ଦ...ଶ୍ରମିତ ନେତା, ରଜତ...ନାମକରା ଡାକ୍ତର । ସମସ୍ତଙ୍କ ସଙ୍ଗେ ତାଙ୍କର ପରିଚୟ । ସାଧାରଣରେ ଏଥିଲାଗି ତାଙ୍କୁ ବହୁ ସମାଲୋଚନାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । କିଏ କହେ, ବହୁ ରାଜନୈତିକ ନେତାଙ୍କ ଅନ୍ଦର ମହଲର ସମ୍ବାଦ ସାମ୍ବାଦିକ ନରେନ୍‌ ଏହି ପ୍ରିୟତମା ସାହାଯ୍ୟରେ ସଂଗ୍ରହ କରିଥାଏ । କିଏ କହେ ‘ବ୍ଳୁ’ ଥିଏଟରରେ ରଣଜିତ୍‌ର ଛାତି ଉପରେ ପ୍ରିୟତମାକୁ ଲୋଟିପଡ଼ିଥିବାର ଲୋକେ ଦେଖିଛନ୍ତି । କିଏ ଅବା ଅଭିଯୋଗ କରେ ପ୍ରିୟତମା...ନଳିନୀଗଡ଼ ରାଜକୁମାର ଚରିତ୍ର ବୋଲି ଗୋଟାଏ କିଛି ନାହିଁ । ସମସ୍ତେ ତାକୁ ସମାଲୋଚନା କରନ୍ତି, ଘୃଣା କରନ୍ତି–ମାତ୍ର ସମସ୍ତେ ଚାହାଁନ୍ତି ତା’ର ହସରୁ କାଣିଚାଏ । ଓଠରୁ ସହାନୁଭୂତିପୂର୍ଣ୍ଣ ପଦୁଟିଏ କଥା ।

 

ପ୍ରିୟତମାକୁ ମୁଁ ଅନେକବାର ତା’ର ଯୁବକବନ୍ଧୁଙ୍କ କଥା ପଚାରିଛି । ସେ ଯାହାକୁ ତା’ର ଅନ୍ତରଙ୍ଗ ବୋଲି କହିଛି...ମୁଁ ଦୃଢ଼କଣ୍ଠରେ ତା’ର ସମାଲୋଚନା କରିଛି...ପ୍ରାୟ ସବୁ କ୍ଷେତ୍ରରେ ମୋର ବିଜୟ ହୋଇଛି । ଗୋଟିଏ ମୁହୂର୍ତ୍ତ ପୂର୍ବରୁ ସେ ଯେଉଁ ବନ୍ଧୁର ସମର୍ଥନ କରିଥାଏ, ପରମୁହୂର୍ତ୍ତରେ ମୋ’ ସଙ୍ଗେ ସ୍ୱର ମିଳାଇ ତା’ର ନିନ୍ଦା କରିବାକୁ କୁଣ୍ଠାବୋଧ କରେ ନାହିଁ । ମୁଁ ମନେ ମନେ ଭାବେ ପ୍ରିୟତମା ଅନ୍ୟ ନିକଟରେ ମୋରବି ନିନ୍ଦା କରୁଥିବ । ନିନ୍ଦା ପ୍ରଶଂସା ଯାହା କରୁ, ପ୍ରିୟତମା ମୋର ବହୁ ଉତ୍ତରହୀନ ବହୁ ପ୍ରଶ୍ନର ଏକ ସୀମାହୀନ ନଦୀର ଉତ୍ସ ପରି । ମୁଁ ପ୍ରିୟତମା ଉପରେ ବିରକ୍ତ ହୋଇ କିଛି କହିଲେ କେବଳ ଗୋଟାଏ ଉତ୍ତର ପାଏ...ଥରେ କହିଛି ଅନ୍ୟକୁ ପ୍ରତାରଣା କରିବାରେ ମୋ’ର ଚରମ ତୃପ୍ତି...ଏହି ପ୍ରତାରଣାରେ ଯେଉଁଦିନ ମୋର ସମାଧି ହେବ, ସେହି ଦିନଟି ମୋ’ ପାଇଁ ହେବ ସବୁଠୁ ଗୌରବର ଦିନ, ମୋ ଜୀବନର ଏକ ଉନ୍ନତମୟ ଅଧ୍ୟାୟ ।

 

ପ୍ରିୟତମା ସେଦିନ ଅଚାନକ ମୋ ନିକଟରେ ଆସି ପହଞ୍ଚିଲା ଓ କହିଲା, ‘‘ହଁ, ଗୋଟିଏ ଲାଲ୍‌ଗୋଲାପ ପାଇଁ ମୁଁ ଆସିଛି । ଦୟାକରି ଗୋଟିଏ ଲାଲ୍‌ଗୋଲାପ ମୋତେ ତୋଳିଆଣି ଦିଅନ୍ତୁ-। କାମରେ ମୋର ମୋଟେ ମନ ଲାଗିଲା ନାହିଁ । ତେଣୁ କାମ ଛାଡ଼ି ସିଧା ଏଠାକୁ ଚାଲି ଆସିଲି । ତୁମେ ଆଣନା...ମୋ’ ପାଇଁ ଗୋଟାଏ ଲାଲଗୋଲାପ...ଆଣି ଦିଅ..ମୁଁ ତୁମକୁ ଅନେକ କଥା କହିବି-।’’ ବର୍ଷଣମୁଖର ଆକାଶକୁ ଅପଲକ ନୟନରେ ଚାହିଁ ରହିଥାଏ ପ୍ରିୟତମା । ମୁଁ ଗୋଲାପ ସ୍ତବକଟିଏ ଆଣି ତା’ର ହାତକୁ ବଢ଼ାଇ ଦେଲି...ସ୍ତବକଟି ଗ୍ରହଣ ନ କରି ରାଜକୁମାରୀ ମୋତେ କହିଲା, ‘‘ମୁଁ କହିଥିଲି ସ୍ମରଣ କରନ୍ତୁ...ବୋଧେ ଭୁଲି ଯାଇଛନ୍ତି । ସେଦିନ କହିଥିଲି... । ମୁଁ ଗୋଲାପ ଫୁଲ ହାତରେ ଧରିବାକୁ ଘୃଣା କରେ...କାରଣ...କାରଣ...।’’

 

ବିସ୍ମିତ ହେଲି ମୁଁ...ଗୋଲାପ ପାଇଁ ନିଜ କର୍ତ୍ତବ୍ୟ ତ୍ୟାଗକରି ଯେ ପଳାଇଆସିଛି, ସେ ଗୋଲାପ ଛୁଇଁବ ନାହିଁ । ବଡ଼ ବିଚିତ୍ର କଥା ।

 

ପ୍ରିୟତମା ମୋ ପାଖକୁ ଲାଗିଆସି କହିଲା, ଆପଣ କେଉଁ ଆଡ଼େ ଚାହିଁଛନ୍ତି...ଏହି ଚାହଁନ୍ତୁ ଠିକ୍‌ ଐଶାନ୍ୟ କୋଣକୁ...ଏହି ଯେଉଁ ବିରାଟ ପାହାଡ଼ ଦେଖୁଛନ୍ତି ତା’ର ପାଦଦେଶରେ...ନଳିନୀଗଡ଼ ରାଜପ୍ରସାଦ...ମୁଁ ସେହି ନଳିନୀଗଡ଼ର ରାଜଜେମା...ଠିକ୍‌ଭାବେ ପ୍ରିୟତମାକୁ ମୁଁ ବୁଝିପାରିଲି...ସେ ମୋଠୁଁ କ’ଣ ଚାହୁଁଥିଲା । ଲାଲ ଗୋଲାପଟି ନେଇ ପ୍ରିୟତମାର କବରୀରେ ମୁଁ ଅତି ସରାଗରେ ପିନ୍ଧାଇ ଦେଲି । ପ୍ରିୟତମାର ସତେଜ ଅଙ୍ଗଲତା ଧୀରେ ଧୀରେ ମୋ’ ଉପରେ ଲୋଟି ଯାଉଥିଲା । ମୁଁ ସମ୍ପୂର୍ଣ୍ଣ ସଚେତନ ଥିଲି...ମୁଁ ଅନୁଭବ କରୁଥାଏ, ଐଶାନ୍ୟ କୋଣର ବିରାଟ ପାହାଡ଼ ପାଦଦେଶରେ ଉଭା ବହୁ ଇତିହାସ...କିମ୍ବଦନ୍ତୀ...ଐତିହ୍ୟର ପ୍ରାଣକେନ୍ଦ୍ର...ନଳିନୀଗଡ଼ ରାଜପ୍ରସାଦ ଖଣ୍ଡବିଖଣ୍ଡିତ ହୋଇ...ଆମ ଉଭୟଙ୍କ ଧମନୀରେ ପ୍ରବାହିତ ଲୋହିତ ଶୋଣିତ ଧାରରେ ତା’ର ସତ୍ତା ହରାଇଛି । ପ୍ରିୟତମାର ବାହୁବନ୍ଧନ ଶିଥିଳ ହୋଇ ଆସୁଥିଲା...ମୁଁ କହିଲି, ‘‘ପ୍ରିୟତମା, ତୁମେ ମୋତେ ଆଜି ଶୁଣାଅ ତୁମ ନଳିନୀଗଡ଼ ରାଜ ପରିବାରର ଶତ୍ରୁସଂହାରର ବୀରତ୍ୱପୂର୍ଣ୍ଣ କାହାଣୀ ।’’

 

‘ପ୍ରିୟତମା’ ନୁହେଁ କୁହ ‘ରାଣୀ’...ମୁହୂର୍ତ୍ତକ ଲାଗି ମୁଁ ସମ୍ପୂର୍ଣ୍ଣଭାବେ ତୁମର ହେବାକୁ ଚାହେଁ । ସମ୍ପୂର୍ଣ୍ଣରୂପେ କେବଳ ତୁମର ।’’

 

ପଡ଼ିଯାଇଥିବା ଲାଲ୍‌ଗୋଲାପଟିକୁ ଦେଖାଇ ମୁଁ କହିଲି, ‘ରାଣୀ’ ଗୋଲାପଟି ପଡ଼ିଗଲା ଯେ...ନିଅ, କରବୀରେ ପିନ୍ଧି ନିଅ... ।

 

ପ୍ରିୟତମା କେବଳ ଚାହିଁ ରହିଲା...

 

‘‘ଚାହିଁ ରହିଲ ଯେ... ।’’

 

‘‘ତଥାପି ବୁଝିପାରିଲ ନାହିଁ । ନଳିନୀଗଡ଼ ରାଜପରିବାରର ଜେମାମାନେ ଲାଲ୍‌ଗୋଲାପ ନିଜ ହାତରେ ନେଇ କବରୀରେ ପିନ୍ଧନ୍ତି ନାହିଁ । କେବଳ ତାଙ୍କର ସ୍ୱାମୀମାନେ ସେମାନଙ୍କୁ ଲାଲ୍‌ଗୋଲାପ ପିନ୍ଧାଇବାର ପରମ୍ପରା ରହିଛି । କ୍ଷମା କରିବ, ପରମ୍ପରାବିରୋଧୀ କାମ ମୁଁ କରିପାରିବି ନାହିଁ ।’’

 

ମୁଁ ଐଶାନ୍ୟ କୋଣକୁ ବିସ୍ମିତ ହୋଇ ଚାହିଁରହି କେବଳ ଭାବୁଥିଲି ପ୍ରିୟତମା ତ ମୋତେ ଆଉ ପ୍ରତାରଣା କରୁନାହିଁ ?

 

ପ୍ରଶ୍ନକଲି–‘‘ରାଣୀ...ତୁମେ ମୋଠାରୁ କ’ଣ ଚାହଁ ?’’ ଦୀର୍ଘଶ୍ୱାସ ତ୍ୟାଗ କରି ପ୍ରିୟତମା ଅତି ଗମ୍ଭୀର କଣ୍ଠରେ ଉତ୍ତର କଲା, ‘‘ନା ମୁଁ ତୁମଠାରୁ କିଛି ଚାହେଁ ନାହିଁ । ରାଜଜେମା ପକ୍ଷରେ ତୁମ ପରି ଜଣେ ସାଧାରଣ ଲୋକଠାରୁ କୌଣସି ଉପହାର ଗ୍ରହଣ କରିବା ସମ୍ଭବ ନୁହେଁ ।’’

 

ପ୍ରିୟତମା ଧୀରେ ଧୀରେ ମୋ ନିକଟରେ ଅଧିକରୁ ଅଧିକ ଦୁର୍ବୋଧ୍ୟ ହୋଇଉଠୁଥାଏ । କୌଣସି ଏକ ପୁରାତନ ଭାଷା ଅଧ୍ୟୟନ ଲାଗି ସମସ୍ତ ଉଦ୍ୟମ ବ୍ୟର୍ଥ ହେଲାପରେ ଭାଷା ଶିକ୍ଷା ସମ୍ପର୍କରେ ଆଗ୍ରହୀ ଛାତ୍ରଟି ଯେପରି ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଦିଏ ମୁଁ ଠିକ୍‌ ସେହିପରି କେତେଗୁଡ଼ିଏ ପ୍ରଶ୍ନ କରିବାକୁ ଆରମ୍ଭ କଲି...‘‘ତୁମେ ଏଇ କ୍ୱାଟରକୁ ପୂର୍ବରୁ କେବେ ଆସିଛ...!!!’’

 

‘‘ଅନେକ ବାର ।’’

 

–‘‘ସେତେବେଳେ କ’ଣ ଏଇ ଗୋଲାପ ଗଛରେ ଫୁଲ ଫୁଟିଥିଲା ?’’

 

ଅତି ନିର୍ଭୀକଭାବେ ପ୍ରିୟତମା ଉତ୍ତର କଲା, ‘‘କେବଳ ଯେ ଗୋଲାପ ଫୁଟୁଥିଲା ସେ କଥା ନୁହେଁ...ଏଇ କ୍ୱାଟରରୁ ବହୁବାର ଗୋଲାପ କବରୀରେ ପରିଧାନ କରି ମୁଁ ବିଦାୟ ନେଇଛି-।’’ ସାମାନ୍ୟ ବିସ୍ମିତ ହୋଇ ମୁଁ କହିଲି...ତେବେ...‘‘ତେବେ ତୁମେ ମୋତେ ଘୃଣା କରିପାର...ମାତ୍ର ମୋ ସଙ୍ଗରେ ମିଶିବା ପୂର୍ବରୁ ମୋର ପରିବାର ଇତିହାସ ତୁମର ଅଧ୍ୟୟନ କରିବା ଉଚିତ ଥିଲା । ରାଜକୁମାରୀ କେବେ କଳଙ୍କିନୀ ହୋଇପାରେ ନାହିଁ ।’’

 

ପ୍ରିୟତମା ଅଧିକ ଦୁର୍ବୋଧ୍ୟ ହୋଇଉଠୁଥାଏ...ମୁଁ ଚାହିଁ ରହିଥାଏ । ଐଶାନ୍ୟ କୋଣକୁ–ପାହାଡ଼ ପାଦଦେଶରେ ନଳିନୀଗଡ଼ ରାଜପ୍ରସାଦ । ସେହି ପାହାଡ଼ ଚୂଡ଼ାରେ ଲାଗି ରହିଛି...ଶ୍ରାବଣୀ ଆକାଶର ବର୍ଷଣମୁଖର ମେଘମାଳା ।

 

–ତିନି–

 

ମୋର ବନ୍ଧୁ ନିମନ୍ତ୍ରଣପତ୍ର ପାଠକରି କହିଲି– ‘‘ନଳିନୀଗଡ଼ ରାଜଜେମାଙ୍କର...ପାଟମୁଦି-। କେଉଁ ଏକ ଅନାମଧେୟ ରାଜକୁମାର ସଙ୍ଗେ । ଯୌତୁକ ଦେବା ସମ୍ଭବ ହୋଇ ନ ପାରିବାରୁ ଏହି ରାଜକୁମାରୀଙ୍କ ବିବାହରେ ଅଯଥା ବିଳମ୍ବ ହେଲା । ମୁଁ ତାଙ୍କୁ ଜାଣେ ।’’

ବନ୍ଧୁଙ୍କୁ ଅଧିକ କିଛି କହିବାକୁ ନ ଦେଇ ମୁଁ କହିଲି, ‘‘ମୁଁ ମଧ୍ୟ ତାଙ୍କୁ ଜାଣେ । ପ୍ରିୟତମା ଏକ ବିଚିତ୍ର ଚରିତ୍ର । ମୋ ପକ୍ଷେ ସେ ଏକ ବିରାଟ ବିସ୍ମୟ...ଏକ ଦୁର୍ବୋଧ୍ୟ କବିତା ।’’

ମୁଁ ଐଶାନ୍ୟ କୋଣରୁ ଦୃଷ୍ଟି ଫେରାଇଲି । ପାହାଡ଼ର ପାଦଦେଶରେ ନଳିନୀଗଡ଼ ରାଜପ୍ରସାଦ । ପ୍ରିୟତମାର ଆଜି ପାଟମୁଦି–ତା’ପରେ ହେବ ଶୁଭବିବାହ । ସେ କେଉଁ ରାଜକୁମାର କବରୀରେ ପିନ୍ଧାଇବ ଲାଲ୍‍ ଗୋଲାପ । ରାଜଜେମା ରାଜକୁମାର ଗଳାରୁ ବାହୁବନ୍ଧନ ଛିନ୍ନ କରି ହୁଏତ କହିବ ତୁମେ ମୋତେ ସମ୍ବୋଧନ କର ‘ରାଣୀ ।’

ମୋର ବନ୍ଧୁ–ପ୍ରିୟତମା ସମ୍ପର୍କରେ କ’ଣ ଟିପ୍‌ପଣୀ କରିବାକୁ ଚାହୁଁଥିଲେ । ମାତ୍ର ମୁଁ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲି । କକ୍ଷ ମଧ୍ୟରେ ପ୍ରିୟତମାର ମଧୁର, ଲଜ୍ଜାହୀନ ଓ ନିର୍ଭୀକ କଣ୍ଠରେ କେବଳ ପ୍ରତିଧ୍ୱନି ହେଉଥିଲା ।

‘‘ରାଜକୁମାରୀ କେବେ କଳଙ୍କିନୀ ହୋଇପାରେନା ।’’

Image

 

ତମସାର କବିତା

 

ଶରତର ମଧ୍ୟାହ୍ନ ଆକାଶରେ ଅଚାନକ ମେଘଖଣ୍ଡ...ବାରିବଗିଚାକୁ ଲାଗି ଚାହିଁଥିବା ପ୍ରକୋଷ୍ଠଟିରେ ଗୋଟିଏ ଆର୍ମ ଚଉକିରେ ବସି ରହିଥାନ୍ତି ଅଧ୍ୟାପକ ସୀତାକାନ୍ତ...ସାମାନ୍ୟ ପୂର୍ବରୁ ଡାକ୍ତର ଆସି ଅଧ୍ୟାପକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରିଗଲେଣି । ପ୍ରଚୁର ବିଶ୍ରାମ ସାଙ୍ଗକୁ ବଳକାରକ ଖାଦ୍ୟଦ୍ରବ୍ୟାଦି ନିର୍ଦ୍ଦିଷ୍ଟ ସମୟାନୁଯାୟୀ ଖାଇବା ଲାଗି ପରାମର୍ଶ ଦେଇଯାଇଛନ୍ତି ।

 

ଅନିମା ସେହିପରି ଚୁପ୍‌ଚାପ୍‌ ହୋଇ ଠିଆ ହୋଇଥାନ୍ତି । ଆପଣା ଉପରୁ ସତେ ଯେପରି ତାଙ୍କର ବିଶ୍ୱାସ କ୍ଷୀଣରୁ କ୍ଷୀଣତର ହୋଇଆସୁଛି, ଅବିକଳ ତୈଳ ଶେଷ ହୋଇ ଆସୁଥିବା ଏକ ପ୍ରଦୀପର ଆଲୋକଶିଖା ପରି । ଔଷଧ ଶିଶିଟିକୁ ରଖିଦେଇ ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗକରି ସେ ଧୀର ପଦକ୍ଷେପରେ ଚାଲି ଆସୁଛନ୍ତି କକ୍ଷ ମଧ୍ୟରୁ । ସତେ କ’ଣ ଅଧ୍ୟାପକଙ୍କୁ ଆରୋଗ୍ୟ କରିବାର ସମସ୍ତ ଉଦ୍ୟମ ତାଙ୍କର ଏକ ବ୍ୟର୍ଥ ସ୍ୱପ୍ନରେ ପରିଣତ ହେବ ! ଚରଣଚାଳନ ଶବ୍ଦରେ ଅଧ୍ୟାପକଙ୍କ ନିଦ ଭାଜିଗଲା । ଆର୍ମଚୌକିର ହାତ ଉପରୁ ଗୋଡ଼ ଉଠାଇ ଛୋଟ ଟେବୁଲ ଉପରେ ଗୋଡ଼ଟି ରଖୁ ରଖୁ ଡାକିଲେ, ‘‘କିଏ ଅନୁ, ଟିକେ ଆସ ତ ।’’

 

ଅନିମା ନିଜର ଗତି ଫେରାଇ ଚାହିଁଲେ ଅଧ୍ୟାପକଙ୍କୁ । ସ୍ୱାମୀ ତାଙ୍କ ଆଡ଼କୁ ଚାହିଁ ରହିଛନ୍ତି । ଅନିମା ପାଖକୁ ଯାଇ ପଚାରିଲେ, ‘‘କ’ଣ କହୁଛ ।’’

 

ପାର୍ଶ୍ୱରେ ପଡ଼ିଥିବା ଟୁଲଟିରେ ବସିବାକୁ ସଙ୍କେତ ଦେଇ ପଚାରିଲେ, ‘‘କ’ଣ ଅନୁ, ଖାଇ ସାରିଲଣି ?’’

 

‘‘ହଁ ଖାଇ ସାରିଲିଣି...ଯାଉଛି ପୂଜାରୀକୁ ଖାଇବାକୁ ଦେବି । ସେ ବଜାର ଯାଇଥିଲା ପଇଡ଼ପାଇଁ । ଫେରିବଣି ବୋଧହୁଏ ।’’

 

ନିକଟସ୍ଥ ଅଫିସ ଘଣ୍ଟାରେ ବାଜିଲା ଗୋଟାଏ । ଅଧ୍ୟାପକ ହଠାତ୍‌ ପ୍ରଶ୍ନ କଲେ, ‘‘ଆଚ୍ଛା, ଦେଖ ତ ମୋ ଘଣ୍ଟାରେ କେତେ ବାଜିଲା ଆଜି ? ଚାବି ଦେଇଥିଲ ? ଆଜି ତାରିଖ କେତେ ହେଲା ?’’

 

‘‘ଗୋଟାଏ ବାଜିଲା...ହଁ, ଚାବି ଦେଇଥିଲି ।’’

 

’’ତୁମର ମୋତେ ଏ ଘଣ୍ଟା ଦେଇ ବନ୍ଦାଇଥିଲ...ମନେଅଛି ନା ? ହଁ ତାରିଖ କେତେ ହେଲା ?’’

 

ସମୁଖସ୍ଥ କାନ୍ଥରେ ଝୁଲୁଥିବା କାଲେଣ୍ଡରକୁ ଦେଖାଇ ଅନିମା କହିଲେ...‘‘ଦେଖୁନ ମୋତେ ପଚାରୁଛ କ’ଣ...ତମେ କୁହ, ତାରିଖ କେତେ ହେଲା ।’’

 

‘‘ମୁଁ ଦେଖିପାରୁ ନାହିଁ...ଆଲୋକରେ ମୋତେ ଝାପ୍‌ସା ଦିଶୁଛି ।’’

 

‘‘ବେଶ୍‌,’’ ଅନିମା ବୁଝିଲେ ସ୍ୱାମୀଙ୍କ ଦୃଷ୍ଟିଶକ୍ତି କ୍ରମଶଃ କ୍ଷୟ ହେଉଛି । ଡାକ୍ତର ତାହାହେଲେ ଭଲଆଡ଼କୁ ଗତିକରୁଛ ବୋଲି କହିଲେ କ’ଣ !

 

‘ହଁ, ଜୁଲାଇ ଚବିଶ । ମନେଅଛି ନା, ଆଜି ଆମର ବିଭାଘର ହୋଇଥିଲା । ବିବାହ ପୂର୍ବରୁ ଗୁଡ଼ାଏ ବର୍ଷା, ବେଦି ବର୍ଷାରେ ଭାସି ଯାଇଥିଲା । ବରଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅଚାନକ ବର୍ଷା, ସତରେ ଭୀଷଣ ଅସୁବିଧା ସୃଷ୍ଟି କରିଥିଲା ।’’

 

‘‘ହଁ, କ’ଣ କହୁଛ !’’

 

‘‘କ’ଣ କହିବି, ଆଜି ମୋ’ର ବିବାହ ବାର୍ଷିକୀ...ପଚିଶି ବର୍ଷ ପୂରିଗଲା । ତୁମେ କ’ଣ ଆଜି କୌଣସି ଭୋଜିଭାତ କରିବ ନାହିଁ ! ଶ୍ୟାମଳ, ବିପ୍ଳବୀ ପ୍ରଭୃତିଙ୍କୁ ଆଜି ସନ୍ଧ୍ୟାରେ ଟି ପାଇଁ ଅନ୍ତତଃ ଡାକ । ଆସିଲ ଟିକେ ମୋ’ ପାଖକୁ, ଟିକେ ଆସ । ଆର୍ମ ଚେୟାର୍‌ରୁ ନେଇ ଅଧ୍ୟାପକଙ୍କୁ ଅନିମା ଶେଯରେ ଶୁଆଇ ଦେଉ ଦେଉ କହିଲେ...ତୁମ ଦେହ ଭଲ ହୋଇଯାଉ ଡାକିବା । ତୁମେ ଶୋଇପଡ଼, ମୁଁ ଯାଉଛି ।’’

 

‘‘ଅନିମା, ଟିକେ ବସ...ଆରେ ଟିକେ ବସ ନା, ଯିବ ତ...କାମ କରିବ...ସବୁଦିନ କାମ କରୁଛ । ଆମ ବିବାହ ଦିନରେ ମୋ’ ପାଖରେ ଟିକେ ବସ, କ’ଣ ମୁଣ୍ଡ ଧୋଇଛ ?’’

 

‘‘ହ ମୁଣ୍ଡ ଧୋଇଛି ।’’

 

ଆଲୁଳାୟିତ କେଶଗୁଚ୍ଛକୁ ସଜାଡ଼ୁ ସଜାଡ଼ୁ ଅଧ୍ୟାପକ କହିଲେ, ‘‘କ’ଣ ଅନୁ, ତୁମର କିଛି ସ୍ମରଣ ଅଛି...ବିବାହ ଦିନ କଥା । ତୁମେ ଅତି ଯତ୍ନରେ ତୁମର କବରୀ ସଜାଇଥିଲ । ସେଥିରୁ ଝରି ଆସୁଥିଲା ଏକ ସୁଗନ୍ଧ ତୈଳର ମହକ । ଲଲାଟ ତୁମର ଚନ୍ଦନ ଆଉ କୁଙ୍କୁମର ଚିତ୍ରରେ ଲୋଭନୀୟ ହୋଇଉଠିଥିଲା । ହସ୍ତଦ୍ୱୟ ତୁମର ଅଲକ୍ତକ ରଙ୍ଗରେ ରଞ୍ଜିତ ହୋଇସୃଷ୍ଟି କରୁଥିଲା ଅପରୂପ ସୌନ୍ଦର୍ଯ୍ୟ । କିଛି କ’ଣ ସ୍ମରଣ କରିପାରୁଛ ? ଆଜି ମଧ୍ୟ ମୁଁ ଶୁଣିପାରୁଛି ସେହି ଶୁଭ ଅବସରରେ ଇଥରରେ ସ୍ପନ୍ଦନ ସୃଷ୍ଟି କରି ବାଜିଉଠିଥିବା ସାହାନାଇ ।’’

 

ପାଉଁଶ ତଳର ସ୍ଫୁଲିଙ୍ଗ ପରି ବିଗତ ଦିନର ସୃତି ମନରେ ତାଙ୍କର ଜାଗରୁକ ହୋଇଉଠିଲା । ସେ ରୋମାଞ୍ଚିତ ହୋଇଉଠିଲା । ସତେ ଅବା ଲକ୍ଷ କଦମ୍ବ ରୋମାଞ୍ଚିତ ହୋଇଉଠିଲା...କଙ୍କାଳ ଦେହରେ ଲାଗିଲା ମଳୟ ! ସତରେ ସେ କେତେ ସୁନ୍ଦରୀ ଥିଲେ ? ନିଜ ତନୁ ତନିମା ପାଇଁ ଗର୍ବ କରିବା ନିମନ୍ତେ ତାଙ୍କର ନଥିଲା କ’ଣ ? ବାସରାତିରେ ତାଙ୍କର ଅମାନିଆ ମନ...ଅମାନିଆ ଦେହ...ମନା ମାନିଥିଲା...ଏଇ ଅଧ୍ୟାପକଙ୍କ କୋମଳ କରର ସ୍ପର୍ଶରେ ଶ୍ରୀବଣୀର ଉଛୁଳା ତଟିନୀ ସତେ ଅବା ଶାନ୍ତ ହୋଇଥିଲା...ବହୁଦିନର ଆକାଂକ୍ଷିତ ଆକାଶରୁ ଚାନ୍ଦକୁ ସେ ସତେ ହାତରେ ଧରି ପାରିଥିଲେ ।

 

ଅନିମା ନିଜର ଭାବୋଚ୍ଛ୍ୱାସକୁ ଚାପିନେଇ ଅଧ୍ୟାପକଙ୍କ ଦେହରେ ହସ୍ତସଞ୍ଚାଳନ କରୁ କରୁ ସାମାନ୍ୟ ଦୃଢ଼ସ୍ୱରରେ ପଚାରିଲେ, ‘‘କ’ଣ କିଛି ଦେଖି ପାରୁନାହଁ ? ଚାହିଁଲ, ଟିକେ ଚାହିଁଲ ।’’

 

ଅଧ୍ୟାପକଙ୍କ ନୟନ ସୀମାନ୍ତରୁ ସାମାନ୍ୟ ଉପରକୁ ଥରେ ଦୁଇଟି ଅଙ୍ଗୁଳି ଓ ଆଉ ଥରେ ସାମାନ୍ୟ ଉପରକୁ ଅଙ୍ଗୁଳି ତିନଟି ରଖି ପୁନର୍ବାର ପ୍ରଶ୍ନ କଲେ, ‘‘କେଇଟି ଅଙ୍ଗୁଳି ଦେଖିପାରୁଛ ?’’

 

‘‘କିଛି ଦେଖିପାରୁ ନାହିଁ ।’’

 

‘‘ଆଉ ଥରେ ଭଲ କରି ଚାହିଁ କହ, ମୁଁ କ’ଣ ଦେଖାଉଛି ।’’

 

‘‘ବୋଧହୁଏ ତୁମେ ହାତ ହଲାଉଛ । ମୁଁ ମୋଟେ ସ୍ପଷ୍ଟଭାବେ ଦେଖିପାରୁ ନାହିଁ ।’’

 

ପାଖରେ ପଡ଼ିଥିବା କନ୍ୟା କାଞ୍ଚନର ଶିଶୁ ପାଠରୁ ପୃଷ୍ଟାଟିଏ ଲେଉଟାଇ ସେ ଅଧ୍ୟାପକଙ୍କ ମୁହଁ ଉପରେ ଧରି ରଖିଲେ । ‘‘ରଙ୍ଗବୋଳା କିଛି ଦେଖିପାରୁଛ ?’’

 

‘‘ନା ମୋଟେ ନୁହେଁ, କିଛି ଦେଖିପାରୁ ନାହିଁ ।’’

 

ସ୍ୱାମୀଙ୍କ ଦୃଷ୍ଟିଶକ୍ତି ଯେ କ୍ଷୟିଷ୍ଣୁ ପର୍ଯ୍ୟାୟରେ ଆସି ପହଞ୍ଚିଲାଣି...ସେ ଗୋଟାଏ ପ୍ରକାର ନିଶ୍ଚିତ ହୋଇଗଲେ...ତେବେ ଡାକ୍ତର କହୁଛନ୍ତି...ଭଲ ହୋଇଯିବ । ନିର୍ବାପିତ ପ୍ରଦୀପର ଶିଖା ପ୍ରଜ୍ଜ୍ୱଳିତ ରହିବ ବୋଲି ଆଶ୍ୱାସନା ଦେବା ପରି ନିଜ ମନକୁ ବୋଧ ଦେବାପାଇଁ ସେ ଡାକ୍ତରଙ୍କ ଉକ୍ତିଟିକୁ ବାରମ୍ବାର କହୁଥାନ୍ତି । ନିଜକୁ ପ୍ରତାରଣା କରିବାରେ ମଧ୍ୟ ଆନନ୍ଦ ଅଛି ତୃପ୍ତି ଅଛି । ଅନିମା ତାହାହିଁ କରୁଥିଲେ । ଅଧ୍ୟାପକ ସେହିପରି ଅନିମାକୁ ନିଜ ଛାତି ଉପରେ ଚାପି ରଖି ପଚାରିଲେ, ‘‘ଅନୁ, ତୁମେ ଆଜି ଗୋଟାଏ ନୂଆ ଶାଢ଼ି ପିନ୍ଧିଲେ କ୍ଷତି କ’ଣ ହୁଅନ୍ତା । ବୋଧହୁଏ ନୂଆ ଶାଢ଼ି ଥିବ । ନିକଟରେ ବାପା ଗୋଟାଏ ଶାଢ଼ି ତୁମପାଇଁ ଆଣି ଦେଇଥିଲେ, ହଁ । ଗୋଟାଏ ଶାଢ଼ି ତ ଅଛି । ଗଲ ଏ ଶାଢ଼ି ବଦଳାଇ ଦେଇ ଆସିବ । ମୁଁ ଏ ବର୍ଷ ତୁମପାଇଁ ଶାଢ଼ି ଆଣିପାରିନି । ମୋର ଆଖି ସାମାନ୍ୟ ଭଲ ହୋଇଯାଉ । ମୁଁ ନିଜେ ଯାଇ ସେ ଶାଢ଼ିଟି ନେଇଆସିବି । ତୁମ ମନକୁ ବେଶ୍ ପାଇଛି ସେ ଶାଢ଼ି, ନୁହେଁ । ଗୋଲାପ ବେଶ୍‌ ବାସୁଛି । କ’ଣ ନୂଆ ଫୁଲ ଫୁଟିଛି କି ? ଗୋଟାଏ ଆଣି ଦେଲ । ବେଶ୍‌ ତ ବଡ଼ ବଡ଼ ଫୁଲ ହୋଇଛି । ପଣ୍ଡିତଜୀଙ୍କ ଫଟରେ ଦେବାପାଇଁ କାନନ କାଲି ତୋଳି ନେଉଥିଲା । ମୋତେ ଗୋଟିଏ ଦେଇଥିଲା । ଦେଲ ଦେଲ ମୋତେ ଗୋଟାଏ ଦେଇଯାଅ...ଗଲ ତୁମର ସେ ନୂଆ ଶାଢ଼ିଟା ବଦଳାଇ ମୋ ପାଖକୁ ଟିକିଏ ଆସିବ ।’’

 

ଅଧ୍ୟାପକଙ୍କ ମୁହଁ ଉପରେ ହାତ ବୁଲାଉ ବୁଲାଉ ଅନିମା କହିଲେ, ‘‘କ’ଣ ଆଜି ପରା ଦାଢ଼ି କାଟିଛ...ଏଗୁଡ଼ା ସବୁ କ’ଣ ! ଏତ ଏଇଠି ଦାଢ଼ି ଅଛି । ନିଶ ଫାଳେ କାଟିଲା ପରି ଦିଶୁଛି ।’’

 

‘‘ତୁମେ ତ ବିରକ୍ତ ହୋଇ ଚାଲିଗଲ । ମୋ ହାତ ବାଜି ଗରମ ପାଣି ସବୁ ନଷ୍ଟ ହୋଇଗଲା । ଡାକି ଡାକି ଶୁଣିଲ ନାହିଁ । କୌଣସିମତେ ସାବୁନ ଦେଇ ଦାଢ଼ି କାଟି ଚାଲିଆସିଲି । ଯାହା ହେଲା...!’’

 

ଅନିମା ସିନା ବିରକ୍ତ ହୋଇ ଚାଲିଯାଇଥିଲେ, ଏବେ ଶାନ୍ତ ମୁହୂର୍ତ୍ତରେ ଆପଣାର ଭୁଲ୍‍ ପାଇଁ ବ୍ୟଥିତ ହୋଇଉଠିଲେ...ସତରେ ।

 

ସ୍ୱାମୀଙ୍କ ପାଇଁ ଆପଣାର କର୍ତ୍ତବ୍ୟର ଅବହେଳା କରିଛନ୍ତି । ସେ ଚାଲିଯାଇ ଭୁଲ୍ କରିଛନ୍ତି । ଗାଧୁଆ ଘର କବାଟରେ ଧକ୍‌କା ବାଜି ମୁଣ୍ଡରେ ତାଙ୍କର ଆଘାତ ଲାଗିଛି । ଅଭ୍ୟାସତଃ ବିନା ସାହାଯ୍ୟରେ ସେ ଗାଧୁଆ ଘରକୁ ଚାଲିଯାଆନ୍ତି । ମାତ୍ର ଆଜି କିଏ କବାଟ ବନ୍ଦ କରି ଦେଇଥିଲା ।

 

ଅନିମା କିଛି ନ କହି ଗୋଲାପ ଫୁଲଟିଏ ନେବାପାଇଁ ଚୁପ୍‌ଚାପ୍‌ ଚାଲିଆସିଲେ । ଗୋଲାପ ଫୁଲଟିଏ ହାତରେ ଧରି ବାରି ବଗିଚାକୁ ଚାହିଁ ରହିଲେ କେତେ ପ୍ରିୟ ଏ ବଗିଚାଟି ଅଧ୍ୟାପକଙ୍କର । ଦେଶ ବିଦେଶର କେତେ ଫୁଲ । ଆପଣା ରକ୍ତର ସନ୍ତାନ ପରି ସେ ବୃକ୍ଷଲତାଦିର ଯତ୍ନ ନିଅନ୍ତି । ନିଜେ ବୁଲି ଦେଖନ୍ତି, କେଉଁ ଗଛକୁ କେତେ ପାଣି ଦେଲେ ଚଳିବ । କେଉଁ ଗଛରୁ ନିଜେ ଧୂଳି ଝାଡ଼ନ୍ତି ତ କାହାକୁ ହାତରେ କେବଳ ଆଉଁଶି ଦିଅନ୍ତି । ନିଜର ଗବେଷଣା ପାଇଁ କେତେ ଫୁଲ ଫଳର ବୃକ୍ଷରାଜୀ । ଅଧ୍ୟାପକ ଆଉ ଦେଖି ପାରିବେ ନାହିଁ । ଗବେଷଣା ତେବେ ତାଙ୍କର ଅସମ୍ପୂର୍ଣ୍ଣ ରହିଯିବ । ଓଠ ତାଙ୍କର ସ୍ପନ୍ଦିତ ହୋଇଉଠିଲା । ସେ ଏପରି ଏକ ଯନ୍ତ୍ରଣାଦାୟକ କଥା ଚିନ୍ତା କରିପାରୁଛନ୍ତି କିପରି ? ନା, ନା, ସ୍ୱାମୀ ତାଙ୍କର ଆରୋଗ୍ୟ ଲାଭ କରିବେ । ଦୃଷ୍ଟିଶକ୍ତି ଫେରିପାଇବେ । ଡାକ୍ତର ଦୃଢ଼ତାର ସହିତ କହିଛନ୍ତି ।

 

ଡ୍ରେସିଂ ଟେବୁଲକୁ ଚାହିଁ ଅନିମା ସ୍ଥିର କରି ନେଉଥାନ୍ତି କୁଙ୍କୁମ ବିନ୍ଦୁଟିକୁ ଲଲାଟରେ କେଉଁଠି ବସାଇବେ । ପଶ୍ଚାତ୍‌ରୁ ଶୁଭିଲା ଅଧ୍ୟାପକଙ୍କ କଣ୍ଠସ୍ୱର, ‘‘କ’ଣ କରୁଛ, ଶୁଭୁ ନାହିଁ ! ମୁଁ ପରା ଡାକୁଛି...ଟିକେ ଆସ, ମୋ ପାଖରେ ଆସି ବସ ।’’

 

‘‘କୁଙ୍କୁମ ଟିକେ ଲଗାଇ ଯାଉଛି ।’’

 

ଅଧ୍ୟାପକ ବାଡ଼ ଧରି ଧରି ଆସି ଡ୍ରେସିଂ ଟେବୁଲ ପାଖରେ ଉପସ୍ଥିତ ହୋଇ କହିଲେ, ‘‘ରୁହ, ମୁଁ ତୁମକୁ ଆଜି ଏ କୁଙ୍କୁମ ଟିପା ପିନ୍ଧାଇ ଦେବି ।’’ ଅନ୍ଧ ସ୍ୱାମୀଙ୍କ କୌତୂହଳରେ ବାଧା ସୃଷ୍ଟି ନ କରି ଅନିମା କୁଙ୍କୁମବୋଳା କାଠିକୁ ତାଙ୍କ ହାତକୁ ବଢ଼ାଇ ଦେଲେ । ସ୍ୱାମୀ ଲଲାଟ ଉପରୁ ସ୍ୱେଦବିନ୍ଦୁ ପୋଛି ଠିକ୍‌ ଲଲାଟରୁ ମଧ୍ୟ ଦେଶରେ ବସାଇଲେ, କୁଙ୍କୁମ ବିନ୍ଦୁ । ଅନିମାକୁ ରଙ୍ଗଦେବା କାଠି ବଢ଼ାଇ ଦେଉ ଦେଉ କହିଲେ, ‘‘କୁହ କିପରି ଦିଶୁଛି ।’’ ସାମାନ୍ୟ ପୂର୍ବରୁ ତୋଳି ଦେଇଥିବା ସଦ୍ୟ ଗୋଲାପଟିକୁ ଅନିମାଙ୍କ କବରୀରେ ପିନ୍ଧାଇ ଦେଉ ଦେଉ କହିଲେ, ‘‘ଅନିମା, ଆଜି ଦିନରେ ତୁମ ଅନ୍ଧ ସ୍ୱାମୀର ତୁମକୁ ଏ ଉପହାର ।’’ ଅନିମା ଅଧ୍ୟାପକଙ୍କ ମୁହଁ ଉପରେ ହାତରଖି କହିଲେ, ‘‘ଛି, ଏପରି କଥା କାହିଁକି କହୁଛ !’’

 

‘‘ମୁଁ କିଛି ଭୁଲ୍ କଥା କହୁ ନାହିଁ । ତୁମେ ମୋତେ ଏଣୁତେଣୁ ଗୁଡ଼ାଏ ନ କହି କୁହ, ତୁମେ କିପରି ଦିଶୁଛ ।’’

 

‘‘ଶାଢ଼ି ବଦଳାଇଲ ଟି ?’’

 

‘‘ହଁ, ବଦଳାଇଛି ।’’ ସ୍ୱାମୀ ତାଙ୍କର ଲାଲ୍‌ ଗୋଲାପ ରଙ୍ଗକୁ ବେଶ୍‌ ପସନ୍ଦ କରନ୍ତି । ତେଣୁ ସେ ସେହି ରଙ୍ଗର ଶାଢ଼ିଟି ପରିଧାନ କରିଛନ୍ତି ।

 

ଅନିମାକୁ ବାହୁମଧ୍ୟରେ ବାନ୍ଧିନେଇ ଅଧ୍ୟାପକ କହିଲେ, ‘‘ଅନୁ, ମୋତେ ତୁମେ ବେଡ଼୍‌ରୁମ୍‌କୁ ନେଇଚାଲ । ମୁଁ ନିଜ ବେଡ଼୍‌ରୁମରେ କିଛି ସମୟ ବସିବାକୁ ଚାହେଁ । ତଳେ ଏଠାରେ ମୋତେ ବିରକ୍ତି ଲାଗୁଚି ।’’

 

ସ୍ୱାମୀଙ୍କ ହାତକୁ ଧରି ଅନିମା ଧୀରେ ଧୀରେ ଉପର ମହଲାକୁ ଚାଲିଲେ । ଉପର ମହଲାରୁ ପଡ଼ିଥିବା ସିଡ଼ିରେ ଉଠୁ ଉଠୁ ଅଧ୍ୟାପକ ପ୍ରଶ୍ନ କଲେ, ‘‘ଅନୁ, ଆକାଶରେ କ’ଣ ମେଘ ଉଠାଇଛି ।’’

 

‘‘ହଁ ।’’

 

‘‘କିପରି ଦିଶୁଛି ମୋତେ କୁହ ।’’

 

‘‘କିପରି ଗୋଟାଏ ଲାଲ୍‌ ରଙ୍ଗ ହୋଇଛି, ଠିକ୍‌ କହିପାରୁନି ?’’

 

‘‘ଆରେ, କହିପାରୁନ ! କହିବାକୁ ଚେଷ୍ଟା କର ?’’

 

ଅନିମା ସାମାନ୍ୟ ଠିଆହୋଇ ଆକାଶକୁ ଚାହିଁଲେ । ମେଘଭାର ସମ୍ଭାଳି ନ ପାରି ଆକାଶ ନଇଁ ପଡ଼ିଛି । ରାସ୍ତା ପାର୍ଶ୍ୱର କୃଷ୍ଣଚୂଡ଼ା ଆକାଶର ଏହି ପୃଷ୍ଠ ଭୂମିରେ ଏକ ନୂତନ ରୂପ ନେଇଛି । ସେ ଛାତିରେ ସାମାନ୍ୟ ଆଘାତ ପାଇଲା ପରି ମନେ ହେଉଛି । ସତେ ଅବା କେହି ତାଙ୍କୁ ଧକ୍‌କା ମାରୁଛି । ସ୍ୱାମୀ ତାଙ୍କର ଏଇ ମେଘ ଆକାଶକୁ କେତେ ଭଲ ପାଆନ୍ତି । କେତେ ଭଲ ପାଆନ୍ତି ଏହି କୃଷ୍ଣଚୂଡ଼ାର ସ୍ତବକକୁ, ଆଉ ଏଇ ରୋମାଞ୍ଚିତ କଦମ୍ବ ଫୁଲ । ସତରେ ସେ ଆଉ ଦେଖିପାରିବେ ନାହିଁ ଆକାଶର ଶ୍ରୀ, ମାଟିର ସୁଷମା । ‘‘କିଛି କହିଲ ନାହିଁ ଯେ, ଏ ଆକାଶର ରଙ୍ଗ କିପରି ହୋଇଛି ? କୁହ କୁହ ଅନୁ, ସତରେ ତୁମେ କୁହ, ଏ ଆକାଶ କିପରି ଦିଶୁଛି । ମୁଁ ଆଜି ଦେଖିପାରୁ ନାହିଁ । ମୋର ଠିକ୍‌ ସ୍ମରଣ ଅଛି, ଯେଉଁ ରଜନୀରେ ତୁମ ସଙ୍ଗେ ମୋର ପ୍ରଥମ ସାକ୍ଷାତ ହୋଇଥିଲା, ସେଦିନ ଆକାଶ ମେଘାଚ୍ଛନ୍ନ ଥିଲା । ସେହି ମେଘାଚ୍ଛନ୍ନ ଆକାଶରେ ଉଙ୍କି ମାରୁଥିଲେ କେତୋଟି ସୋରିଷ ଫୁଲ ରଙ୍ଗର ତାରା । କିଛି ସମୟ ପରେ ବର୍ଷା ହୋଇଥିଲା । ବର୍ଷା କକ୍ଷ ମଧ୍ୟରେ ପଡ଼ିବାରୁ ମୁଁ ବାତାୟନ ରୁଦ୍ଧ କରିଥିଲି । ‘‘କୁହ କୁହ ଆକାଶ କିପରି ଦିଶୁଛି ।’’

 

ସ୍ୱାମୀ ଯେ ତାଙ୍କର ମୋଟେ ଦେଖିପାରୁ ନାହାନ୍ତି; ସେ କଥା ସେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସେ ଆଉ ସମ୍ଭାଳି ପାରିଲେ ନାହିଁ । ନୟନ ଧାରରୁ ଝରିପଡ଼ିଲା କେତେ ଟୋପା ଉତ୍ତପ୍ତ ଅଶ୍ରୁବିନ୍ଦୁ ।

 

ସ୍ୱାମୀ କହିଲେ, ‘‘ଅନୁ, ଦିଅ ଝରକା ବନ୍ଦ କରିଦିଅ । ମୋର ବିବାହ ଦିନ ଅବିକଳ ଏଇପରି ପରିବେଶ ସୃଷ୍ଟି ହୋଇଥିଲା । ଏହି ବର୍ଷା ଆସରରେ ମୁଁ ତୁମକୁ ମୋର ବାହୁ ମଧ୍ୟରେ ବାନ୍ଧି ନେଇଥିଲି । କବରୀରେ ପିନ୍ଧା ହାର ତୁମର ଲୋଟି ପଡ଼ିଥିଲା ମୋର ବିଛଣା ଉପରେ । ତୁମରି ରୂପଶିଖାରେ ମୋର ଏ ଅନ୍ଧକାର ଗୃହ ଆଲୋକିତ ହୋଇଉଠିଥିଲା । ମୁଁ ମନଭରି ତମର ରୂପଶ୍ରୀକୁ ଉପଭୋଗ କରିଥିଲି । ଅବଶ୍ୟ ଆଜି ମୁଁ କିଛି ଦେଖିପାରୁ ନାହିଁ । ମୋ ପକ୍ଷେ ଆଲୋକ ଓ ଅନ୍ଧକାର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ମୁଁ ଅନ୍ଧ ! ତଥାପି ତୁମେ ରୁଦ୍ଧ କର ଏ ବାତାୟନ, ଏ ଦ୍ୱାର ଦେଶ । ମୁଁ ଶୁଣିବାକୁ ଚାହେଁ ତମସାର ସଙ୍ଗୀତ । ମୁଁ ତୁମକୁ ସାକ୍ଷୀ ରଖି ଏ ଅନ୍ଧକାରରେ ଲୋଟିଯିବାକୁ ଚାହେଁ । ମନ ଭରି ଉପଭୋଗ କରିବାକୁ ଚାହେଁ ଏ ଅନ୍ଧକାରକୁ, ଯାଅ ଯାଅ ବନ୍ଦ କର...।’’

 

ଅନିମାର କରଯୁଗଳ ଛାଏଁ ଛାଏଁ ଶିଥିଳ ହୋଇଆସୁଥିଲା, ଟପ୍‌ଟପ୍‌ ହୋଇ ଝରିଯାଉଥିଲା ଅଶ୍ରୁବିନ୍ଦୁ ଅଧ୍ୟାପକଙ୍କ ବନ୍ଧଦେଶରେ । ଆଲୋକ ଅନ୍ଧକାର ମଧ୍ୟରେ ତେବେ ସ୍ୱାମୀଙ୍କ ପାଇଁ କୌଣସି ପାର୍ଥକ୍ୟ ନାହିଁ ! ସେ ଅନ୍ଧ ! ନା, ନା, ସେ କେବେ ଅନ୍ଧ ହୋଇପାରନ୍ତି ନାହିଁ । ଭାବପ୍ରବଣ ହୋଇ ସେ ପୁନର୍ବାର ସୁଦୃଢ଼ଭାବେ ସ୍ୱାମୀଙ୍କ ଗଳଦେଶରେ ବାହୁବନ୍ଧନ କଲେ-। ଅଧ୍ୟାପକ କହୁଥାନ୍ତି, ‘‘ଅନୁ, ତୁମେ ଏତେ ଚପଳ ହୁଅ ନାହିଁ । ପ୍ରଥମେ ବନ୍ଦ କର । ଏଇ ଦେଖ, ମୋ ଛାତି ଉପରେ କେତେ ଜଳବିନ୍ଦୁ ।’’

 

ଅନିମା ପୁନର୍ବାର ଦୀର୍ଘଶ୍ୱାସ ଛାଡ଼ି ବାହାରକୁ ଚାହିଁଲେ । ନୟନରୁ ତାଙ୍କର ଝରିପଡ଼ିଲା ଅଶ୍ରୁବିନ୍ଦୁ । ବାହାରେ ଏବେ ମଧ୍ୟ ମେଘର ଭାର ସମ୍ଭାଳି ନ ପାରି ଆକାଶ ନଇଁ ପଡ଼ିଛି । ହୁଏତ ଏଇ ବର୍ଷା ହେବ । ଅଧ୍ୟାପକଙ୍କ ବକ୍ଷଦେଶରେ ମୁହଁ ରଖି ଅନିମା କହିଲେ, ‘‘ନା ତୁମେ ଅନ୍ଧ ନୁହ । ତୁମେ ଆରୋଗ୍ୟ ହୋଇଯିବ ।’’

 

‘‘ଅନୁ ମୋତେ ଆଉ ଭୁଲାଅ ନାହିଁ । ମୁଁ ଦୁଗ୍‌ଧପୋଷ୍ୟ ଶିଶୁ ନୁହେଁ । ମୁଁ ଯେଉଁ ଅବସ୍ଥାରେ ଦୃଷ୍ଟିଶକ୍ତି ହରାଇଛି, ସେ ଅବସ୍ଥାରେ କେହି ଦୃଷ୍ଟିଶକ୍ତି ଫେରିପାଏ ନାହିଁ ।’’

 

ଅନିମା ନିର୍ବାକ ହୋଇ ସ୍ୱାମୀଙ୍କ ମୁହଁ ଚାହିଁ ରହିଥାନ୍ତି । ଶାନ୍ତ ପ୍ରକୋଷ୍ଠ ମଧ୍ୟରେ ସ୍ୱାମୀଙ୍କର କଣ୍ଠସ୍ୱର ପ୍ରତିଧ୍ୱନିତ ହୋଇ ଉଠୁଥାଏ । ମୋ ପକ୍ଷରେ ଆଲୋକ ଆଉ ଅନ୍ଧକାର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।

Image

 

ନାରୀ

 

ସେ ଫେରିଚାହିଁଲା ପଛକୁ । ଷ୍ଟ୍ରେଚ୍‌ର ଉପରେ ପଡ଼ି ରହିଥିବା ଯୁବତୀଟି ଅବିକଳ ଅଳକା ପରି ଦିଶୁଛି । ନିଶ୍ଚଳ, ଶାନ୍ତ । ଦୁଃଖ କଲା ପ୍ରମୋଦ...ସାମାନ୍ୟ କେତେ ଛୋଟିଆ କଥାରେ ସେ ଚାଲିଆସିଲା । ଆହା, ବିଚାରି ତେବେ ଆତ୍ମହତ୍ୟା କରିଦେଲା ! ଭଗବାନ, ମୋତେ କ୍ଷମା କରନ୍ତୁ । ତା’ର ଆତ୍ମାର ସଦ୍‌ଗତି ହେଉ, ମୋରି ଭୁଲ୍ ପାଇଁ ଅଳକା ଆଜି ଜୀବନ ହରାଇଲା ।

ଝିଅଗୁଡ଼ା ଭୀଷଣ ସେଣ୍ଟିମେଣ୍ଟାଲ୍‌ । କେତେ ଭଦ୍ର, ବିନୟୀ, ଶାନ୍ତ ଏ ଅଳକା ! ଭଙ୍ଗା ହୃଦୟ ନେଇ ଯାଇ ପଚାରିଲା, ‘‘ସିଷ୍ଟର, ଏ କିପରି ମଲେ ମୋତେ କହିପାରିବ ? କ’ଣ ଆତ୍ମହତ୍ୟା କରିଛନ୍ତି ? ମୁଁ ସତରେ ଭୀଷଣ ଦୁଃଖିତ । ଆମେ ସାଥୀ ହୋଇ ପଢ଼ୁଥିଲୁ । ଆହା ବିଚାରି... !’’

‘‘ନା ବାବୁ, କେହି ମରି ନାହିଁ, ଅଚେତ ଅବସ୍ଥାରେ ପଡ଼ିରହିଛନ୍ତି । ଲେବର ରୁମ୍‌କୁ ଏଇ ଆସିଛନ୍ତି । ଝିଅଟିଏ ହୋଇଛି । ଅବିକଳ ତାଙ୍କରି ରଙ୍ଗର । ଦେଖିବେ ଯଦି ସାମାନ୍ୟ ଅପେକ୍ଷା କରନ୍ତୁ ।’’

‘‘ୟାଙ୍କ ନାଁ ଅଳକା... ।’’

‘‘ହଁ, ତାଙ୍କୁ ମୁଁ ଭଲରୂପେ ଜାଣେ...ସେ ଗତ ବର୍ଷ ବିଶ୍ୱବିଦ୍ୟାଳୟ ଛାଡ଼ିଛନ୍ତି ।’’

‘‘ଆଚ୍ଛା...ଧନ୍ୟବାଦ୍‌...’’

ଭ୍ରୂକୁଞ୍ଚନ କରି ପ୍ରମୋଦ ଚାଲିଆସିଲା । ଅଳକା...ତେବେ ମରି ନାହିଁ...କନ୍ୟା ସନ୍ତାନର ମା ଆଜି ସିଏ !! ପ୍ରତାରିକା, ମିନ୍‌, ହିପୋକ୍ରାଟ୍‌ ତେବେ ସବୁ କ’ଣ ଗୋଟାଏ ମିଛ ଧମକ ?

ପ୍ରମୋଦ ଆଉ ଥରେ ପଛକୁ ଚାହିଁ ଆଗକୁ ପାଦ ବଢ଼ାଇଲା । ରାସ୍ତା ଉପରେ ଗୋଟାଏ ବଡ଼ ଝିଟିକା ଚରୁଥିଲା । ତାକୁ ଚାହିଁ ପ୍ରମୋଦ ମନେ ମନେ ସାମାନ୍ୟ ହସିଲା । ନିଜକୁ ପଚାରିଲା, ରଙ୍ଗ ବଦଳାଇବା ଦୃଷ୍ଟିରୁ ଏଇ ଅଳକା ଆଉ ଝିଟିକା ଭିତରେ ପାର୍ଥକ୍ୟ କ’ଣ ?

ପ୍ରମୋଦ ଖୁବ୍‌ ଜୋର୍‌ରେ ଡ୍ରାଇଭ୍‌ କରି ଆଗକୁ ଚାଲିଛି । ବନ ପଥ...ହଠାତ୍‌ ନଦୀ ପଡ଼ିଲା...ପାରିହେବାକୁ ସାହସ ନାହିଁ...କେତେବେଳେ ଯେ ଏ କୂଳ ଲଙ୍ଘିତ କିଏ ଜାଣେ ? ତେବେ ରାତିସାରା କ’ଣ ଏ ବନାନୀରେ ରହିଯିବ; କିନ୍ତୁ ଜୀବନ ଯିବାର ପ୍ରବଳ ଆଶଙ୍କା ଯେ ରହିଛି–ଯେହେତୁ ନଖଥିବା ପ୍ରାଣୀଙ୍କ ପ୍ରାବଲ୍ୟ ଏଠାରେ ଅଧିକ ।

ପ୍ରମୋଦ ଛାଏଁ ଷ୍ଟାଟ୍‌ ବନ୍ଦ କରି ମୁହଁ ପୋଛିବାପାଇଁ ପକେଟରୁ ରୁମାଲ କାଢ଼ିଲା...କି ଭୟଙ୍କର ଏ ପରିସ୍ଥିତି !!

ପ୍ରମୋଦ ଶୋଇ ସ୍ୱପ୍ନ ଦେଖୁଥିଲା । ହଠାତ୍‌ ତା’ର ନିଦ ଭାଙ୍ଗିଗଲା । ଚାହିଁ ଦେଖିଲା, ସମସ୍ତେ ଶୋଇଛନ୍ତି । ହାରିକେନରୁ ପୂର୍ବପରି ଧୂଆଁ ବାହାରୁଛି ।

ସେ ଆଉ ଥରେ ପଢ଼ିଲା ଅଳକାର ଛୋଟ ଚିଠିଟି । ‘‘X X X ତୁମେ ଆଉ ମୋ ପାଖକୁ ଆସିବ ନାହିଁ, ମୋତେ ଚିଠି ଲେଖିବ ନାହିଁ, ରାସ୍ତାଘାଟରେ ମୋ ସଙ୍ଗେ କଥା କହିବ ନାହିଁ-। X X X’’

ଆଉ ଖଣ୍ଡିଏ ଚିଠି କେତେଦିନ ତଳର । ପ୍ରମୋଦ ଖୋଲିଲା । ଅଳକା ଲେଖିଥିଲା...ସର୍ଜେଣ୍ଟ ରାଙ୍କ୍‌ ପାଇଲ...ବଧାଇ ଜଣାଉଛି । ମାତ୍ର ମୁଁ କ’ଣ ବୁଝିବି, ଏହି ନୂତନ ପଦପାଇଁ ହୃଦୟ ତୁମର କଠିନ ହୋଇଗଲା ! ସେଥିରେ ମୋ ପାଇଁ ସାମାନ୍ୟ ମାତ୍ର ସ୍ଥାନ ନାହିଁ; ଏଇ ବାଟେ ଯାଉଛ, ମାତ୍ର ମୋ ପାଖକୁ ଟିକେ ଆସିବାପାଇଁ ଇଚ୍ଛା କରନି । ବାଧ୍ୟ କରୁନି ଆସିବାପାଇଁ ।

 

ଦୁଇଟି ଚିଠି ଦୁଇ ହାତରେ ଧରି ପ୍ରମୋଦ ଆଉଥରେ ଗୋଟିଏ ଦୀର୍ଘ ନିଃଶ୍ୱାସ ମାରିଲା-। କି ଭୟଙ୍କର ସ୍ୱପ୍ନ...ସେ ଡିଉଟିରେ ଯାଇଛି... !!

 

ନଦୀ, ନଖ ଥିବା ପ୍ରାଣୀ ଆଉ ଅଳକା ମଧ୍ୟରେ ପାର୍ଥକ୍ୟ କ’ଣ ସେ ନିଜକୁ ପଚାରି ଉତ୍ତର ପାଇବାକୁ ଚେଷ୍ଟା କରୁଥିଲା ।

 

ଦୂରରୁ ଆକାଶର ତାରା କେଇଟି ବାତାୟନ ଦେଇ ଦେଖାଯାଉଥାଏ । ହାରିକେନରୁ ପୂର୍ବପରି ଧୂଆଁ ବାହାରି ଚାଲିଥାଏ ।

 

ଅଳକାର ଚିଠିକୁ ଆଉଥରେ ଚାହିଁଲା ପ୍ରମୋଦ । ଅଳକା ତେବେ ଏ ଦୁଇଟି ଚିଠି ଲେଖିଛି ନିଜ ହାତରେ । ନୁହେଁ ? କି ଭୟଙ୍କର !

 

ନଦୀ ବଢ଼ିଲେ ଉଭୟ କୂଳ ଖାଏ ।

Image

 

ପି. ଆଇ. ଓ.

 

ଶ୍ରାବଣ ଆକାଶରେ ଭଅଁର କଳା ମେଘର ପଟୁଆର । କେଉଁଠାରେ ଆରମ୍ଭ ଆଉ କେଉଁଠାରେ ଶେଷ କହିବା ଅସମ୍ଭବ । ଫାଇଲ୍‌ ଉପରୁ ମୁହଁ ଉଠାଇ ସୁଶାନ୍ତ ପୁନର୍ବାର ଚାହିଁଲେ ଆକାଶକୁ । ସାମାନ୍ୟ ବିବ୍ରତ ହୋଇ ଆସିଷ୍ଟାଣ୍ଡକୁ ଡାକି କହିଲେ, ‘‘ନିଅ ଏ ଫାଇଲ୍‌...ନେଇ ରଖିଦିଅ । ମୁଁ ଛୁଟିରେ ଫେରିଲେ ଦେଖିବି । ଆଜି ଯାଉଛି, ଦୁଇ ଦିନ ପରେ ଫେରିବି । ପିଲାମାନଙ୍କ ଦେହ ଭଲ ନାହିଁ । ସେମାନଙ୍କୁ ଦେଖି ନ ଆସିଲେ ମୋ ପକ୍ଷେ କିଛି କାମ କରିବା ଅସମ୍ଭବ ।’’

 

ସୁଶାନ୍ତ ପି. ଆଇ. ଓ. ରୂପେ ତିନି ଗୋଟି ନୂତନ ଇଉନିଟ୍‌ର ଦାୟିତ୍ୱ ବହନ କରିଛନ୍ତି । ଚାକିରି କରିବାର ପାଞ୍ଚଟି ବର୍ଷ ପୂରିଗଲା । ଦକ୍ଷ ଅଫିସରରୂପେ ବିବେଚିତ ହେବାରୁ ତାକୁ ପଞ୍ଚାୟତ ଶିଳ୍ପଅଫିସରଭାବେ ବାଛିଛନ୍ତି ସରକାର । ପୁରପଲ୍ଲୀରେ ଶିଳ୍ପ ଯୋଜନାକୁ ସଫଳ କରିବା ଲାଗି ଏହିପରି ଉତ୍ସାହି ଉଦୀୟମାନ ଅଫିସରଙ୍କର ଏକାନ୍ତ ପ୍ରୟୋଜନ ।

 

ବିଶ୍ୱବିଦ୍ୟାଳୟର କୃତୀଛାତ୍ର ସୁଶାନ୍ତ । ଏମ୍‌. ଏ. ପାସ୍‌ ପରେ ଶିକ୍ଷା ବିଭାଗରେ କାମ ନ କରି ସେ ଆସିଲେ ଶାସନ ବିଭାଗକୁ । ତା’ ପଛରେ ଅଛି ଦୁଇଟି କାରଣ । ପ୍ରଥମ କଥା ହେଲା, ଶିକ୍ଷା ବିଭାଗରେ କ୍ଷମତାର ଅଭାବ । ଯାହାକୁ ସେ ସଞ୍ଜତ କରି କହନ୍ତି ‘ବିଡ଼ିଆ ଚାକିରି ।’’ ଦ୍ୱିତୀୟଟି ହେଲା ଶ୍ୱଶୁରଙ୍କ ଇଚ୍ଛା ସେ ଜଣେ ମାଜିଷ୍ଟ୍ରେଟ୍‌ ହେବେ । କନ୍ୟାରତ୍ନ ମାଳବିକା ଫଳତଃ ସୁଖୀ ହୋଇପାରିବେ । ମାତ୍ର ସୁଶାନ୍ତର ସ୍ୱପ୍ନ ଆଜି ବ୍ୟର୍ଥ ହୋଇଛି । ମାଜିଷ୍ଟ୍ରେଟ ହୋଇ ନିଜର କ୍ଷମତା ବିସ୍ତାର କରିବାରେ ଯେ ଆନନ୍ଦ ମିଳିବାର କଥା, ତାହା ଆଜି ନଷ୍ଟ ହୋଇସାରିଛି । ସେ ଅନୁଭବ କରୁଛନ୍ତି, ସତେ ଯେପରି ଏକ କାନ୍ତ ଶ୍ୟାମଳିମା ଲତାକୁଞ୍ଜ ଧୀରେ ଧୀରେ ତା’ର ରଙ୍ଗ ହରାଇବସୁଛି । ଜୀବନରେ ଭଟ୍ଟା ଆସି ଦ୍ୱାରଦେଶରେ ଧକ୍‌କା ଦେଉଛି ।

 

ସହରର ଦୂରରେ, ବହୁ ଦୂରରେ ପଲ୍ଲୀ ମଧ୍ୟରେ ଏହି ତିନି ଗୋଟି ଶିଳ୍ପାନୁଷ୍ଠାନର ଦାୟିତ୍ୱରେ ସେ ରହିଛନ୍ତି । ପ୍ରତିଟି ଇଉନିଟ୍‌ ପ୍ରତ୍ୟେକଠାରୁ ଚାରି ପାଞ୍ଚ ମାଇଲ୍‌ ଦୂରରେ ପ୍ରତିଷ୍ଠିତ । କେବଳ ପରିଦର୍ଶନ ନୁହେଁ, ଶିଳ୍ପାନୁଷ୍ଠାନର ସୁପରିଚାଳନା ଲାଗି ମୁଖ୍ୟତଃ ସେ ଦାୟୀ । କାରଖାନାର ଶ୍ରମିକମାନଙ୍କର କାର୍ଯ୍ୟରେ ତ୍ରୁଟିଠାରୁ ଧରି, କଞ୍ଚାମାଲ ଯୋଗାଣରେ ସରକାରୀ ଅବହେଳା, ନିର୍ଦ୍ଦିଷ୍ଟ ଯନ୍ତ୍ରର ଅଚାନକ ଅଚଳ ଅବସ୍ଥା ଲାଗି ତାଙ୍କୁ ମଧ୍ୟ କୈଫିୟତ୍‌ ଦେବାକୁ ପଡ଼ିଥାଏ । ଇଉନିଟ୍‌ଗୁଡ଼ିକର ଦୂରତ୍ୱ ହେତୁ ଯିବା ଆସିବାରେ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ କାମରେ ତାଙ୍କର ସମୟ ଯାଏଁ । ଠିକ୍‌ ସମୟରେ ଟିକିଏ ଖାଇପାରନ୍ତି ନାହିଁ, ଶୋଇ ପାରନ୍ତି ନାହିଁ । ଟାଇଲ କଳ ଚୁଲା ଯେଉଁଦିନ ଲିଭିଗଲା, ସେଦିନ ତାହା ଠିକ୍‌ ହୋଇପାରିଲା ନାହିଁ । ଦେଖୁ ଦେଖୁ ତିନୋଟି ଦିନ ବିତିଗଲା । ଏହି ତ୍ରୁଟିପାଇଁ କାରଣ ଦର୍ଶାଇବା ଲାଗି ତାଙ୍କୁ ଯେଉଁଦିନ ଉପର ଅଫିସରୁ ନିର୍ଦ୍ଦେଶ ଆସିଲା, ସେଦିନ ସତରେ ସେ ନିଜକୁ ଅତି ଅସହାୟ ମନେକଲେ । ସେ ଅତି ଦୟନୀୟ ଅବସ୍ଥାରେ ଅଛନ୍ତି ବୋଲି ତାଙ୍କର ମନେହେଲା । ଭୀଷଣ ଆଘାତ ଲାଗିଲା ତାଙ୍କୁ । ସେ ମନେ ମନେ ବିରକ୍ତ ହୋଇ କହିଲେ ଏମ୍‌. ଏ୍. ଶ୍ରେଶୀରେ ମୋଗଲ ଇତିହାସର (ସ୍ପେଶାଲ ପେପର) ଛାତ୍ର ହିସାବରେ ତାଙ୍କର ସୁନାମ ଥିଲା; ମୁଖ୍ୟ ଅଧ୍ୟାପକ ଶତଜିହ୍ୱ ହୋଇ ତାଙ୍କର ପ୍ରଶଂସା କରୁଥିଲେ....ସେ ଅଧ୍ୟାପକ ହୋଇଥିଲେ ଅବା ଛାତ୍ରମାନେ ତାଙ୍କର ପ୍ରଶଂସା କରୁଥାନ୍ତେ; ମାତ୍ର ଏବେ ହେଲା କ’ଣ ? ଦୁର୍ଭାଗ୍ୟକୁ ଚୁଲା ଲିଭିଗଲା...ଦୀର୍ଘ ଦିନ ଶିକ୍ଷାର କୌଣସି ପ୍ରୟୋଜନ ହେଲା ନାହିଁ । ଏଥିଲାଗି ତାଙ୍କୁ କାରଣ ଦର୍ଶାଇବାକୁ ଦିନେ ପଡ଼ିପାରେ, ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।

 

ସେ ବ୍ୟଙ୍ଗ କରି କହିଲେ, ଧନ୍ୟ ତୁମେ ମାଳବିକା । ଧନ୍ୟ ତୁମ ପିତୃଦେବଙ୍କ ଉଦ୍ଦେଶ୍ୟ-। ମାଜିଷ୍ଟ୍ରେଟର ହାତ ଧରିଲେ ତୁମେ ସୁଖୀ ହେବ । କି ସୁଖ ସତେ ! ଗୋଟାଏ ବର୍ଷରେ ଦୁଇ-ଦୁଇଟା ବଦଳି । ବଦଳି ସ୍ଥାନରେ ନା ଅଛି ରହିବା ଲାଗି ଘର...ନା ବଞ୍ଚିବା ପରି ପରିବେଶ ! ପଞ୍ଚାୟତ ସମିତି ଚେୟାରମ୍ୟାନ ଅଯୋଗ୍ୟ ବୋଲି ସାର୍ଟିଫିକେଟ ଦେଲେଣି ତମ ଗାଁ ଟାଉଟର କହିଲେଣି, ୟେ ଅଫିସରଙ୍କୁ ଏଠୁ ଚବିଶ ଘଣ୍ଟା ମଧ୍ୟରେ ହଟାଅ । ଶିଳ୍ପସଂସ୍ଥା ଆରମ୍ଭ ନ ହେଉଣୁ ଲାଲଝଣ୍ଡା ଦଳ ସ୍ଳୋଗାନ୍‌ ଆରମ୍ଭ କରି ଦେଲେଣି...ଶ୍ରମିକ ମଜଦୁର ଏକ ହୁଅ । ଶିଳ୍ପାନୁଷ୍ଠାନ ଜାତୀୟକରଣ ଆମର ଦାବି ।

 

ନା, ପ୍ରୟୋଜନ ନାହିଁ ଏ ଚାକିରି । ସୁଶାନ୍ତ ଇସ୍ତଫା ଦେବା ଲାଗି ଲେଖି ବସିଥିଲେ ଦରଖାସ୍ତ । ଇସ୍ତଫା ଲେଖିସାରି ଟାଇପ୍‌ କରିବାକୁ ଦେବା ପୂର୍ବରୁ ଆଉ ଥରେ ଆଖି ବୁଲାଇ ଆଣିଲେ । ହଠାତ୍‌ ଦେଖି ପାରିଲେ କାଗଜ ଉପରେ ମାଳବିକାର ମୁଖଶ୍ରୀ । ‘‘ଏଁ କ’ଣ କରୁଛ...ଭାବିଚିନ୍ତି କର, ଖାମ୍‌ଖିଆଲ କଥା ନୁହେଁ । ଆଉ ଥରେ ଭାବ, କ’ଣ କରୁଛ । ଅଧ୍ୟାପକ ହୁଅ ମୋର ଆପତ୍ତି ନାହିଁ । ମାତ୍ର ମୁଁ ବର୍ଷରେ ଛ ମାସ ଯାଇ ମୋ ବାପ ଘରେ ରହିପାରିବି ନାହିଁ । ମୁଁ ଏକା ଥାଆନ୍ତି ଭିନ୍ନ କଥା । ତିନି ତିନିଟା ପିଲାଙ୍କୁ ନେଇ ମୁଁ ଯାଇ ଆଉ ସେଠାରେ ମାସ ମାସ ରହି ପାରିବି ନାହିଁ ।’’

 

ତା’ପରେ ଦେଖିପାରିଲେ ଦୁଇଟି କୋମଳ ପାଦର ଅବିଚଳିତ ନୃତ୍ୟ...ପାଦର ଘୁଙ୍ଗୁର ବାଜି ବାଲିଛି । ସୋହାଗିନୀ ଦ୍ୱିତୀୟା କନ୍ୟା । କଳାନିକେତନରେ ନୃତ୍ୟଶିକ୍ଷା କରି ଯିବାକୁ ଲଗାଇଛି । ସେଥିପାଇଁ ପ୍ରଥମେ ଗୃହଶିକ୍ଷକ ରଖି କିଛିଦିନ ଅଭ୍ୟାସ କରିବାକୁ ହେବ । ପ୍ରୟୋଜନ ଟଙ୍କା...ସାନଟିର ଦେହ ଅସୁସ୍ଥ...ଔଷଧ ଲୋଡ଼ା । ପ୍ରୀତି ବଡ଼ ଝିଅ ଚିଠି ଲେଖିଛି...ତା’ ଲାଗି ଫ୍ରକ୍‌...ସୁବିଧା ହେଲେ ବୋଉ ଲାଗି ଗୋଟାଏ ବଡ଼ ଭୃଙ୍ଗରାଜ...ଖଣ୍ଡେ ଉଆସ୍‌ ଆଣ୍ଡ ଓ୍ୟାର୍‌ ଶାଢ଼ି ଆଣିବ । ଅଜା ଆସିଥିଲେ, କହି ଯାଇଛନ୍ତି ଟଙ୍କା ପଠାଇବେ । ଜାଗା କିଣା ହେଲେ ସେ ଘର ଆରମ୍ଭ କରିଦେବେ । ଡେରି କରିବ ନାହିଁ, ଜାଗା ବିକ୍ରି ହୋଇଯାଇଛି ।

 

ଅଧ୍ୟାପକ ହେବାକୁ ଗଲେ ୨୬୦ ରୁ ହୁଏତ ଆରମ୍ଭ କରିବାକୁ ହେବ । ବର୍ତ୍ତମାନ ମିଳୁଛି ଚାରି ଶହ ଷାଠିଏ । ଏଇତ ବର୍ଷ ପୂରିଲା...ଆଉ ଗୋଟାଏ ଇନକ୍ରିମେଣ୍ଟ...ସୁଶାନ୍ତ ମନକୁ ବୁଝାଇଲେ...କାମ ଅବଶ୍ୟ ସାମାନ୍ୟ କଷ୍ଟ ପଡ଼ୁଛି । ତେବେ ଶିକ୍ଷା ବିଭାଗରେ ଏ ସୁଯୋଗ ମିଳିବ କେଉଁଠୁ ? ଦିନ କେତେଟାରେ ପ୍ରମୋସନ । ଧରାଧରି କଲେ ରେଭିନ୍ୟୁକୁ ତ ଯାଇ ହେବ । ହାତରୁ ତାଙ୍କର ଖସି ପଡ଼ିଲା ଦରଖାସ୍ତ ଲେଖା କାଗଜଟି ଠିକ୍‌ ଗୋଟିଏ ପାଚିଲା ପତର ଯେପରି ଖସିପଡ଼େ ଗଛରୁ । ନୃତ୍ୟ କରିଉଠିଲା ତାଙ୍କର ସମ୍ମୁଖରେ ସ୍ତ୍ରୀ ମାଳବିକା...କନ୍ୟା ସନ୍ଧ୍ୟା ତାରା ଓ ଅଫସ ପିଅନର ମୁହଁ । ପିଅନଟି ଦରମା ଧରି ଆସିଛି । ସମସ୍ତେ ଘେରି ଠିଆ ହୋଇଛନ୍ତି । ସୁଶାନ୍ତ ଦରମା ନେଉଛନ୍ତି । ମାସକୁ ଦରମା ଚାରିଶ ଷାଠିଏ । ତା’ ଉପରେ ଟିଏ ଆଉ ଶହେ ।

 

ଶିକ୍ଷା ବିଭାଗରେ ଏତେ ସହଜରେ ଏତେ ଟଙ୍କା ମିଳିବ କେଉଁଠୁ ? କେଇଟି ମୁହୂର୍ତ୍ତ ପୂର୍ବରୁ ବାବର, ସାହାଜାହାନ, ମମତାଜ ବେଗମ, ତାଜମହଲ ଜେନେରାଲ କ୍ଳାସର ଯେଉଁ ଛବି ଦେଖା ଦେଇଥିଲା, ଛାୟାଛବି ପରି ହଜିଗଲା ସେ ସବୁ ମେଘ ଭିତରେ ।

 

ଫାଇଲ୍‌ ଉପରୁ ମୁହଁ ଫେରାଇଲେ ସୁଶାନ୍ତ । ଏଇ ମେଘରାଜ ମନରେ ତାଙ୍କର ବିଗତ କେତେ ମଧୁର ସ୍ମୃତି ଜାଗରୂକ କରାଇଲା । ଅଳ୍ପଦିନ ହେଲା ଏମ. ଏ. ରେଜଲ୍‌ଟ ବାହାରିଥାଏ । ଶାସନ ବିଭାଗ ପରୀକ୍ଷା ଫଳକୁ ପ୍ରତୀକ୍ଷା କରି ବସିଥାନ୍ତି । ବିବାହ ସ୍ଥିର ହୋଇ ଯାଇଥାଏ । ମାଳବିକା ଥାଆନ୍ତି କଟକରେ ବଡ଼ ଭିଣେଇଙ୍କ ଘରେ । ସେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ । ସୁଶାନ୍ତ ସେଠାକୁ ଆସନ୍ତି । ସେଠାରେ ମାଳବିକାଙ୍କ ସଙ୍ଗେ ମିଶିବାରେ କଟକଣା ନ ଥାଏ...ନ ଥାଏ ଗ୍ରାମୀଣ ଜନତାର ସମାଲୋଚନା । ତେବେ ସମସ୍ତ ସ୍ୱାଧୀନତା ମଧ୍ୟରେ ସେ ଅନେକ କିଛି ହରାଇଲା ପରି ବୋଧ କରୁଥାନ୍ତି । ସତେ ଯେପରି ସେ ମାଳବିକାଙ୍କ ସଙ୍ଗେ ମିଶିବାକୁ ଚାହିଁ ମିଶି ପାରୁନାହାନ୍ତି । କ’ଣ କହିବାକୁ ଚାହିଁ କହି ପାରୁନାହାନ୍ତି । ସେ ଚାହୁଁଥିଲେ ମାଳବିକାଙ୍କୁ ସଙ୍ଗରେ ନେଇ ମହାନଦୀ ହେଉ ବା କାଠଯୋଡ଼ିକୂଳରେ ହେଉ ଜନସମୁଦ୍ର ମଝିରେ ହଜିଯିବାକୁ । ଗୋରା କବରରେ ସ୍ୱର୍ଗତଃ ଗୋରା ସାଇବର କବର ପାଖରେ ବସି ଇଂରେଜଙ୍କ ଆଗମନର ଇତିବୃତ୍ତ ଚୁମ୍ବକରେ କହିବାକୁ । ମାଳବିକାକୁ ଖୁବ୍‌ ନିକଟରେ ପାଇବାକୁ । ନୀରବରେ ତାକୁ ଆଖି ପୂରାଇ ଦେଖିବାକୁ । ମାଳବିକାର ଚାଲି, ଚାହାଣି ସବୁ ସୁନ୍ଦର । ସେଥିପାଇଁ ସେ କଲେଜରେ ପାଦ ଦେଉ ଦେଉ ଏତେଗୁଡ଼ାଏ ପ୍ରସ୍ତାବ । ଏହି ରୂପପାଇଁ ସୁଶାନ୍ତ କେତେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଛନ୍ତି । ସେଦିନ କ’ଣ ଭାବିଲେ କେଜାଣି ମାଳବିକାର ବଡ଼ ଭଉଣୀ ଅଳକା ସୁଶାନ୍ତକୁ ଡାକି କହିଲେ–‘‘ସୁଶାନ୍ତ, ଗରମରେ ଏପରି ସନ୍ତୁଳି ହେଉଛ କାହିଁକି ? ମାଳ ଓ ତୁମେ ଯାଅ ନଇ କୂଳରେ ଟିକେ ବୁଲିଆସିବ । ମୁଁ ଯାଇଥାନ୍ତି; ମାତ୍ର କାମ ଅଛି ।’’

 

ସୁଶାନ୍ତ କ’ଣ କହିବେ କିଛି ସ୍ଥିର କରିପାରିଲେ ନାହିଁ । ଚାହିଁ ରହିଲା କେବଳ । ମାଳବିକା ଭଉଣୀଙ୍କ ନିର୍ଦ୍ଦେଶରେ ଅତି ସମ୍ଭ୍ରମରେ ପାଦ ଚିପି ଚିପି ଆଗକୁ ବଢ଼ିଲେ । କିଛିଦୂର ଯାଇସାରିବା ପରେ ସୁଶାନ୍ତ ପଚାରିଲେ, ‘‘ମାଳବିକା ଆସିବାରେ କ’ଣ ତୁମର ଆପତ୍ତି ଥିଲା ? ଏତେ ସମ୍ଭ୍ରମରେ ପାଦକାଢ଼ିଲ ଯେ... !’’

 

‘‘ନା, ଆପତ୍ତି ନଥିଲା ଯେ, ତେବେ ଆପଣ ଠିକ୍‌ ବୁଝିପାରିବେ ନାହିଁ । ଝିଅମାନେ କ’ଣ ଭାବନ୍ତି !’’

 

‘‘ତେବେ କାହାକୁ ଲାଜ କରୁଥିଲ ?’’

 

‘‘ନିଜ ଲାଜ ନିଜକୁ ଖାଉଥିଲା... ।’’

 

କିଛିଦୂର ଯାଇଛନ୍ତି...ଅବିକଳ ଏମିତି ମେଘ ଉଠାଇଲା । ସେ ଅନିଚ୍ଛା ସତ୍ତ୍ୱେ ଫେରି ଆସିଥିଲେ ବସାକୁ ଗୋଟିଏ ରିକ୍‌ସାରେ, କଏଦୀ ଆଉଟ-ଡୋର ଡିଉଟି ସାରି ବନ୍ଦିଶାଳାକୁ ଫେରିଯିବାବେଳେ ଯେପରି ଅନୁଭବ କରେ, ସେମାନେ ଠିକ୍‌ ସେହିପରି ଅନୁଭବ କରୁଥିଲେ ।

 

ସେହି ସ୍ମୃତି...ସେହି ମେଘମାଳା...ସତେ ଯେପରି ଆଜି ସୁଶାନ୍ତକୁ ଟାଣିନେଉଛି ମାଳବିକା ନିକଟକୁ । ସେଦିନର ସୁଶାନ୍ତ ଆଉ ମାଳବିକାର ସତେ ଯେପରି ମୃତ୍ୟୁ ହୋଇଯାଇଛି ଓ ଇଥରରେ ସେମାନଙ୍କ ପ୍ରେତାତ୍ମା ଘୂରି ବୁଲୁଛି । ମାଳବିକା ଆଜି ତିନୋଟି ସନ୍ତାନର ମା । ନା, ଅଛି ସେ ରୂପକ କାନ୍ତି, ଉଛୁଳା ଯୌବନ, ଅବା ଜୀବନ । ଜୀବନର ପଥଧାରରୁ ରକ୍ତଗୋଲାପ ସତେ ଅବା କେହି ଲୁଟି ନେଇ ତା’ ସ୍ଥାନରେ ଲଗାଇ ବସିଛି ସାଦା ତରାଟ । ଭ୍ରମର ଆସେ, ଉପରେ ଉପରେ ହଜିଯାଏ । ମଧୁପାଇଁ ଅଟକି ଯାଏଁ ନାହିଁ । ମାଳବିକା ଚାଲିରେ ଥିଲା ଛନ୍ଦ...ସେ ଥିଲା କଲେଜ କୁଇନ...ନାମକରା ଗାୟିକା ବିଶ୍ୱାସ ହୁଏ ନାହିଁ । ଆଉ ସୁଶାନ୍ତ ବିଶ୍ୱବିଦ୍ୟାଳୟର ଉଚ୍ଚତ୍ତମ ଡିଗ୍ରୀଧାରୀ ଛାତ୍ର, ଆଜି ସାକ୍ଷୀଗୋପାଳରୁ ପୁରୀ, ପୁରୀରୁ ଭୁବେନେଶ୍ୱର ଧାଇଁ ଶିଳ୍ପାନୁଷ୍ଠାନ ପରିଚାଳନା ଲାଗି କିରାସିନି କିଣିବାରେ ବ୍ୟସ୍ତ । ସେ ଆଜି ଦାନ୍ତ ନିକିଟି ତନ୍ତଘର କଣ୍ଡାପରି ଏପଟ ସେପଟ ଧାଇଁ ପ୍ରଣାନ୍ତ ଉଦ୍ୟମ ଚଳାଇଛି ଉପର ହାକିମଠାରୁ ସାବାସ୍ ପଦ ଶୁଣିବାଲାଗି । ମାଳବିକାର ରୂପକାନ୍ତି ତାକୁ ଆଜି କେତେ ନିଷ୍ପ୍ରଭ ମନେ ହେଉଛି ।

 

ବସ୍‌ ଟିକଟ ଲାଗି ପିଅନକୁ ପଠାଇ ସୁଶାନ୍ତ ଭାବୁଥିଲେ ଅନେକ କିଛି । ଦୀର୍ଘ ଛମାସ ହେବ ସ୍ତ୍ରୀଙ୍କ ସଙ୍ଗେ ତାଙ୍କର ସାକ୍ଷାତ ହୋଇନି । ଏଇ ଦୁଇ ଦିନ ଆଉ କେଉଁଆଡ଼େ ନ ଯାଇ କେବଳ ମାଳବିକାଙ୍କ ସଙ୍ଗେ କଟାଇବେ । ତାଙ୍କଠୁଁ ଶୁଣିବେ ସେହି ବିଗତ ଦିନର ସଙ୍ଗୀତ...ତାଙ୍କୁ କହିବେ ବାସର ରାତିରେ ଯେପରି ଆସି ତାଙ୍କ ସମ୍ମୁଖରେ ଠିଆ ହୋଇଥିଲେ ଠିକ୍‌ ସେହିପରି ଠିଆ ହେବା ଲାଗି । ସେ ମାଳବିକାଙ୍କୁ ଦୁଇବାହୁ ମଧ୍ୟରେ ବାନ୍ଧିନେଇ କହିବେ...ମାଳବିକା...ଆସ, ତୁମେ ମୋ ପାଖକୁ ଆସ...ତୁମଠୁ ଦୂରରେ ରହି ଜୀବନ ଦୁର୍ବିସହ ହୋଇଉଠିଲାଣି । ...ଆସ ଟିକେ ଆସ, ତୁମେ ମୋ ପାଖକୁ ଆସ ମାଳବିକା...ମୋର... ।

 

ଲଣ୍ଠନଟି ଦବାଇଦେଇ ମାଳବିକା ଶୋଇବାକୁ ଯାଉଛନ୍ତି । ଶୋଇବା ପୂର୍ବରୁ ପାନ ଭାଙ୍ଗିବାକୁ ଭୁଲି ଯାଇଛନ୍ତି । ସୁଶାନ୍ତ ଆଖି ବନ୍ଦ କରି ଶେଯରେ ପଡ଼ିରହିଛନ୍ତି । ଅନେକ ସମୟ ହୋଇଗଲାଣି । ସେ ଆଶା କରିଥିଲେ ମାଳବିକା ହୁଏତ ଆସି ତାଙ୍କ ପାଖରେ ବସିବ...ଅଭିମାନରେ କହିବ–‘‘କ’ଣ ଏତେ ଦିନ ପରେ ଆସିଲ...କଥା ନାହିଁ ବାର୍ତ୍ତା ନାହିଁ...ଶୋଇଗଲ...ଶୁଣ ମ, ଆରେ ଟିକେ ଚାହାଁ... ।’’ ମାତ୍ର ମାଳବିକା ଆସୁଛନ୍ତି କେତେକେ, ସମସ୍ତେ ଶୋଇ ସାରିଲେ ସିନା ଆସିବେ । ସେଦିନର ମାଳବିକା ଆଉ ଆଜି । ବେଡ଼୍‌ରୁମ୍‌ରେ ବ୍ଳୁଲାଇଟ୍‌ ନ ଜଳିଲେ ରୋମାଣ୍ଟିକ୍‌ ଲାଗୁ ନଥିଲା । ମାତ୍ର ଆଜି ଅଧିକ ତେଲ ପୋଡ଼ିବ ବୋଲି ଲଣ୍ଠନ ଜାଳିବାକୁ ପିଲା କେହି ପାଟିକଲେ ସେ ଲାଲଆଖି ଦେଖାନ୍ତି ।

 

ବିରକ୍ତ ହୋଇ ଶେଷରେ ସୁଶାନ୍ତ କହିଲେ–‘‘ହେ, କ’ଣ କରୁଛ...ଏତେ ଦିନ ପରେ ଘରକୁ ଆସିଲି...ତଥାପି... । କ’ଣ ଏମିତି ମଇଳା ହୋଇଛି ? ମୋ ପାଖକୁ ଟିକେ ଆସ ।’’

 

ମାଳବିକା ସ୍ୱାମୀଙ୍କର ମନ କଥା ବୁଝିଲେ । ଗୁଆକଟା ବନ୍ଦ କରି ଯାଇଁ ଦର୍ପଣ ସମ୍ମୁଖରେ ଠିଆ ହେଲେ । ନିଜ ମୁଣ୍ଡରେ ପାନିଆ ମାରିଲେ । ଲୁଗା ବଦଳାଇ ପାଉଡ଼ର ମାଖିବାକୁ ଯାଉଛନ୍ତି, ହଠାତ୍‌ ସାନପିଲାଟି ପାଟିକରି ଉଠିଲା ।...ମା... ! ପିଲାଟିକୁ ଶୁଆଇବାକୁ ଯାଉଛନ୍ତି ମାଳବିକା ।

 

ବିରକ୍ତ ହୋଇ ଖଟ ଉପରୁ ଚାହିଁ ସୁଶାନ୍ତ କହିଲେ–‘‘ଧନ୍ୟରେ ଛୁଆ...ଆସି ଦି’ଟା ବାଜିଲା ୟାକୁ ନିଦ ନାହିଁ । ୟା’ ପେଟରୁ ଆଉ ଜିଆ ପଡ଼ିଥିଲେ ? ଔଷଧ ଖାଉଛିଟି ?’’

 

ପିଲାଟିକୁ ଶୁଆଇଦେଇ ମାଳବିକା ମୁହଁରେ ପାଉଡ଼ର ବୋଳୁଛନ୍ତି । ହଠାତ୍‌ ଦଲକାଏ ପବନରେ ଲଣ୍ଠନଟି ଲିଭିଗଲା । ସୁଶାନ୍ତ ବିରକ୍ତ ହୋଇ କହିଲେ–‘‘ଥାଉ ତମ ପାଉଡ଼ର ଲଗା, ସେହିପରି ଆସ ।’’ ମାଳବିକା ଆସିଲେ ଖଟ ପାଖକୁ । ଅନ୍ଧକାର ମଧ୍ୟରେ ପାଉଡ଼ର ଦରବୋଳା ମୁହଁ ସ୍ପଷ୍ଟ ଦେଖାଯାଉଥାଏ ।

 

ସୁଶାନ୍ତ ଆଶା କରିଥିଲେ ଅନେକ କିଛି । ମାତ୍ର ମନେହେଲା ହଠାତ୍‌ ଯେପରି ସବୁ ଏପଟ ସେପଟ ହୋଇଯାଇଛି । ପୂର୍ବପରି ମାଳବିକା ସୁଶାନ୍ତଙ୍କ ପାଖରେ ବସି କହିଲେ ନାହିଁ...‘‘ଦେଖ, ତୁମେ ଯଦି ଶୋଇପଡ଼ିବ, ମୁଁ ରାଗିଯିବି କହୁଛି !’’

 

ସୁଶାନ୍ତ ବିରକ୍ତ ହୋଇ କହିଲେ–‘‘ବୁଝିଲ ମାଳବିକା, ଦୁଇ ଦିନ ତଳେ ଆମ ଅଫିସ ପାଖରେ ଯାତ୍ରା ହେଉଥିଲା । ସେଥିରେ ରାଣୀ ପାଟ୍‌ କରିଥିବା ପିଲାଟି ଯେପରି ପାଉଡ଼ର ବୋଳି ହୋଇ ଦିଶୁଥିଲା, ତୁମେ ଅବିକଳ ତାହାରିପରି ଦିଶୁଛ ।’’

 

ପିଲାଟି ପୁଣି କାନ୍ଦିବାକୁ ଆରମ୍ଭ କଲା । ସୁଶାନ୍ତ ବିରକ୍ତ ହୋଇଉଠିଲେ–‘‘ଧେତ୍‌, ଏ’ଟା ପୁଣି ଉଠିଲାଣି ? ଯା ଧର ତାକୁ, ଠିଆହେଲ କାହିଁକି ? ଯାହା ଦିଶୁଛ ନା ! ମୋ ଅଫିସ ପିଅନ ସ୍ତ୍ରୀ ମଧ୍ୟ ତୁମଠୁ ଅଧିକ ସୁନ୍ଦର ଦିଶେ ।’’

 

ମାଳବିକାଙ୍କୁ କଥାଟି ବାଧିଲା । ଆହତ ଅଭିମାନ ନେଇ ସେ କହିଲେ, ‘‘କ’ଣ କହିଲ...ଆଉ ଥରେ କହ । ଅଫିସ ପିଅନ ସ୍ତ୍ରୀ ମୋ ଠାରୁ ବେଶି ସୁନ୍ଦର ? ଛଅ ମାସ ପରେ ଘରକୁ ଆସିଥିଲ କ’ଣ ଏଇ ସମ୍ବାଦଟା ଦେବାକୁ ? ଆଚ୍ଛା,ବେଶ୍‌ ଭଲ କଥା ।’’

 

ଦୀର୍ଘନିଃଶ୍ୱାସ ମାରି ଅନ୍ଧକାର ମଧ୍ୟରେ ସୁଶାନ୍ତ ପାର୍ଶ୍ୱ ପରିବର୍ତ୍ତନ କଲେ । ଦେଖିଲେ ମାଳବିକା ଶୋଇପଡ଼ିଛି । ଛାତି ଉପରେ ଛୋଟ ପିଲାଟି ଶୋଇଛି । ଦୁଇ ପାର୍ଶ୍ୱରେ ଶୋଇଥିବା ପିଲା ଦୁଇଟି ମା ଉପରେ ଗୋଡ଼ ଲଦିଛନ୍ତି । ବାହାର ଆକାଶର ଝାପ୍‌ସା ଚନ୍ଦ୍ରାଲୋକ ପାଉଡ଼ରବୋଳା ମୁହଁ ଉପରେ ପଡ଼ି ଅଧିକ ଅସୁନ୍ଦର ଦେଖା ଯାଉଁଛି ।

 

ହାତ ପିନ୍ଧା ଘଡ଼ିକୁ ଚାହିଁଲେ ସୁଶାନ୍ତ । ଘଣ୍ଟାର ରେଡ଼ିୟମ ବୋଳା ଅକ୍ଷରଗୁଡ଼ିକ ଜଳି ଉଠୁଛି । ସକାଳ ହେବାକୁ ଆଉ ଦୁଇ ଘଣ୍ଟା ବାକି । ଗାଡ଼ି ଛାଡ଼ିବ ଆଠଟାରେ । ଅଫିସ୍‌ ଦଶଟାରେ-। ଆଜି ହୁଏତ କିରାସିନି ଆସି ପହଞ୍ଚିଥିବ । କିରାସିନି ପହଞ୍ଚିବାରେ ବିଳମ୍ବ ହେଲେ ମିସ୍ତ୍ରି ଚାଲିଯାଇ ପାରନ୍ତି । ନା, ତାଙ୍କୁ ଯିବାକୁ ହେବ । ସେ କୌଣସି ପ୍ରକାରେ ଆଉ ଗୋଟିଏ ଦିନ ରହିପାରିବେ ନାହିଁ । ଦୀର୍ଘ ନିଃଶ୍ୱାସ ପକାଇ ଆଉ ଥର ଦରଦପୂର୍ଣ୍ଣ କଣ୍ଠରେ ଡାକିଲେ, ‘‘ମାଳବିକା...ମାଳବିକା...କ’ଣ ଶୋଇପଡ଼ିଲ ?’’

 

ମାଳବିକା ସତରେ ଶୋଇ ପଡ଼ିଥିଲା । ସୁଶାନ୍ତ ନିଜ ମନକୁ ସାନ୍ତ୍ୱନା ଦେଲେ...ସେ ତିନିଗୋଟି ଶିଳ୍ପ ସଂସ୍ଥାର ଦାୟିତ୍ୱ ନେଇ କେବଳ ମେସିନ ହୋଇଯାଇ ନାହାନ୍ତି । ମାଳବିକା ମଧ୍ୟ ଜୀବନର ଛନ୍ଦ ହରାଇଛି । ତିନୋଟି ପିଲାଙ୍କ ଯତ୍ନନେବା ଲାଗି ଜଣେ ମାତ୍ର ମଣିଷ ।

 

ଆଉ ଥରେ ଚାହିଁଲେ ହାତବନ୍ଧା ଘଡ଼ିକୁ । ପାଞ୍ଚ ବାଜିବାକୁ ପନ୍ଦର ମିନିଟ ବାକି । ପୁନର୍ବାର ଡାକିଲେ–‘‘ମାଳବିକା...କ’ଣ ଶୋଇ ପଡ଼ିଲ ?’’ ....ମାଳବିକା ସତରେ ଶୋଇ ପଡ଼ିଥିଲା-। ଅଭିଶପ୍ତ ରାତ୍ରିର ଅନ୍ତ ଫାଡ଼ି ପୂର୍ବ ଦିଗ୍‌ବଳୟରୁ ସିନ୍ଦୂରା ଫାଟି ଆସୁଥିଲା । ଶାନ୍ତ ପ୍ରକୋଷ୍ଠଟି ମଧ୍ୟରେ ଶୁଭୁଥିଲା ଝିଟିପିଟିର ଡାକ… । ନିକଟସ୍ଥ କୁକୁଡ଼ା ଫାର୍ମରୁ କୁକୁଡ଼ା ରଡ଼ି କରୁଥିଲା...କ...କ...କ..!!!

Image

 

ପଳାଶର ଅଶ୍ରୁ

 

‘ମାଳିନୀ’ର ପରିବେଶ ସାହାନାଇର ତାଳେ ତାଳେ ଫୁଲି ଉଠୁଥିଲା ।

 

‘‘ମାଳିନୀ’’ ଗୁରୁବାବୁଙ୍କର ନଗରର କଣ୍ଠଦେଶରେ ରଚିତ ଛୋଟ ଅଟ୍ଟାଳିକା । ନଗରର ଅଶାନ୍ତ ବାୟୁମଣ୍ଡଳର ଦୂରରେ ଥିବା ଏହି ଅଟ୍ଟାଳିକାଟି ଜୀବନ୍ତ ହୋଇଉଠେ, ବାବୁ ଯେତେବେଳେ ଛୁଟି କଟାଇବା ଲାଗି ଏଠାକୁ ଆସନ୍ତି ।

 

ଗୁରୁବାବୁଙ୍କର–ଦୁଇଟି କନ୍ୟା । ତମସା ଆଉ ତନ୍ଦ୍ରା । ତମସା ତନ୍ଦ୍ରା ଠାରୁ ବୟସରେ ଅନେକ ବଡ଼ । ତମସା ତଳେ ତିନୋଟି ଭାଇ ଓ ତା’ ତଳେ ଯାଇ ତନ୍ଦ୍ରା ।

 

ତମସା ଓ ତନ୍ଦ୍ରା ଦୁଇ ଭଉଣୀ ହେଲେ ମଧ୍ୟ ସେମାନଙ୍କ ମଧ୍ୟରେ ବହୁ ପାର୍ଥକ୍ୟ । ତମସା ବାସନା ରଙ୍ଗର ମାତ୍ର ତନ୍ଦ୍ରାର ରୂପ ସଫେଦ । ତମସାର କହିବା ସାମାନ୍ୟ, ବୁଲାଚଲାରେ ଆନନ୍ଦ, ମାତ୍ର ତନ୍ଦ୍ରା ଗୁଡ଼ାଏ ନ କହିଲେ, ପ୍ରଚୁର ନ ଘୂରିଲେ ଶାନ୍ତି ପାଏ ନାହିଁ ।

 

ଏଇ ତନ୍ଦ୍ରାର ଆଜି ଶୁଭପରିଣୟ । ବୟସ ମୋଟେ ବେଶି ନୁହେଁ । ସେହି ଊଣେଇଶ କୋଡ଼ିଏ । କଲେଜରେ ବି. ଏ. ଶେଷ ବର୍ଷରେ ପଢ଼ୁଛି । ମାତ୍ର ବାପା ତା’ ବିବାହ ଦେବା ଲାଗି ନିଷ୍ପତ୍ତି କଲେ । ଏହି ନିଷ୍ପତ୍ତି ପଛରେ ଯେଉଁ କେତେ ଗୋଟି ଯୁକ୍ତି ଥିଲା, ସେ ସବୁ ମଧ୍ୟରେ ପ୍ରଥମଟି ହେଲା...ବିବାହ ଲାଗି ମିଳିଥିବା ପାତ୍ରଟି ଉଚ୍ଚ ବଂଶଜ...ଉଚ୍ଚ ଚାକିରି...ମୋଟା ଦରମା । ଦ୍ୱିତୀୟଟି ହେଲା ଦେବାନେବା; ଅର୍ଥାତ୍‌ ଯୌତୁକ ପ୍ରଶ୍ନ ମୋଟେ ନାହିଁ । ତୃତୀୟଟି ହେଲା ତନ୍ଦ୍ରା ହୁଏତ ବୟସ ହୋଇଗଲେ ତମସା ପରି ବିବାହ କରିବାଲାଗି ଅନିଚ୍ଛା ପ୍ରକାଶ କରିପାରେ । ବଂଶର ପ୍ରଥମ କନ୍ୟା ଯେଉଁ ଦିନ ବିବାହ ନ କରିବା ଲାଗି ନିଷ୍ପତ୍ତି କରି ପିତାମାତାଙ୍କୁ ଜଣାଇ ଦେଲା...ସେଦିନ ଗୁରୁବାବୁ ଓ ତା’ଙ୍କ ସ୍ତ୍ରୀଙ୍କ ମନରେ ଯେଉଁ ରେଖାପାତ କରିଥିଲା, ତାହା ଆଜିପର୍ଯ୍ୟନ୍ତ ଲିଭି ନାହିଁ । ରକ୍ତମାଂସରେ ଯାହା ଆପଣା ଛାଏଁ ଲମ୍ବିଯାଏଁ ସରିସୃପ ପରି, ତାହା କ’ଣ କେବେ ଲିଭିପାରେ ଏତେ ସହଜରେ ?

 

ତନ୍ଦ୍ରାର ବିଭାଘର...ଦ୍ୱାରା ସମ୍ମୁଖରେ ବ୍ୟାଣ୍ଡ ପାର୍ଟି...ସାହାନାଇ ବଜାଇ ଚାଲିଛନ୍ତି । ଦ୍ୱାର ଦେଶରେ ସୁସଜ୍ଜିତ ବିବାହ-ମଣ୍ଡପ । ଛୋଟ ଘରଟି ରଙ୍ଗବେରଙ୍ଗ ବିଦ୍ୟୁତ୍‌ ଆଲୋକରେ ସୁସଜ୍ଜିତ । ସମସ୍ତେ କର୍ମରତ । ନଗରପ୍ରାନ୍ତ ଶାନ୍ତ ପରିବେଶରେ ଉଭା ଏଇ ଅଟ୍ଟାଳିକାଟିକୁ ଚାହିଁ ମନେ ହେଉଛି, ସତେ ଯେପରି ଘୋର ବନାନୀ ମଧ୍ୟରେ ତପସ୍ୟାରତ ସାଧକ ଆପଣା ବାଞ୍ଚ୍ଥିତା ଫଳପ୍ରାପ୍ତି ପରେ ଉନ୍ମତ୍ତ ହୋଇ କୋଳାହଳ କରୁଛି ।

 

ତନ୍ଦ୍ରାର ବିବାହ ବାସରରେ ଗୁରୁବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ବାଦ ଦେଲେ ଯେଉଁମାନେ ସତରେ ବିଶେଷଭାବେ ଆନନ୍ଦିତ, ସେମାନଙ୍କ ମଧ୍ୟରେ ତମସା ଅନ୍ୟତମ । ବଡ଼ ଥାଉ ଥାଉ ସାନର ବିବାହ ସମ୍ଭବ ନୁହେଁ । ଦେଈ ବିବାହ ନ କଲେ ତନ୍ଦ୍ରା ବିବାହ କରିବ ନାହିଁ ବୋଲି ଯେତେବେଳେ ଜଣାଇଦେଲା, ସେତେବେଳେ ଗୁରୁବାବୁ ନିରୁପାୟ ହୋଇ ଆକାଶକୁ ଚାହିଁ ରହିଲେ । ଅନ୍ୟ ଉପାୟ ନ ଦେଖି ଶେଷରେ ତମସାକୁ ଲେଖିଲେ, ତମସା, ତୁ ଏବେ ତନ୍ଦ୍ରାକୁ ବୁଝା, ନଚେତ ତୁମ ଦୁହିଁଙ୍କ ଲାଗି, ଏକା ତିଥିରେ ବ୍ୟବସ୍ଥା କରିବା । ତୋ ମତାମତ ଜଣା ।

 

ତମସା...ଲେଡ଼ି ଡକ୍‌ଟର । ବୟସ ହୋଇଗଲାଣି । ନିଜର ରକ୍ତ ମାଂସର ଉଷ୍ଣତା କମିବା ସଙ୍ଗେ ସଙ୍ଗେ ସ୍ୱପ୍ନ, ପ୍ରାଣର ଚଞ୍ଚଳତା ମଧ୍ୟ ଶାନ୍ତ ହୋଇଉଠୁଛି । ସତେ ଯେପରି ଉଚ୍ଛୃଙ୍ଖଳା ତଟିନୀଟି ହରାଉଛି ତା’ର ଅମାନିଆ ଛନ୍ଦ । ସ୍ରୋତର ଗିରିଗହ୍ୱର ଫଟା ଆବାଜ । ତମସା ବାପାଙ୍କ ଚିଠି ପାଇ ସାମାନ୍ୟ ହସିଲା...ବାପା ଏବେ ମଧ୍ୟ ଆଶା ହରାଇ ନାହାନ୍ତି ! ବାପାଙ୍କ ଆଖିରେ ତମସା ସିନା ଏବେବି ଛୋଟ...ଛବି ବହି ପଢ଼ୁଥିବା ପ୍ରଜାପତି ଧରୁଥିବା ଛୋଟ ବାଳିକାଟିଏ...ମାତ୍ର ଦୁନିଆ ଦୃଷ୍ଟିରେ ନୁହେଁ । ତା’ ବ୍ୟତୀତ ଏଇ ମଣିଷ ଦେହ ପ୍ରତି ତା’ର ଗୋଟାଏ କାହିଁକି କେଜାଣି ଆଉ ଆକର୍ଷଣ ନାହିଁ । ସେ ଦେହ କହିଲେ...ଅନେକ ଶ୍ୱେତ...ଅନେକ ଲୋହିତ ରକ୍ତକଣିକା...ଅସୁମାରି ଧମନୀ...ସ୍ନାୟୁ ଓ ଅନେକ ରୋଗବୁହା ଜର୍ମର ଏକ ମଧୁର ସମନ୍ୱୟ ବୁଝେ-। ତା’ ବ୍ୟତୀତ ତା’ର ଆଉ ହାତ ଧରିବାର ବୟସ ନାହିଁ । କେତେ ପ୍ରସ୍ତାବ ତମସା ପ୍ରତ୍ୟାଖ୍ୟାନ କରି ନାହାନ୍ତି । ଡାକ୍ତର... ଇଂଜିନିୟର... କଣ୍ଟ୍ରାକ୍‌ଟର... ଡେପୁଟ ମାଜିଷ୍ଟ୍ରେଟ୍‌ । ଗୋଟି ଗୋଟି ହୋଇ ସମସ୍ତ ପ୍ରସ୍ତାବ ଓ ପ୍ରାର୍ଥୀଙ୍କ ମୁହଁ ସିନେମାର ଛବି ପରି ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଝଲସିଉଠିଲା ତା’ ଆଖି ଆଗରେ । ନିଜର ସହପାଠୀ ନିର୍ମଳର ପ୍ରସ୍ତାବ ମଧ୍ୟ ଏଇ ଅଳ୍ପଦିନ ତଳେ ନିଜେ ପ୍ରତ୍ୟାଖ୍ୟାନ କଲେ...କାହିଁକି କେଜାଣି ଏହି ପ୍ରସ୍ତାବ ନିକଟରେ ସାମାନ୍ୟ ଦୁର୍ବଳତା ପ୍ରକାଶ ପାଇଥିଲେ ମଧ୍ୟ...ଜଣେ ଡାକ୍ତରକୁ ସ୍ୱାମୀ ହିସାବରେ ସେ ବରଣ କରିବାକୁ ଚାହୁଁ ନ ଥିଲେ-। କାରଣ ସେ ଭାବୁଥିଲେ, ଏହି ଦେହ ସମ୍ବନ୍ଧରେ ଯେ ଟିକିନିଖି ଜାଣେ, ତା’ ନିକଟରେ ବିବାହ ହୁଏତ କୌଣସି ଉନ୍ମାଦନା ସୃଷ୍ଟିକରି ନ ପାରେ । ତାଙ୍କ ମତରେ ବିବାହ ଦେହର ବିନିମୟ...ପ୍ରବୃତ୍ତିର ସ୍ୱଚ୍ଛନ୍ଦ ଚରିତାର୍ଥ ନିମନ୍ତେ, କ ସହଜ ଉପାୟ ମାତ୍ର । ପ୍ରବୃତ୍ତିକୁ ନିୟନ୍ତ୍ରଣ କରିପାରିଲେ ବିବାହର ପ୍ରୟୋଜନ ନାହିଁ ।

 

ଷ୍ଟେଥ୍‌ସସ୍କୋପ ବ୍ୟାଗରେ ଚିଠିଟି ରଖି ଦେଇ ତମସା ପୁନର୍ବାର ଚାହିଁଲେ ତାଙ୍କ ରୁମ ମଧ୍ୟରୁ ବାହାରକୁ ...ବାହାରେ ସଫେଦ ଆକାଶ..ତନ୍ଦ୍ରାକୁ କ’ଣ ବୁଝାଇବେ । ବିବାହ ଲାଗି ରାଜି କରାଇବେ । ସାନ ଭଉଣୀକୁ ସେ କେତେ ଭଲ ପାଆନ୍ତି । ସେ କିଛି ଠିକ୍ କରିପାରୁ ନ ଥାନ୍ତି । ତନ୍ଦ୍ରା ଯଦି ରାଜି ନ ହୁଏ, ତେବେ ବାପା ମା କେତେ ଆଘାତ ପାଇବେ !

 

ତମସା...ତନ୍ଦ୍ରାକୁ କେତେ ବୁଝାଇଥିଲେ...‘‘ସୁନା ଭଉଣୀଟି ମୋର...ତୁ ବିଭାହୋଇ ଯା...ମୋତେ ଆଉ ବାଧ୍ୟ କରନି, ବିବାହ ବୟସ ମୋର ନାହିଁ । ତୁ ବିବାହ କର ! ନଚେତ ବାପା ମା ମନ ଦୁଃଖ କରିବେ । ଏଇ ସାନଦାଦାଙ୍କ ବିବାହ ପରେ ଅନେକ ଦିନ ଧରି କୌଣସି ବିବାହ ମଉଛବ ହୋଇନି । ସତରେ ତନ୍ଦ୍ରା ତୋ ଲାଗି ବାପା ଭଲ ବରଟିଏ ବାଛିଛନ୍ତି । ସେ ବିବାହ ଲାଗି ଜୋଇଁ ବେଶରେ ଆସିବ । ତୋତେବି ଆମେ ସମସ୍ତେ ଗୋଟିଏ ସୁନ୍ଦର ବୋହୂ ବେଶରେ ସଜାଇଦେବୁ । ତୁ ପାଦକୁ ଧୀରେ ଧୀରେ ପକାଇ, ଅଧା ନଇଁ ନଇଁ, ତନ୍ଦ୍ରାବୋଳା ଆଖିରେ, କଜଳ ପିନ୍ଧି ବିବାହ ବେଦି ଉପରକୁ ଯିବୁ । ପବିତ୍ରମନ୍ତ୍ର ପାଠ...ଶଙ୍ଖଧ୍ୱନି ହୁଳାହୁଳି ମଧ୍ୟରେ ସାଙ୍ଗ ହେବ ତୋର ବିବାହ ଉତ୍ସବ । କେତେ ମଜା ହେବ । ତା’ପରେ...ତା’ପରେ...ତୋର ସୁନ୍ଦର ରଙ୍ଗ ରୂପ ନେଇ ଲାଲଟୁକୁଟୁକୁ ପୁଅଟିଏ ହେବ । କେତେ ମଜା ହେବ । ତୁ’ ରାଜି ହୋଇ ଯା...ତନ୍ଦ୍ରା...’ ହସ ଚିପି ତମସା ତନ୍ଦ୍ରାକୁ ବୁଝାଏ ।

 

‘‘ଧେତ୍‌’’...ଲାଜ ଲାଜ ହୋଇ ତନ୍ଦ୍ରା ଥଟାକରି କହେ, ‘‘କାହିଁକି ଦେଈ, ତୁ ବିବାହ ହେଉନୁ ?’’

 

‘‘ତୁ ନିଜେ କହ, ତୋ ଦେଈ ଆଉ ଦିନ କେଇଟା...ମରିଯିବି । କାହିଁକି ମୋ ପାଇଁ କିଏ ହଇରାଣ ହେବ...ପିଲାମାନଙ୍କୁ ମୋର ପାଳିବ କିଏ...?’’

 

ତନ୍ଦ୍ରା...ନିର୍ଭର ପ୍ରତିଶ୍ରୁତି ଦେଲା ପରି କହେ,...‘‘ତୁ ବିବାହ କର...ତୁ ମରିଗଲେ ତୋ ପିଲାଙ୍କ ଦାୟିତ୍ୱ ମୁଁ ନେବି । ଘର ସମ୍ଭାଳିବାର ଦାୟିତ୍ୱ ମୋର । ତୋ ମଣିଷକୁ ନିଜର ମନେକରି ସବୁ କାମ କରିବି...ଦେଈ, ସାନ ଭଉଣୀଟା ଉପରେ ଏତିକି ଭରସା ରଖିପାରୁନୁନା !’’

 

‘‘ମୁଁ ଚାହେଁ, ତନ୍ଦ୍ରାପରି ଗୋଟାଏ ସୁନାଝିଅ କାହା ଭଙ୍ଗାଘର ସଜାଡ଼ିବାକୁ ନ ଯାଉ ।’’

 

ତନ୍ଦ୍ରା ଶେଷରେ ବିବାହ ଲାଗି ସମ୍ମତି ଦେଇଥିଲା । ସେହି ତନ୍ଦ୍ରାର ଆଜି ବାହାଘର ।

 

ବରପକ୍ଷ ଆସି ସିଧା ଗାଡ଼ିରେ ପହଞ୍ଚିବେ । ଡାକବାଲା ତାର ଦେଇଗଲା । ସାନ ଦାଦା ଯାଇଥିଲେ ବରଧରା ହୋଇଘରକୁ ତାର କରିଛନ୍ତି ।

 

ବରପକ୍ଷ ଆସି ପହଞ୍ଚିଗଲେ । ବରବରଣ ଶେଷ ହୋଇଗଲା । ବର ହାତ ଧରି ଗୁରୁବାବୁ ବରଣକରି ଘରକୁ ନେଇଆସିଲେ । ସତରେ ଚମତ୍କାର ଯୁବକଟିଏ । ତନ୍ଦ୍ରା ପରି ଝିଅ ଲାଖି ବର । ଦୁହିଁଙ୍କୁ ଦେଖିଲେ ଗୋଟିଏ ଚାଉଳରେ ଗଢ଼ା ବୋଲି ମନେହେବ ।

 

ଆଉ ଗୋଟିଏ ଘଣ୍ଟା ପରେ...ତନ୍ଦ୍ରା ବେଦିକୁ ଯିବ । ବଡ଼ଖୁଡ଼ୀ, ତନ୍ଦ୍ରାର ସହପାଠିନୀମାନେ ଓ ତମସା ଉପସ୍ଥିତ ରହି ତନ୍ଦ୍ରାକୁ ବେଶ କରୁଛନ୍ତି...ତନ୍ଦ୍ରା ପ୍ରାଣରେ କେତେ ଆଲୋଡ଼ନ...କେତେ ଆଶା...ଆଶଙ୍କା...ଆଉ କାହାକୁ ସ୍ପର୍ଶ କରିପାରୁନି । ସହପାଠିନୀଙ୍କ ଟାହିଟାପରା ସେ ସମ୍ପୂର୍ଣ୍ଣ ଉପଭୋଗ କରିପାରୁନି । ମନ ତଳରେ ତା’ର ଯେ ଢେଉ ଉଠିଛି...ଆଘାତ କେବଳ ତା’ରିଠାରେ ଲାଗିଛି । କେତେବେଳେ ତା’ର କେଶବିନ୍ୟାସ ସରିଛି...କବରୀରେ ବଉଳଫୁଲର ହାରଟିଏ ପିନ୍ଧାଇ ଦିଆଯାଇଛି...ମୁହଁ ଚନ୍ଦନ ବିନ୍ଦୁରେ ସୁଶୋଭିତ କରାଯାଇଛି...ଛୋଟ ହାତ ଦୁଇଟିକୁ ନେଲ୍‌ ପଲିସ୍‌ରେ ଖୁବ୍‌ ସୁନ୍ଦରଭାବେ ଚିତ୍ରଣ କରି ଦିଆଯାଇଛି...ସେ ଜାଣେ ନାହିଁ । ବାମ ପାଦରେ ଅଳତା ପିନ୍ଧାଇବା ଲାଗି ସୁରମାକୁ ନ ଦେଇ ତମସା ନିଜେ ହାତରେ ନେଇଛି ଅଳତାର କାଠି ।

 

ପାଦର ଧାରେ ଧାରେ ସେ ଦୁଇଟି ସରୁ ଗାର ଟାଣିନେଇଛି । ପାଦକୁ ଅଧିକ ସୁନ୍ଦର ଓ ଚିତ୍ରିତ କରିବାଲାଗି ସେ ଛୋଟ ଛୋଟ ଫୁଲ ଲେଖିବାକୁ ଆରମ୍ଭ କରିଛି, କବାଟ ଫିଟାଇ ସାନ ଦାଦା ପଚାରିଲେ, ‘‘ତନ୍ଦ୍ରାକୁ ବେଶ କରିଦେଲ ତ...ଡେରି କରି ନାହିଁ । ଆଉ ମୋଟେ ଦଶମିନିଟ୍‌...ଲଗ୍ନ ଗଡ଼ିଯିବ...ଲଗ୍ନ ଗଡ଼ିଯିବ ।’’

 

ତନ୍ଦ୍ରା ସଚେତନ ହୋଇଉଠିଲେ । ସେ ମୁହଁ ଉଠାଇ ଦେଖିଲା, ସମ୍ମୁଖରେ ଦେଈ ବସି ତା’ ପାଦରେ ଚିତ୍ର ଲେଖୁଛି...ସୁରମା, ମାଳିତୀ, ମୃଣାଳିନୀ...ମୀନି ପ୍ରଭୃତି ଗଲେଣି ଆଗରୁ ବିବାହ ବେଦି ପାଖକୁ...!!

 

ତନ୍ଦ୍ରା ଡାକିଲା, ‘‘ଦେଈ’’ ।

 

‘‘ବ୍ୟସ୍ତ ହୁଅ ନାହିଁ...ଏଇ ସରିଲା...ଆଉ ଗୋଟାଏ ଫୁଲ...ଚାହିଁଲୁ ଚାହିଁଲୁ ତନ୍ଦ୍ରା, ଦର୍ପଣକୁ ଚାହିଁଲୁ...କେଡ଼େ ସୁନ୍ଦର ଦିଶୁଛୁ...’’

 

ତନ୍ଦ୍ରା ଦୀର୍ଘନିଃଶ୍ୱାସ ମାରିଲା । କ୍ଳାନ୍ତ ନୟନଯୁଗଳ ତା’ର ଅଶ୍ରୁଳ ହୋଇଉଠିଲା । ସେ କହିଲା, ‘‘ଦେଈ, ତୁ ସତ କହିଲୁ...ତୁ ସତରେ କ’ଣ ଚାହିଁନୁ କେବେ ଏଇମିତି ବୋହୂ ବେଶରେ ସଜା ହୋଇ ବିବାହ ବେଦିକୁ ଯିବାକୁ ? ବିବାହ ସତରେ କ’ଣ କେବଳ ଦେହର ବିନିମୟ ? ତୋ ମେଡ଼ିକାଲ କୋର୍ସ ବହିର ଗୋଟାଏ ପ୍ରାଣହୀନ, ଭାଷାହୀନ ମୃତ ପରିଚ୍ଛେଦ...ଡାର୍କ ରୁମ୍‌ରେ ତୋର ଚକ୍ଷୁ ପରୀକ୍ଷା ଲାଗି କେତେଗୋଟି ଯନ୍ତ୍ରପାତି ମଧ୍ୟରେ ଯୁଗ ଯୁଗର ବନ୍ଧନକୁ ତୁ ପରୀକ୍ଷା କରିପାରିବୁ ସତେ ଲୋ, ଦେଈ !!’’

 

ତମସା ପରିହାସ କରି କହିଲା, ‘‘ତନ୍ଦ୍ରା, ଚୁପ୍‌...ଚୁପ୍‌...ତୋ ବିବାହବେଳେବି ଟିକେ ଚୁପ୍‌ ହୋଇ ବସି ପାରୁନାହିଁ । ତୁ ବ୍ୟସ୍ତ ହଅନି । ତୁ ଯା, ବେଦିକୁ ଯା । ଫେରିଲାବେଳକୁ ଦେଖିବୁ...ମୁଁ...’’

 

‘‘ଏଇ ଦେଖେ...ପରିହାସ କରି ଅଳତାକାଠି ଧରି ତମସା ନିଜ ପାଦରେ ଅଳତା ଲଗାଇବାକୁ ଆରମ୍ଭ କରିଦେଲା ।’’

 

ପବିତ୍ର ମନ୍ତ୍ରପାଠ, ହୁଳହୁଳି, ଶଙ୍ଖଧ୍ୱନି ମଧ୍ୟରେ ତନ୍ଦ୍ରା ବେଦିକୁ ଗଲା । କକ୍ଷ ମଧ୍ୟରେ ତମସା ସେହିପରି ତା’ର ପାଦରେ ଅଳତା ଲଗାଇ ଚାଲିଥାଏ । ଗୋଟିଏ ମୁହୂର୍ତ୍ତରେ ତନ୍ଦ୍ରାର ଗୋଟିଏ ପ୍ରଶ୍ନବାଣର ସମ୍ମୁଖୀନ ହେବାର ଦମ୍ଭ ସେ ଯେପରି ହରାଇବସିଛି ତା’ର ମନେହେଲା । କେଇ ଘଣ୍ଟା ପରେ କୁମାରୀ ତନ୍ଦ୍ରା ହେବ କେଉଁ ବଂଶର କୁଳଲକ୍ଷ୍ମୀ । କାଲିକୁ କାଲି ସେ ହେବ ସନ୍ତାନର ମା...

 

ତନ୍ଦ୍ରା ବୟସରେ ତମସାଠାରୁ କେତେ ଛୋଟ ! ରାତି ପାହିଲେ ବିବାହିତାର ଯେଉଁ ସମ୍ମାନ ପାଇବ, ତାହା ତମସା ସ୍ୱପ୍ନରେ ସୁଦ୍ଧା ଆଶା କରିବା ସମ୍ଭବ ନୁହେଁ ।

 

ତମସା ତନ୍ଦ୍ରାକୁ ସାନଭଉଣୀରୂପେ ପ୍ରାଣକୁ ଅଧିକ ଭଲ ପାଉଥିଲା । ମାତ୍ର ଜୀବନରେ ଆଜି ପ୍ରଥମ ଥର ଲାଗି ସେ ତନ୍ଦ୍ରାକୁ ହିଂସା କରିଛି...ତା’ର ରୂପ, ସାଜସଜ୍ଜା, ତା’ର ପ୍ରତିହିଂସାର ସାମଗ୍ରୀ ହୋଇଛି । ସେ ବି ଏହିପରି ବିବାହ ବେଶରେ ବେଦିକୁ ଯାଇପାରିଥାନ୍ତା...ସେ ବି ହୋଇ ପାରିଥାନ୍ତି କେଉଁ ସମ୍ଭ୍ରାନ୍ତ ବଂଶର କୁଳବଧୂ...ସେ ବି ପାଇ ପାରିଥାନ୍ତା ବିବାହିତାର ସମ୍ମାନ...‘ସାହାନାଇ’ର ତାଳେ ତାଳେ ତାଳ ଦେଇ ତା’ ପ୍ରାଣତନ୍ତ୍ରୀରେ ନାଚି ଉଠିଥାନ୍ତି ରକ୍ତର ଢେଉ । ମନ ବନରେ କେତେ ଆଶା କେତେ ସ୍ୱପ୍ନ ।

 

ମାତ୍ର ଆଜି ସେ ନିଜେ ନିଜର ବ୍ୟର୍ଥତା, ଶୋଚନାଲାଗି ନିଜକୁ ଦାୟୀ କରିଛି । ସେ ଅସୁମାରି ଯନ୍ତ୍ରଣା ଅନୁଭବ କରିଛି । ସେ ଯନ୍ତ୍ରଣା, ସେ ଜଣେ ନାମକରା ଡାକ୍ତରାଣୀ ହେଲେ ମଧ୍ୟ ମାପିପାରିବ ନାହିଁ । ଆଜିର ପରିବେଶ ତା’ ପକ୍ଷେ ଅସହ୍ୟ ହୋଇଉଠିଛି । ସେ ତନ୍ଦ୍ରାର ଛାଇ ପର୍ଯ୍ୟନ୍ତ ଦେଖିବାଲାଗି ପ୍ରସ୍ତୁତ ନୁହେଁ । ସେ ନିଜେ ଆଶ୍ଚର୍ଯ୍ୟ ହେଲା ଯେ, ତା’ମନରେ ଆଜି ତନ୍ଦ୍ରା ପ୍ରତି ଅହେତୁକ ଈର୍ଷା ! ସେ ଭାବୁଛି, ତନ୍ଦ୍ରାର ବାହାଘରଟା ଭାଙ୍ଗିଦେବା ତା’ପକ୍ଷରେ ସହଜ ଥିଲେବି ସେ ଭାଙ୍ଗି ନ ଦେଲା କାହିଁକି ? ବାହାଘରଟା ଭାଙ୍ଗି ନ ଦେଇ ସେ ଆଜି ଅନୁତାପ କରୁଥିଲା ।

 

ମେଡ଼ିସିନ୍‌ ଦୁନିଆର କୃତୀ ଡାକ୍ତରାଣୀ ତମସା ଆଜି ନିଜକୁ ସମସ୍ତ ଅଭିଶାପ, ଶୋଚନାର ପ୍ରତୀକ ବୋଲି ମନେକରୁଛି । ହାତରୁ ତା’ର ଅଳତା କାଠି ଖସିପଡ଼ିଛି । ହାତ ତା’ର ଶିଥିଳ ହୋଇଯାଇଛି । ଗତି ତା’ର ମନ୍ଥର ଅନୁଭୂତ ହୋଇଛି । ସେ ବ୍ୟର୍ଥତାର ଦୀର୍ଘଶ୍ୱାସ ତ୍ୟାଗକରି ପାର୍ଶ୍ୱରେ ପଡ଼ିଥିବା ଚୌକିଟିକୁ ଟାଣି ବସିଯାଇଛି । ସତେ ଅବା ତା’ର ସମସ୍ତ ଉଦ୍ୟମ ସତ୍ତ୍ୱେ ରୋଗୀଟି ବଞ୍ଚିପାରିଲା ନାହିଁ । ଅପରେସନ୍‌ ଟେବୁଲ ଉପରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

ସମ୍ମୁଖରେ ଥିଲା ଡ୍ରେସିଂ ଟେବୁଲ । ଅଇନାକୁ ତମସା ଚାହିଁଲା, ବାତାୟନ ସେପାରି ସହର ଉପକଣ୍ଠରେ ବନଶ୍ରୀର ସବୁଜିମା ପ୍ରତିଫଳିତ ହୋଇଉଠୁଥାଏ । ସେ ନିଜର ରୂପକୁ ସଙ୍ଗେ ମନେ ମନେ ତୁଳନା କରି ନେଉଥାଏ । ସତରେ ତନ୍ଦ୍ରା ରୂପଶ୍ରୀ ନିକଟରେ ତମସା କେତେ ମ୍ଳାନ ଦେଖାପଡ଼ୁଥାଏ । ସେ ଯଦି ପୂର୍ବରୁ ଜାଣିଥାନ୍ତା, ତନ୍ଦ୍ରାକୁ ଏତେ ଯତ୍ନରେ ସଜାଇ ନ ଥାନ୍ତା ।

 

ତମସା ଭାବୁଥାଏ ତନ୍ଦ୍ରା କାଲିଯିବ...ତା’ର ନୂଆ ଘର ଉଦ୍ଦେଶ୍ୟରେ...ତାକୁ ପାଛୋଟି ନେବାଲାଗି ଅପେକ୍ଷା କରି ରହିଥିବେ ତା’ର ଶାଶୂ, ନଣନ୍ଦ, ସାଇ ଝିଅବୋହୂ...ଗ୍ରାମବାସୀ...ବୋହୂ ବନ୍ଦାଣ ଲାଗି ପ୍ରଜ୍ଜ୍ୱଳିତ ହୋଇଉଠିବ ଉଜ୍ଜ୍ୱଳ ପ୍ରଦୀପ ଶିଖା । ଆଉ ସେ ଫେରିବ ସେହି ଡାକ୍ତରଖାନାକୁ...ହାତରେ ଷ୍ଟେଥସ୍‌ସ୍କୋପ...ଓ୍ୱାର୍ଡ଼ରେ ରୋଗୀର କରୁଣ ଚିତ୍କାର...ବେହେରା ଓ ନର୍ସଙ୍କର ଡିଉଟି ରୁମରେ ପାଟି...ପ୍ରଫେସରଙ୍କ ପ୍ରେସ୍‌କ୍ରପସନ ବଦଳାଇବା ଲାଗି ନିର୍ଦ୍ଦେଶ...ସବୁ ନିତିଦିନର । ରୋଗୀ ଭଲ ହୋଇ ଫେରିବେ...ଭଲ ହୋଇଗଲା ପରେ....ଜୀବନର ଯାତ୍ରାଲାଗି ପାଥେୟ ସଂଗ୍ରହ ନିମନ୍ତେ ପୁଣି ପ୍ରାଣାନ୍ତ ସଂଗ୍ରାମ...ତମସା କଥା ମନେ ରଖୁଛି କିଏ ? ସେ ରହିଯିବ ଅଭିନୟ ପରେ ଗ୍ରୀନ୍‌ରୁମ୍‌ର କ୍ଷୁଦ୍ରାତିକ୍ଷୁଦ୍ର ପାର୍ଟର ଅବତରଣ କରିଥିବା ଅଭିନେତା ପରି...

 

ଅସମ୍ଭବଭାବେ ସେ ଅସହାୟ ହୋଇଉଠିଲା । ଦୁର୍ବଳତା ଅନୁଭବ କଲା...ନୟନଧାରା ତା’ର ଅଶ୍ରୁସଜଳ ହୋଇ ଆସୁଥିଲା ।

 

ତନ୍ଦ୍ରା ବେଦିରୁ ଫେରିଲା...ବିବାହର ପ୍ରଥମ ପର୍ବ ଶେଷ ହୋଇଗଲା । ସାନ ଦାଦା ଆସି କହିଗଲେ, ‘‘ତନ୍ଦ୍ରାର ଶାଢ଼ି ବଦଳାଇ ଦିଅ...ଅଳଙ୍କାର ପିନ୍ଧାଇ ଦିଅ । ଡେରି କର ନାହିଁ...ଲଗ୍ନ ଗଡ଼ିଯିବ....ତା’ପରେ ମହାଦଶା ଆରମ୍ଭ ହୋଇଯିବ ।’’

 

ତମସା ଯନ୍ତ୍ରଚାଳିତଭାବେ ତନ୍ଦ୍ରାକୁ ଶାଢ଼ି ପିନ୍ଧାଇ ଦେଇ...ଅଳଙ୍କାର ପିନ୍ଧାଇବାକୁ ଆରମ୍ଭ କଲା...ହାତରେ ଚୁଡ଼ି ପିନ୍ଧାଇଲା ବେଳକୁ ଆଖିରୁ ଦୁଇଧାର ଲୁହଝରି ପଡ଼ିଲା ଚଟାଣ ଉପରେ...ତନ୍ଦ୍ରା ଆଉ ସମ୍ଭାଳି ପାରିଲା ନାହିଁ । ଦେଈ ଆଖିରେ ଲୁହ...ସତରେ ଦେଇ ତାକୁ କେତେ ଭଲପାଏ । ତନ୍ଦ୍ରାତାର ଦେଈକୁ ଧରି ଅତି କରୁଣଭାବେ କ୍ରନ୍ଦନ କରିବାକୁ ଲାଗିଲା ।

 

ତନ୍ଦ୍ରା କାନ୍ଦୁଥିଲା, ଦେଇକୁ...ବାପା, ମା...ଘରଦ୍ୱାର ଛାଡ଼ି ସବୁଦିନ ପାଇଁ ଚାଲିଯାଉଥିବା ହେତୁ...ତମସା ହୁଏତ କାନ୍ଦୁଥିଲା...ଯେଉଁ ସ୍ୱପ୍ନ ତା’ର କେବେ ପୂରଣ ହେବ ନାହିଁ...ସେଇଥିଲାଗି...। ଅବଶୋଷର...ବ୍ୟଥିତ ହୃଦୟର ଅଶ୍ରୁ ହୁଏତ ତମସାର ଗଣ୍ଡଦେଶରେ ଛୁଟି ଚାଲିଥିଲା ।

 

ସାଇ ଝିଅବୋହୂ ଚାହିଁ ରହିଥାନ୍ତି ଦୁଇ ଭଉଣୀଙ୍କୁ...ଦୁନିଆରେ ଏପରି ଭଉଣୀ ବିରଳ । ତନ୍ଦ୍ରା ବେଦି ଅଭିମୁଖେ ଆଖିରୁ ଲୁହପୋଛି ଚାଲିଗଲା ।

 

ତମସା ପୁନର୍ବାର ଚୌକି ଟାଣି ବସିଲେ । କୋଠରିଟି ନୀରବ ନିସ୍ତବ୍ଧ । ତମସାର ନୟନରୁ ଅବିରତ ଅଶ୍ରୁ ଝରି ଚାଲିଥାଏ । ନଗରର ଉପକଣ୍ଠରେ ଅବସ୍ଥିତ ‘ମାଳିନୀ’ର ପରିବେଶ ସାହାନାଇ, ହୁଳହୁଳି, ପବିତ୍ର ହୋମଯଜ୍ଞ ମଧ୍ୟରେ ବ୍ରାହ୍ମଣର ଲଲିତକଣ୍ଠରୁ ଝଙ୍କୃତ ହୋଇଉଠୁଥିଲା–ଯଥା ରାବଣସ୍ୟ...

 

ବାତାୟନ ସେପାରି ବହୁ ଇତିହାସର ମୂକସାକ୍ଷୀ ’ପଳାଶ’ ଗଛଟି ସେହିପରି ଦଣ୍ଡାୟମାନ ହୋଇ ରହିଥିବାରୁ ତମସା ଦେଖି ପାରୁଥିଲା !!

Image

 

ମଉଡ଼ମଣିର ଛକ କଦମ୍ବ

 

ମଉଡ଼ମଣି ଛକ କଦମ୍ବଗଛରେ ଫୁଲ ଫୁଟିଛି । କେତେ ପୁରୁଣା ସେ ଗଛ । କିଏ କେବେ ସେ ଗଛ ଲଗାଇଥିଲା, ତା’ର ଜାତକ ସଂଗ୍ରହ କରିବା ଅତି ଗହନର କଥା । ଏହି କଦମ୍ବ ଗଛଠାରୁ ଟିକେ ଦୂରରେ ଅବକାରୀ ବିଭାଗର କ୍ୱାଟର୍ସ । ବଡ଼ କ୍ୱାଟର୍ସଟିଏ । ଆଗକୁ ଡ୍ରଇଂରୁମ୍‌, ଅଫିସ ରୁମ୍‌, ଲମ୍ବା ବାରଣ୍ଡା, ବ୍ରିଟିଶ ଅମଳରେ ଏହିଠାରେ ଅଦାଲତ ହେଉଥିଲା । ବାରିଆଡ଼ୁ ମଧ୍ୟ ଛୋଟ ବଡ଼ ହୋଇ ଦୁଇଟି ଦ୍ୱାର ଅଛି । ଆଗପଟେ ଗହଳି ହେଲେ ଚାକର ବାକର ସେଇ ବାରିପଟେ ଯିବା ଆସିବା କରନ୍ତି । ତକିଆ କର୍ମଚାରୀମାନେ, ଯେଉଁମାନେ ନିଜର ହାରି ଗୁହାରି ବାବୁଙ୍କୁ କହିବାକୁ ସାହସ କରି ନ ପାରନ୍ତି, ସେମାନେ ବାରିପଟେ ଆସି ମା’ଙ୍କୁ ଜଣାନ୍ତି । ଏବେ ସେଇ ଘରେ ଅବକାରୀ ବିଭାଗର ବଡ଼ ଅଫିସର ଅଛନ୍ତି ।

 

ବଳରାମ ଆଉ ଥରେ ଚାହିଁଲା କଦମ୍ବକୁ । ପୁଣି ମାରିଲା ଏକ ଦୀର୍ଘନିଃଶ୍ୱାସ । ହାତରେ ଧରିଥିବା ସଦ୍ୟଧରା ମାଛ ଦୁଇଟା ସତେ ଯେପରି ତାକୁ କିଛି କହିବେ । ଆଖି ମେଲା କରି ତାକୁ ଚାହିଁ ରହିଛନ୍ତି । ସେ ଭାବି ଚାଲିଥାଏ, କିପରି ମାଛ ଦି’ଟା ଧରି ଯାଇ ମା’ଙ୍କୁ ଦେବ । ଯଦି ଦେଉ ଦେଉ ହାତ ଦିଟା ତା’ର ଥରିଉଠେ ? କଥା କହୁ କହୁ କ’ଣ ବାହାରିଯାଏ ? ତେବେ ଅବସ୍ଥା ସମ୍ଭାଳିବ କିଏ ? ନା, ଦରକାର ନାହିଁ । ନ ହେଲେ ନାଇଁ ପଛେ, ବାବୁ ତା’ ଉପରେ ଖୁସି, ଘରେ ପଛେ ତା’ର ପାଞ୍ଚ ପାଞ୍ଚଟି ପିଲା ହଇରାଣ ହୁଅନ୍ତି, ଏଇ ଖାକି ପୋଷାକ ଦି’ଖଣ୍ଡରୁ ତିନି ଖଣ୍ଡ ପଛେ ନ ହେଲା ନାଇଁ, ସେ ଲାଞ୍ଚ ଦେଇପାରିବନି ।

 

ଆଗକୁ କେଇପାଦ ଚାଲି ଆସିଛି । ସତେ ଯେପରି କଦମ୍ବ ମୂଳରୁ କେହି ରହି ରହି କହିଲା...ବଳରାମ, ବୋକାମି କର ନାହିଁ । ଯା, ମାଛ ଦିଟା ମା’ଙ୍କୁ ଦେଇ ଆସିବୁ...କିଛି ହେବ ନାହିଁ-। ପାଞ୍ଚବର୍ଷ ଚାକିରି କଲାପରେ ସେ ଆଜି ମାଛ ଧରି ଯାଉଛି ବାବୁଙ୍କ ଘରକୁ ନିଜ ବନ୍ଧୁର ବାଧ୍ୟବାଧକତାରେ ସେ ଆଜି ମାଛ ଧରି ଯାଉଛି ବାବୁଙ୍କ ଘରକୁ ନିଜ ବନ୍ଧୁର ବାଧ୍ୟବାଧକତାରେ ପଡ଼ି । ଏଇ ପାଞ୍ଚବର୍ଷରେ ତା’ର କେତେ ସାଙ୍ଗ ଉଚ୍ଚ ପାହ୍ୟାକୁ ଉନ୍ନୀତ ହେଲେଣି । ସେ ଯେଉଁ କନେଷ୍ଟବଲ ଥିଲା, ସେହି ଅବସ୍ଥାରେ ଅଛି । କାମ ପ୍ରତି ସମସ୍ତ ନିଷ୍ଠା ସତ୍ତ୍ୱେ ତା’ର କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ସେ ବରାବର ଶୁଣିଛି । ତା’ ବଡ଼ବାବୁ ତାକୁ ଦେଖି ସାମାନ୍ୟ ଟିକେବି ହସି ନାହାନ୍ତି ଏଇ ପାଞ୍ଚବର୍ଷ ଭିତରେ ।

ମାଛ ଦୁଇଟି ଧରି ବଳରାମ ବାରିବାଟେ ପ୍ରବେଶ କରୁଛି, ବାବୁ ଅଫିସ ବାହାରିଛନ୍ତି, ହଠାତ୍‌ ଆଖି ପଡ଼ିଗଲା । ବାବୁ ପଚାରିଲେ, ‘‘ବଳରାମ, ମାଛ କେଉଁଠୁ ଆଣିଲ ?’’

‘‘ଆଜ୍ଞା ଅଫିସ ଆସୁଥିଲି, ହୀରାସାଗରରୁ ଧରା ହୋଇ ମାଛ ଆସିଛି ବଜାରକୁ, ପିଲାମାନଙ୍କ ଲାଗି ନେଇ ଆସିଲି ।’’

‘‘ଦାମ୍‌ କେତେ ? ମା’ଙ୍କଠୁ ପଇସା ନେଇଯିବ ।’’

‘‘ଚିହ୍ନା କେଉଟ ଆଜ୍ଞା, ଦରଦାମ୍ କରିନି, ପରେ ଦେଇଦେବ ।’’ କହି ଯିବାପାଇଁ ଉଦ୍ୟତ ହେଲା ବଳରାମ ।

‘‘ତମର ପରା ଆଜି କୋଟ ଅଛି ?’’

“ହଜୁର ଫାଷ୍ଟ କୋଟ୍‌ରେ କେଶ୍‌ ପଡ଼ିଛି ।’’

‘‘ଆସ ଶୀଘ୍ର ଆସ...ହଁ, ମା’ଙ୍କଠାରୁ ଆସିଲାବେଳେ ପାନବଟାଟା ନେଇ ଆସିଥିବ ।’’

ବଳରାମ ଫେରିଲା ସନ୍ଧ୍ୟାରେ ବସାକୁ । ବନ୍ଧୁ ନରି ପଧାନ ପଚାରିଲା, ‘‘ବଳି, ଔଷଧ କିପରି କାଟୁ କଲା ?’’

‘‘ବେଶ୍‌ ଧରିଛି...ଆଜି ବାବୁ ମତେ କୋଟ୍‌ରେ କେତେ ପ୍ରଶଂସା କଲେ । ହସହସ ମୁହଁ...ସେ ମୁହଁ ଛିଞ୍ଚଡ଼ା ଓ ଲାଲଆଖି ଆଜି ଆଉ ନାହିଁ । ମୋତେ ପୁଣି ଆଉ ଗୋଟାଏ କେଶ୍‌ରେ ବାମନ୍‌ଗାଡ଼ିଆ ପଠାଉଛନ୍ତି ।’’

‘‘ବାମନ୍‌ଗାଡ଼ିଆ !’’

‘‘ହଁ ।’’

‘‘ବେଶ୍‌ ଭଲ କଥା । ସେଠି ଭଲ ଛେନାପୋଡ଼ା ମିଳେ । ଭଲ ରସାବଳୀ ମଧ୍ୟ ମିଳେ । ଚୋର ଧରିବା ଯାହା ହେଉନା କାହିଁକି, ଆସିଲାବେଳେ ସେଥିରୁ କିଛି ବାବୁଙ୍କ ପାଇଁ ଧରି ଆସିବୁ-।’’

‘‘ଏତେ ପଇସା ପାଇବି କେଉଁଠୁ ?’’

‘‘ଆରେ ବୋକା, ଯେଉଁମାନେ ଅବକାରୀ ଦୋକାନ ନିଲାମରେ ଧରିଛନ୍ତି, ସେହିମାନଙ୍କୁ କେବଳ ଜିନିଷ ନା ଓ ବାବୁଙ୍କ ନା କହିଦେବୁ । ସେମାନେ ସଙ୍ଗରେ ଲୋକଦେଇ ପଠାଇବାର ବନ୍ଦୋବସ୍ତ କରିଦେବେ । ସେମାନଙ୍କୁ କଦମ୍ବଛକରୁ ଫେରାଇଦେଇ, ନିଜେ ଜିନିଷ ଧରି ବାବୁଙ୍କ ବଙ୍ଗଳାକୁ ଯିବୁ । ଦେଖିବୁ, ବାବୁ କେଡ଼େ ଖୁସି ହେବେ । ଦାମ୍‌ ପଚାରିବେ । ଟଙ୍କା ଯାଚିବେ । ତୁ ପରେ ଆଣିବୁ କହି ଚାଲିଆସିବୁ ।’’

‘‘ଯଦି ସତରେ ଦେଇଦିଅନ୍ତି, କ’ଣ କରିବି ? ମୋ ହାତ ତ ଥରିବ ।’’

‘‘ସେ ମୋଟେ ଦେବେ ନାହିଁ । ଖାଲି ଦେବେ ଦେବେ, ବୋଲି କହିବେ । ଆରେ, ସେମାନେ କେବେ ଦିଅନ୍ତି ନାହିଁ । ବଡ଼ ଅଫିସର ହେଲେ ସେମାନେ କେବଳ ନିଅନ୍ତି । ନେବାପାଇଁ ସେମାନେ ସାମାନ୍ୟ ସଙ୍କୋଚ କରନ୍ତି ନାହିଁ । ସତେ ଯେପରି ନେବାଟା ତାଙ୍କର ଧର୍ମ । ଯଦିବା ଟଙ୍କା ଦିଅନ୍ତି, ଆଣିବୁ । ଏତେ ଯଦି ତୋ ଛାତି ଥରୁଛି, ଏ ଅବକାରୀ ବିଭାଗ ଛାଡ଼ । ବୁଝିଲୁ...ବାବୁ ଚାରି ଚାରିଟା ଝିଅ ବିଭାଘର କରିଛନ୍ତି । କେଉଁ ଜୋଇଁକୁ କଟକରେ କୋଠା ତ ଆଉ କାହାକୁ ମଟର, ଗହଣାଗାଣ୍ଠି । କହୁନୁ ଦରମା କେତେ ତାଙ୍କର ? ତାଙ୍କ ଘରକୁ ଯିଏ ଯାହା ଆଣନ୍ତି, ସେ ଯଦି ଦାମ୍‌ ଦେଇ ଦେଉଥାନ୍ତେ, ସେ କେଉଁଦିନୁ ରାସ୍ତାରେ ଫକିର ହୋଇ ଯାଆନ୍ତେଣି । ତେଣୁ ସେ ଭୟ ତୁ ମୋଟେ କର ନାଇଁ ।’’

 

ବଳରାମ ସାମାନ୍ୟ ରହି କହିଲା, ‘‘ବାବୁଙ୍କ ସ୍ତ୍ରୀଟି ବେଶ୍ ଲୋକ, ଭାରି ଶାନ୍ତ ।’’

 

‘‘ହଁ, ସେ ବେଶ୍‌ ଲୋକ ? ବୁଡ଼ି ବୁଡ଼ି ପାଣିପିଇବା ମାଇକିନା ସେ । ସେ ଗହୀର ଜଳର ମାଛ । ତାକୁ ଚିହ୍ନିବା ଏତେ ସହଜ ନୁହେଁ । ତୁ କିବା ଛାର, ସେ ତୋ ବାବୁ ପରି ପାଞ୍ଚ ପାଞ୍ଚଟା ଗିଳି ହଜମ କରିଦେବ । ଯେତେ ଦିଆ ନିଆ ସବୁ ଏଇ ମାଇକିନା ଜରିଆରେ...ସତେ ନା ?’’

 

ନରି ସାମାନ୍ୟ ହସି କହିଲା, ‘‘ଆରେ ଗଲା ପାଞ୍ଚବର୍ଷ ହେଲା ତୁ କ’ଣ କରୁଥିଲୁ ? ଓ, ଚୋର ଧରୁଥିଲୁ ପରା ! ଏ ସବୁ ପ୍ରତି ନଜର ନାହିଁ । ଆରେ, କାମ କଲେ ଚାକିରିରେ ପ୍ରମୋସନ୍‌ ହୁଏ ନାହିଁ, ଯଦି ପ୍ରମୋସନ୍‌ ଚାହୁଁ, ତେବେ ବାବୁଙ୍କ କାମର ହିସାବ କର । ସେ କେଉଁଟାକୁ ଭଲ ପାଆନ୍ତି, ଆଉ କେଉଁଟାକୁ ଘୃଣା କରନ୍ତି ।’’

 

ବଳରାମ ଏବ ଲାଞ୍ଚ ନେବାରେ ଓ ଦେବାରେ ସିଦ୍ଧହସ୍ତ ହୋଇ ଗଲାଣି । ସାମାନ୍ୟ ସଙ୍କୋଚ ନାହିଁ । ସାମାନ୍ୟ ଭୟ ନାହିଁ । ମାଛ ଭାଜିଲେ ହାତ ତ ତେଲିଆ ହେବ ସ୍ୱାଭାବିକ । ସେ ଏବେ ନିଜର ପଡ଼ୋଶୀମାନଙ୍କୁ ମୁକ୍ତହସ୍ତରେ ଦେବାକୁ ଆରମ୍ଭ କଲାଣି । କଦମ୍ବ ମୂଳରେ ବସି ସେ ବେଳେବେଳେ ନିଜେ ନିଜକୁ ଧିକ୍‌କାରେ । ସେ କ’ଣ କରୁଛି ? ନିଜ କୃତକର୍ମ ଲାଗି ଅନୁତାପ କରେ । ପୁଣି ମନକୁ ମନ ସାନ୍ତ୍ୱନା ଦିଏ...ଏଥିରେ ଭାବିବାର କ’ଣ ଅଛି ? ସେ ତ ଲାଞ୍ଚ ନେଉନି, କୋଠା ଉପରେ କୋଠା ଗଢ଼ିବାକୁ । ଝିଅ ଜୋଇଁଙ୍କୁ ମଟର ଦବାକୁ...ତା’ର ପେଟଲାଗି ସେ ଏକଥା କରୁଛି । ଭଗବାନ ନିଶ୍ଚୟ କ୍ଷମାକରିବେ ତାକୁ ।

 

ଦିନ କେଇଟା ମଧ୍ୟରେ ସେ ଶାନ୍ତି ଅମାୟିକ ବାବୁଙ୍କ ସହଧର୍ମିଣୀଙ୍କୁ ବେଶ୍‌ ଜାଣିପାରିଲାଣି । ବାସ୍ତବରେ ସେ ବୁଡ଼ିବୁଡ଼ି ପାଣି ପିଇବା ଲୋକ । ଅଳ୍ପରେ ସନ୍ତୁଷ୍ଟ ହେବା ତାଙ୍କ ପ୍ରକୃତିର ବାହାରେ । କେଉଁଠି କିଏ ଅବକାରୀ ନିଲାମ ଧରିଛି, ତାହା ତାଙ୍କ ଜିଭ ଆଗରେ । ଏଇ ଅଞ୍ଚଳରେ କେଉଁଠି କ’ଣ ମିଳେ, ତାଙ୍କ ନଖଦର୍ପଣରେ ସବୁ ଅଛି । ସେ ବିନା ଦ୍ୱିଧାରେ ନିର୍ଦ୍ଦେଶ ଦିଅନ୍ତି ବଳରାମକୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ଜିନିଷ ଆଣିବାକୁ । ସାନ ଜୋଇଁ ଆସିବେ, ସେ ଭଲ ପାଆନ୍ତି ଛେନାପୋଡ଼ା, ରାବିଡ଼ି । ବାମନଗାଡ଼ିଆ ଯାଅ, ବଡ଼ ନାତୁଣୀର କାନଫୋଡ଼ା, ଭୋଜି ହେବ । ଯାଅ, ଗୋଳାଗଣ୍ଡରୁ ମାଛ ଆଣିବ । ବଡ଼ ଝିଅ ଲାଗି ହାର ଆସିବ...ସାନ କଲେଜ ଯାଉଛି...ମଡ଼ର୍ଣ୍ଣ ଷ୍ଟାଇଲର ମୁଦି...ସବୁ ଆସେ । ତା’ ବ୍ୟତୀତ ଭେଟୀ ଉପହାର ସାହେବ ତାଙ୍କର ବନ୍ଧୁବାନ୍ଧବ ବଡ଼ ହାକିମଙ୍କୁ ଦିଅନ୍ତି । ପଇସା କିଏ ଦିଏ, ସେ ଜାଣନ୍ତି ନାହିଁ । ବଳରାମକୁ ମ୍ୟାଜିକ୍‌ ପରି ଲାଗେ, ସୁନା ଛୁଇଁଲେ ହାତ ପୋଡ଼ିଯିବ ବୋଲି ଯେଉଁ ଲୋକ ସୁନା ଛୁଇଁବାକୁ ଡରେ, ସେଠି ଟଙ୍କା ସୁନା ଉଡ଼ିବାର ଦେଖିଲେ, ସେ ମ୍ୟାଜିକ୍‌ ବୋଲି ଧରି ନ ନେଇ ଆଉ କ’ଣ ବୁଝନ୍ତି !

 

ବଳରାମ ଦିନେ ଦିନେ ଚୁପ୍‌ଚାପ୍‌ ବସି ମନକୁ ମନ କହେ, ‘‘ଏ ଯେଉଁ ଗରଳ ସେ ପାନକରି ଚାଲିଛି, ଏଥିଲାଗି ଦିନେ ନା ଦିନେ ତାକୁ ମୃତ୍ୟୁ ବରଣ କରିବାକୁ ହେବ । ଭଗବାନ ତାକୁ ଆଶୀର୍ବାଦ କରନ୍ତୁ, ପିଲାମାନେ ତା’ର ଏପରି ନ ହୁଅନ୍ତୁ ?’’

 

ବଳରାମ ଏବେ ବାବୁଙ୍କର ଅତି ପ୍ରିୟ । ବାବୁଙ୍କ ସୁପାରିଶ ଲାଗି ଲୋକେ ଏବେ ବଳରାମଙ୍କ ନିକଟରେ ଆସି ପହଞ୍ଚନ୍ତି । ମଣିଷ ଦାନବକୁ ଖୁସି କରିବାକୁ, କି ନୈବେଦ୍ୟର ଆବଶ୍ୟକତା ପଡ଼ିବ, ସେ ଅନ୍ୟମାନଙ୍କୁ ବତାଏ ।

 

ବଳରାମକୁ ଏବେ ମୁଁ ଦେଖେ, ସେ ପ୍ରାୟ ସବୁବେଳେ ଘୋଡ଼ି ହୋଇ ନିଜର ବାଟ ବାରଣ୍ତାରେ ଶୋଇଥାଏ । ଦଶ ପନ୍ଦର ଦିନରେ ଥରେ ଟୁର୍‌ରେ ଯାଏଁ । ସେଠୁ ଫେରିବାବେଳେ ସଙ୍ଗରେ ଆଣିଥିବା ପ୍ୟାକେଟ୍‌ ପ୍ୟାକେଟ୍‌ ଦାମୀ ସିଗାରେଟ୍‌ ସାଇପଡ଼ିଶାଙ୍କୁ ବାଣ୍ଟେ । ମୁଁ ଥାଏ ନ ଥାଏ, ଡବାଏ ଦିଡ଼ବା ସିଗାରେଟ୍‌ ଆଣି ସେ ମୋ ବୈଠକଖାନାରେ ରଖିଥାଏ । ଏଥିପାଇଁ ସେ ମୋଠୁ କେବେ କିଛି ନେଇ ନାହିଁ । କ’ଣ ଆଉସବୁ ଆଣିଲେ, ସେଥିରେ ବାବୁଙ୍କ ଭାଗ କେତେ, ପଚାରିଲେ ସେ ଚାପୁଡ଼ା ଖୁନ୍ଦା ମୁଖରେ କହେ । ଅଳଙ୍କାର ଥିଲେ ସାପ ଚାପୁଡ଼େ ଅର୍ଥ ଶହେ ଟଙ୍କା...ଅନ୍ୟ ଜିନିଷପତ୍ର ଲାଗି ଅନ୍ୟାନ୍ୟ ସାଙ୍କେତିକ ଭାଷା ରହିଛି ।

 

ମୁଁ ଥରେ ପ୍ରଶ୍ନ କଲି, ‘‘ଆପଣ ମାସକୁ କେତେ ଟଙ୍କା କେଶ୍‌ ଦିଅନ୍ତି । ଆଉ ସେଥିରୁ କେତେ ଟଙ୍କା ଜିତନ୍ତି ?’’

 

‘‘ମାସକୁ ଦଶ ବାରଟା କେଶ୍‌ ଦିଏ, ସେଥିରୁ ୯ଟା ୧୦ଟା ଆସାମୀକୁ କନଭିକସନ୍‌ ହୁଏ ।’’

 

ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ଏହା କିପରି ହୁଏ ? ଆପଣ ତ ସବୁବେଳେ ଶୋଇଥାନ୍ତି ଦେଖୁଛି, ଆଉ ଚୋର ଧରନ୍ତି କେତେବେଳେ ?’’

 

‘‘ଶୁଣନ୍ତୁ...ଅତି ସଚ୍ଚୋଟ ହୋଇ ଦିନେ ଦୁଇ ଦିନ ନୁହେଁ ଦୀର୍ଘ ପାଞ୍ଚବର୍ଷ ଉପବାସ ରହିଛି । କେତେ ଥର ତ ଚୋର ଧରିଛି...ମାତ୍ର ଥରେ ଧରି ପାଞ୍ଚ ମାସ ଶୋଇ ରହିଲା ପରେ ଏବେ ଶୋଇ ଶୋଇ ଚୋରି ଧରୁଛି । ଏ କେଶ୍‌ ସବୁ ଆରେଞ୍ଜଡ଼୍ କେଶ୍‌ ।’’

 

‘‘ମାନେ ?’’

 

‘‘ମାନେ, ଆମେ ଯେବେ ଇନ୍‌କ୍ୱାରୀରେ ଯାଉ, ଏହିପରି ଗୁଡ଼ାଏ ଲୋକଙ୍କୁ ଧରିବାଲାଗି ଆଗରୁ ବ୍ୟବସ୍ଥା ହୋଇଥାଏ । ଆମେ ସେଇମାନଙ୍କୁ ଧରି ଆଣୁ...ମକଦ୍ଦମା ଚାଲେ...କାହାକୁ ଜୋରିମାନା, କାହାକୁ ମାସେ ପନ୍ଦର ଦିନ ଜେଲ୍‌ ହୁଏ । ଏଇ ଲୋକମାନଙ୍କୁ ଅବକାରୀ କାରବାର କରୁଥିବା ଲୋକେ ଠିକ୍‌ କରିଥାନ୍ତି । ସେମାନେ ଜେଲରେ ଥିବାବେଳେ ସେମାନଙ୍କର ପିଲାମାନଙ୍କୁ ପୋଷିବା ଦାୟିତ୍ୱ ସେମାନଙ୍କର । ସେମାନଙ୍କ ଉପରେ ଯେଉଁ ଜୋରିମାନା ହୁଏ, ତାହାବି ତାଙ୍କ ହାତରୁ ପଡ଼େନି । ଟଙ୍କା ଲାଗି ଅନ୍ୟମାନଙ୍କ ଲାଗି ଅପମାନିତ ହେବା, ଜେଲ୍ ଭୋଗିବା ପରି ହତଭାଗ୍ୟଙ୍କ ସଂଖ୍ୟା ଏ ଦେଶରେ କିଛି କମ୍‌ ନୁହେଁ । ଏହିପରି ନିର୍ଦ୍ଦୋଷ ଦଣ୍ତ ପାଏ । ବ୍ୟବସାୟ ଠିକ୍‌ ଚାଲେ । ଛୋଟଠୁ ବଡ଼ ପର୍ଯ୍ୟନ୍ତ ଏ କଥା ଜାଣନ୍ତି । ବିଭାଗୀୟ କର୍ମକର୍ତ୍ତା ସକ୍ରିୟ ବୋଲି ସରକାର ଜାଣନ୍ତି । କାହାରି କୌଣସି ଅଭିଯୋଗ କରିବାର ନାହିଁ । ଛୋଟ ପିଅନ ଠାରୁ ବଡ଼ ସାହେବ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଭାଗ ଚୁପ୍‌ଚାପ୍‌ ପାଇ ଯାଆନ୍ତି ।’’

 

ମୁଁ ସାମାନ୍ୟ ହସି ପଚାରିଲି, ‘‘ଆଚ୍ଛା, ଚୋର ଧରି କ’ଣ ପାଞ୍ଚ ମାସ ଶୋଇ ରହିଲ ?’’

 

‘‘ଆଜ୍ଞା, ନୂଆ ହୋଇ ଚାକିରି ଆରମ୍ଭ କରିଥାଏ । ମୁଁ ଥାଏ କୋରାପୁଟରେ । ଦିନେ ଆମ ଡିପାର୍ଟମେଣ୍ଟର ସବୁ କର୍ମଚାରୀଙ୍କର ଗୋଟାଏ ସମ୍ମିଳନୀ ହେଲା । ମନ୍ତ୍ରୀ ଉଦ୍‌ଘାଟନ କରି ଭାଷଣ ଦେଲେ, ଅବକାରୀ ସୂତ୍ରରୁ ଆୟବୃଦ୍ଧି କରିବାକୁ...କଳାବଜାର ଲୋକ ପରିବାକୁ ହେବ । ମନ୍ତ୍ରୀଙ୍କ ଭାଷଣ ପରେ ଆମ ବଡ଼ ବାବୁ ଆମ ସମସ୍ତଙ୍କୁ କହିଲେ...ମନ୍ତ୍ରୀ ମହାଶୟ ସବୁ ବୁଝାଇଲେ, ମୋ ବିଭାଗର କର୍ମଚାରୀମାନେ ଏଣିକି ଆପଣାର କର୍ତ୍ତବ୍ୟ, ଦାୟିତ୍ୱର ସହିତ ସମ୍ପାଦନ କରନ୍ତୁ...ଇତ୍ୟାଦି ଇତ୍ୟାଦି ।’’

 

ସମ୍ବାଦ ପାଇଲି ଚୋରାରେ ଜଙ୍ଗଲରେ ଗଞ୍ଜେଇ ଚାଲାଣ ହେଉଛି । ଚୋରଙ୍କୁ ଧରିଲା...ପୁରସ୍କାର ହେଲା ମୋ ଉପରେ ନିସ୍ତୁକ ମାଡ଼...ସିଧା ଆସିଲି ଡାକ୍ତରଖାନା । ପୂରା ପାଞ୍ଚ ମାସ ପଡ଼ି ରହିଲି ସେଠି...ପୋଲିସରେ କେଶ୍‌ ଦିଆଗଲା; ମାତ୍ର ଫଳ କିଛି ହେଲାନି । ପୋଲିସ ଇନ୍‌କ୍ୱାରୀ ପର୍ଯ୍ୟନ୍ତ କରିବାକୁ ସାହସ କଲେ ନାହିଁ ।

 

‘‘କାହିଁକି ?’’

 

–‘‘ସେମାନେ ମହାଦେବଙ୍କ ସାପ...ମନ୍ତ୍ରୀଙ୍କ ଲୋକ...’’

 

–‘‘ସେଠୁ ଏପରି ଶୋଇ ଶୋଇ ଚୋର ଧରିବା ଲାଗି ଶିଖିଲେ କେଉଁଠୁ ?’’ ହସି ହସି ପଚାରିଲି । ମୁଣ୍ତରେ ହାତଲଗାଇ ବଳରାମ କହିଲା, ‘‘ମୋର ଗୁରୁଦେବ ଆଜ୍ଞା, ନରି ପଧାନ । ତାକୁ ଦିନେ ଧରି ଆଣିବି...ସବୁ ଶୁଣିବେ । ସାକ୍ଷୀ ଏଇ ମଉଡ଼ମଣି କଦମ୍ବ ଛକ ଆଉ ହୀରାସାଗରର ମାଛ । ମୋତେ ଆଉ କିଛି ପଚାରନ୍ତୁ ନାହିଁ ।’’

 

ମୁଁ ମନେ ମନେ କିଛି ସ୍ଥିର କରିପାରୁ ନ ଥାଏଁ । ମଉଡ଼ମଣି ଛକ କଦମ୍ବ ସଙ୍ଗେ ହୀରାସାଗର ମାଛର କି ସମ୍ପର୍କ ରହିଛି । ବଳରାମ ମୋ ମୁହଁକୁ ପୂର୍ବପରି ଚାହିଁ ବସିଥାଏ । ମୁଁ ଆଉ ଖଣ୍ତିଏ ସିଗାରେଟ୍‌ରେ ଅଗ୍ନି ସଂଯୋଗ କଲି... ।

Image

 

ସୁନାଫୁଲ

 

ସୁମିତ୍ରା ପୁନର୍ବାର ଚାହିଁଲେ ଦର୍ପଣକୁ...।

 

ଅନ୍ୟମନସ୍କ ଥିବାର ପ୍ରତାରଣ କରି କୁମାର ସେହିପରି ଅପେକ୍ଷା କରି ରହିଥାନ୍ତି ଶୁଣିବାକୁ, ନିଜର ସ୍ତ୍ରୀ କ’ଣ କହୁଛନ୍ତି । ବହୁଦିନର ପ୍ରତିଶ୍ରୁତି ସେ ଆଜି ପୂର୍ଣ୍ଣ କରିଛନ୍ତି । ସେଥିପାଇଁ ମନରେ ତାଙ୍କର ସାମାନ୍ୟ ସନ୍ତୋଷ ।

 

ସୁମିତ୍ରା ଦର୍ପଣ ଉପରୁ ମୁହଁ ବୁଲାଇ ଚାହିଁଲେ କୁମାରଙ୍କ ଉଦ୍ଦେଶ୍ୟରେ । ପଚାରିଲେ, ‘‘କିପରି ଦିଶୁଛି ?’’

 

‘‘ନିଜେ କୁହା । ଯିଏ ବ୍ୟବହାର କରିବ, ତାକୁ ଭଲ ଲାଗିଲେ ହେଲା । ଅନ୍ୟର କହିବାର କ’ଣ ଅଛି ?’’

 

‘‘କହ ମ...ସତରେ କହ...ମୋତେ ଏ ଫୁଲ କିପରି ଦିଶୁଛି ।’’ କାନରୁ ଫୁଲ ଦିଟା କାଢ଼ୁ କାଢ଼ୁ ସୁମିତ୍ରା ପଚାରିଲେ, ‘‘ଏ ଫୁଲ କେଉଁଠାରୁ ଆଣିଲ ?’’

 

‘‘ଅଳଙ୍କାର ନିବାସରୁ ।’’

 

‘‘ଯେଉଁଠାରୁ ଲାବଣ୍ୟପାଇଁ ଚନ୍ଦ୍ରହାର କିଣା ହୋଇ ଆସିଥିଲା ?’’

 

‘ହଁ... !’

 

ଲାବଣ୍ୟ ସୁମିତ୍ରାଙ୍କ ଭଉଣୀ । ଶାଳୀ ବିଭାଘରକୁ ଉପହାର ଦେବାପାଇଁ ଚନ୍ଦ୍ରହାର କିଣା ହୋଇ ଆସିଥିଲା । ଥରେ ଦୁଇ ଥର ନୁହେଁ ଥର ଥର ହୋଇ ପନ୍ଦର ଥର ବଦଳିହେଲା ପରେ ବହୁ କଷ୍ଟରେ ସେ ହାର ସୁମିତ୍ରାଙ୍କ ମନକୁ ଆସିଥିଲା । ସେହି ତିକ୍ତ ଅନୁଭୂତି ସଙ୍ଗେ ସଙ୍ଗେ କୁମାରଙ୍କୁ ବହୁକଥା ସ୍ମରଣ କରାଇଦେଲା । ବାସ୍ତବରେ କୋଟିଏ ପୁରୁଷଙ୍କୁ ମନାଇ ହେବ, ମାତ୍ର ଗୋଟିଏ ମାଇପି ଝିଅର ମନନେବା ଅତି ଗହନର କଥା । ଟଙ୍କା ନିଅ...ନିଜ ଜିନିଷ ନିଜେ କିଣ, ନା ନାହିଁ । ସବୁବେଳେ ଆଦେଶ...ଆମପାଇଁ ଆଣି ଦିଅ...ନ ଆଣି ଦେଲେ ଯେତିକି ପରୋକ୍ଷରେ ଶୁଣିବାକୁ ପଡ଼ିଥାଏ...ଆଣି ଦେଲେ ତା’ଠାରୁ ବହୁ ଅଧିକ ପ୍ରତ୍ୟକ୍ଷରେ ସହିବାକୁ ହୋଇଥାଏ ।

 

ସୁମିତ୍ରାଙ୍କୁ କାନଫୁଲ କାଢ଼ୁଥିବାର ଦେଖି କୁମାର କହିଲେ, ‘‘ଆରେ କାଢ଼ୁଛ କାହିଁକି ? ଲଗାଇଥାଅ । ଲଗାଇବା ପାଇଁ ତ ଆସିଲା...ପୁଣି...। ଯାହା ତ ଆସିଲା, ଟ୍ରଙ୍କରେ ପୂରାଇ ତାଲା ନ ପକାଇଲା ଯାଏଁ ରକ୍ଷା ନାହିଁ ।’’

 

ସୁମିତ୍ରା କ’ଣ କହି ଆସୁଥିଲେ...ହଠାତ୍‌ ଅଟକିଯାଇ ପଚାରିଲେ, ‘‘ଶଟିଫୁଡ଼ ଆଣିଛ ?’’

 

‘‘ମଲା ମଲା...ଭୁଲି ଯାଇଛି ଆଣିବାକୁ...ଯାଏଁ ନେଇ ଆସେ’’ କୁମାର ବଜାର ବାହାରିଲେ...।’’

 

ସୁମିତ୍ରା ବିରକ୍ତ ହୋଇ କହିଲେ, ‘‘ଜାଣେ ପରା...ଯେତେ କହିଲେ ଏ ହେବେ ନାହିଁ...ଘୋଡ଼ା ଛ’ ଟଙ୍କାକୁ ଦାନା ନ’ଟଙ୍କା ସାରିବା ଲୋକ ଏ । କେତେ ବା ଶଟିଫୁଡ଼୍‌ ଆସିବ ? ଅତି ବେଶି ହେଲେ ଗୋଟାଏ ପ୍ୟାକେଟ୍‌...ସେଥିପାଇଁ ଯାଉଣୁ ଆସୁଣୁ ରିକ୍‌ସା ଭଡ଼ା ତିନି ଟଙ୍କା । ଏ ବଜାରବୁଲା ଲାଗି ନିତି ନିତି ମୁଁ ଆଉ ପଇସା ଗଣିପାରିବ ନାହିଁ । ବଜାର ବୁଲାରେ ଦିନକୁ ତିନି ଚାରି ଟଙ୍କା ରିକ୍‌ସାରେ ନ ସାରିଲେ ୟାଙ୍କୁ ତ ଭାତ ରୁଚିବ ନାହିଁ । କେତେ କହିବି !’’

 

‘‘ନା, ନା, ମୁଁ ଆଉ ପାରିବି ନାହିଁ...ଯିଏ ଯେମିତି କରିବ, ସିଏ ସେମିତି ଫଳ ପାଇବ । ମୋର କ’ଣ ଯାଉଛି ?’’

 

କୁମାର ମନେ ମନେ ଟିକେ ଖୁସି ହେଲେ । ସେ ଯେ ଭାବୁଥିଲେ କିଣି ନେଇଥିବା ସୁନାଫୁଲ ସ୍ତ୍ରୀଙ୍କ ମନକୁ ହୁଏ ତ ଆସିବ ନାହିଁ...ସେ ଆଶଙ୍କା ଦୂର ହୋଇଗଲା । ‘ଚନ୍ଦ୍ରହାର’ ଫେରାଇଲା ପରି ଦୁର୍ଯ୍ୟୋଗ ତାଙ୍କୁ ଆଉ ଘଟିବ ନାହିଁ ।

 

କୁମାର ଚାଲିଯିବା ପରେ ସୁମିତ୍ରା କାନଫୁଲ ଦୁଇଟି ଲଗାଇ ଆଉ ଥରେ ଦର୍ପଣ ସମ୍ମୁଖରେ ଉଭାହେଲେ । ଦର୍ପଣକୁ ମୁହାମୁହିଁ, ଉଭୟ ପାର୍ଶ୍ୱରୁ (ବାମ ତଥା ଦକ୍ଷିଣ), ଓଠ ଟେକି, ଓଠ ଚାପି, ମେଷ ଶିଶୁପରି ନିରୀହ ହୋଇ, ଭ୍ରୂଲତାରେ ଭରାଯୌବନର ଚପଳତା ଖେଳାଇ, ଓଢ଼ଣା ଦେଇ ଓ ଓଢ଼ଣା କାଢ଼ି, ନିଜ ରୂପର ଏକ ସମୀକ୍ଷା କରିନେଲେ । ଦେଖିଲେ, କାନଫୁଲ ଦୁଇଟି ନିଜ ରୂପରେ କି ପରିବର୍ତ୍ତନ ଆଣୁଛି । ମନ୍ଦ ନୁହେଁ । ବହୁଦିନର ପ୍ରତିଶ୍ରୁତି ସ୍ୱାମୀ ଆଜି ପୂରଣ କରିଛନ୍ତି । ସବୁ ଠିକ୍‌ ଥିଲେ ମଧ୍ୟ କେଉଁଠି କିଛି ଗୋଟାଏ ଭ୍ରାନ୍ତି ରହି ଯାଇଥିଲା ପରି ସେ ଅନୁଭବ କରୁଥାନ୍ତି । ଆଉ ଥରେ ନିକିଟି କରି ଦର୍ପଣକୁ ଚାହିଁଲେ । ମନକୁ ମନ କହିଲେ, ‘‘ହଁ, ମୁଁ ତ ଠିକ୍ ସନ୍ଦେହ କରୁଥିଲି । ଦୋକାନୀ ଧରାଇ ଦେଇଛି, ଏ ବାବୁ ଧରି ସିଧା ଚାଲି ଆସିଛନ୍ତି । ସବୁବେଳେ କହିଲେ କ’ଣ ନା–ମୋତେ ନାଲି ରଙ୍ଗଟା ମ୍ୟାଚ କରେ, ମାତ୍ର ଆଣିଲା ବେଳକୁ ଶାଗୁଆ ଫୁଲ ଦି’ଟା ଆଣିଛନ୍ତି । ଫୁଲ ଦି’ଟା ନାଲି ରଙ୍ଗର ହେବା ଉଚିତ ଥିଲା । ନା, ଏ ମୋଟେ ଚଳିବ ନାହିଁ । ଆସନ୍ତୁ...ଯେମିତି ଆଣିଛନ୍ତି ସେହିପରି ନେଇ ଫେରାଇବେ ।’’

 

‘ଶଟିଫୁଡ଼’ ହାତକୁ ବଢ଼ାଇ ଦେଇ କୁମାର ପଚାରିଲେ, ‘‘କିଓ, ଫୁଲ ରଖିଦେଲ କାହିଁକି-? ଜାଣେ ତୁମେ ସାଇତିବା ସ୍ୱଭାବ ଛାଡ଼ିବ ନାହିଁ । ସେଦିନ ରାତିରେ ଉଠି ଭାଇଙ୍କ ରିଙ୍ଗ ପିନ୍ଧୁ ପିନ୍ଧୁ ତର ସହିଲା ନାହିଁ; ମାତ୍ର ଆଜି...।’’

 

ସାମାନ୍ୟ ଚଢ଼ାଗଳାରେ ସୁମିତ୍ରା କହିଲେ, ‘‘ସେଠୁ ହେଲା କ’ଣ ? ମନ ଜାଣି ଭାଇ ଜିନିଷ ପଠାଏ । ତମପରି ନ ଦେଖି ନ ଚାହିଁ ଜିନିଷ ଧରି ଆସେ ନାହିଁ’’, କହି ଡ୍ରରୁ ସୁନାଫୁଲ ଦିଟା କାଢ଼ି କୁମାରଙ୍କ ଆଗରେ ରଖିଦେଲେ । ‘‘ନା, ଏ ଶାଗୁଆ ରଙ୍ଗ ଚଳିବ ନାହିଁ । ନାଲିବାଲା ଆଣିବ-।’’

 

‘‘ଶାଗୁଆ ରଙ୍ଗ ହେଲା...ଲେଟେଷ୍ଟ ଡିଜାଇନ...ସମସ୍ତେ ପିନ୍ଧୁଛନ୍ତି...କୋଡ଼ିଏ ପେୟାରରୁ ମୋଟେ ତିନି ପେୟାର ଅଛି । ଏଇୟାକୁ ଆଣିବାପାଇଁ ମୋତେ ଦୋକାନୀ କହିଲା ।’’ ‘‘ଦୋକାନୀ କହିଲା ଟି...ମୁଁ ତ ସେ’ୟା ଠିକ୍‌ ଅନୁମାନ କରୁଥିଲି...ଦୋକାନୀ କହିଲା, ଏ ଜିନିଷ ଧରି ଘରକୁ ଚାଲି ଆସିଛନ୍ତି...ସଫେଇ ଦିଆହେଉଛି ! ଛି, ଛି, ବ୍ୟବସାୟ ପାଇଁ ସେ ଦୋକାନ ମେଲିଛି । ମନ ନେବାପାଇଁ ବାର କଥା କହିବ । ତୁମେ ତାରି କଥାରେ ଭାସିଗଲ ।’’

 

କୁମାର ସାମାନ୍ୟ ବିରକ୍ତିର ସୂଚନା ନ ଦେଖାଇ କହିଲେ, ‘‘ଆଚ୍ଛା, ଖାଇବାକୁ ବାଢ଼, ଅନେକ ଡେରି ହେଲାଣି...କାଲି ବଦଳାଇ ଆଣିବା । ଦରକାର ହେଲେ ବଦଳାଇବା ନିମନ୍ତେ ଦୋକାନୀକୁ ମୁଁ କହିଆସିଛି ।’’

 

‘‘କିଏ, ସେ ନିର୍ମଳ ନା !’’

 

‘‘ହଁ, ନିର୍ମଳ...’’

 

‘‘ଭାରି ଭଲ ଲୋକଟିଏ...’’

 

କୁମାର ମନେ ମନେ ବିରକ୍ତ ହୋଇ କହିଲେ, ‘‘ସେ ଭଲ ଲୋକଟିଏ ନିଶ୍ଚୟ...ତୁମଠୁ ଅନ୍ତତଃ ଢେର ଭଲ...।’’

 

ଅଫିସରୁ ଫେରିବା ବାଟରେ କୁମାର ଅଳଙ୍କାର ନିବାସରେ ପଶି ସହାସ୍ୟ ବଦନରେ ଆରମ୍ଭ କଲେ, ‘‘ନିର୍ମଳ...ତମେ ତ ଜାଣ...ଏ ହେବ ନାହିଁ...ନାଲିରଙ୍ଗ ଫୁଲ ଦିଅ ।’’

 

‘‘କିଛି ଯାଏଁ ଆସେ ନାହିଁ । ଥରେ ଦିଥର ଅଳଙ୍କାର ବଦଳି ହେଲେ ଆମର କହିବାର କିଛି ନାହିଁ । ମାଙ୍କ ମନକୁ ଜିନିଷଟା ପାଇଲେ...।’’

 

ଦୋକାନରୁ ନାଲିରଙ୍ଗ ଫୁଲ ଧରି ବାହାରି ଆସୁ ଆସୁ କୁମାର ପଚାରିଲେ, ‘‘ଏହାର ଦାମ୍ ?’’ ‘‘ସବୁ ଏକା ଦାମ୍‍ର । ଏ କେଶ୍‌କୁ ଚାହାଁନ୍ତୁ...ଅନ୍ୟ ଡିଜାଇନ ବାଲା ମଧ୍ୟ ଦେଖି ଯାଆନ୍ତୁ । ମାଆଙ୍କୁ କହିବେ । ଏ ଯଦି ମନକୁ ନ ଗଲା, ତେବେ ବଦଳାଇ ଦେବା । ଯେଉଁ ରଙ୍ଗ ଇଚ୍ଛା ।’’

 

ସୁମିତ୍ରା ଫୁଲ ଦେଖିବାମାତ୍ରେ କହିଲେ, ‘‘ହଁ, ଏଇ ଫୁଲ...ମୁଁ ଏଇ ଫୁଲ କଥା କହୁଥିଲି । ସେଦିନ ମୋ ବଉଳ ଏଇ ଫୁଲ ଲଗାଇ ଆସିଥିଲା । ଫୁଲ ଦିଟା ଲଗାଇ ସୁମିତ୍ରା ଦର୍ପଣକୁ ଚାହିଁ ନିଜର ରୂପକାନ୍ତିକୁ ପରୀକ୍ଷା କରୁ କରୁ କହିଲା, ଟିକେ ଦେଖ ମ...କୁଆଡ଼େ ଯିବ କି ? ଏତେ ତରତର ହେଉଛି କାହିଁକି ! କିପରି ଦିଶୁଛି ?’’ କୁମାର ରସିକତା କରି କହିଲେ,...‘‘ଟେନ୍‌ ଇୟରସ୍‌ ଇୟଙ୍ଗର ।’’

 

‘‘ମାନେ...’’

 

‘‘ମାନେ ବୟସ ଦଶ ବର୍ଷ କମିଗଲା । ତୁମେ ସେକେଣ୍ତ ଇୟରରୁ ପଢ଼ା ଛାଡ଼ିଲଟି ! ବର୍ତ୍ତମାନ କିନ୍ତୁ ତୁମେ ଦଶମ ଶ୍ରେଣୀର ଗୋଟିଏ ଛାତ୍ରୀପରି ଦିଶୁଛ ।’’

 

‘‘ଥଟ୍ଟା କ’ଣ କରୁଛ ମ ! ସତରେ କୁହ କିପରି ଦିଶୁଛି ?’’

 

‘‘ଥରେ ପରା କହିଲ ଟେନ୍‌ ଇୟରସ୍‌ ଇୟଙ୍ଗର !’’

 

କୁମାର ବାହାରକୁ ଚାଲିଗଲେ । ସୁମିତ୍ରାଙ୍କର ନାଲି କାନଫୁଲ, ମନ ଖୁସି ଅଛି । ଗୁଣୁଗୁଣୁ ହୋଇ ସେ ଗୀତ ଗାଉଥିଲେ । ହଠାତ୍‌ ଆସି ପହଞ୍ଚିଲା ଦେବେନ୍ଦ୍ର । କୁମାରର ମାମୁଁ ପୁଅ ଭାଇ, କଲେଜରେ ପଢ଼ୁଛି । ଭୀଷଣ ସ୍ମାର୍ଟ, ଏଭର ଜଲି । ଭାଉଜ କିଛି କହିବା ପୂର୍ବରୁ ଦେବେନ୍ଦ୍ର ଭାଉଜଙ୍କ କାନଫୁଲ ଦୁଇଟି ଦେଖି ପଚାରିଲା, ‘‘ତୁମେ ଏ କାନଫୁଲ କେଉଁଠୁ କିଣିଲ ?’’

 

‘‘କାହିଁକି ? କିପରି ହୋଇଛି ?...ତମ ଭାଇ ଆଣି ଦେଇଛନ୍ତି ।’’

 

‘‘ନ ହେଲେ ଆଉ ଏ ଟେଷ୍ଟ କାହାର ହେବ ! ଏ ରଙ୍ଗ ଆଜି ଆଉ ପିନ୍ଧୁଛି କିଏ ? ଏ ହେଲା ଅଷ୍ଟାଦଶ ଶତାବ୍ଦୀର ଟେଷ୍ଟ । କାହିଁକି ଶାଗୁଆ ରଙ୍ଗର ଆଣିଲେ ନାହିଁ । ଲେଟେଷ୍ଟ କଲର । ଜ୍ୟୋତ୍ସ୍ନା ସେଦିନ ଶାଗୁଆ ରଙ୍ଗର ଫୁଲ ପିନ୍ଧି ଆସିଥିଲା । ଦେଖିଥିବ କେତେ ସୁନ୍ଦର ଦିଶୁଥିଲା ? ସିନେମା ଷ୍ଟାର, ଶିକ୍ଷୟିତ୍ରୀ, କଲେଜ ଗାର୍ଲସ୍ କିପରି ଏହି ଶାଗୁଆ ରଙ୍ଗଟାକୁ ବେଶି ପସନ୍ଦ କରୁଛନ୍ତି-!’’ ସେ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ଦେଇ ଦେବେନ୍ଦ୍ର ଯେପରି ଝଡ଼ବେଗରେ ଆସିଥିଲା, ସେହିପରି ଚାଲିଗଲା ।

 

ଦେବେନ୍ଦ୍ର ଚାଲିଗଲା ପରେ ସୁମିତ୍ରା ଦର୍ପଣ ନିକଟକୁ ଯାଇଁ ଚାହିଁଲେ । ସେହି ଦର୍ପଣ...ସେହି କାନଫୁଲ । ତାଙ୍କୁ କିପରି କିପରି ଲାଗିଲା । ନାଲିରଙ୍ଗ କାନଫୁଲ ଆଉ ସୁନ୍ଦର ଦିଶିଲା ନାହିଁ । ସେ ଜ୍ୟୋତ୍ସ୍ନା କଥା ଭାବିଲେ । ସେ ଶାଗୁଆ ରଙ୍ଗ ଫୁଲ ଲଗାଇଥିଲା । ତାକୁ ବେଶ୍‌ ଚମତ୍କାର ଦିଶୁଥିଲା । ସୁମିତ୍ରା ନାଲିରଙ୍ଗକୁ ଭଲ ପାଇ ପାରନ୍ତି; କିନ୍ତୁ ଶାଗୁଆ ରଙ୍ଗଟା ଯେତେବେଳେ ଆଜିର ଫେସନ, ସମସ୍ତେ ବ୍ୟବହାର କରୁଛନ୍ତି, ତାଙ୍କରବି ସେହି ରଙ୍ଗ ବ୍ୟବହାର କରିବା ଉଚିତ; କିନ୍ତୁ ବଦଳାଇବା କଥା କହିଲେ ତ ଏଇନେ କୁମାର–ଏହି ନାଲିଫୁଲ ଦି’ଟା ବଦଳାଇବା ପାଇଁ ସେ ସ୍ୱାମୀକୁ କ’ଣ କହି ପ୍ରବର୍ତ୍ତାଇବେ ସେହି କଥା ଭାବି ବସିଲେ ।

 

କୁମାର ବାହାରୁ ବୁଲି ଫେରିଆସି ଦେଖିଲେ, ଘରକାମ ସବୁ ବିଦ୍ୟୁତ୍‌ବେଗରେ ହୋଇ ଚାଲିଛି । ସାମାନ୍ୟ ଖୁସି ହେଲେ । ଯାହାହେଉ କାନଫୁଲର ଏ ପ୍ରଭାବ । ଶୀଘ୍ର ଖିଆଖିଆ ଶେଷକରି କୁମାର ଯାଇ ଶେଯ ଧରିଲେ । ଶେଯ ଧରିଲେ କୁମାରଙ୍କୁ ନିଦ ହୋଇଯାଏ । ସ୍ୱାମୀଙ୍କ ବିରୁଦ୍ଧରେ ସୁମିତ୍ରାଙ୍କର ଏହା ଏକ ପୁରାତନ ଅଭିଯୋଗ । ‘‘ଶୋଇପଡ଼ ନାହିଁ, ତମ ଅଫିସ କଥା କ’ଣ କହିବ ବୋଲି କହୁଥିଲ ପରା !’’ କହି ବାକି କାମ ସବୁ ସାରି ଦେଇ ଆସିବାପାଇଁ ସ୍ତ୍ରୀ ଦାଣ୍ତଦୁଆର ଆଡ଼କୁ ଗଲେ । ‘‘ଲାଇଟ ଲିଭାଇ ଦେଇ ଆସ’’ କହି କୁମାର ଶୋଇବାକୁ ଆରମ୍ଭ କଲେ ।

ପାନ ଦୁଇଖଣ୍ତ ହାତରେ ଧରି ସୁମିତ୍ରା ଆସି କୁମାରଙ୍କ ପାଖରେ ବସି ପିଠିରେ ହାତ ବୁଲାଉ ବୁଲାଉ କହିଲେ, ‘‘କ’ଣ ଶୋଇପଡ଼ିଲ ? ମୁଁ ଜାଣେ ପରା ୟା’ଙ୍କୁ...କ’ଣ କହିବ ବୋଲି କହୁଥିଲ ପରା କୁହ ।’’

କୁମାର ନିଦ ବହଳ ଆଖିରେ ହାତ ବଢ଼ାଇ ଖିଲେ ପାନ ନେଇ ପାଟିରେ ଭର୍ତ୍ତିକରି କହିଲେ, ‘‘ମୋତୋ ଭୀଷଣ ନିଦ, ତୁମେ ଯାଅ ଶୋଇବ । ପରେ କହିବି ।’’ ସୁମିତ୍ରା କିନ୍ତୁ ନଛୋଡ଼ବନ୍ଦା । କୌଣସିମତେ ସ୍ୱାମୀଙ୍କୁ କାନଫୁଲ କଥା ନ କହିଲେ ତାଙ୍କୁ ଯେ ନିଦ ହେବ ନାହିଁ । ସ୍ୱାମୀଙ୍କ କଥାନୁସାରେ ଶୋଇବାକୁ ନ ଯାଇ ସୁମିତ୍ରା ବସି କୁମାରଙ୍କ ପିଠିରେ ହାତ ବୁଲାଉ ବୁଲାଉ କହିଲେ, ‘‘ଦିନସାରା ଏଣେତେଣେ ବୁଲିବ–ବିଛଣା ଧରିଲେ ନିଦ । ଏ ଘର କିପରି ଚଳୁଛି ନ ଚଳୁଛି ଏ ନେଇ ପଦେ କଥା ହୋଇପାରିଲି ନାହିଁ । ନା, ମୁଁ ଆଉ ଏ ଘରକଥା ବୁଝିବାରିବି ନାହିଁ । ଏ ଘର ଚୁଲିକି ଯାଉ ।’’

ରାତିରେ ନିଦ ଭାଙ୍ଗିଲା କୁମାରଙ୍କର । ଝରକା ଦେଇ ଚନ୍ଦ୍ରକିରଣ ଆସି ଢେଉ ଭାଙ୍ଗୁଛି ବାସି ବିଛଣା ଚଦର ଉପରେ । ସୁମିତ୍ରାଙ୍କୁ ଉଠାଇବା ପାଇଁ କୁମାର ଆସ୍ତେ ହଲାଇଲେ ।

ବିରକ୍ତ ହୋଇ ସୁମିତ୍ରା କହିଲେ, ‘‘ମୋ ସଙ୍ଗେ କେହି ଲାଗନାହିଁ, ମୁଁ ଶୋଇଛି ।’’

‘‘କ’ଣ କହିବ ବୋଲି ପରା କହୁଥିଲ ?’’

‘‘ନା କିଛି ନାହିଁ–କଥା ଶୁଣିବାପାଇଁ ଯାର...’’

‘‘ପଚାରୁଛି ପରା କ’ଣ କହିବ ବୋଲି କହୁଥିଲ...କୁହ ।’’

‘‘ମୋ ସଙ୍ଗରେ କେହି ଲାଗ ନାହିଁ...ଥରେ ପରା ମନାକଲି...କେତେଥର କହିବି ? ମୁଁ ଶୋଇଛି...ମୋତେ ଭାରି ନିଦ ।’’

ବହୁ ଅନୁନୟ ପରେ...ସୁମିତ୍ରା ଆରମ୍ଭ କଲେ...‘‘କ’ଣ କହୁଥିଲି କି ଏ ନାଲିଫୁଲ ଦିଟା ବଦଳାଇ...ସେହି ଶାଗୁଆ ଫୁଲ ଦିଟା । ‘‘ମୁଁ ତ ପ୍ରଥମେ ସେହି କଥା କହୁଥିଲି । ଏବେ ପୁଣି କ’ଣ କହି ବଦଳାଇବା ?’’ ସୁମିତ୍ରା ଚୁପ୍‌ରହି କୁମାରଠୁଁ ନୂଆ ଉପାୟଟା ଶୁଣିବାପାଇଁ ଚାହିଁ ରହିଲା । ଶେଷରେ ସ୍ଥିର ହେଲା, ଦୁହେଁ ସାଙ୍ଗ ହୋଇ ଅଳଙ୍କାର ନିବାସକୁ ଯିବେ । କହିବେ, ଫୁଲ ଦି’ଟା ଲାବଣ୍ୟପାଇଁ ଯିବ ସ୍ୱାମୀ ତା’ର ଦି’ଟା ନାଲିରଙ୍ଗର ଫୁଲ କିଣି ନେଇଛନ୍ତି । ଏ ଦିଟା ବଦଳାଇ ଦିଅ-

ନିର୍ମଳ ସୁମିତ୍ରାଙ୍କୁ ଦେଖି କହିଲା, ‘‘କ’ଣ ମା, ଏଟା ପସନ୍ଦ ହେଲାନାହିଁ ? ଆଚ୍ଛା, ବଦଳାଇ ନିଅନ୍ତୁ । ଶେଷ କେଶ୍‌କୁ ଚାହାନ୍ତୁ । ମୋଟେ ଏତିକି ମାଲ୍‌ । ସେଥିରୁ ବାଛନ୍ତୁ ।’’ ନିର୍ଦ୍ଦେଶମତେ ଶାଗୁଆ ଫୁଲ ଦି’ଟା ଆସିଲା । ନିର୍ମଳ ହାତଯୋଡ଼ କହିଲା, ‘‘ମା...ଏ ଦି’ଟା ନେବାପାଇଁ ଜଣେ ଅଧ୍ୟାପିକା ଆଡ଼୍‍ଭାନ୍‌ସ ଦେଇ ଯାଇଛନ୍ତି ।’’ ସୁମିତ୍ରା ସାମାନ୍ୟ ମୁରବିପଣିଆ କରି କହିଲେ, ‘‘ନା ସେ କଥା ହୋଇପାରିବ ନାହିଁ । ସେ ଆସିଲେ ତାଙ୍କୁ କହିବ, ପୁରୁଣା ଗରାଖ ଆସିଥିଲେ, ନେଇ ଚାଲିଗଲେ...ମୁଁ ଦୋକାନରେ ନଥିଲି ।’’

‘‘ମାଆ...’’

‘‘ନା, ସେକଥା ହୋଇପାରିବ ନାହିଁ ।’’

ସୁମିତ୍ରା ଶାଗୁଆ ରଙ୍ଗ ସୁନାଫୁଲ ଲଗାଇ ଦର୍ପଣକୁ ଚାହିଁଲେ...ମତାମତ ପାଇଁ ଚାହିଁଲେ କୁମାରଙ୍କୁ... । ପଛରୁ ନିର୍ମଳ କହିଲା,...‘‘ମା, ଏ ଦି’ଟା ନିଅନ୍ତୁ...ବେଶ୍‌ ମାନୁଛି ।’’

‘‘କ’ଣ କହୁଛ ?’’

‘‘ଆଚ୍ଛା...ଏ ଦି’ଟା ଧର’’ କହି ଦୁହେଁ ଦୋକାନରୁ ଆଗକୁ ବଢ଼ିଲେ । ନିର୍ମଳ ଜଣାଇଲା ବିଦାୟ ପ୍ରଣତି ।

ଶାଗୁଆ ଫୁଲ ବଦଳି ହୋଇ ଆସିବାର ପନ୍ଦର ଦିନ ହୋଇଗଲାଣି । ସେଦିନ ଘରକୁ ଆସିଥାଏ ନୟନା । ପଡ଼ୋଶୀଙ୍କ ଝିଅ, କଲେଜରେ ପଢ଼ୁଛି । ସୁମିତ୍ରାଙ୍କୁ ଭାଉଜ ଲେଖା କରେ । ଭାଉଜଙ୍କୁ ନମସ୍କାର କରିସାରି ପଚାରିଲା, ‘‘ଭାଉଜ ଏ ଫୁଲ ଲଗାଇବାକୁ ତୁମକୁ କିଏ କହିଲା ?’’ ସେ ନାଲି ଫୁଲ ତୁମର କ’ଣ ହେଲା କି ?’’ ନାଲିଫୁଲ ଉପରେ ଦେଇଥିବା ବକ୍ତୃତାଟା ସୁମିତ୍ରା ସଂକ୍ଷେପରେ ନୟନାକୁ ଶୁଣାଇ ଦେଲେ । ଜ୍ୟୋତ୍ସ୍ନା କଥାବି କହିଲେ । ଜ୍ୟୋତ୍ସ୍ନା ନା ଶୁଣି ନୟନା ରାଗିଉଠିଲା । ସେ ଦୁହିଁଙ୍କର ମୋଟେ ପଡ଼େ ନାହିଁ । ସାମାନ୍ୟ ବ୍ୟଙ୍ଗ କରି ସେ କହିଲା, ‘‘ହଁ ଦେବେନ୍ଦ୍ରବାବୁ ସେ ଜ୍ୟୋତ୍ସ୍ନାକୁ ପସନ୍ଦ କରିବେ ନାହିଁ ତ ଆଉ କରିବ କିଏ ? ବୁଝିଲ ଭାଉଜ, ଏଥରକୁ ମିଶାଇ ଜ୍ୟୋତ୍ସ୍ନାର ପନ୍ଦରଟା ଜାଗାରେ ଭାଙ୍ଗିଲା । ସେ ରୂପ ନ ସଜାଇଲେ କିପରି ହେବ-? ସେ କ’ଣ ଲଗାଇଲା, ସିନେମାଷ୍ଟାର କ’ଣ ଲଗାଇଲେ ସେ’ଟା ବଡ଼ କଥା ନୁହେଁ । ବଡ଼ କଥା ହେଲା–କାହାକୁ କ’ଣ ମାନୁଛି । ଏ ଶାଗୁଆ ଫୁଲ ଲେଟେଷ୍ଟ ଡିଜାଇନ ହୋଇପାରେ; ମାତ୍ର ତମକୁ ନାଲିରଙ୍ଗ ଯେପରି ମ୍ୟାଚ କରେ...ଆଉ କୌଣସି ରଙ୍ଗ ସେପରି ମ୍ୟାଚ କରିବ ନାହିଁ । ଶାଢ଼ି, ଅଳଙ୍କାର, ଘରକରଣା ଜିନିଷ କିପରି ହୋଇଛି ନ ହୋଇଛି ସେକଥା କହିବେ ଆମ ମାଇପି ଲୋକେ । ମରଦ ଲୋକେ କ’ଣ କହିବେ । ଦେବେନ୍ଦ୍ରବାବୁ କ’ଣ କହିବେ । ନା, ନା, ଏ ଫୁଲ ମୋଟେ ତୁମକୁ ଭଲ ଦିଶୁନାହିଁ । ଏ ଦି’ଟା ବଦଳାଇ ଆଣ । ନିର୍ମଳ ଦୋକାନରୁ ଆଣିଛ ତ ? ଭାରି ଭଲ ଲୋକଟିଏ ।’’

 

ସୁମିତ୍ରା ମନକୁ ନୟନାର କଥା ବେଶ୍ ମାନିଲା । ସେ ଦୀର୍ଘଶ୍ୱାସ ଛାଡ଼ି କହିଲେ, ‘‘ନୟନା ତମେ ତ ତମ ଭାଇଙ୍କ କଥା ଜାଣ...ପନ୍ଦରଦିନ ତଳେ ଏ ଫୁଲ ବଦଳାଇ ଆଣିଥିଲେ । ସେଥିପାଇଁ କିଛି କମ୍ କହି ନାହାନ୍ତି । ଯାହା ତାଙ୍କ ପାଟିକୁ ଆସିଲା ।’’

 

‘‘ମଲା, ଏଥିରେ ଗାଳି ଦେବାର କ’ଣ ଅଛି ! ମୋଟେ ତ ପନ୍ଦରଦିନ ହୋଇଛି । ବେଶି ଜିଦ୍‌ଜାଦ କଲେ କହିବ, ଚାରି ପାଞ୍ଚ ଟଙ୍କା କାଟି ନେବ । ମୁଁ ଆଜି ଦି’ଟା ଗାଡ଼ିରେ ଚାଲିଯିବି–ନଚେତ୍‌ ତୁମକୁ ସଙ୍ଗରେ ନେଇ ଏ ଫୁଲ ବଦଳାଇ ଆଣନ୍ତି । ମୋର ଏ ଲକେଟ୍‌ ଆଠ ମାସ ପରେ ବଦଳା ହୋଇ ଆସିଲା ।’’ ମସଲା ଦି’ଟା ହାତକୁ ବଢ଼ାଇ ଦେଉ ଦେଉ ସୁମିତ୍ରା କହିଲେ, ‘‘ପାଠପଢ଼ା କଥା । ତୁମେ କେଉଁଠି ରହି ପାରିବ । ଦିନକ ଆଗରୁ ଆସିଥିଲେ... ।

 

‘‘ଭାଇଙ୍କୁ ବୁଝାଇ ଦେବ । ସେ ମୋଟେ ରାଗିବେ ନି । ଏ ତ କିଛି ଆଳୁ ପିଆଜ ନୁହେଁ-! ଆଜି ଆସିଲେ କାଲିକୁ ଶେଷ । ଗହଣାଗାଣ୍ଠି କଥା...ଦିହ ଦିହକୁ ପଡ଼ିରହିବ ।’’

 

ନୟନା ଚାଲିଗଲା... !

 

ସୁମିତ୍ରା ଦରଜା ବନ୍ଦକରି ଆସି ପହଞ୍ଚିଲେ ଶୋଇବା ଘର ଦର୍ପଣ ସମ୍ମୁଖରେ । ଶାଗୁଆ ସୁନାଫୁଲ ସତେ ତ ତାଙ୍କୁ ସୁନ୍ଦର ଦିଶୁ ନାହିଁ । କିଏ କ’ଣ କହିପାରେ; କିନ୍ତୁ ନାଲିଫୁଲ ତାଙ୍କୁ ଯେପରି ମାନେ, ଆଉ କିଛି ସେପରି ମାନେ ନାହିଁ । ସେ ନାଲିଫୁଲ ବଦଳାଇଗଲା କାହିଁକି ? ହଠାତ୍‌ ମନେପଡ଼ିଗଲା ଭଜା ବସାଇଛନ୍ତି, ପୋଡ଼ିଯିବଣି । ତରବର ହୋଇ ଧାଇଁଲେ ରୋଷ ଘରକୁ... । କ’ଣ କହିବେ, କିପରି କହିବେ, ସ୍ୱାମୀଙ୍କୁ ଏହି ଫୁଲ ବଦଳାଇ ପୁଣି ନାଲିଫୁଲ ଆଣିବାକୁ, ଭଜା ଲେଉଟାଇବା ସମୟରେ ଭାବୁଥାନ୍ତି । ଏ ଫୁଲ ବଦଳାଇବା ପାଇଁ କୁମାରଙ୍କୁ ସେ ନିଜେ ବାଧ୍ୟ କରିଥିଲେ, ଆଜି ପୁଣି... ।

 

ଅଫିସରୁ ଫେରି କୁମାର ପ୍ରଶ୍ନକଲା, ‘‘ରେଡ଼ି ?...ମୋ ପାଇଁ ଖାଇବାକୁ ବାଢ଼ । ସମୟ ହୋଇଗଲା ଯେ...ଫଙ୍କସନ୍‌ ଆରମ୍ଭ ହୋଇଯିବ...ଟୁ ଦି ମିନିଟ୍‌...ଡେରି କରନାହିଁ । ଯାଅ, ରେଡ଼ି ହୋଇଯାଅ...।’’ ଖାଇବା ଟେବୁଲକୁ ହାତ ବଢ଼ାଇ ଦେଖାଇ ଦେଉ ଦେଉ ସୁମିତ୍ରା କହିଲେ, ‘‘ମୁଁ ଯାଇପାରିବି ନାହିଁ ।’’ ‘‘କାହିଁକି ? ଯିବ ବୋଲି ଏତେ ବ୍ୟସ୍ତ ହେଉଥିଲେ !’’ ‘‘ହଁ, ଯିବି ବୋଲି ବ୍ୟସ୍ତ ହେଉଥିଲି । ମାତ୍ର ମୁଁ ଏପରି ଖାଲି କାନରେ ଓ ବେକରେ ଯାଇପାରିବ ନାହିଁ । ସେଠାକୁ ବହୁତ ଲୋକ ଆସିଥିବେ ।’’

 

‘‘ବଡ଼ ବିଚିତ୍ର କଥା ! ତମର ନାହିଁ କ’ଣ ? ନେକ୍‌ଲେସ୍‌ ପିନ୍ଧ । କାନଫୁଲ ପିନ୍ଧ । ତୁମର ସେ ବ୍ଳୁ ଶାଢ଼ିକୁ ବେଶ୍‌ ମ୍ୟାଚ କରିବ ।’’

 

‘‘ସେ କାନଫୁଲ ମୋର ଚଳିବ ନାହିଁ । ଶାଗୁଆ ରଙ୍ଗ ମୋତେ ମାନୁନାହିଁ ।’’ କୁମାର ରାଗରେ ଲାଲ ହୋଇଉଠିଲା । ମନେ ମନେ କହିଲା, ‘‘ଆଜି ପୁଣି ଗୋଟାଏ କିଛି ହୋଇଛି । ଚାକରଠାରୁ କୁମାର ବୁଝିନେଲା ନୟନା ଘରକୁ ଆସିଥିଲା । ସେ ମୁଣ୍ତ ବିଗାଡ଼ି ଦେଇଯାଇଛି । ତାକୁ ଶାଗୁଆ ରଙ୍ଗ ଭଲଲାଗେ ନାହିଁ ।’’

 

ପାଟିକୁ ନେଉଥିବା ଚାମଚ ରଖି ଦେଇ ସେ ସୁମିତ୍ରାଙ୍କୁ ପଚାରିଲେ, ‘‘ରିକ୍‌ସା ଠିଆହେଲା, ସେ ଯିବେ କି ନାହିଁ ?’’

 

‘‘ନା ମୁଁ ଯାଇପାରିବି ନାହିଁ’’ ଉତ୍ତରଟି ସ୍ତ୍ରୀଙ୍କଠାରୁ ଶୁଣି କୁମାର ସିଧା ଚାଲିଲା ବାହାରକୁ... ।

 

‘‘ଖାଇଦେଇ ଯାଅ...’’

 

‘‘ଭୋକ ନାହିଁ...’’

 

ସୁମିତ୍ରା ସ୍ୱାମୀଙ୍କୁ ଆଉ ଅଧିକ କିଛି କହିବାକୁ ଆବଶ୍ୟକ ମନେକଲେ ନାହିଁ । କୁମାର ଥରେ ରାଗିଲେ ଅବସ୍ଥା କ’ଣ ହୁଏ, ସେ ବେଶ୍‌ ଜାଣନ୍ତି । ଖାଇ ସାରିଲା ପରେ ସୁନାଫୁଲ କଥା ଉଠାଇଥିଲେ ତ ଚଳିଥାନ୍ତା; ନିଜେ ତ ଭୁଲ୍ କରିଛନ୍ତି, କହିବେ କାହାକୁ ?

 

ସ୍ୱାମୀଙ୍କ ପାଇଁ ବହୁ ମନସ୍ତାପ ମଧ୍ୟରେବି ସୁମିତ୍ରାଙ୍କ ସମ୍ମୁଖରେ ନାଚି ଉଠୁଥିଲା ସୁନାର କାନଫୁଲ । ସେ ନିଜେ ସ୍ଥିର କରିପାରୁ ନ ଥିଲେ କେଉଁ ରଙ୍ଗଟା ପ୍ରକୃତରେ ଅଧିକ ସୁନ୍ଦର ! ତାଙ୍କ ଦେହର ରଙ୍ଗକୁ ଅଧିକ କେଉଁଟି ମାନେ ? ନାଲିବାଲା ନା ଶାଗୁଆ ରଙ୍ଗର ସୁନା କାନଫୁଲ ଦି’ଟା ।

Image

 

ଉଦୟଭାନୁର କାହାଣୀ

 

ବିଜନ୍‌ର ଡାକ ନାମ ବୁଲ୍‌ବୁଲ୍‌ । ନିରୋଦଙ୍କର ଏକମାତ୍ର ସନ୍ତାନ । ବୟସ ମୋଟେ ଚାରିବର୍ଷ । ଲୋଭନୀୟ ସ୍ୱାସ୍ଥ୍ୟ, ଉପଭୋଗ ତା’ର କଥା । କେବଳ ତାରି ଯତ୍ନ ନେବାରେ ରୀତାଙ୍କର ସମୟ କଟିଯାଏ । ସକାଳୁ ସେ ଉଠିବ, ଜାମା ବଦଳାଇବ, ମୁଣ୍ତ କୁଣ୍ତାଇବ, ଖାଇବ, ଶୋଇବ, ଖେଳିବ । ଏଇ କାମରେ ରୀତାଙ୍କ ସମୟ ଯାଏଁ । ଏଇ ନୂଆ ସ୍ଥାନକୁ ନିରୋଦ ବଦଳି ହୋଇ ଆସିଲା ପରେ ବିଜନ୍‌ ଏବେ ତାଙ୍କୁ ବ୍ୟସ୍ତ ରଖୁଛି । ତା’ରି ପାଇଁ ସେ ପ୍ରାୟ ସବୁ ସୁଖ-ସମ୍ଭୋଗ, ବନ୍ଧୁବାନ୍ଧବ, ବାପା, ବୋଉ, ଗାଁ ଭୁଲି ଯାଇଛନ୍ତି । ଆଜି ବିଜନ୍ ଲାଗି ସେ କାହାକୁ ଧାଡ଼ିଏ ଲେଖିପାରନ୍ତି ନାହିଁ । ବନ୍ଧୁମାନେ ଅଭିମାନବୋଳା ଚିଠି ଲେଖନ୍ତି । ପରିହାସ କରନ୍ତି, କ’ଣ ହେଲା ରୀତା ତୋର । ଶେଷରେ ନିରୋଦବାବୁ ତୋତେ ଚିଠି ଲେଖିବାକୁ ମନା କରିଦେଲେ । ସେ ନିଜେ ନିଜକୁ ଦୋଷ ଦିଅନ୍ତି, ମାତ୍ର ଉପାୟହୀନା । ସେ ଧାଡ଼ିଏ ଲେଖିଥାଏ ବା ନ ଥାଏ, ବୁଲ୍‍ବୁଲ୍ ପାଟିକରି ଉଠେ–କିଛି ନା କିଛି ଗୋଟାଏ ଦାବି ପୂରଣ ନେଇ । ସେଇଠାରେ ସାଙ୍ଗ ହୁଏ ଚିଠିଲେଖା । ଏମିତି ଦରଲେଖା ଚିଠି, ଖାଲି ଠିକଣା ଲେଖା କାର୍ଡ଼ କେତେ ଯେ ଘରେ ପଡ଼ିଥିବ କହି ହେବନି ।

 

ନିରୋଦ ମାଇନିଂ ଇଞ୍ଜିନିୟର । ସେ ତରତରରେ ଜଳଖିଆ ଶେଷ କରି ନଅଟା ମଧ୍ୟରେ କାମସାରି ବାହାରିଯାଆନ୍ତି । ଫେରନ୍ତି ଯାଇ ଅପରାହ୍ନ ତିନି ଚାରିରେ । ଯେଉଁ ଅଳ୍ପ ସମୟ ଘରେ ଥାଆନ୍ତି, ସେ ସମୟରେ ସେ ବୁଲ୍‌ବୁଲ୍‌ ସଙ୍ଗରେ ଖେଳି କଟାନ୍ତି । ବ୍ୟସ୍ତଜୀବନ ଭିତରେ ସାମାନ୍ୟ ଟିକିଏ ଅବସର ପାଇଲେ ସେ ବୁଲ୍‌ବୁଲ୍‌ର ଭବିଷ୍ୟତ୍ ନେଇ ଅନେକ ଯୋଜନା କରନ୍ତି । ସେ ବଡ଼ ହେଲେ ହେବ ଗୋଟାଏ ଡାକ୍ତର, ନା...ନା, ଅଧ୍ୟାପକ ବା ଆଇ. ଏ. ଏସ୍‌. । କୌଣସିଟା ଯେପରି ତାଙ୍କ ମନକୁ ପାଏନି । ‘‘କାହିଁକି, ତମ ପରି ଇଞ୍ଜିନିୟର ହେବନି କାହିଁକି ?’’ ରୀତାଙ୍କ କଣ୍ଠରେ ଉତ୍ସାହର ପ୍ରକାଶ । ‘‘ଧେତ୍‌, ମୋ ପୁଅ ଏତେ କଷ୍ଟ କରୁ, ମୁଁ ଚାହେଁନି । ଏ ଗଧ ଖଟଣି ସେ ପାରିବ ନାହିଁ । ତା’ଛଡ଼ା ମାଇନିଂ ଜବ୍‌ ଇଜ୍‌ ଭେରି ରିସ୍କି ।’’ ‘‘–ତୁମେ ତାହାହେଲେ ମାଇନିଂ ପଢ଼ିଲ କାହିଁକି ?’’ –‘‘ମୁଁ ପଢ଼ିଲାବେଳେ ଜାଣି ନଥିଲି ମୁଁ କ’ଣ ପଢ଼ୁଛି । ମୋତେ ଗାଇଡ଼ କରିବାକୁ କେହି ନ ଥିଲେ । ବେଶି ଟଙ୍କା ମିଳିବ । ସେଥିପାଇଁ ମାଇନିଂ ପଢ଼ିଲି । ମାତ୍ର ଏବେ ଦେଖୁଛି ଟଙ୍କା ହୋଇଗଲେ ଶାନ୍ତି ମିଳେନି । ଜୀବନ ଉପଭୋଗ ପାଇଁ ପ୍ରତ୍ୟେକ ସ୍ୱପ୍ନ ଦେଖି ଶିଖିବା ଉଚିତ । ଏହି ସ୍ୱପ୍ନହିଁ ବାସ୍ତବରେ ପରିଣତ ହୋଇ ମାଟିରେ ସୃଷ୍ଟି କରେ ଅଳକା । ନିଜର ଅବସରରେ ଏ ସୃଷ୍ଟିକୁ ଜଣେ ସୁନ୍ଦର କରିପାରିବ; କରି ପାରିବ ରୁଚିର ! ମୁଁ ଚାହେଁ ବୁଲ୍‌ବୁଲ୍‌ ମୋର ହେବ ସେହିପରି ଏକ ସ୍ୱପ୍ନଜୀବୀ, ପଦ୍ମଭୁକ୍ ।’’ ବେଳେବେଳେ ସ୍ୱାମୀ ସ୍ତ୍ରୀ ଲଟରୀ ପକାନ୍ତି କାଗଜ ଗୁଳାର-। ବୁଲ୍‌ବୁଲ୍‌ ସେସବୁ ଉଠାଏ । କେତେବେଳେ ବାହାରେ ସେ ହେବ ଇଞ୍ଜିନିୟର, ପୁଣି କେତେବେଳେ ଡାକ୍ତର, ଅନ୍ୟ କେତେବେଳେ ଆଉ କିଛି । ଅଧିକାଂଶ ଦିନ ଏହିପରି ଲଟରୀରେ ସେମାନଙ୍କର କିଛି ସମୟ ଯାଏଁ । ରୀତାଙ୍କୁ ବୁଲ୍‌ବୁଲ୍‌ର ଭବିଷ୍ୟତ୍ ନେଇ କିଛି ପଚାରିଲେ ସେ କହନ୍ତି, ‘‘ବୁଲ୍‌ବୁଲ୍‌ ମୋର ଗୋଟାଏ ଗାୟକ ହେଲେ ମୁଁ ସତରେ ସୁଖୀ ହୁଅନ୍ତି । ଏଇ ସଙ୍ଗୀତ ଶିଳ୍ପୀଗଣ କୋଟି କୋଟି ଜନତାର ମନରେ ଅସମ୍ଭବ ପ୍ରଭାବ ବିସ୍ତାର କରିଥାନ୍ତି । ସେମାନଙ୍କୁ କେବେ ଭୁଲି ହୁଏନା । ସେମାନଙ୍କୁ ନେଇ ଆମେ ଗର୍ବ ଅନୁଭବ କରୁ । ଆପଣାର ଜ୍ଞାତି-କୁଟୁମ୍ବଙ୍କ ପରି ସେମାନଙ୍କ କଥା ଆଲୋଚନା କରୁ । ଏଇ ସଙ୍ଗୀତ ଶିଶୁର ନୟନରେ ଆଣିଦିଏ ତନ୍ଦ୍ରାର କୋମଳସ୍ପର୍ଶ । ଶିଳ୍ପୀର ତୁଳିକା ଚଞ୍ଚଳ ହୋଇଉଠେ । ବୁଦ୍ଧିଜୀବୀର ଅଶାନ୍ତ ମନରେ ଶାନ୍ତ ପରିବେଶ ସୃଷ୍ଟି କରେ । ମୋର ବୁଲ୍‌ବୁଲ୍‌ ଯଦି ସେହିପରି ହୋଇପାରନ୍ତି !...’’

 

ଡାଇନିଂ ଟେବୁଲ ଉପରେ ବ୍ରେକ୍‌ଫାଷ୍ଟ ଖୁବ୍‌ ତରତରରେ ଶେଷ କରି ନିରୋଦ ଚାଲିଯାଆନ୍ତି ଆପଣାର କାମରେ । କେବେକେବେ ଫେରିବା ପୂର୍ବରୁ ରେସିଡ଼େନ୍‌ସ ଟେଲିଫୋନ୍‌ ବାଜିଉଠେ । ନିହାତି ମାମୁଲି ପ୍ରଶ୍ନ କେଇଟା । ‘‘ଖାଇବାକୁ ପଠାଇଦିଅ । ବୁଲ୍‌ବୁଲ୍ କ’ଣ କରୁଛି ?’’ ଇତ୍ୟାଦି ଇତ୍ୟାଦି ।

 

ବୁଲ୍‌ବୁଲ୍‌ର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦୁଷ୍ଟାମି ମଧ୍ୟ ବଢ଼ିଚାଲେ । ସେ ଏବେ ଘରେ ରହିବାକୁ ଚାହେଁନି । ସବୁବେଳେ ରାସ୍ତାପାଖକୁ ଦୌଡ଼େ । ଛୁଟି ଚାଲିଥାଏ, ଗାଡ଼ି-ଘୋଡ଼ା, ମଟର, ଜନସମୂହକୁ ସେ ଲକ୍ଷ୍ୟ କରେ । ସେ ସେଥିରୁ କ’ଣ ବୁଝେ କେଜାଣି ! ସେ ଏବେ ତା’ର ସାଙ୍ଗସାଥୀଙ୍କୁ ନେଇ ନାନାଜାତି ଖେଳ ଖେଳେ । କେବେକେବେ ମାଟିରେ ଗଡ଼େ । ଗଛକୁ ଟେକା ଫିଙ୍ଗେ । ଘୂରୁଥିବା ଫ୍ୟାନ୍‌କୁ ଧରିବାକୁ ଚେଷ୍ଟା କରେ । ରେଡ଼ିଓ ସୁଇଚ୍‌ ଅନ୍‌ କରେ । ଏସବୁ ଅଭ୍ୟାସ ତା’ର ଯେତିକି ଯେତିକି ବୃଦ୍ଧି ପାଏ, ରୀତାଙ୍କର ଭୟ ସେତିକି ବୃଦ୍ଧିପାଏ । ଦିନେ ସେ ରେଡ଼ିଓ ସଙ୍ଗେ ଲାଗୁ ଲାଗୁ ଇଲେକ୍‌ଟ୍ରିକ୍‌ ସକ୍‌ ମାରିଚି । ରୀତା ଚିତ୍କାର କରି ଦୌଡ଼ିଯାଇ ବୁଲ୍‌ବୁଲ୍‌ର ହାତ ଧରି ଟାଣି ଆଣିଲେ । ତା’ ଗାଲରେ ବସାଇଦେଲେ ଗୋଟାଏ ନିର୍ଘାତ ଚାପୁଡ଼ା । ଲାଲ ଗୋଲାପର ମୁହଁ ଉପରେ ପାଞ୍ଚଟି ଯାଇ ଅଙ୍ଗୁଳିର ଛାପ ରହିଲେ । ‘‘ମାମି, ଆଉ ଧରିବି ନାହିଁ’’ କହି ଛୋଟ ପିଲାଟି କାନ୍ଦି କାନ୍ଦି ଲୋଟିଗଲା ଚଟାଣ ଉପରେ । ରୀତା ଆଉ ସମ୍ଭାଳିପାରିଲେ ନାହିଁ । ମାତୃହୃଦୟ ତାଙ୍କର ତରଳିଗଲା । ସେ ବୁଲ୍‌ବୁଲ୍‌କୁ ଉଠାଇ ଆଣି ମୁହଁରେ ତା’ର ଗୋଟିଏ ଚୁମ୍ବନ ଆଙ୍କିଦେଇ କହିଲେ, ‘‘ବୁଲ୍‌ବୁଲ୍‌, ମୋ ସୁନାପୁଅଟି, ଆଉ ସେଥିରେ ଲାଗିବୁ ନାହିଁ ।’’ ଆଜ୍ଞାଧୀନ ଛାତ୍ରଟି ପରି ବୁଲ୍‌ବୁଲ୍‌ ନାହିଁ କରେ, ସେ ଆଉ ଲାଗିବ ନାହିଁ । କିଛି ସମୟ ବୁଝାଇ ସାରିବା ପରେ ବୁଲ୍‌ବୁଲ୍‌ ଶାନ୍ତ ଶିଶୁଟି ପରି ଶୋଇବା ଘରେ ବସି ରହେ । ମାତ୍ର ଦୀର୍ଘ ସମୟ କରିଥିବା ଶପଥ କିନ୍ତୁ ରକ୍ଷା କରିପାରେ ନାହିଁ । ପୁଣି ଆରମ୍ଭ ହୋଇଯାଏ ସେଲ୍‌ଫରୁ ବହି କାଢ଼ି ଖଟରେ ପକାଇବା, ବେଡ଼୍‌ କଭର ଟାଣି ତଳେ ପକାଇବା, ଜୋତାବ୍ରସ ନେଇ ପଦାରେ ପକାଇବା-। ମିନିଟ କେଇଟିକୁ ସେ ମନମୁତାବକ ମଇଳା କରିବସେ ।

 

ବାଥ୍‌ରୁମ୍‌ରୁ ଫେରି ରୀତା ଆସି ଦେଖନ୍ତି, ଘର କ’ଣ ହୋଇଛି । କିଛି ନ କହି କେବଳ ସେ ଚାହିଁ ରହନ୍ତି ବୁଲ୍‌ବୁଲ୍‌କୁ । ସେତେବେଳେ ବୁଲ୍‌ବୁଲ୍‌ ହୁଏତ ନିଜ ହାତରେ ଧରିଥାଏ ବାପର ଟାଇ କିମ୍ବା ମା’ର ରିବନରେ ରବର ଘୋଡ଼ା, ଖଟଖୁରାରେ ବନ୍ଧା ହେଉଥାଏ, ମାମିର ହଠାତ୍‌ ଆବିର୍ଭାବରେ ସେ ଠିକ୍‌ ସେହି ଅବସ୍ଥାରେ ରହିଯାଇ ଅତି କରୁଣ ଭୟାର୍ତ୍ତକଣ୍ଠରେ କହିଉଠେ, ‘‘ସେ ଆଉ ଏପରି କେବେ କରିବ ନାହିଁ ।’’ ତା’ର ସେ ସ୍ଥିରଚାହାଣି, ଅଭିଯୁକ୍ତ ମନର ଅଭିବ୍ୟକ୍ତ ରୀତାଙ୍କ ମନରେ ହସ ସୃଷ୍ଟି କରେ । ସେ ହସ ଚାପିନେଇ ତାକୁ କୋଳକୁ ଟାଣି କୁହନ୍ତି, ‘‘ତୁ ଆଉ କେବେ ଘର ମଇଳା କରିବୁ ନାହିଁ । ବାପା ଆସିଲେ ବିରକ୍ତ ହେବେ । ତୋତେ ମାଡ଼ ଦେବେ । ଆଉ ତୋ ପାଇଁ ମିଠେଇ ଆଣିବେ ନାହିଁ ।’’

 

ସେ ଦିନ ହଠାତ୍‌ ବୁଲ୍‌ବୁଲ୍‌ ପ୍ରଶ୍ନ କଲା, ‘‘ମାମି, ବାପା ମୋତେ ମାରିବେ କାହିଁକି ? ସେ କ’ଣ ପିଲାଦିନେ ଘର ମଇଳା କରୁ ନ ଥିଲେ ?’’ ବୁଲ୍‌ବୁଲ୍‌ର ଏ ପ୍ରଶ୍ନରେ ସେ ବିସ୍ମିତ ହୋଇ ତାକୁ ଚାହିଁ ରହିଲେ । ସେ ଭାବିଲେ ସ୍ୱାମୀ ତାଙ୍କ ପୁଅର ଏ ପ୍ରଶ୍ନ ଶୁଣି ନିଶ୍ଚୟ ଭାବିବେ ରୀତା ତାକୁ ଏପରି ଶିଖାଇ ଦେଇଛି । ଖାଇବାପାଇଁ ଡାଇନିଂ ଟେବୁଲରେ ଖାଇବାକୁ ବଢ଼ା ହୋଇଛି । ବୁଲ୍‌ବୁଲ୍‌ ଚାମଚଧରି ଖାଇବା ଲାଗି ବାପକୁ ଚାହିଁ ରହିଛି । ନିରୋଦ ପଚାରିଲା, ‘‘ବୁଲ୍‌ବୁଲ୍‌ ଆଜି ବଜାର ବୁଲିବାକୁ ଯିବା । ତୁ ଦୁଷ୍ଟାମି କରିବୁନି ବୋଲି ଯଦି କହିବୁ ତେବେ ତୋତେ ସଙ୍ଗରେ ନେବି ।’’ ଏ ପ୍ରଶ୍ନର ସିଧା ଉତ୍ତର ନ ଦେଇ ବୁଲ୍‌ବୁଲ୍‌ ପ୍ରଶ୍ନ କଲା, ‘‘ବାପା ତୁମେ କ’ଣ ପିଲାଦିନେ ଦୁଷ୍ଟାମି କରୁ ନଥିଲ ?

 

‘‘ହଁ, ମୁଁ ଗୋଳମାଳ କରୁଥିଲି; ମାତ୍ର ତୋପରି ଏତେ ଦୁଷ୍ଟାମି କରୁ ନ ଥିଲି’’ କହି ସେ ବୁଲ୍‌ବୁଲ୍‍କୁ ଚାହିଁରହିଲେ ଶୁଣିବାପାଇଁ ପରବର୍ତ୍ତୀ ପ୍ରଶ୍ନ କ’ଣ ହେଉଛି । ମାତ୍ର ବୁଲ୍‌ବୁଲ୍‌ କିଛି ନ କହି ବୟସ୍କଲୋକଙ୍କ ପରି କହିଲା ଆଚ୍ଛା, ‘‘ମାମି, ଭାତ ଦିଅ ।’’

 

ବୁଲ୍‌ବୁଲ୍‌କୁ ଯେତେ ସଫା କଲେ ମଧ୍ୟ ସେ ଯାଇ ମାଟିରେ ଖେଳି ମଇଳା ହେବା ତା’ର ଗୋଟାଏ ଧର୍ମ ହୋଇଗଲାଣି । ମା ତାକୁ ଯେତେବେଳେ ପଚାରନ୍ତି, ‘‘ତୁ ଏପରି ମାଟିରେ ଗଡ଼ୁଛୁ କାହିଁକି ?’’ ତା’ର ପାଖର ଅନ୍ୟ କେଇଜଣ ପିଲାଙ୍କ ନାମ କହି ସେ କହେ, ‘‘ସେମାନେ ଗଡ଼ୁଛନ୍ତି କାହିଁକି ?’’

 

‘‘ସେମାନଙ୍କର ପ୍ୟାଣ୍ଟ କାହିଁ ?’’

 

‘‘ମୋତେ ତୁ କାହିଁକି ପ୍ୟାଣ୍ଟ ପିନ୍ଧାଇ ଦେଉଛୁ ? ମୁଁ ସେମାନଙ୍କ ପରି ଲଙ୍ଗଳା ହେଇ ଖେଳିବି ।’’

 

‘‘ଲଙ୍ଗଳା ହେଲେ କେହି ଭଲପିଲା କହିବେ ନାହିଁ ।’’

 

‘‘ମୁଁ ସେମାନଙ୍କ ପରି ଖରାପ ପିଲା ହେବି ।’’

 

ବୁଲ୍‌ବୁଲ୍‍ର ଦୁଷ୍ଟାମି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ରୀତାଙ୍କ ଉପରେ ଗାଳି ମଧ୍ୟ ବଢ଼ି ବଢ଼ି ଯାଉଛି । ମାତ୍ର ରୀତାଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ନିରୁପାୟ ।

 

ଦିନେ ନିରୋଦ ଘରେ ପହଞ୍ଚି ଦେଖନ୍ତି ତ ଫୋନ୍‌ ରିସିଭର ତଳେ ଥୁଆ ହୋଇଛି । ରୀତା ଶୁଣିପାରି ନାହାନ୍ତି । ‘‘କ’ଣ ହେଉଛି, ଦେଖି ପାରୁଛଟି ? ବୋଲି ବିରକ୍ତ ହୋଇ ସେ ରୀତାକୁ ପଚାରିଲାବେଳେ ପୁଅ ଦରୋଟି କଣ୍ଠରେ ଉତ୍ତର କଲା, ‘‘କ’ଣ ବାପା, ଦେଖିପାରୁନ କି ନିଲୁ, ମୋ ପୁଅ, ତା’ ଅଫିସକୁ ଫୋନ୍‌ କରୁଛି ?’’ ନିରୋଦ ରାଗ ସମ୍ଭାଳି ନ ପାରି ବୁଲ୍‌ବୁଲ୍‌ ଗାଲରେ ବସାଇଲେ ଗୋଟିଏ ଚାପୁଡ଼ା । ଛୋଟ ପିଲାଟି ପଡ଼ିଗଲା–କିଛି ସମୟ ପର୍ଯ୍ୟନ୍ତ ସେ କଥା କହିପାରିଲା ନାହିଁ । ରୀତା ପିଲାଟିକୁ କୋଳକୁ ଉଠାଇ ନେଉ ନେଉ ପାଟି କରି କହିଉଠିଲେ, ‘‘ଏଗୁଡ଼ା ସବୁ କ’ଣ ? ତାକୁ ମାରିଲ କାହିଁକି ? ସେ ପିଲାଲୋକ କ’ଣ ଜାଣିଛି ।’’ ‘‘ସେ ତ ଜାଣିବ ବୋଲି ମାରିଲି ।’’

 

‘‘ହଁ, ଆଉ କ’ଣ କରିଥାନ୍ତି’’ ବୋଲି ବିରକ୍ତିପୂର୍ଣ୍ଣ କଣ୍ଠରେ ତାଚ୍ଛଲ୍ୟ କରି ରୀତା ଚାଲିଗଲେ ।

 

ନିରୋଦ ଚାହିଁରହିଲା ରୀତାକୁ । ରୀତା କାନ୍ଦୁଛି । ଆଉ କିଛି ପଚାରିଲା ନାହିଁ । ସେ ବୁଝିଲା ରୀତା ସ୍ୱପ୍ନ ଦେଖି କାନ୍ଦୁଛି । ଏହି ସ୍ୱପ୍ନ ଦେଖିବା କଥା ରୀତା ଥରେ ନିରୋଦକୁ କହିଥିଲେ-। ସ୍ୱପ୍ନର ମୂଲ୍ୟ କେତେ ସେ ନେଇ ବିଶେଷ କିଛି ବୁଲ୍‌ବୁଲ୍‌ ବୁଝି ନାହିଁ । ମାତ୍ର ସେ ପଚାରିଲା, ତାକୁ ସଙ୍ଗରେ ନ ନେଇ ସ୍ୱପ୍ନ ଦେଖିଗଲେ କାହିଁକି ? ମାତ୍ର ସେ ପଚାରିଲା, ତାକୁ ସଙ୍ଗରେ ନ ନେଇ ସ୍ୱପ୍ନ ଦେଖିଗଲେ କାହିଁକି ? ଯେତେ ବୁଝାଇଲେ ମଧ୍ୟ ଶିଶୁମନ ବୁଝିଲା ନାହିଁ । ଏହି ପରିବେଶରେ ରୀତା ଯେତେ ହସିଛନ୍ତି, ସେତିକି ବିରକ୍ତ ହୋଇଛନ୍ତି । ସତରେ ବୁଲ୍‌ବୁଲ୍‌ ତାଙ୍କୁ କିଛି କମ୍‌ ବ୍ୟସ୍ତ କରାଇ ନାହିଁ । ଆଜି ସେଇ ବୁଲ୍‍ବୁଲ୍‍ କଥା ଭାବି ସେ ବ୍ୟସ୍ତ କାତର ହୋଇପଡ଼ିଛନ୍ତି । ତାଙ୍କ ନିକଟରୁ ବୁଲ୍‍ବୁଲ୍ ଏତେ ଶୀଘ୍ର ଉଡ଼ିଯିବ ଓ ସେ ସାହାରାର ବିଜନତାର ଶିକାର ହେବେ ବୋଲି ଜାଣି ନ ଥିଲେ ।

 

ନିରୋଦ ନିଜକୁ ଅତି ଅସହାୟ ମନେ କରି ପାଖରେ ପଡ଼ିଥିବା ମାଣ୍ତିଟି ଉପରକୁ ଆଉଜିପଡ଼ିଲେ । ମାଣ୍ତିତଳେ ରହିଥିଲା ବୁଲ୍‍ବୁଲ୍‍ର ବରର ହରିଣ, ଶୁଆ । ମାଣ୍ତି ଉପର ଚାପପାଇ ଖେଳଣା ଦୁଇଟି ଚେଏଁ ଚେଏଁ ଶବ୍ଦ କରିଉଠିଲେ । ନିରୋଦ ଆଉ ସମ୍ଭାଳି ପାରିଲେ ନାହିଁ । କଣ୍ଢେଇ ଦୁଇଟିକୁ ଚାହିଁ ତାଙ୍କର ଆଖିରୁ ଲୋତକର ଅବିରାମ ସ୍ରୋତ ଛୁଟି ଚାଲିଲା, ତାଙ୍କ ଜୋତାର ଲେସ୍‌ ନେଇ ସେଦିନ ସେ ଖେଳଣା ଦୁଇଟି ବାନ୍ଧି ଥିବାରୁ ବୁଲ୍‍ବୁଲ୍‍କୁ ଅତି ନିର୍ଦ୍ଦୟଭାବେ ଆଘାତ କରିଥିଲେ । ପିଲାଟି ତୁହାଇ ତୁହାଇ କାନ୍ଦି କାନ୍ଦି କହି ଉଠିଥିଲା, ସେ ଆଉ ଏପରି କରବ ନାହିଁ । ଷ୍ଟଡ଼ି ଟେବୁଲ ଉପରେ ବସି ସେ କିପରି ତାଙ୍କ ଫାଇଲି ପଢ଼ୁଥିଲା । ସମ୍ବାଦ ପତ୍ର ପୃଷ୍ଠା ସେ କିପରି ଲେଉଟାଉ ଥିଲା ଇତ୍ୟାଦି କଥା ନିରୋଦଙ୍କ ମନେପଡ଼ି ସେ ବିବ୍ରତ ହୋଇଉଠିଲେ ।

 

ବୁଲ୍‍ବୁଲ୍ ବେଳେବେଳେ ଛୋଟ ଛୋଟ ପଥର ତା’ ପକେଟ୍‌ରେ ପୂରାଇ ଶୋଇଯାଏ । ନିଦ ଭାଙ୍ଗିଯିବା ଆଶଙ୍କାରେ ରୀତି ସଙ୍ଗେ ସଙ୍ଗେ ସେ ସବୁ କାଢ଼ି ନ ଥାନ୍ତି । ମାତ୍ର ନିରୋଦ ସେସବୁ ଦେଖି ବିରକ୍ତ ହୁଅନ୍ତି । ପିଲାକୁ ନଷ୍ଟ କରିବାର ଏସବୁ ସହଜ ଉପାୟ ବୋଲି କହି, ସେ ରୀତାକୁ ଭର୍ତ୍ସନା କରନ୍ତି ଏବଂ ସଙ୍ଗେସଙ୍ଗେ ବୁଲ୍‍ବୁଲ୍‍କୁ ଉଠାଇ ତା’ ପକେଟରୁ ପଥର କାଢ଼ି ଫିଙ୍ଗିଦିଅନ୍ତି । କେବେକେବେ ରୀତାଙ୍କ ବାରଣ ସତ୍ତ୍ୱେ ସେ ତାକୁ ତଳେ ଶୁଆଇ ଦିଅନ୍ତି । ସେଦିନ ଭାବୁଥିଲେ ବୁଲ୍‍ବୁଲ୍‍କୁ ଭବିଷ୍ୟତ୍‍ରେ ଭଲ ମଣିଷଟିଏ କରିବାଲାଗି ଆଜିଠୁ ଶାସନ ପ୍ରୟୋଜନ । ମାତ୍ର ଆଜି ତାଙ୍କର ମନେହେଉଛି ସତେ ଯେପରି ସେ ତା’ ପ୍ରତି ଏକାନ୍ତି ନିର୍ଦ୍ଦୟ ଥିଲେ । ଶିଶୁଟି ହୁଏତ ସ୍ନେହପ୍ରୀତି ବଦଳରେ ପାଇଛି–ପିତାର ନିଷ୍ଠୁର ବ୍ୟବହାର । ତାଙ୍କ ହାତର ରବର ଖେଳଣା ଦୁଇଟି ଖସିପଡ଼ିଲା । ସେ ଶେଯ ଛାଡ଼ି ଯାଇ ବସିପଡ଼ିଲେ ଷ୍ଟଡ଼ିରୁମ ଚେୟାର ଉପରେ ।

 

ଚେୟାର ଉପରେ ବସି ସେ ବାହାର ବାରଣ୍ତାକୁ ଚାହିଁ ରହିଥାନ୍ତି । ସେହି ବାରଣ୍ତାରେ ବୁଲ୍‍ବୁଲ୍ ତା’ କାଠଘୋଡ଼ାଟି ଉପରେ ବସି ପାଟି କରୁଥିଲା, ‘‘ପଢ଼ିବି ପଢ଼ିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’’ ଆଜିବି ସେ ପ୍ରିୟ ଦରୋଟିକଣ୍ଠର ପ୍ରତିଧ୍ୱନି ନିରୋଦ ଶୁଣି ପାରୁଚନ୍ତି । ରୀତା ମଧ୍ୟ ସେହି ଏକ ପୁରାତନ ପ୍ରଶ୍ନବାଣରେ ଜଳିପୋଡ଼ି ମର୍ମାନ୍ତିକ ଯନ୍ତ୍ରଣା । ‘‘ମାମି, ବାପା କ’ଣ ଦୁଷ୍ଟାମି କରୁ ନ ଥିଲେ ?’’

 

ଟେବୁଲ ଉପରେ ରଖାଯାଇଥିଲା କେଇଟି ଛୋଟ ଛୋଟ ପଥର ଓ ଦୁଇ ତିନିଟି ଶାମୁକା । ମୁଁ ପ୍ରଶ୍ନକଲି, ‘‘ନିରୋଦ ଏସବୁ କ’ଣ ।’’ ‘‘ବୁଲ୍‍ବୁଲ୍‍ର’’ ସଂଗ୍ରହ । ଏଥିପାଇଁ ମୁଁ ତାକୁ ଅନେକବାର ମାଡ଼ ଦେଇଛି । ଗାଳି ଦେଇଛି । ମାତ୍ର ଆଜି ଏଇ ପଥର କେଇଟି ମୋତେ ବୁଲ୍‍ବୁଲ୍‍ର କୋମଳ ତନୁର ସ୍ପର୍ଶ ଦେଉଛି । ମୁଁ ଆଜି ଚାହୁଁଛି ମୁଁ ପଥର ହୋଇଯାଏ । ପଥର ହୋଇଗଲେ ଆତ୍ମା ହୁଏତ ମୋର ଶାନ୍ତ ହେବ ।’’ ମୁଁ ଆଉ ସମ୍ଭାଳିପାରିଲି ନାହିଁ । ସେମାନଙ୍କଠାରୁ ବିଦାୟ ନେଇ ଚାଲିଆସିଲି । ରୀତା ବୁଲ୍‍ବୁଲ୍‍ର ଫଟୋଟି ଉପରେ ପଡ଼ିଥିବା ଧୂଳିକୁ ଆପଣାର ଅଞ୍ଚଳରେ ଅତି ସରାଗରେ ପୋଛି ଆଣୁଥିଲେ । କିଛି ବାଟ ଚାଲିଆସିବା ପରେ ମୁଁ ପୁଣି ଥରେ ଫେରି ପଛକୁ ଚାହିଁଲି । କେଜାଣି ନିଜ ଅଜ୍ଞାତରେ ନୟନଦ୍ୱୟ ମୋର ଅଶ୍ରୁସଜଳ ହୋଇଉଠିଲା ।

Image

 

Unknown

ଅସମାପିକା

 

ନୂଆ ରାଜଧାନୀରେ ଅଚାନକ ଥଣ୍ତା ।

 

ବିନ୍ଦୁ କବାଟ ଝରକା ବନ୍ଦକରି ସାମାନ୍ୟ ଘୁମାଇ ପଡ଼ୁଛନ୍ତି । ଗାଁ ଛାଡ଼ି ଆସିବାର ଚାରିବର୍ଷ ହୋଇଗଲା । ଅଶୋକକୁ ବାଦ ଦେଲେ, ଏହି ରାଜଧାନୀରେ ସେ ଅରୁଣ ଓ ଅଜୟକୁ ଜନ୍ମ ଦେଇଛନ୍ତି । ତେବେ ପଡ଼ୋଶୀ ଘରବାଲାଙ୍କୁ ସେ ଜାଣନ୍ତି ନାହିଁ । ଜାଣନ୍ତି ନାହିଁ, କହିବାଟା ଠିକ୍‌ ହେବ ନାହିଁ; ବରଂ କହେ ଆନ୍ତରିକତା ନାହିଁ । ଏଇ ଦୁଇମାସ ହେବ ପାଖ କ୍ୱାଟର ଖାଲି ପଡ଼ିଥିଲା । ଚାରି ଛ ଦିନ ହେବ ସେ ଘରକୁ ଜଣେ ନୂଆ ଲୋକ ଆସିଛନ୍ତି । ବାବୁ, ତାଙ୍କ ଝିଅ, ଆଉ ଚାକର ପିଲାଟିଏ । ବାବୁଙ୍କ ସ୍ତ୍ରୀ ଆସି ନାହାନ୍ତି । ପରେ ଆସିବେ । ଝିଅଟି କଲେଜରେ ପଢ଼ୁଛି । ନୂଆକରି ଦେହରେ ବୟସ ଲାଗିଛି । ସବୁ ଝିଅଙ୍କ ଜୀବନରେ ଏମିତି ବୟସ ଆସେ । ସ୍ୱପ୍ନ ଦେଖିବା ବୟସ । ଏତେବେଳେ ତେଲଲୁଣର କଥା ସେ ବା ଭାବନ୍ତା କାହିଁକି । ସବୁବେଳେ ଚଞ୍ଚଳ, ଢଳଢ଼ଳ । ଶ୍ରାବଣୀର କୂଳଉଛୁଳା ତଟିନୀ ପରି । ରାସ୍ତାରେ କାହାର ଜୋତାଶବ୍ଦ ଶୁଣିଲେ ସେ ଝରକାର ପର୍ଦ୍ଦା ଟେକି ଚାହେଁ । ବିନ୍ଦୁଙ୍କ ମନରେ ଝିଅଟି ବେଶ୍‌ କୌତୁହଳ ସୃଷ୍ଟି କରିଥିଲେ ମଧ୍ୟ ସେ ତାକୁ କିଛି ପଚାରି ନାହାନ୍ତି ।

 

ବିନ୍ଦୁ ଚୁପ୍‌ଚାପ୍ ହୋଇ, କାନ୍ଥରେ ଝୁଲୁଥିବା କ୍ୟାଲେଣ୍ତରକୁ ଚାହିଁ ପଡ଼ି ରହିଥାନ୍ତି । ପିଲା ତିନୋଟି ଯାହା ଚବର ଚବର ହେଉଥାନ୍ତି । ବାକି ସବୁ ଶାନ୍ତ । ପ୍ରଥମେ ଯେତେବେଳେ ବିନ୍ଦୁ ଏଇ ରାଜଧାନୀକୁ ଆସିଲେ...ଅଫିସବେଳେବି ନରେନ୍ଦ୍ର ଚାଲିଆସନ୍ତି ବସାକୁ । କିଛି ସମୟ ତାଙ୍କ ପାଖରେ କଟାଇ ଯାନ୍ତି । ସ୍ୱାମୀଙ୍କ ଓଠର ସ୍ପର୍ଶର ସମସ୍ତ ଉଷ୍ଣତା ନଷ୍ଟ ହୋଇଯିବା ପୂର୍ବରୁ ବିନ୍ଦୁ ସ୍ୱାମୀଙ୍କ ହାତରେ ଧରାଇ ଦିଅନ୍ତି ଚା’ କପ୍‌ଟିଏ । ତରତର ଚା’ ଢୋକି ଦେଇ ସେ ଫେରନ୍ତି ଅଫିସକୁ । ପୁଣି ଆସନ୍ତି ପାଞ୍ଚଟାବେଳେ, ସମସ୍ତେ ଯେତେବେଳେ ଘରକୁ ଆସନ୍ତି ଅଫିସ ଛୁଟି ହେଲେ । ଆଜିକାଲି ମଝିରେ ମଝିରେ ଘରକୁ ଆସିବା ବନ୍ଦ ହୋଇଗଲାଣି । ପିଲାମାନେ ବଡ଼ ହୋଇଗଲେଣି । ବସାକୁ ଆସିଲେ ସମସ୍ତଙ୍କ ପାଇଁ ପୁଣି ନିଆଁ ଜାଳ, ପାଣି ଗରମ କର, ଚା’ କର, ବାର ହେଙ୍ଗାମ । ସେ ଚାହାନ୍ତି ନାହିଁ ପିଲାମାନେ ତାଙ୍କର ଚା’ ଖାଇବା ଅଭ୍ୟାସ ବଢ଼ାନ୍ତୁ ।

 

ଅଫିସ ଫେରିବା ବେଳ ହୋଇଯିବା ଦେଖି ବିନ୍ଦୁ ବିଛଣା ଛାଡ଼ିଲେ । ଦେହ ଭିଡ଼ିମୋଡ଼ି ଲାଗୁଥିଲେ । ସମସ୍ତଙ୍କ ଲାଗି ଜଳଖିଆ କରିବେ । ନରେନ୍ଦ୍ର ଘରେ ପଶି ଡ୍ରଇଂରୁମ୍‌ରେ ପଡ଼ିଥିବା ଦୈନିକ ସମାଜଟା ପ୍ରତି ସ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, ‘‘କ’ଣ ଦେଖି ପାରୁଛଟି ?’’

 

–‘‘ପିଲେ କେହି ଚିରିଛନ୍ତି । କାହିଁକି ଗୋଟାଏ ଚିଡ଼୍‌ଚିଡ଼୍‌ ହେଉଛି ? ଅଫିସରୁ ଆସୁ ଆସୁ ମୋ ସାଙ୍ଗରେ ଲଗେଇବାକୁ ଆରମ୍ଭ କରି ଦେଲାଣି ।’’

 

‘‘ହଁ, ବୁଝୁଛି । ତମ ପିଲା କେହି ଚିରିଛନ୍ତି । ମାତ୍ର ତାଙ୍କ ମା ସାହାବାଣୀ ଏଠାରେ କ’ଣ କରୁଥିଲେ ? ଥରେ କହିଲି, ଦୈନିକଗୁଡ଼ା ସାଇତି ରଖିବାକୁ...ନା, ହେଲାନି । ଧନ୍ୟ ଧନ୍ୟ...ମଣିଷ...ନା, ହେବ ନାହିଁ...ଏ ଘରେ କିଛି ହୋଇପାରିବ ନାହିଁ ।’’

 

ହଠାତ୍‌ ବିନ୍ଦୁ ଚଢ଼ାଗଳାରେ ଉତ୍ତର କଲେ, ‘‘ଥରେ ପରା ମନା କରିଥିଲି, ପୁଣି କହିଲ ? ତମ ପିଲା କ’ଣ କହୁଛ ? ଏମାନେ କ’ଣ କେବଳ ମୋରି ପିଲା, ଆଉ ତମର ସେମାନଙ୍କ ସହିତ କିଛି ସମ୍ପର୍କ ନାହିଁ ?’’

 

‘‘ନା, ସେମାନଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ, ସେମାନେ ସମସ୍ତେ ତମରି ପିଲା ।’’

 

–‘‘କ’ଣ ହେଲା ? ତମ ସହିତ ସେମାନଙ୍କର କିଛି ସମ୍ପର୍କ ନାହିଁ ?’’

 

–‘‘ନା, ମୋର କିଛି ସମ୍ପର୍କ ନାହିଁ ।’’

 

–‘‘ମୁଁ ଆସିଲାବେଳେ ତେବେ ଏମାନଙ୍କୁ ମୋ ବାପଘରୁ ଧରି ଆସିଥିଲି, ନୁହେଁ ? କୁହ, କ’ଣ କହୁଛ ଭଲ କରି କୁହ, କଥା ଗୋଳଉଛ କାହିଁକି ?’’

 

–‘‘ନା, ଏମାନଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ ।’’

 

–‘‘ତେବେ ଏମାନଙ୍କୁ କ’ଣ ମୁଁ ଏକା ଏକା ଜନ୍ମ କରିଛି ?’’

 

–‘‘ହେଇଥିବ, ମତେ ସେ ସବୁ ପଚାରି ବିରକ୍ତ କରନି । ଯା, ତମ ବାପାଙ୍କୁ ପଚାରିବ, ଏ ପିଲାମାନେ କାହାର । ମୁଁ ଯାହା ପଚାରିଛି ଉତ୍ତର ଦିଅ–ଆଜିର ସମାଜଟା ଚିରିଲା କିଏ ? ତମେ ଏଠି କ’ଣ କରୁଥିଲ ? ମୁଁ କେତେ ଥର କହିଲି ଏ କାଗଜ ହୋଇ ରହିବ !’’

 

ବିନ୍ଦୁ ରାଗିଯାଇ କହିଲେ, ‘‘କ’ଣ ହେଲା, ଏ ପିଲାମାନେ କାହାର, ମୋ ବାପାଙ୍କୁ ପଚାରିବି ? ଲାଜ ଲାଗୁନି, ମୋ ବାପାଙ୍କୁ ପୁଣି ଏ କଥା ପଚାରିବାକୁ ତମେ କହିପାରୁଛ ? ମୁଁ କିଛି କହିପାରିବିନି ଏ କାଗଜ ଫାଗଜ କିଏ ଚିରିଲା ।’’

 

–‘‘କନ୍ୟାରତ୍ନ ତିଳୋତ୍ତମାଙ୍କୁ ଯେତେବେଳେ ଦାନ କରିଛନ୍ତି ସେତେବେଳେ ପାଟିରେ ଶହେ ଚଉରାଳିଶ । ୟାଙ୍କୁ କେହି କିଛି କହି ପାରିବେ ନାହିଁ । ୟାଙ୍କ ବାପାଙ୍କୁ କେହି କହିପାରିବେ ନାହିଁ । ୟାଙ୍କ ଘରବାଲାଙ୍କୁ କେହି କହିପାରିବେ ନାହିଁ । ୟାଙ୍କ ଗାଁବାଲାଙ୍କୁ କେହି କିଛି କହିପାରିବେ ନାହିଁ । ଉଠ, ଗୁଡ଼ାଏ ବକ୍‌ବକ୍‌ କରନି । ମୁଁ ସାଫ୍‌ ସାଫ୍‌ କହିଦେଉଛି ।’’ ଆରାମ୍‌ ଚେୟାର୍‌ରେ ଆଉଜି ବସୁ ବସୁ ନରେନ୍ଦ୍ର ପୁଅମାନଙ୍କ ଆଡ଼କୁ ଅନେଇ କହିଲେ, ‘‘ଆରେ, ଏ କାଗଜ କିଏ ଚିରିଲା-? ଦିନେ ପରା ମନା କରିଥିଲି । ଆଉଦିନେ ଏପରି କରିଛ ତ ଦେଖିବ...ମାରି ମାରି ଗାଲ ପିତା କରିଦେବି ।’’

 

ଏ ମଧ୍ୟରେ ବିନ୍ଦୁ ଶାଢ଼ି ବଦଳାଇ ଆସି ନରେନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ । ହାତରେ ହ୍ୟାଣ୍ତବ୍ୟାଗ୍‌ ।

 

–‘‘ତୁମେ ତୁମ ପିଲାମାନଙ୍କୁ ରଖ, ମୁଁ ଆମ ଘରକୁ ଚାଲିଲି ।’’

 

–‘‘ଯାଇପାର ।’’ ସାମାନ୍ୟ ଗମ୍ଭୀର ହୋଇ ନରେନ୍ଦ୍ର କହିଲେ ।

 

ଏପରି ଏକ ଉତ୍ତର ବିନ୍ଦୁଙ୍କୁ ଆଘାତ ଦେଲା । ରାସ୍ତାରେ ଯାଉଥିବା ରିକ୍‌ସାକୁ ସେ ଡାକିଲେ । ସମୟ ଛ’ଟା । ଆଉ କେଇ ମିନିଟ ପରେ ପୁରୀ ଏକ୍‌ସପ୍ରେସ ଛାଡ଼ିବ । ଏଇ ଗାଡ଼ିରେ ସେ ବାପଘର ଯିବେ । ଯିବା ପୂର୍ବରୁ ଅଶୋକକୁ ଡାକି କହିଲେ–‘‘ଟିଫିନ କ୍ୟାରିୟରରେ ଛତୁଆ ଅଛି, ନେଇ ଖାଇବ । କାଠବାଲୀ ଉପରେ ପଇସା ବାକି ଅଛି । ଏଥର କାଠ କିଣିଲାବେଳେ କାଟିଦବ ।’’ ଅଶୋକ ଟିକେ ବଡ଼ ହେଇଗଲାଣି । ଚୁପ୍‍ଚାପ୍‌ ଠିଆହୋଇ ସବୁ ଶୁଣୁଥାଏ । ଅରୁଣ ଶୀତ ହେତୁ ରେଜେଇ ଭିତରେ ଚୁପ୍‌ଚୁପ୍‌ ଶୋଇ ଜୁଳୁ ଜୁଳୁ ହୋଇ ଚାହିଁ ରହିଥାଏ । ବିନ୍ଦୁ ସାନଟିକୁ କାଖରୁ ଓହ୍ଲାଇ ନରେନ୍ଦ୍ରଙ୍କୁ ବଢ଼ାଇଦେଲେ । ଛୋଟ ପିଲାଟି ମଧ୍ୟ ବାପ କୋଳରୁ ଚାଲିଗଲା । ‘‘ନିଅ, ତମ ପିଲାଙ୍କୁ ରଖ’’ କହି ସେଲ୍‌ଫ ଆଡ଼େ ହାତଠାରି ସ୍ୱାମୀଙ୍କୁ କହିଲେ–‘ସେଠି ଅଜୟର ମେଡ଼ିସିନ୍‌ ଅଛି । ଅଧପାନ କରି ଦି ବେଳା ଖୁଆଇବ ।’’ ବିଦାୟ ମୁହୂର୍ତ୍ତରେ ବିନ୍ଦୁଙ୍କ ଆଖିରୁ ଧାର ଧାର ଲୁହ ବୋହିଆସିଲା । ପିଲାମାନେ ତାଙ୍କର ଏଠି କିପରି ରହିବେ, ସେଇକଥା ଭାବି ଗୋଟିଏ ପାଦ ଘରେ, ଆଉ ଗୋଟିଏ ପାଦ ପାହାଚରେ । ନରେନ୍ଦ୍ର ଦେଖିଲେ ଅବସ୍ଥା ସାଂଘାତିକ । ଗାଡ଼ି ବେଳ ହୋଇଗଲା । ନରେନ୍ଦ୍ର ଚୌକିରୁ ଉଠିଆସି ବିନ୍ଦୁଙ୍କ ହାତ ଟାଣି କହିଲେ, ‘‘ଆଜି ଡ୍ରାମା ଏତିକି ଥାଉ । ତମେ ମୋର ସ୍ତ୍ରୀ । ତମକୁ ମୋର ପଦେ କହିବାର ଅଧିକାର ଅଛି, ଏ କଥା ତମେ ଭୁଲିଯାଉଛ କାହିଁକି ? ଏବେ ଜରୁର୍ ଉଠିଛ; ଏ ଥଣ୍ତାରେ କୁଆଡ଼େ ଯିବ ? କାଲିଠୁ ଅଶୋକର ପରୀକ୍ଷା । ଏତିକିବେଳେ ତମେ ବାହାରିଲ ତମ ଘରକୁ ?’’

 

ବିନ୍ଦୁ ହାତ ଟାଣିନେଇ କହିଲେ, ‘‘ଛାଡ଼ ମତେ କହୁଛି । ମୁଁ ତୁମ ପାଖରେ ଆଉ ଦଣ୍ତେ ରହିପାରିବିନି । ମୁଁ ଆମଘରକୁ ଯାଉଛି ।’’ ନରେନ୍ଦ୍ର ହ୍ୟାଣ୍ତବ୍ୟାଗଟି ବିନ୍ଦୁଙ୍କ ହାତରୁ ଛଡ଼ାଇ ଆଣି ଘରେ ରଖିଦେବା ପାଇଁ ଅଶୋକକୁ ଦେଲେ ।

 

ରିକ୍‌ସାର ଲାଇଟ୍‌ ଜଳାଉ ଜଳାଉ ରିକ୍‌ସାବାଲା କହିଲା, ‘‘ମା, ଏଇ ତ ଗାଡ଼ି ଛାଡ଼ିଲା । ଆଉ ଷ୍ଟେସନ କାହିଁକି ଯିବ ?’’ ପକେଟରୁ ଦଶଟି ପଇସା କାଢ଼ି ରିକ୍‌ସାବାଲାକୁ ଦେଉ ଦେଉ ନରେନ୍ଦ୍ର କହିଲେ–‘‘ତୁ ଚାଲିଯା ।’’ ରିକ୍‌ସାକୁ ବିଦାକରି ନରେନ୍ଦ୍ର ଘରେ ପାଦ ଦେଇଛନ୍ତି କି ନାହିଁ ଲାଇଟ୍‌ ଅଫ୍‌ ହୋଇଗଲା ।

 

–‘‘ଲାଇନ୍‌ ଆଜିବି ଖରାପ ହେଲାଣି । ମହମବତି ଅଛି ଲଗାଅ ତ ।’’

 

–‘‘ପାଉନି ।’’

 

ସେଲ୍‌ଫରୁ ମହମବତିଟି ଖୋଜି ବାହାର କରିବାରେ ସ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ନରେନ୍ଦ୍ର ଷ୍ଟୋରରୁମ୍‌ରେ ପ୍ରବେଶ କଲେ ।

ଅନ୍ଧକାର ମଧ୍ୟରେ ଅରୁଣ ଅଶୋକକୁ ପଚାରିଥିବା ପ୍ରଶ୍ନଟି ସ୍ପଷ୍ଟ ଶୁଣି ହେଉଥାଏ–

 

–‘‘ଭାଇ, ଆମେ ପିଲାମାନେ ତେବେ କାହାର ? ବାପାଙ୍କର ନା ମା’ର ?’’

 

–‘‘କ’ଣ ଶୁଭୁଛିଟି ? ଅରୁଣ କ’ଣ ପଚାରୁଛି ?’’ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ପଚାରିଲେ ବିନ୍ଦୁ-

 

-‘‘ହଁ,...ମହମବତି ପାଇଲ ?’’

 

–‘‘ନା, ଡିଆସିଲିଟା ପାଇଲି । ଉପର ଥାକରେ ଟିଣ ଉପରେ ମହମବତି ବୋଧେ ଅଛି-। ତମେ ଟିକେ ଦେଖ ।’’

 

ନରେନ୍ଦ୍ର ମହମବତି ଖୋଜି ଚାଲିଛନ୍ତି । ଆଲୁଅ ଜଳିଉଠିଲା । ଛିନ୍ନ ଦୈନିକ ସମାଜଟି ପୂର୍ବପରି ପଢ଼ା ଟେବୁଲ ଉପରେ ପଡ଼ିଥିବାର ଦେଖା ଯାଉଥାଏ । ସତେ ଯେପରି ଏଇ ଛିନ୍ନ ଦୈନିକ ସମାଜଟି ଦାମ୍ପତ୍ୟ କଳହକୁ ଉପହାସ କରିଉଠୁଥିଲା ।

Image

 

ଢେଉର ବ୍ୟଥା

 

କୁମାରୀ ଇନ୍ଦ୍ରାଣୀ ଶିକ୍ଷା ବିଭାଗର ଜନୈକା ପ୍ରଥମ ଶ୍ରେଣୀ ଅଫିସର, ପୋର୍ଟ ଏରିଆର କ୍ୱାଟର ନମ୍ବର ଟେନ୍‌ରେ ସେ ରହନ୍ତି । ବୟସ ଅଠଚାଳିଶ ଟପିଗଲାଣି । ତଥାପି ନିଜକୁ ସୁନ୍ଦରଭାବେ ସଜାଇବା, ବେଶପାଟି ପ୍ରତି ତୀକ୍ଷ୍ଣ ଦୃଷ୍ଟିଦେବାରେ ସେ ସାମାନ୍ୟତମ ଅବହେଳା କରନ୍ତି ନାହିଁ । ତାଙ୍କ ଚାହାଣିରେ ଥାଏ ଝରା ଶେଫାଳୀର କୋମଳତା, କଥାରେ ନଦୀଶଯ୍ୟାର ବାଲୁକା ରାଶିର ସ୍ନିଗ୍‌ଧତା, ବ୍ୟବହାରରେ ଶରତ ଆକାଶର ନୀଳିମା । ଭ୍ରମରେ ଯଦି ତାଙ୍କୁ କେହି କେବେ ପ୍ରଶ୍ନ କରେ, ତାଙ୍କର ସନ୍ତାନସନ୍ତତି କେତେଗୋଟି, ତେବେ ସେ ଭୀଷଣ ଅପମାନ ବୋଧ କରନ୍ତି । ସାମାନ୍ୟ ଗମ୍ଭୀର ହୋଇ ଉତ୍ତର କରନ୍ତି, ସେ ଗୌରବର ଅଧିକାରିଣୀ ହେବାପାଇଁ ସେ କେବେ ଲାଳାୟିତ ନୁହନ୍ତି, ସନ୍ତାନ ସନ୍ତତିଙ୍କର ମା ହେବାର ସ୍ୱପ୍ନତାଙ୍କୁ କେବେ ବିବ୍ରତ କରିନାହିଁ ବା କରିପାରିବ ନାହିଁ ।

 

ଆପଣାର ଗତାୟୁ ଯୌବନକୁ ଟାଣି ରଖିବାପାଇଁ ଶ୍ୱେତ କେଶ ରାଜିକୁ ଚିରକୃଷ୍ଣାୟିତ ରଖିବାପାଇଁ ଆଧୁନିକ ସଭ୍ୟତାର ଅବଦାନ କେତେଗୁଡ଼ିଏ ଅଙ୍ଗରାଗ ଓ ରାସାୟନିକ ପ୍ରଲେପ ଇନ୍ଦ୍ରାଣୀକୁ ଯେପରି ସାହାଯ୍ୟ କରିଥାଏ, ନିଜର କ୍ୱାଟର ସମ୍ମୁଖସ୍ଥ କ୍ଷୁଦ୍ର ଉଦ୍ୟାନଟିକୁ ସବୁଜ ସୁନ୍ଦର କରି ରଖିବାରେ ସେହିପରି କେତେଗୋଟି ମାଳାକାର ତାଙ୍କୁ ଯଥେଷ୍ଟ ସାହାଯ୍ୟ କରିଥାନ୍ତି । ତାଙ୍କର ସେହି କ୍ଷୁଦ୍ର କାନନର ପ୍ରଶଂସା କଲେ, ଛୋଟ ଶିଶୁଟିଏ ଆକାଂକ୍ଷିତ କ୍ରୀଡ଼ନକ ପାଇଲା ପରି, ନୂତନ ଲେଖକ ନିଜର ପ୍ରଶଂସା ଶୁଣିଲା ପରି ସେ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠନ୍ତି । ଅନେକ କିଛି କହିଯାଆନ୍ତି । ଏଇ ଚାହାନ୍ତୁ, ରକ୍ତ ଗୋଲାପ, କ୍ରୋଟନର ନୂତନ ପୁଷ୍ପଗୁଚ୍ଛ, ରକ୍ତ ପଲାଶ, ସ୍ଥଳପଦ, ନୀଳକଇଁ, ରାଧାତମାଳ, ପଦ୍ମପତ୍ରରେ ହୀରକର ଶିଶିର ବିନ୍ଦୁ...ଓ...ଇତ୍ୟାଦି । ନିଜ ହାତରେ ପାଣି ଦେଇ ବଢ଼ାଇଛନ୍ତି, ପ୍ରତିଟି ଫୁଲର ଇତିହାସ...କେଉଁ ଦେଶରେ କା’ର ଜନ୍ମ...ଏଇ ମାଟି ପାଣି ପବନରେ କିଏ କିପରି କେତେଦୂର ନିଜକୁ ସାମିଲ କରି ନେଇଛି । ଚନ୍ଦ୍ର ରାତିରେ ଏଇ ରାଧାତମାଳ ଫୁଲଗୁଡ଼ିକ ଭାରି ସୁନ୍ଦର ଦିଶେ । କେବେ ଲକ୍ଷ୍ୟ କରିଛନ୍ତି ? ମନ୍ଦ ସମୀରଣରେ ଏଇ ପୁଷ୍ପର ସୁରଭି ନିଜର କ୍ଷୁଦ୍ର ପରିବେଶଟିକୁ ମୋର ସୁବାସିତ କରିଥାଏ ।

 

କେବଳ ନିଜ ରୂପକାନ୍ତି ନୁହେଁ, ଛୋଟ ବଗିଚାଟି ନୁହେଁ, ଇନ୍ଦ୍ରାଣୀଙ୍କ ପ୍ରତ୍ୟେକ ଜିନିଷ ତାଙ୍କରି ପରି ସୁନ୍ଦର, ସୁସଜ୍ଜିତ, ସୁରକ୍ଷିତ, ଲୋଭନୀୟ । ସେସବୁ ସଙ୍ଗରେ ଧରି ଚାଲିଆସିବାର ଅବକାଶ ନ ଥିଲେ ମଧ୍ୟ ଥରେ ମାତ୍ର ଆଖିପୂରାଇ ଦେଖି ନେବାରେ ବାସନା ସହଜରେ ଦର୍ଶକ ସମ୍ବରଣ କରିପାରେ ନାହିଁ । ତାଙ୍କ ଡ୍ରଇଂରୁମ୍‌ରେ ଦେଖିବ, କାଶ୍ମୀରର କାରପେଟ, ଡନ୍‌ଲପ ସୋଫାସେଟ୍‌ । ବାତାୟନ ଓ ଦ୍ୱାର ଦେଶରେ ଅତ୍ୟାଧୁନିକ ଧରଣର ପରଦା, କାନ୍ଥରେ ଫ୍ରେଞ୍ଚ ଆର୍ଟିଷ୍ଟର ଅଲଟ୍ରା ମଡ଼ର୍ଣ୍ଣ ଶିଳ୍ପସମ୍ଭାର । ବାରଣ୍ତାରେ ଦେଶୀ ବିଦେଶୀ ଫୁଲର ଲତାରାଜି ।

 

ବଡ଼ ବିଚିତ୍ର ଏଇ ଇନ୍ଦ୍ରାଣୀ । ତାଙ୍କ ସୁସଜ୍ଜିତ ପୁଷ୍ପରାଜି, ଜିନିଷପତ୍ର, ପୁସ୍ତକ ଇତ୍ୟାଦିର ପ୍ରଶଂସା କଲେ ସେ ନବଘନ ଦର୍ଶନରେ ମୟୂର ପରି ନାଚିଉଠନ୍ତି; ମାତ୍ର ନିଜର ରୂପକାନ୍ତି, ବେଶ୍ ପରିପାଟିର କେହି ପ୍ରଶଂସା କଲେ ସେ ଅସମ୍ଭବଭାବେ ଗମ୍ଭୀର ହୋଇଉଠନ୍ତି । ଏପରି ପ୍ରଶଂସା ପ୍ରତି ସେ ଯେ ଏକାନ୍ତ ଉଦାସୀନ, ତାହା ତାଚ୍ଛଲ୍ୟକରି ଜଣାଇ ଦିଅନ୍ତି । ଏପରି ପ୍ରଶଂସାକୁ ସେ ଘୃଣା କରନ୍ତି ବୋଲି ପ୍ରକାଶ୍ୟରେ କହନ୍ତି । ନାରୀର ମନକୁ ଛୁଇଁବାକୁ, ଦୁର୍ବଳ କରି ଦେବାକୁ ପୁରୁଷ ଜାତିର ଏ ହେଲା ସାମାନ୍ୟତମ ଭୂମିକା...ପାସ୍‌ପୋର୍ଟ...ନା, ନା, ତାଙ୍କର ପ୍ରୟୋଜନ ନାହିଁ ଅନ୍ୟ ମୁହଁରେ ନିଜ ବେଶ ପୋଷାକ ଓ ରୂପରାଜିର ପ୍ରଶଂସା ଶୁଣିବା । ଏହି ସାମାନ୍ୟତମ ଭୂମିକାରୁ ସୃଷ୍ଟି ହୁଏ ମହାକାବ୍ୟ । ସାଧାରଣ ସ୍ତରରୁ ଏହାଦ୍ୱାରା ନାରୀକୁ ବହୁ ତଳକୁ ଟାଣି ନିଆଯାଇଥାଏ । ଅକ୍ଳାନ୍ତ ଉଦ୍ୟମ ତା’ର ବ୍ୟର୍ଥ ହୋଇଥାଏ । ସେ ଆଉ ଊର୍ଦ୍ଧ୍ୱଗାମୀ ହୋଇପାରେ ନାହିଁ । ଖସିଗଲା ପାଦ ତଳକୁ ତଳକୁ ଯାଏଁ । ଖିଆଲି ପୁରୁଷର ସେ ହୁଏ ଶିକାର । ସେହି ଶରାଘାତରେ ବ୍ୟଥିତା ହୋଇ ନାରୀ କାତର ପ୍ରାର୍ଥନା କରିଉଠେ; ‘‘ହେ, ମା ଧରିତ୍ରୀ ! ତୁ ଫାଟି ଯା...ତୋରି ଗର୍ତ୍ତରେ ମୁଁ ନିଜକୁ ଲୁକ୍କାୟିତ କରିନିଏ । ସାମାନ୍ୟ ଆଶ୍ୱସ୍ତ ହୁଏ । ନା, ବଞ୍ଚି ଥାଉ ଥାଉ ଏସବୁର ପୁନରାବୃତ୍ତି କରିବାପାଇଁ ଇନ୍ଦ୍ରାଣୀ କେବେ କୌଣସି ପୁରୁଷକୁ ସୁଯୋଗ ଦେବେ ନାହିଁ । ପୁରୁଷ ହାତର ଆଲୋକ ପ୍ରଦୀପରେ ସେ ନିଜେ ପତଙ୍ଗପରି ଝାସ ଦେଇ ନିଜକୁ କ୍ଷତବିକ୍ଷତ କରି ମୃତ୍ୟୁ ଅଭିମୁଖରେ ନିଜକୁ ଟାଣି ନେଇପାରିବେ ନାହିଁ ।

 

ସେ ଘୃଣା କରନ୍ତି ପୁରୁଷର ସାନ୍ନିଧ୍ୟ । ସେ କହନ୍ତି, ପୁରୁଷର ବାହୁବନ୍ଧନ ତଳେ ନାରୀ ନିଜର ନିଜସ୍ୱ ହରାଏ । ନାରୀ ପକ୍ଷେ ଏହା ଏକ ବିରାଟ ଦୁର୍ବଳତା । ଏହାର ସୁଯୋଗ ନେଇ ପୁରୁଷ ଭ୍ରମରପରି ଗୋଲାପରୁ ମଧୁ ସଂଗ୍ରହ କରିନିଏ ଓ ନାରୀପାଇଁ କେବଳ ରହିଯାଏ କଣ୍ଟକର ବ୍ୟଥା । ସ୍ୱପ୍ନରେ ପାଗଳ ହୋଇ ପୁରୁଷ ତା’ର ମନ ଓ ଦେହର କାମନା ଚରିତାର୍ଥ କରେ, ମାତ୍ର ନାରୀ ଜନନୀ ହେବାର ଗୁରୁଦାୟିତ୍ୱ ବହନ କରେ । ନାରୀକୁ କ୍ରୀଡ଼ନକ କରି ନୃତ୍ୟ କରିବାରେ ପୁରୁଷ ପାଏ ଅପାର ଆନନ୍ଦ...ନା, ସେ ଚିରାଚରିତ ପଥର ଯାତ୍ରୀ ହେବେ ନାହିଁ । ସେ କରିବେ ନୂତନ ତୀର୍ଥର ସନ୍ଧାନ...ନୂତନ ସଂକଳ୍ପ; ନୂତନ ପ୍ରତିଜ୍ଞା । ସେ ଆଜୀବନ ହୋଇ ରହିବେ ଅନାଘ୍ରାତ ପୁଷ୍ପ ।

 

ସେହି ସ୍ୱପ୍ନ...ସେହି ପ୍ରତିଜ୍ଞା ଆଜି ଅକ୍ଷୁଣ୍ଣ ରହିଛି । ଆଗାମୀ କାଲିର ଉଦୟନର ଆଗମନ ସଙ୍ଗେ ସଙ୍ଗେ ଇନ୍ଦ୍ରାଣୀ ଅଣଚାଳିଶ ସୀମା ସରହଦ୍ ଲଙ୍ଘନ କରି ଯାଇ ପହଞ୍ଚିଲେ ପଚାଶର ପ୍ରଥମ ପାବଚ୍ଛରେ ।

 

ଏହି ଅଣଚାଷ ବର୍ଷରେ ସେ କରିଛନ୍ତି କ’ଣ ? ନିଜର କର୍ମକୁଶଳତା ହେତୁ କ୍ଳାସ୍‌ ଓ୍ୱାନକୁ ଉନ୍ନୀତ ହୋଇଛନ୍ତି । ଲଣ୍ତନ ବିଶ୍ୱବିଦ୍ୟାଳୟରୁ ‘ଡକ୍‌ଟର’ ଉପାଧି ଲାଭ କରିଛନ୍ତି । ଗୋଟିଏ ପ୍ଳାଇମାଉଥ୍‌ ଗାଡ଼ି କିଣିଛନ୍ତି...ନୂଆ ରାଜଧାନୀରେ ଖଣ୍ତିଏ ଜମି କିଣିବାର ସମସ୍ତ ପ୍ରାରମ୍ଭିକ ଉଦ୍ୟମ କରି ସାରିଛନ୍ତି । ଗୋଟିଏ ସଫଳ ଜୀବନର ଆଧୁନିକ ବ୍ୟାଖ୍ୟା ସେ ଯଥାର୍ଥରେ ପ୍ରତିପାଦନ କରିଛନ୍ତି । ଆଉ ପ୍ରୟୋଜନ କ’ଣ ? ରିଫ୍ରିଜିରେଟର, ରେଡ଼ିଓ, ଫୋନ୍‌, ଫ୍ୟାନ୍‌ ? ଏତ ସବୁ ମାମୁଲି କଥା । ବହୁଦିନୁ ହୋଇସାରିଛି ।

 

ଆହା କି ତୃପ୍ତି ! କି ଆନନ୍ଦ...ଆକାଶର ମୁକ୍ତବିହଙ୍ଗ ପରି ସେ ସ୍ୱାଧୀନ । ତାଙ୍କ ପଥ ଅବରୋଧ କରିବାର ଅଧିକାର ଆଜି କାହାର ନାହିଁ । କାହାର ମର୍ଜି ଜଗି ବଞ୍ଚିରହିବାର ଗୁରୁ ବ୍ୟଥାରୁ ସେ ମୁକ୍ତ । ରାତ୍ରି ଆକାଶରେ ଚନ୍ଦ୍ର ଅସ୍ତ ଯାଉ, କାନ୍ଥଘଣ୍ଟାରେ ବାର ବାଜୁ ଦୁଇଟି ଅବା ସକାଳ ଆକାଶରେ ସୂର୍ଯ୍ୟ ହସିୁଠୁ, ସେ ପଢ଼ି ବସିବାପାଇଁ ଇଚ୍ଛା କଲେ ବାରଣ କରିବାକୁ କେହି ନାହିଁ । ମଝିରେ ଏଇ ଗୋଟାଏ ବ୍ରେକ୍‌, ଗୋଟାଏ ଚେଞ୍ଜପାଇଁ ଚା’ ଟିକେ କିମ୍ବା କଫି‌ଟିକେ ହିଟର୍‌ରେ ଗରମ କରିବାପାଇଁ ଯାହା ସମୟ ଲାଗିବ, କିଛି ଯାଏଁ ଆସେ ନାହିଁ । ତାହା ବରଂ ପ୍ରୟୋଜନ । ଗୋଳମାଳ କରିବାକୁ କେହି ନାହିଁ, ସେ ଟୁରରେ ଯିବେ । ଫେରୁ ଫେରୁ ଅଯଥା ବିଳମ୍ବ ହେଲେ କାରଣ ବୁଝାଇବା ନିମନ୍ତେ ନମ୍ବର ଟେନ୍‌ କ୍ୱାଟରରେ ସେ କାହା ନିକଟରେ ଦାୟୀ ନୁହଁନ୍ତି । ନିଜ ଗୃହର ମାଲିକ ସେ ନିଜେ । ନିଜେ ନିଜର ନିୟାମକ ।

 

କି ସୁନ୍ଦର ଏହି ଲାଲ ଗୋଲାପ । କଲିଜାର ରକ୍ତଠୁ ଆହୁରି ଲାଲ...ସକାଳ ସୂର୍ଯ୍ୟଠୁ ଆହୁରି ଲାଲ...ଶ୍ୱେତାଙ୍ଗୀ ଷୋଡ଼ଶୀ ଓଠର ରଙ୍ଗଠାରୁ ଆହୁରି ଅଧିକ ଲାଲ, ଲୋଭନୀୟ । ପ୍ରତିଦିନ କେତେ ଗୋଲାପ ଫୁଟି ମାଟିରେ ଝରିପଡ଼େ, ଦିନେ ଦିନେ ଇନ୍ଦ୍ରାଣୀ ଏଇ ଲାଲ ଫୁଲରୁ ଗୁଡ଼ାଏ ତୋଳିଆଣି ନିଜର ଶୁଭ୍ର ବିଛଣା ଚଦର ଉପରେ ପକାଇ ଶୋଇ ପଡ଼ନ୍ତି । କି କୋମଳ, ଫୁଲରୁ କେଇଟି ବୃନ୍ତକୁ ସେ ନିଜ ଦନ୍ତରେ କାମୁଡ଼ି କାମୁଡ଼ି ଖିନ୍ ଭିନ୍ କରି ଦିଅନ୍ତି । ସେହି ଫୁଲ ଉପରେ ସେ ଶୋଇ ଯାଆନ୍ତି । ଚିନ୍ତା ନାହିଁ, ଶୋଚନା ନାହିଁ । କୁମାରୀ ଭ୍ରୂଲତା ଉପରେ ନିଦ ବହଳ ହୋଇ ଆସେ । ସେ ନିଦ ତ୍ୟାଗକରି ଉଠନ୍ତି; ମାତ୍ର ଇନ୍ଦ୍ରାଣୀଙ୍କ ରାତ୍ରିବାସ ଓ ବିଛଣା ଉପରେ ରହିଯାଏ ଲାଲ ଗୋଲାପର ରଙ୍ଗ । କର୍ମରତ ଜୀବନର ପୁରସ୍କାର ସେ ଦିନେ ନିଶ୍ଚୟ ପାଇବେ । ରାଷ୍ଟ୍ରପତିଙ୍କ ପଦ୍ମଶ୍ରୀ ପଦବୀରେ ସେ ଭୂଷିତା ହୋଇଉଠିବେ । ଇନ୍ଦ୍ରାଣୀଙ୍କର ସ୍ୱପ୍ନ...ବସୁ କୁମାରୀଙ୍କ ପରି ତାଙ୍କ ଜୀବନ ପଥର ପାଥେୟ...ବିଳାସ । ସ୍ୱପ୍ନ, ତୁମେ ଦୀର୍ଘାୟୁ ହୁଅ ।

 

ଟେବୁଲ ଉପରେ କାଚର ଫୁଲଦାନୀ ଫୁଲରେ ସୁସଜ୍ଜିତ । ଇନ୍ଦ୍ରାଣୀଙ୍କ ନିର୍ଦ୍ଦେଶ ମତେ ପରିଚାରିକା ମଲ୍ଲୀଫୁଲର କୁଣ୍ତଟି ନେଇ ରଖି ଦେଇଆସିଛି...ତାଙ୍କର ବିଛଣା ନିକଟରେ । ମୁଦ୍ରିତ ମଲ୍ଲୀ କଳିକା ପ୍ରଷ୍ଫୁଟିତ ହୋଇଉଠିବ ରାତ୍ରିର ମଧ୍ୟାହ୍ନ ପ୍ରହାରରେ ସୁରଭି ବିତରଣ କରି, ଆକାଶର ତାରକାକୁ ଉପହାସ କରି । ସେହି ଫୁଲର ବାସ୍ନା ପ୍ରଥମେ ଉପଭୋଗ କରିବେ ଇନ୍ଦ୍ରାଣୀ । ଏଇ ମଲ୍ଲୀଫୁଲର ହାରରେ ବେଳେ ବେଳେ ଇନ୍ଦ୍ରାଣୀ ସଜାନ୍ତି ଆପଣାର କବରୀ । ମଲ୍ଲୀହାର ଇନ୍ଦ୍ରାଣୀଙ୍କ ବୟସ ଯଥେଷ୍ଟ କମାଇ ଦେଇଥାଏ, ଟିକ୍‌ଉଡ଼୍ ଖଟର ବେଢ଼ା ଦର୍ପଣରେ ନିଜର କବରୀର ଛାଇ ପ୍ରତିଫଳିତ ହୋଇଉଠେ । ଆପଣାର ରୂପ କାନ୍ତିକୁ ଚାହିଁ ସେ ପୁଣି ଶୋଇପଡ଼ନ୍ତି....ହାତ ପାଖରୁ ଖସି ଯାଇଥିବା ମାଣ୍ତିଟିକୁ ପୁଣି ପାଖକୁ ଟାଣି ନେଇଆସନ୍ତି ।

 

ସେ ଗଣିନେଲେ ଏକ...ଦୁଇ...ତିନି...ଚାରି...ଦଶଗୋଟି କଳିକା । ବୃନ୍ତ ପ୍ରସାରଣ କରି ଫୁଲରେ ପରିଣତ ହେବ । ନିଜ ହାତ ଲଗା ମଲ୍ଲୀ ଗଛର ଫୁଲ । କେତେ ସୁନ୍ଦର...ମଲ୍ଲୀକୁ ଛାଡ଼ି ଚାହିଁଲେ...ଗୋଲାପ ଗଛକୁ...ଫୁଲର ଭାରା ସହି ନ ପାରି ଡାଳ ଲାଗି ଯାଇଛି ତଳେ । ଟିକିଏ ଦୂରକୁ ରହିଛି । କାଚର ଛୋଟ କୁଣ୍ତ...ସେଥିରେ ନାଲି, ନେଳି ରଙ୍ଗର ଦେଶ ବିଦେଶର ମାଛ ବେଶ୍‌ ଖେଳି ବୁଲୁଛନ୍ତି ।

 

କାହିଁ କେହି ତ ଏଇ ଫୁଲରୁ ଗୋଟିଏ ନେଇ ତାଙ୍କୁ ଉପହାର ଦେଲା ନାହିଁ ! ଅନ୍ୟ ଦିନ କଥା ସ୍ୱତନ୍ତ୍ର, ଆଜି...ଜୟନ୍ତ ବାସରେ କେହି ତାଙ୍କ ଇଚ୍ଛା ବିରୁଦ୍ଧରେ ଏହି ଦଶ ଗୋଟି କଳିକାରୁ ଗୋଟିଏ ଛିଣ୍ତାଇନେଇ ଫିଙ୍ଗି ଦେବାକୁ ସାହସ କରି ନାହିଁ । ସେ ଫେରିଚାହିଁଲେ ଅତୀତକୁ...ଦୂର ଅତୀତକୁ...ସନ୍ଧ୍ୟା ଗୋଧୂଳିରେ ଝାପ୍‌ସା ଝାପ୍‌ସା ଦିଶୁଛି...ଛାତ୍ରୀ ନିବାସ...ସେ ଆସିଥିଲେ କଲେଜକୁ ଉଚ୍ଚଶିକ୍ଷା ପାଇଁ...ତାଠାରୁ ଆହୁରି ଆଗକୁ...ସେ ଚାହିଁଲେ । ଜୀବନର ଏକ ସଂକ୍ଷିପ୍ତ ସମୀକ୍ଷା କରିନେଲେ । ଘରଦ୍ୱାର, ମଟର, ଟଙ୍କା, ଡିଗ୍ରୀର ପ୍ରାଚୁର୍ଯ୍ୟ କେଉଁଥିରେ ଅଭାବ ନାହିଁ, ସବୁ ମିଳିଛି । କାହିଁକି କେଜାଣି ସେ ଆଜି ବ୍ୟଥିତ ହୋଇଉଠିଲେ । ଜୀବନ ରିକ୍ତ ବୋଧହେଲା । ସେ କୌଣସି ଏକ ବସ୍ତୁର ଅଭାବ ମର୍ମେ ମର୍ମେ ଅନୁଭବ କଲେ ।

 

ଏତେ ଯତ୍ନରେ, ଏତେ କଷ୍ଟରେ ସେ ଫୁଲଟି ଲଗାଇଥିଲେ । ସେଥିରେ ଫୁଲ ଫୁଟିଲା । ଅଥଚ, ସେଥିରୁ ଗୋଟିଏ ଫୁଲ କେହି ତୋଳି ଆଣି ତାକୁ କହିଲା ନାହିଁ ନିଅ...ଏଇ ଫୁଲଟି ନିଅ...ଟିକେ ଠିଆ ହୁଅ, ତୁମ ଜନ୍ମଦିନରେ ମୁଁ ତୁମ କବରୀରେ ପିନ୍ଧାଇ ଦିଏ ଏଇ ଫୁଲଟି । ସାହାଜାହାନ ଯେଉଁ ଗୋଲାପଟି ନେଇ ନୂରଜାହାନ କବରୀରେ ପିନ୍ଧାଇ ଦେଇଥିଲେ ଏ ଗୋଲାପଟି ତା’ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ । ଦିନ ହୋଇଛି କାମପାଇଁ ଓ ରାତି ବିଶ୍ରାମପାଇଁ ଉଦ୍ଦିଷ୍ଟ...ଉଜାଗର ରହି ସ୍ୱାସ୍ଥ୍ୟହାନି କରି ଅଧ୍ୟୟନ କରିବା ନିମନ୍ତେ ନୁହେଁ...କହି ତାଙ୍କ ହାତରୁ ପୁସ୍ତକଟି କେହି ତ ଛଡ଼ାଇ ନେଲା ନାହିଁ । ଅସୁସ୍ଥ ଥିବା ସମୟରେ ଟୁର୍‌ରେ ନ ଯିବାଲାଗି ଦୃଢ଼ କଣ୍ଠରେ ତାଗିଦ କରି କେହି ତ ବାହାରକୁ ଚାଲିଗଲା ନାହିଁ । ଅଦ୍ଭୁତ ପ୍ରଶ୍ନ ଉଠିଛି ମନରେ....ସାଗରବେଳାର ଢେଉ ଲୋଟି ଯାଉ ଯାଉ ଅଟକିଯାଇଛି ।

 

ଝାପ୍‌ସା ବିଗତ ଅତୀତରୁ ଗୋଟିଏ ସ୍ମୃତି ନାଚି ଉଠିଲା । ସେ ଥାଆନ୍ତି ବି. ଏ. ଶ୍ରେଣୀର ଛାତ୍ରୀ । ତାଙ୍କରି ନାଁରେ ତାଙ୍କରି ଗାଆଁରେ ଉଠିଲା ଗୋଟିଏ ଗୁଜବ । ସେ ପୁତ୍ର ସନ୍ତାନର ମା ହୋଇଛନ୍ତି । ସନ୍ତାନଟି ଅନାଥ ଆଶ୍ରମରେ ଥାଏ । ସେ ଯାଇ ମଝିରେ ମଝିରେ ଦେଖିଆସନ୍ତି । ଏ ହେଲା ଗ୍ରାମ୍ୟ ଲୋକଙ୍କ ଦୃଷ୍ଟିରେ ନାରୀ ଶିକ୍ଷାର ପରିଣତି । ଇନ୍ଦ୍ରାଣୀ ଏ ଗୁଜବ ଶୁଣି ତାଚ୍ଛଲ୍ୟ କରି ଉଠିଥିଲେ । କହିଥିଲେ, ଗାଁଲୋକେ ଦିନେ ବୁଝିବେ ଘର ସଂସାର କରି ପରିଚିତ ବୟସରେ ନାତିନାତୁଣୀ ଖେଳାଇବା ପାଇଁ ଇନ୍ଦ୍ରାଣୀର ସ୍ୱପ୍ନ ନୁହେଁ...ଜନ୍ମ ନୁହେଁ ।

 

ସତରେ ସେ ଯଦି ବି. ଏ. ପାସ୍ ପରେ ବିଭାହୋଇ ଯାଇଥାନ୍ତେ....ଖୁବ୍‌ କମ୍‌ରେ ଅନ୍ତତଃ ଗୋଟିଏ (ସଂକ୍ଷିପ୍ତ ତଥା ଆଦର୍ଶ ପରିବାର କଥା ନ ହେଉ ପିଲା ତ ତାଙ୍କର ହୋଇଥାନ୍ତା । ସେ ଆଜି କେତେ ବଡ଼ ପିଲାଟିଏ ହୋଇ ଯାଆନ୍ତାଣି । କୌଣସି କାରଣରୁ ଜୀବନ-ସାଥୀଟି ସଙ୍ଗେ ଛାଡ଼ ବାଡ଼ ହୋଇଥିଲେ ମଧ୍ୟ...ପିଲାଟି ତ ତାଙ୍କ ସଙ୍ଗେ ଥାଆନ୍ତା ! ସେ ତା’ର ମା’ର ଜନ୍ମଦିନରେ ଆଜି କେତେ ଖୁସି ହେଉ ନ ଥାନ୍ତା ସତେ... । ମାତ୍ର ଆପଣାର ସାମାନ୍ୟ ସ୍ୱାଧୀନତା ଟିକକ ପୁରୁଷର ପଦତଳେ ଲୋଟାଇ ନ ଦେବାରେ ଯେ ହୁଇମ...ତାଙ୍କୁ ଆଜି ବୁଝାଉଛି ବାରମ୍ୱାର...ବହୁ ବର୍ଷ ପରେ...ନିଜର ସୁଖ ସ୍ୱାଧୀନତା ଅପରପାଇଁ ବଳି ଦେବାରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ୱାଦୁ ରହିଛି । ତାହାକୁ କଳ୍ପନା କିମ୍ୱା ସ୍ୱପ୍ନଦ୍ୱାରା ଧରି ହୁଏନା । ସେଥିପାଇଁ ତିଳ ତିଳ ତ୍ୟାଗର ପ୍ରୟୋଜନ ।

 

ଇନ୍ଦ୍ରାଣୀ ଶେଯରେ ଶୋଇ କେତେ କ’ଣ ଭାବୁଥାନ୍ତି । ହଠାତ୍ ‘ବେଲା’ ପଛରୁ ଡାକି ପ୍ରଶ୍ନ କଲା, ‘‘କ’ଣ କିଛି ଖାଇବ ନାହିଁ ? କ’ଣ ଜଳଖିଆ କରିବି ?’’

 

‘ଚା’ ଟିକେ ବସା ।’

 

ସନ୍ଧ୍ୟା ଡାକରେ ଆସିଥିବା ଚିଠିଗୁଡ଼ା ବେଲା ଟେବୁଲ ଉପରେ ରଖି ଦେଇ ଚାଲିଗଲା-। ଇନ୍ଦ୍ରାଣୀ ପୂର୍ବପରି ଶେଯରେ ପଡ଼ିରହି ଖଣ୍ତକୁ ଖଣ୍ତ ଚିଠି ଦେଖିନେଲେ । ବହୁ ଚିଠି ରଖିଦେଇ ଶେଷରେ ଖୋଜିଲେ ଇନ୍‌ଲାଣ୍ତଟି । ପରିଚିତ ଅକ୍ଷର...ଡୁନୁ ଲେଖିଛି । ଇନ୍ଦୁ, ମୋ’ଠାରୁ ଅନେକ ଦିନୁ ଚିଠି ନ ପାଇ ରାଗିଥିବୁ । ମୁଁ କିନ୍ତୁ ନାଚାର । କଲମ ଆଣିଲା ବେଳକୁ କାଗଜ ଗଲାଣି...କାଗଜ ଆଣିଲା ବେଳକୁ କଲମ କିଏ ନେଲାଣି । ଛାଡ଼, ଛାଡ଼ ଏ ଦୁହେଁ ମୋତେ ନୟାନ୍ତ କଲେଣି । ବହୁକଷ୍ଟରେ ତାଙ୍କୁ ଶୁଆଇ ପକାଇ ଏ ଦୁଇଧାଡ଼ି ତୋତେ ଲେଖୁଛି, ଏଥର ଟୁର୍‌ରେ ଆସିବାବେଳେ ତାଙ୍କ ଘରେ ରହିବାପାଇଁ ସେ କହୁଛନ୍ତି ।

 

ଚିଠିଟିକୁ ଆଉ ଥରେ ପଢ଼ି ସେ ପୂର୍ବପରି ଚାହିଁ ରହିଲେ...ଡୁନୁବି ଆଜି ପିଲା ଦୁଇଟିଙ୍କୁ ଦୁଇପାଖରେ ଶୁଆଇ ଗପ କହୁଥିବ,...‘‘ଶ୍ୟାମଳ, ତୁ ତାଙ୍କରି ପରି ଜଣେ ବୀର ସୈନିକ ହେବୁ...ଦେଶର ସୀମାନ୍ତରେ ଶତ୍ରୁ ହାତରୁ ଦେଶକୁ ଆକ୍ରମଣ ମୁହଁରୁ ରକ୍ଷା କରିବୁ । ଆଉ ତୁ ହେବୁ ଜଣେ ବିରାଟ ଡାକ୍ତର...ଅଗଣିତ ନିରାଶ୍ରୟ ଦରିଦ୍ରନାରାୟଣର ସେବା କରିବୁ, ଦୁଇଟି ପୁଅ...ଜଣେ ହେବ ସୈନିକ, ଆଉ ଜଣେ ଡାକ୍ତର...’’ ଡୁନୁ ଭାରି ପ୍ରାକ୍‌ଟିକାଲ, ଭୀଷଣ କ୍ୟାଲକୁଲେଟିଭ୍ । ପିଲାଙ୍କ ଭବିଷ୍ୟତ୍ ପାଇଁ ସେ ଆଜିଠୁ ଯୋଜନା କରୁଥିବ ।

 

ସେ ଯଦି ବିଭା ହୋଇଥାନ୍ତେ...ହୁଏତ ଡୁନୁ ପରି ସେ ପିଲାର ମା ହୋଇଥାନ୍ତେ । ସେ ତାଙ୍କ ପାଖରେ ଶୁଆଇ ଗପ କହୁଥାନ୍ତେ,...‘‘ତୁ ହେବୁ ଇଂଜିନିୟର...ଦେଶ ଗଢ଼ିବୁ...ଆଉ ତୁ ହେବୁ ଜଣେ ଅଧ୍ୟାପକ, ଶିକ୍ଷାବିତ୍ ମଣିଷ ଗଢ଼ିବୁ ।’’

 

ଏଥର ଟୁର୍‌ରେ ଗଲାବେଳେ ଡୁନୁକୁ ସେ ଗୋଟିଏ ପିଲା ମାଗିବେ । ହୁଏତ ସେ ଉତ୍ତର ପାଇବ,...‘‘ଏତେ ଦୁଷ୍ଟ, ତୁ ନେଇ ସମ୍ଭାଳିପାରିବୁ ନାହିଁ, ଆଉ ଟିକେ ବଡ଼ ହୋଇଯାଆନ୍ତୁ...’’ଡୁନୁ ତା’ର ବନ୍ଧୁ...ଧର ସେ ହୁଏତ ରାଜି ହୋଇଗଲା; କିନ୍ତୁ ତାଙ୍କର ବାପ ବିପ୍ଳବ ରାଜି ହେବେ ତ ? ନା, ମୋଟେ ନୁହେଁ ?

 

ଡୁନୁର ପିଲାଙ୍କ ପରି ଇନ୍ଦ୍ରାଣୀଙ୍କ ପିଲା ଯଦି ଦୁଷ୍ଟ ହୋଇଥାନ୍ତେ, ତେବେ ଏ ଚିଠିଟା କେତେବେଳୁ କିଏ ତାଙ୍କ ହାତରୁ ଛଡ଼ାଇ ନିଅନ୍ତାଣି, ଇନ୍ଦ୍ରାଣୀଙ୍କ ମାନସିକ ପ୍ରକ୍ରିୟାରେ ଆଜି ବିରାଟ ପରିବର୍ତ୍ତନ...ସେ ଚିଠିଟିକୁ ହାତରେ ଧରି ଅପେକ୍ଷା କରି ରହିଥାନ୍ତା ଦେଖିବାକୁ...ଦେଖି, ‘‘କିଏ ଆସି ଏ ଚିଠିଟିକୁ ତାଙ୍କ ହାତରୁ ଛଡ଼ାଇ ନେଉଛି ।’’

 

କିନ୍ତୁ କିଏ ଅଛି ଯେ, ଆସି ଚିଠିଟା ତାଙ୍କ ହାତରୁ ଛଡ଼ାଇନେବ । ଘର ଭିତରୁ ରାକେଟ୍‌ରେ ଝୁଲୁଛି ନାଇଲନ୍ ଶାଢ଼ି, ବ୍ଳାଉସ୍, ବ୍ରେ, ସୟର, ମଫଲର, ସ୍ୱେଟର...ଦ୍ୱାରଦେଶରେ ସମ୍ୱଲପୁରୀ ପରଦା...ବାହାରେ ହାତଲଗା ଉଦ୍ୟାନ...ଗୋଲାପବୃନ୍ତରୁ ପାଖୁଡ଼ା ଝରିପଡ଼ୁଛି । ରାଧାତମାଳର ଗନ୍ଧ ଭାସିଆସୁଛି । ନିଜେ ହାତରେ ପାଣି ଦେଇ ବଢ଼ାଇଛନ୍ତି । ଏଇ ଶୁଭୁଛି ପୋର୍ଟିକୋ ତଳେ ପ୍ଳାଇମାଉଥର ହର୍ଣ୍ଣ...ଗାଡ଼ି ନେଇ ଡ୍ରାଇଭର ପହଞ୍ଚିଲାଣି ।

 

ପଛରୁ ଡାକିଲା ବେଲା, ‘‘ଦିଦି, କ’ଣ ଚା’ ଖାଇବ ନାଇଁ ? ଥଣ୍ତା ହୋଇଯାଉଛି ଯେ ।’’

 

ଅନ୍ୟମନସ୍କଭାବେ ଟେବୁଲ ଉପରେ ଚିଠିଟି ରଖିଦେଇ ‘ଖାଉଛି’ କହି ଇନ୍ଦ୍ରାଣୀ ହାତରେ ଉଠାଇଲେ ପିଆଲା । କେତେ ଯତ୍ନରେ ବେଲା ଦିଦିଙ୍କ ଜନ୍ମଦିନରେ ଚା’ କରିଥିଲା । ମାତ୍ର ସେ ଖାଇ ପାରିଲେ ନାହିଁ । ପିଆଲା ଦେହରେ ଇନ୍ଦ୍ରାଣୀ ଓଠ ଲଗାଇବା ବେଳକୁ ତା’ର ଉଷ୍ଣତା ବହୁପରିମାଣରେ କମି ଆସିଥିଲା ।

Image

 

କାନନ, କଳାକୋଟ, କାଳିଗାଈ

 

ସିଦ୍ଧାର୍ଥ ଆଦର୍ଶବାଦୀ । ଆଇନଜୀବୀର ଜୀବନ ତାଙ୍କୁ ସୁଖପ୍ରଦ ମନେହେଲା ନାହିଁ । କଳାକୁ ଧଳା, ଧଳାକୁ କଳା କରି ଅର୍ଥ ରୋଜଗାର କରିବା ନିମନ୍ତେ ସେ ପସନ୍ଦକଲେ ନାହିଁ । ତେବେ ଓକିଲାତି ଛାଡ଼ିବେ, ଆପତ୍ତି ନାହିଁ; ମାତ୍ର ବଞ୍ଚିବାପାଇଁ ତ ପାଥେୟ ଲୋଡ଼ା, ଅବଲମ୍ୱନ ଲୋଡ଼ା ! କିଛି ଗୋଟାଏ କରିବେ । ସେଥିପାଇଁ ସେ ଏ ନ’ ଛ’ ବ୍ୟବସାୟ ତ୍ୟାଗକରି ହେଲେ ବିଚାରବିଭାଗ ମାଜିଷ୍ଟ୍ରେଟ୍ । ଜୀବନ ଚକ ଘୂରିଲା ନାହିଁ । ଯେଉଁ ଚକ ଆଉ ଘୂରିବ ନାହିଁ । ଦିଅଁ ସବୁଦିନେ ଗୋଟିଏ ସ୍ଥାନରେ ପୂଜା ପାଇବେ ବୋଲି ସ୍ତ୍ରୀ କାନନ ପରିହାସ କରନ୍ତି, ତାଙ୍କ ଜୀବନରେ ଆସିଲା ପରିବର୍ତ୍ତନ ।

 

ସେ ପ୍ରସ୍ତୁତ ହେଲେ । ବେଡିଂ ବାନ୍ଧିଲେ–ଲେଦର ବାକ୍‌ସ୍ ମରାମତି ହେଲା, ଷ୍ଟୋଭ୍ ଠିକ୍ ହେଲା । ଆଉ ସବୁ ପ୍ରୟୋଜନୀୟ ବସ୍ତୁ ପ୍ରସ୍ତୁତ ହେଲା । ଯେଉଁ ଘରେ ରହି ରହି ବିରକ୍ତ ହୋଇପଡ଼ିଥିଲେ, ପରିବର୍ତ୍ତନ ପାଇଁ ଟିକେ ବାହାରକୁ ଯିବାଲାଗି ଯୋଜନା ପ୍ରସ୍ତୁତ କରୁଥିଲେ, ସେ ଆଜି ବହୁ ସନ୍ତର୍ପଣରେ ସେ ଘରୁ ପାଦ କାଢ଼ିଲେ । ପଛରେ ବାରି ବଗିଚାରେ ସାଗୁଆ ଛନ୍ ଛନ୍ ଶାଗବାରି, ଗୁହାଳ ଘରେ ଦୁହାଁଳିଆ କାଳୀ ଗାଈକୁ ଚାହିଁ ମନେମନେ କହିଲେ, ‘‘ଏସବୁ ସିନା ଛାଡ଼ି ଯାଉଛି, ମୋ’ରି ପାଇଁ ସେ ଚାକିରି କଲେ, ହେଲେ ଟଙ୍କା କେଇଟା ! କେଉଁଠି ରହିବୁ ? କିପରି ଚଳିବୁ, କିଏ କହିବ ? ମୋ’ ପିଲାଏ କ’ଣ ଦୁଧ ଟୋପାଏ ପାଇବେ ନାହିଁ ? ଏହି ସ୍ୱଳ୍ପ ବେତନରେ ଆମେ କେଇଟି ଜୀବ ବଞ୍ଚିପାରିବୁ ତ ? କେତେ ପ୍ରଶ୍ନ...କେତେ ସଂଶୟ ?’’

 

ଚାକିରି ଜୀବନ ଏଇ ହେଇଗଲା ଦେଖୁ ଦେଖୁ ଦେଢ଼ ବରଷ । ଏ ଜୀବନର ସ୍ୱାଦୁ ସବୁ ନଷ୍ଟ ହୋଇଗଲାଣି । ଦୈନନ୍ଦିନ ଜୀବନରେ ନା ଅଛି ସ୍ପନ୍ଦନ, ନା ଅଛି ଆଲୋଡ଼ନ । ବାବୁଙ୍କ ଅଫିସରୁ ବୃଦ୍ଧ ପିଅନଟି ଟଳି ଟଳି ଆସି ଘରୁ ଫାଇଲ୍ ବସ୍ତାନିଟି ନେଇଯାଏ, ଦେଇଯାଏ ।

 

ସିଦ୍ଧାର୍ଥ ଦୁଇ ତାରିଖରେ ଦରମା ପାଇ ଫେରନ୍ତି ବସାକୁ । ପୁଅ ପ୍ରଥମେ ପ୍ରଥମେ କିଛି ବୁଝିପାରୁ ନଥିଲା । ପଚାରୁଥିଲା, ‘‘ବାପା ଦରମା ପାଇନାହାନ୍ତି କ’ଣ ?’’ ଦରମା ପାଇଲେ ତା’ର ବରାଦ ଜିନିଷଟା କିଣା ହେବ । ସେ ଅପେକ୍ଷା କରିଥାଏ । ନିଜ ଘରେ ଚାକରମାନଙ୍କୁ ଜେଜେ ତା’ର ଯେପରି ଦରମା ଦିଅନ୍ତି, ବାପା ସେହିପରି ସରକାରଙ୍କଠାରୁ ଦରମା ପାଆନ୍ତି । ତାହାହେଲେ ବାପା ତା’ର କ’ଣ ଜଣେ ଓକିଲ ନୁହନ୍ତି, ଚାକର ? ଏ କଥାଟା କାହିଁକି କେଜାଣି ପୁଅକୁ ଅନେକ ସମୟରେ ଭଲ ଲାଗେ ନାହିଁ । ସେ ଚାହେଁ ବାପା ତା’ର ପୁଣି ଫେରିଯାଆନ୍ତୁ ନିଜ ବ୍ୟବସାୟକୁ ।

 

ଏଇ ନୂଆ ସ୍ଥାନକୁ ସିଦ୍ଧାର୍ଥ ଚାକିରି ଲାଗି ଯେଉଁଦିନ ଆସିଲେ, କାନନ କେତେ ଏକାକୀ ଅନୁଭବ କରୁଥିଲେ; ମାତ୍ର ଏବେ ଏଠି ସେ ସମସ୍ତଙ୍କ ପରି ଏ ଗାଁ ମାଟିର ଜଣେ ବୋଲି ନିଜକୁ ଧରିନେଲେଣି ।

 

ପଡ଼ୋଶୀ ହେଲେ କୃଷ୍ଣବାବୁ, ଅବକାରୀ ଇନ୍‍ସିପେକ୍ଟର । ସ୍ତ୍ରୀଙ୍କ ନାମ ତାଙ୍କର ନର୍ମଦା-। ଏହି ଉଭୟ ପରିବାର ମଧ୍ୟରେ ଏବେ ଘନିଷ୍ଠତା ଅନେକ ବୃଦ୍ଧି ପାଇଛି ।

 

କୃଷ୍ଣବାବୁଙ୍କ ଘରେ ମାସକୁ ଚାରି ଚାରିଟା ଭୋଜିଭାତ । ସିଦ୍ଧାର୍ଥ ସେଥିରେ ସପରିବାର ଯାଇ ଯୋଗ ଦିଅନ୍ତି । କେତେ ପ୍ରକାର ଜିନିଷ ମାଂସରେ ପ୍ରସ୍ତୁତି ହୋଇଥାଏ । ନୂଆ ନୂଆ ପ୍ରକାର ମିଠା ବରାଦ ହୋଇଥାଏ । କେବଳ ଖାଦ୍ୟ ପଦାର୍ଥରେ ନୁହେଁ, ଖାଦ୍ୟ ପରିବେଷଣ ହେଉଥିବା ପାତ୍ରଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥାଏ । ଅବକାରୀ ବିଭାଗର ଚାରି ଚାରିଟା ପିଅନ ହୁକୁମକୁ ଟାକି ରହିଥାନ୍ତି । ନର୍ମଦାଙ୍କ ପାଟିରୁ କଥା ସରିଥାଏ କି ନାହିଁ, ସେମାନେ କାମ କରିଯାଆନ୍ତି । ଭୋଜିଭାତ ଦିନ ବନ୍ଧୁମିଳନ ହୁଏ । କେତେ କଥା ପଡ଼େ । ଢେଙ୍କାନାଳର ଢିଙ୍କିଶାଳ ପର୍ଯ୍ୟନ୍ତ ।

ଖିଆପିଆ ସରେ । ଧୀରେ ଧୀରେ ନିମନ୍ତ୍ରିତ ବନ୍ଧୁମାନେ ଫେରନ୍ତି ! ଗହଳ କମେ । କାନନ ପାଟି ନ ଫିଟାଇ ଆଖିରେ ଆଖିରେ ସଙ୍କେତ ଦେଇ ସ୍ୱାମୀଙ୍କୁ ଦେଖାଇଦିଅନ୍ତି, କୃଷ୍ଣବାବୁଙ୍କ ଘରେ ପଡ଼ିଥିବା ଟେବୁଲ ଉପରେ ନୂଆ ଟେବୁଲ କ୍ଳଥ, କାନ୍ଥରେ ଝୁଲୁଥିବା ପରଦାଟି । ଉଡ଼୍‍ର ଆର୍ମଚେୟାର । କେତେ ସୁନ୍ଦର !

ବସାରେ ଶୋଇବା ବେଳକୁ କାନନ ପଚାରନ୍ତି, ‘‘କେମିତି ହୋଇଛି ସେ ସବୁ ଜିନିଷ ।’’ ସିଦ୍ଧାର୍ଥ ଖୁବ୍ ଚମତ୍କାର ହୋଇଛି ବୋଲି କୁହନ୍ତି, ଏତିକିମାତ୍ର । ସିଦ୍ଧାର୍ଥ ବେଶ୍ ବୁଝନ୍ତି କାନନ କ’ଣ ଚାହେଁ । ମାତ୍ର ସେ ନିରୁପାୟ । ସ୍ୱଳ୍ପବେତନ ଭିତରେ ଏ ଆଡ଼୍‍ଡ଼ା ଚଉଡ଼ା ସେ କରିପାରିବେ କିପରି-? ବିଚାର ବିଭାଗ ଏବେ ନୂଆ ହୋଇ ଖୋଲିଛି । ଅଫିସରମାନଙ୍କୁ କ୍ୱାଟର ଦେବା ତ ଦୂରର କଥା, ଖଣ୍ତେ ଟେବୁଲ ଓ ଚୌକି କେତେଖଣ୍ତ ଦେବାକୁ ମଧ୍ୟ ସରକାର ସମର୍ଥ ହୋଇପାରି ନାହାନ୍ତି । ସେଥିପାଇଁ ତାଙ୍କୁ ପ୍ରଥମ ବର୍ଷଟା ନିଜ ସୁଟକେଶ୍ ଉପରେ ଜଜ୍‌ମେଣ୍ଟ ଲେଖିବାକୁ ପଡ଼ିଛି-। ସିଦ୍ଧାର୍ଥ ଆଉ ଅଧିକ କିଛି ନ କହି ପଚାରନ୍ତି, ‘‘କାନନ, ମୁଁ ବିଚାରବିଭାଗ ମାଜିଷ୍ଟ୍ରେଟ ହୋଇ ଭୁଲ୍ କରିଛି, ନୁହେଁ ? ଅବକାରୀ ବିଭାଗରେ କାମ କରିଥିଲେ ଭଲ ହୋଇଥାନ୍ତା ।’’ କାନନ ବୁଝନ୍ତି ସ୍ୱାମୀଙ୍କର ପଚାରିବାର ଅର୍ଥ । ସେ ସାମାନ୍ୟ ଅଭିମାନରେ କହନ୍ତି, ‘‘ପଚାରିଲି, ସେ ପରଦାଟା କିପରି ହୋଇଛି ନା ? ଥାଉ ଥାଉ ଆଉ କିଛି ପଚାରିବିନି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ । କାଠଗଡ଼ାରେ ପଶି ମୁଁ ତମ ଜେରାର ସମ୍ମୁଖୀନ ହୋଇପାରିବି ନାହିଁ । ମୁଁ ଦେଖୁଛି, ଆଜିକାଲି ତୁମକୁ ଯାହା ପଚାରିଲେ ତୁମେ ତା’ର ଗୋଟିଏ ଅନ୍ୟ ଅର୍ଥ କରୁଛ । ନାଁ, ମୁଁ ଆଉ କିଛି ପଚାରିବି ନାହିଁ ।’’

କେବେକେବେ ଦିନରେ ନର୍ମଦା, କାନନ ଓ ପିଲାମାନେ ତାଙ୍କର ସାଙ୍ଗ ହୋଇ ଯାଆନ୍ତି ବଜାର । ସଙ୍ଗରେ ଅବକାରୀ ବିଭାଗର ପିଅନ । ସେମାନେ ଯାଆନ୍ତି ଅଳଙ୍କାର ଦୋକାନକୁ, ବସ୍ତ୍ରାଳୟକୁ । ନର୍ମଦା କହନ୍ତି, ‘‘ଟିକେ ଦେଖାଅ ଲେଟେଷ୍ଟ ଡିଜାଇନର ଜିନିଷ ସବୁ କ’ଣ ଆସିଛି ।’’ ବସ୍ତ୍ରାଳୟର ସେଲସ୍‌ମ୍ୟାନ ବେକ ଉଚ୍ଚା ପର୍ଯ୍ୟନ୍ତ ନୂଆ ନୂଆ ଶାଢ଼ି, ବ୍ଳାଉସ୍‌କନା, ପରଦା, ପିଲାଙ୍କପାଇଁ ଜାମାପ୍ୟାଣ୍ଟ କାଢ଼ି ଗଦାଏ । ସେମାନେ ଦେଖନ୍ତି, ସେମିତି ସିଧା ଫେରନ୍ତି । କିଣାକିଣି କିଛି ହୁଏ ନାହିଁ । କାନନ କେବଳ ମତାମତ ଦିଅନ୍ତି କେଉଁଟା କିପରି ହୋଇଛି । ରାତିରେ ସବୁ କରାଦି ଜିନିଷ ଘରକୁ ଆସେ । କିଛିଦିନ ପରେ ଦେଖାଯାଏ, କାନନ ବାଛି ଥିବା ଶାଢ଼ି ପିନ୍ଧ ନର୍ମଦା ବାହାରିଛନ୍ତି । ପିଲାମାନେ ତାଙ୍କର ସେହି ଜାମାପେଣ୍ଟ ପିନ୍ଧି ବାହାରିଛନ୍ତି । କାହାକୁ କିଛି କହନ୍ତି ନାହିଁ । ଏଥିପାଇଁ ସେ ସ୍ୱାମୀଙ୍କୁ ମଧ୍ୟ କେବେ ଦୋଷ ଦେଇ ନାହାନ୍ତି । ତେବେ କେବେ କେବେ ଭୀଷଣ ଆଘାତ ପାଆନ୍ତି । ମନେମନେ କହନ୍ତି, ‘‘ଏଦୁନିଆଟା କ’ଣ ହୋଇଛି ! ସାଧୁ ସଚ୍ଚୋଟ ଲୋକମାନେ କେବଳ ଅଭାବ ଅନାଟନ ଭିତରେ ପଲ ପଲ ହୋଇ ଜଳିପୋଡ଼ି ମରିବାକୁ ?’’

ସରସ୍ୱତୀ ପୂଜା । ନର୍ମଦାଙ୍କ ନିମନ୍ତ୍ରଣ, ଆଜି ସିଦ୍ଧାର୍ଥ ଘରେ ଖିଆପିଆ ବନ୍ଦ । ତାଙ୍କରି ଘରେ ଟୁଲୁ ଓ ଟୁନି ପୂଜା କରିବେ । ଏହା ଶୁଣି ଟୁନି କହିଲା, ‘‘ମା’ ମୁଁ ଆଜି ତାଙ୍କ ଘରକୁ ଭୋଜିଖାଇ ଯିବିନି ।’’

‘‘କାହିଁକି ?’’

‘‘ଗଲା ରବିବାର ଦିନ ଯାଇଥିଲେ, ଆଜି ମୋଟେ ଶନିବାର । ମାସରେ ଚାରି ଚାରିଥର ଯାଇ ମୁଁ ମଉସାଙ୍କ ଘରେ ଖାଇପାରିବି ନାହିଁ ।’’ କାନନ ଝିଅର ମନ କଥା ବୁଝିଲେ । ସେ ଆଉ ଛୋଟପିଲା ନୁହେଁ । ବିନି, କୃଷ୍ଣବାବୁଙ୍କ ଝିଅ କିଛି କହିଛି ନିଶ୍ଚୟ । କାନନ ହିସାବ କରି ଦେଖିଲେ, ଗତ ତିନି ମାସ ଭିତରେ ସେ ଥରୁଟିଏ ହେଲେ ନର୍ମଦା ଓ ଅନ୍ୟାନ୍ୟ ବନ୍ଧୁମାନଙ୍କୁ ଡାକି ନାହାନ୍ତି ଖାଇବାକୁ । କେମିତି ଡାକିବେ ! ଥରେ ଡାକିଲେ କମ୍ ସେ କମ୍ ଷାଠିଏ ଟଙ୍କାରୁ ତ କମ୍ ଖର୍ଚ୍ଚ ହେବ ନାହିଁ ! ଅନ୍ୟମାନଙ୍କୁ ବାଦ ଦିଅ । କେବଳ କୃଷ୍ଣବାବୁ ଘର ପିଲାପିଲିଙ୍କୁ ମିଶାଇ ପନ୍ଦର । କାନନ କିଛି ନ କହି ଚୁପ୍‍କରି ଝିଅକୁ ପଢ଼ାଘର ଭିତରକୁ ଡାକି ନେଇ କହିଲେ, ‘‘ଟୁନି, କେଡ଼ୁଟିଏ ହେଲେ ଆଉ ଶିଖିବୁ । ତୁ ନ ଯିବୁ ତ ନାହିଁ । ଏମିତି ବକବକ ହେଉଛୁ କାହିଁକି ? ତାଙ୍କ ପିଅନଟା ପରା ସେଠି ଠିଆ ହୋଇଛି । ନର୍ମଦା, ଏ କଥା ଶୁଣିଲେ ଭାବିବେ କ’ଣ ?’’

ପୁଅ ଟୁଲୁ ଆସି ପଚାରିଲା, ‘‘ମା, ସେଦିନ ରାତିରେ ଯେଉଁ ପାଇପକଟ୍ ପ୍ୟାଣ୍ଟ ଦେଖିଥିଲେ ଶ୍ୟାମଳ, କମଳ, ସୂର୍ଯ୍ୟ, ପ୍ରାଣ ସମସ୍ତଙ୍କ ପାଇଁ ସେ ପ୍ୟାଣ୍ଟ ତାଙ୍କ ବାପା ଆଣି ଦେଇଛନ୍ତି । ସେମାନେ ଆଜି ପିନ୍ଧିବେ । ମୋ ପାଇଁ ସେହିପରି ଗୋଟାଏ ପ୍ୟାଣ୍ଟ ଆସିବ ।’’

କାନନ ଜାଣନ୍ତି ଟୁଲୁ ଛୋଟ । ଯାହା ଦେଖିବ ସେଇଆ କହିବ । ତାକୁ କିଛି ବୁଝାଇ ଲାଭ ନାହିଁ । ସଙ୍ଗେ ସଙ୍ଗେ କହିଲେ, ‘‘ହଁ ଆସିବ ।’’

ସିଦ୍ଧାର୍ଥ ବୁଲିବୁଲି ଫେରିଲେ । ପଚାରିଲେ, ‘‘କ’ଣ ଭାରି ଚୁପ୍‍ଚାପ୍, ପୂଜାରୀ ନାହିଁ, ନାଁ ଆଜି ରୋଷେଇ ହେବ ନାହିଁ ? ନର୍ମଦା ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ଖାଇବାକୁ ।’’ ସାମାନ୍ୟ ଗମ୍ଭୀର ହୋଇ ପଚାରିଲେ ସିଦ୍ଧାର୍ଥ, ‘‘ନିମନ୍ତ୍ରଣ କରିଛନ୍ତି ?’’

‘‘ହଁ ନିମନ୍ତ୍ରଣ କରିଛନ୍ତି ।’’

‘‘ରାତିରେ ?’’

‘‘ଦିନରେବି । ଟୁନି ଯିବ ନାହିଁ ବୋଲି ଜିଦ୍ ଧରି ବସିଛି । ସେହିକଥା କହିବାରୁ ସେ ଘରେ ବସି କାନ୍ଦୁଛି । ଗଲ, ଟିକେ ବୁଝାଇ ଦେବ ।’’

 

ବାପା ବୁଝିଲେ ଟୁନି ଠିକ୍ କହିଛି । କ’ଣ ଭାବିଲେ କେଜାଣି କାନନଙ୍କୁ ଡାକି କହିଲେ, ‘‘ପୂଜାରୀକୁ କହ ରୋଷାଇବାସ କରୁ, ଆମେ ଦୁହେଁ ଏଠି ଖାଇବୁ । ତୁମେ ଓ ଟୁଲୁ ଯା’ ନିମନ୍ତ୍ରଣ ଖାଇ ଆସିବ । ଆମେ ଯାଇ ପାରିବୁନି ।’’

 

କାନନ ସାମାନ୍ୟ ବିରକ୍ତ ହୋଇ କହିଲେ, ‘‘ଆଜି ଭଲ ଦିନଟାରେ ଅଯଥା ମୋ ସଙ୍ଗେ ଗୋଳମାଳ କରନାହିଁ, କହି ଦେଉଛି । କଥାଟା କିଛି ଭଲ ହେବ ନାହିଁ । ଯେ ଯାହା ଭାବିଲେବି, ଆମକୁ ଯେତେ ଖରାପ ଲାଗିଲେବି, ଆଜି ଆମକୁ ଖାଇବାକୁ ଯିବାକୁ ହେବ ।’’

 

‘‘କାହିଁକି ? ନା ? ମୋଟେ ନୁହେଁ ।’’

 

‘‘ଟୁନି, ଥରେ ପରା କହିଥିଲି ବାପାଙ୍କର ମୋର କଥାହେଲାବେଳେ ଉପରେ ପଡ଼ି କଥା କହିବୁନି ।’’ ଚଢ଼ାଗଳାରେ କହିଲା କାନନ । ‘‘ଗଲୁ ତୁ ଏଘରୁ ଗଲୁ !’’ ‘‘ସେ ଆଉ କ’ଣ କହୁଛି ଶୁଣ-।’’ ‘‘ରଖ ରଖ ତମ ବାପ ସୁଆଗ । ଝିଅଟାକୁ ମୁହଁଦେଇ ତୁମେ ବଢ଼ିଆ କରିଦେଲଣି । ଗଲୁ ଟୁନି, ତୁ ଗଲୁ ଏଠୁ ।’’

 

ଟୁନି ଗଲାପରେ କାନନ କହିଲେ, ‘‘ଦେଖ, ସମସ୍ତେ ଯିବା ବୋଲି ମୁଁ କହିସାରିଛି । ଏବେ ଯିବା ନାହିଁ ? ଅନ୍ୟମାନେ ଆସିବେ; ଅଥଚ ଆମେ ଯିବା ନାହିଁ । ଘରକୁ ଘର ଲାଗିଛି, ଲୋକେ କ’ଣ କହିବେ ?’’

 

‘‘ଲୋକେ କହିବେ । ହଁ, ଅନେକ କଥା କହିବେ । ଯାହା ଇଚ୍ଛା ତା’ କହିବେ; କିନ୍ତୁ ମୋର ଯାଏଁ ଆସେ କ’ଣ ? ତୁମେ କେବେ ବୁଝିବାକୁ ଚେଷ୍ଟା କରିଛ କାନନ, କେବେ ବୁଝିବାକୁ ଚେଷ୍ଟା କରିଛ ? ତାଙ୍କ ଘରୁ ଖାଇସାରି ଫେରିଲାପରେ ମୁଁ କ’ଣ ଭାବେ ? ମୁଁ କିପରି ଅନୁଭବ କରେ ? ଗୁଡ଼ାଏ ଗରିବଲୋକଙ୍କ ରକ୍ତ ପିଇ ଫେରିଲାପରି ମୋତେ ଲାଗେ । ତାଙ୍କର ସେ ଟିକ୍‌ଉଡ଼୍‍ ଟେବୁଲ ସେଟ୍, ସାଜସଜ୍ଜା ଦେଖି ମୋର ମନେ ହୁଏ, ଏଥିପାଇଁ ଆଜି ହୁଏତ କିଏ ତା’ର ଶିଶୁ ସନ୍ତାନଟିକୁ ଟୋପାଟିଏ ଦୁଧ ଦେଇପାରୁନି, ପିଲାକୁ ପଢ଼ାଇପାରୁନି, ସାମାଜିକ ସମ୍ମାନରୁ ବଞ୍ଚିତ ହୋଇଛି । ଯେଉଁ ଲୋକ ମାସକୁ ଦୁଇଶ କୋଡ଼ିଏ ଟଙ୍କା ଦରମା ପାଏ, ସେ ଚାରି ଚାରି ଥର ଭୋଜି ଭାତ ଦିଏ । କିପରି ଦଶ ଦଶଟା ପିଲାଙ୍କୁ ନିତି ଦିନ ନୂଆ ଲୁଗାପଟା, ସ୍ତ୍ରୀକୁ ନୂଆ ନୂଆ ଗହଣା ପିନ୍ଧିବାକୁ ଦିଏ । ଏସବୁ କିପରି ସମ୍ଭବ ହୁଏ ? ଏଥିପାଇଁ ଟଙ୍କା ଆସେ କେଉଁଠୁ ? ଦିଏ କିଏ ? ବେଳେବେଳେ କ’ଣ ଇଚ୍ଛା ହୁଏ ଜାଣିଛ–ଏହିପରି ଅସାମାଜିକ ପଶୁଙ୍କୁ ନିର୍ମମଭାବେ ହତ୍ୟାକରି ଫାଶିରେ ଝୁଲିବାକୁ ।’’

 

କାନନ ବୁଝିଲେ, ସିଦ୍ଧାର୍ଥ ସଙ୍ଗେ ଆଉ ବିଶେଷ ଯୁକ୍ତିତର୍କ କଲେ ବିପଦ । ହଠାତ୍ କହିଲେ, ‘‘ମୋର ଭୁଲ୍ ହୋଇଛି ।’’

 

ସେଦିନ ଖାଇ ଫେରିବା ପରେ ସିଦ୍ଧାର୍ଥ କାନନକୁ ସାବଧାନ କରି କହିଲେ, ‘‘ଦେଖ, କେବେ ଆଉ ଆମେ ନିମନ୍ତ୍ରଣ ଖାଇବାକୁ ଯିବାପରି ପରିବେଶ ସୃଷ୍ଟି ନ କର ଯେପରି ।’’

 

ଏ ମଧ୍ୟରେ ଅନେକ ଦିନ ବିତିଗଲାଣି । ଭୋଜିଭାତରେ ଝୁଙ୍କ ବହୁ ପରିମାଣରେ କମିଛି । ସେଦିନ ଭଲ ନ ଲାଗିବାରୁ ଛୁଟିନେଇ ସିଦ୍ଧାର୍ଥ ଫେରି ଆସିଲେ ଅଫିସରୁ । ଝିଅ ଟୁନି ଓ ପୁଅ ସ୍କୁଲକୁ ଚାଲି ଯାଇଛନ୍ତି । କାନନ ଶୋଇପଡ଼ିଛି ଟେବୁଲ ଉପରେ ମୁଣ୍ତ ରଖି । ଗୋଟାଏ ଥାକ ଶାଢ଼ି ଥୁଆ ହୋଇଛି । ଅନ୍ୟମନସ୍କଭାବେ କ’ଣ ଭାବୁଥିଲେ କେଜାଣି, ଶାଢ଼ିଗୁଡ଼ା ଦେଖି ଖୁବ୍ ରାଗିଗଲେ । ସେ ଅନୁମାନ କରିନେଲେ ଏ ଶାଢ଼ି ଆସିଛି କାହିଁକି ? ନର୍ମଦାପାଇଁ ଲେଟେଷ୍ଟ ଡିଜାଇନ ବାଛିବ କାନନ ।

 

କିଛି ନ କହି ଚୁପ୍‌ଚାପ୍ ଆରାମ ଚେୟାର୍‌ରେ ସିଦ୍ଧାର୍ଥ ବସିଗଲେ । କିଛି ସମୟ ପରେ କାନନଙ୍କ ନିଦ ଭାଙ୍ଗିଗଲା । ସେ ସ୍ୱାମୀଙ୍କୁ ଚାହିଁ ପଚାରିଲେ, ‘‘କ’ଣ ହୋଇଛି, ଭାରି ଗମ୍ଭୀର ହୋଇ ବସିଛି ? କୋର୍ଟ ବନ୍ଦ ହୋଇଗଲା ? କିଛି କହୁନ ଯେ, କ’ଣ ହେଇଛି ତୁମର ? କ’ଣ ଭାବୁଛ ?’’

 

‘‘ଗୋଟିଏ କଥା ପଚାରିବି ବୋଲି ଭାବୁଛି ?’’ ଉତ୍ତର ଦେବ ?

 

‘‘ହଁ ! କ’ଣ ପଚାର ।’’

 

‘‘ସତ କହିବ ତ ?’’

 

‘‘କ’ଣ ବିଶ୍ୱାସ ହେଉନି ?’’

 

’’ଆଚ୍ଛା, କାନନ ଆମେ ପରସ୍ପରକୁ ଭଲପାଇ ବିବାହ କଲେ । ତୁମ ଘରେ ଓ ଆମଘରେ ବାପ, ମା, ବନ୍ଧୁବାନ୍ଧବ କେତେ ମନଦୁଃଖ କଲେ । କେତେ ସମାଲୋଚନା ଏଥିପାଇଁ । କେତେ ମନସ୍ତାପ ସହିଲେ । ମାତ୍ର ଲାଭ ହେଲା କ’ଣ ? ସମସ୍ତଙ୍କ ପରି ତୁମେ ମା ହେଲ ? ସବୁ ମାଙ୍କ ପରି ଆଜି ତୁମେ ଚିନ୍ତିତ । ତୁମ ଝିଅଟିକୁ କିପରି ବିଭା ଦେବ, ପୁଅ କିପରି ମଣିଷ ହେବ ? ଯେଉଁମାନେ ପରସ୍ପରକୁ ଭଲପାଇ ବିଭା ହୋଇନାହାନ୍ତି, ସେମାନେ କ’ଣ ସୁଖରେ ନାହାନ୍ତି ? ଆମଠାରୁ ତାଙ୍କର କେଉଁ ଗୁଣରେ ପାର୍ଥକ୍ୟ ! କେଉଁ ଦୃଷ୍ଟିରୁ ସେମାନେ ହୀନ ?’’ ‘‘ଏପରି ଅଜବ କଥାଟାଏ ତୁମମନରେ ଉଠିଛି କାହିଁକି ?’’ ଶାଢ଼ି ଥାକକୁ ଚାହିଁ–‘‘ଏଇ ଶାଢ଼ିପାଇଁ ? ସତ କହିଲ, ତୁମ ବାପା ତୁମପାଇଁ ଯେଉଁ ଅବକାରୀ ସୁପରିଣ୍ଟେଣ୍ତେଣ୍ଟଙ୍କ ପୁଅ ଲାଗି ପ୍ରସ୍ତାବ ପକାଇଥିଲେ, ସେଠାରେ ତୁମେ କିପରି ସୁଖରେ ଥାଆନ୍ତ ?’’ ‘‘କାହିଁ କେବେ ଦୁଃଖରେ ଅଛି ବୋଲି ଅଭିଯୋଗ କରିଛ କି ?’’

 

‘‘ଅଭିଯୋଗ କରିନାହିଁ ସତ, ହେଲେ ମୁଁ ନିଜେ ନିଜକୁ ସାନ୍ତ୍ୱନା ଦେଇ ପାରୁ ନାହିଁ । ମୋ ହାତ ନ ଧରିଥିଲେ ଅନ୍ତତଃ ତୁମକୁ କେବଳ ପରପାଇଁ ଶାଢ଼ି ସିଲେକ୍‌ସନ କରିବାକୁ ପଡ଼ୁ ନ ଥାନ୍ତା । ଲେଟେଷ୍ଟ ଡିଜାଇନ୍‌ର ଅଳଙ୍କାର ବାଛିବାକୁ ପଡ଼ୁ ନ ଥାନ୍ତା । ଆଜି ବୁଝୁଛି, ଜୀବନରେ ଗୋଟାଏ ସାମାନ୍ୟ ବିବାହ କରିବାପାଇଁ ଦେଇଥିବା କଥା ରକ୍ଷାକରି ଜୀବନସାରା କିପରି ତିଳେ ତିଳେ ତୁମେ ନିଜେ ନିଜକୁ ଜାଳିପୋଡ଼ି ମାରୁଛ ! କହିପାର, ନିଜର କଥା, ନିଜର ଆଦର୍ଶ ରକ୍ଷା କରିବାପାଇଁ ଯାହା କରିଛ, ସେଥିରେ ଗୌରବ ଅଛି, ତୃପ୍ତି ଅଛି; ମାତ୍ର ମୋ ମନରେ ଏକ ପ୍ରଶ୍ନ ଉଠୁଛି । ଗୋଟାଏ ଆଦର୍ଶ ଅପେକ୍ଷା ଜୀବନର ମୂଲ୍ୟ କ’ଣ ବହୁ ଗୁଣରେ ଅଧିକ ନୁହେଁ ? ଆଦର୍ଶ ରଖିବାପାଇଁ ପ୍ରାଣବଳି ଦେବା ବା ଶହୀଦ ସାଜିବା ବିରାଟ ଭଣ୍ତାମି, ଆତ୍ମପ୍ରତାରଣା ଓ ଚରମ ବୋକାମୀ ବ୍ୟତୀତ ଅନ୍ୟ କ’ଣ କିଛି ହୋଇପାରେ ? କୁହ, କୁହ କାନନ, ଭଗବାନଙ୍କ ଶପଥ ନେଇ କୁହ, ତୁମେ କୃଷ୍ଣପରି ଜନୈକ ସ୍ୱାମୀର ସ୍ତ୍ରୀ ହୋଇଥିଲେ ବହୁ ଭୋଗବିଳାସ ଓ ପ୍ରାଚ୍ୟୁର୍ଯ୍ୟ ମଧ୍ୟରେ କ’ଣ ରହି ନଥାନ୍ତ ? ତୁମେ କ’ଣ ଚାହଁନାଇଁ ଜୀବନ ଉପଭୋଗ କରିବାକୁ...? ତୁମ ଘରେ ପାଞ୍ଚ ପାଞ୍ଚଟା ଚାକରଚାକରାଣୀ, ଟେବୁଲ ସେଟ... ।’’

 

କାନନ କେବଳ ଚାହିଁ ରହିଥାନ୍ତି...ସିଦ୍ଧାର୍ଥଙ୍କୁ...ସ୍ୱାମୀଙ୍କର ଆଜି ହୋଇଛି କ’ଣ ଭାବି ଚାଲିଥାନ୍ତି । କାନନ ନୀରବ ହେବାର ଦେଖି ସିଦ୍ଧାର୍ଥ ପଚାରିଲେ, ‘‘ନୀରବ ରହିଲେ କାହିଁକି ? ମୋ ପ୍ରଶ୍ନର ଉତ୍ତର ଦିଅ । ତୁମଠୁ ମୁଁ କ’ଣ ଏତିକି ଆଶା କରିବା ଗୋଟାଏ ବିରାଟ ଅନ୍ୟାୟ ?’’

 

‘‘ସମସ୍ତ ଅଭାବ ଅନଟନ ସତ୍ତ୍ୱେ ଜୀବନରେ ଭୁଲ୍ କରିଛି ବୋଲି କେବେ ମନେକରି ନାହିଁ । ଅନ୍ୟର ପ୍ରାଚୁର୍ଯ୍ୟ ସମ୍ପଦ ଯେ ମୋତେ କେବେ କେବେ ବ୍ୟଥା ଦେଇ ନାହିଁ, ଆମର ଅଭାବ ବିଷୟରେ ସଚେତନ କରି ଦେଇ ନାହିଁ, ସେକଥା ନୁହେଁ । ତେବେ ତୁମକୁ ମୁଁ ପାଖରେ ପାଇଲେ ସବୁ ଭୁଲିଯାଏ । ତୁମେ ମୋତେ କେତେ ଭଲପାଅ, ସେହି ଗର୍ବରେ ମୋ ଛାତି ଫୁଲିଉଠେ । ତୁମ କୃଷ୍ଣବାବୁ କେବଳ ଟଙ୍କା କମାଇ ସ୍ତ୍ରୀପାଇଁ ଶାଢ଼ି କିଣି, ଗହଣା ଗଢ଼ି, ଘରଲାଗି ନୂଆ ନୂଆ ଆସବାବପତ୍ର କିଣନ୍ତି ନାହିଁ, ଆହୁରି ଅନେକ କିଛି କିଣନ୍ତି । ଟଙ୍କା ଦେଇ ପର ଝିଅବୋହୂଙ୍କ ମନ କିଣିବାପାଇଁ ଉଦ୍ୟମ କରନ୍ତି । ଶୁଣିଥିବ ହୁଏତ, ମୋତେ ଅନେକ କଥାପରି ଏଟା କହିନ...ମୁଁ ଏବେ କହୁଛି ଶୁଣ...ସେହି ଯେଉଁ ଶିକ୍ଷୟିତ୍ରୀଟି ଏବେ ଆମ ଘରକୁ ଆସିଥିଲେ, କେଡ଼େ ଭଲ ଝିଅଟିଏ । ତାକୁ ନେଇ କୃଷ୍ଣବାବୁ ଯାଇଥିଲେ କଲିକତା.... ।’’ ‘‘ସେଠୁ ହେଲା କ’ଣ ?’’ ‘‘କିଛି ହୋଇନି ? କୁମାରୀ ଜୀବନରେ ମା ହେବାରେ ଏ ମାଟିରେ ଯେଉଁ ଅଭିଶାପ, ସେଥିରୁ ମୁକ୍ତି ପାଇବାକୁ ଜନୈକା ଡାକ୍ତରାଣୀଙ୍କ ସାହାଯ୍ୟ ଭିକ୍ଷାପାଇଁ ଲାଗିଛନ୍ତି । ନର୍ମଦା ଏକଥା ଜାଣେ ! ଥରେ କେବେ ବୁଝିବାକୁ ଚେଷ୍ଟା କରିଚ, ନର୍ମଦା ମନ ତଳେ, ହୃଦୟ ତଳେ କି ଝଡ଼ ଆଜି ଉଠୁଥିବ ? ନାରୀର ମନସ୍ତତ୍ତ୍ୱ ତୁମେ କେବେ ବୁଝିପାରିବ ନାହିଁ । ନାରୀ ଭୀଷଣଭାବେ ସ୍ୱାର୍ଥପର । ସେ ଚାହେଁ ସ୍ୱାମୀ ତା’ର କେବଳ ତା’ରି ନିଜର ହୋଇ ରହୁ....ସ୍ୱାମୀ ତାକୁ ପାଗଳ ପରି ଭଲ ପାଉ, ଅନ୍ୟର ବାହୁବନ୍ଧନ ମଧ୍ୟରେ ସ୍ୱାମୀ ତା’ର ସ୍ୱପ୍ନ ନ ଦେଖୁ ବିଭୋର ନ ହେଉ, ନିଜକୁ ହରାଇ ନ ବସୁ । ସେତିକି ଯଦି ସେ ଜୀବନରେ ନ ପାଏ, ତେବେ ସହଧର୍ମିଣୀର ରାଜପଥରେ ଛାତିଫୁଲାଇ ଚାଲିବାର ସାହସ ରହେନି । ଗର୍ବ କରିବାର କିଛି ନ ଥାଏ । ସେହି ଦୃଷ୍ଟିରୁ ବିଚାର କରି ମୁଁ ନିଜକୁ ଭାଗ୍ୟବତୀ ମନେକରେ । ସମସ୍ତ ଅଭାବ ଅନଟନ ଭିତରେ ମୁଁ ପ୍ରଗତିପଥରେ ଆଗୁସାର ହେବାକୁ ପ୍ରେରଣା ପାଏ । ଜୀବନ ପଥର ସୁର୍ଦିନକୁ ଅତିକ୍ରମ କରିବାପାଇଁ ଉପାୟ ଚିନ୍ତାକରେ...’’ କାନନ କହି ଚାଲିଥାଏ ।

 

ସିଦ୍ଧାର୍ଥ ଗଭୀର ମନୋନିବେଶ କରି ସ୍ତ୍ରୀଙ୍କ କଥାଗୁଡ଼ିକ ଶୁଣୁଥାନ୍ତି, ସତେ ଯେପରି ଦୀର୍ଘ ବାରବର୍ଷ ତଳର ସରଳା ଛାତ୍ରନେତ୍ରୀ କୁମାରୀ କାନନ କୌଣସି ଏକ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ବୁଝାଇବାକୁ ଯାଇ ଉପସ୍ଥିତ ଛାତ୍ରମାନଙ୍କୁ ମନ୍ତ୍ରମୁଗ୍‌ଧ ବକ୍ତୃତା ଦେଇଚାଲିଛି... ।

Image

 

ଚମ୍ପକ ବନର ଏଲିଜି

 

ଦ୍ୱିତଳ ପ୍ରସାଦ ‘ଉଦୟନ’ର ଶେଷ ପ୍ରକୋଷ୍ଠ । ବାତାୟନ ପରଦାରେ ପୁରବୀର ଛାୟାଟି ପ୍ରତିଫଳିତ ହୋଇ ସିଲ୍‌ହଟ ଚିତ୍ରପରି ମନେ ହେଉଥାଏ । ପ୍ରଧାନ ରାସ୍ତାକୁ ଲାଗି ଏହି ଦ୍ୱିତଳ ପ୍ରାସାଦରେ ଅବସ୍ଥାନ କରନ୍ତି ପୁରବୀ ଓ ତା’ର ଆଉ ଛ’ଜଣ ବାନ୍ଧବୀ । କେବଳ ଦୁଇଜଣଙ୍କୁ ବାଦ ଦେଲେ ଆଉ ସମସ୍ତେ ଏବେ ମଧ୍ୟ କୁମାରୀ । ସମସ୍ତଙ୍କ ବୃତ୍ତି ସମାନ । ଶିକ୍ଷା ଦେବା ।

 

ପୁରବୀ ଭୀକ୍ଷଣଭାବେ ଜିଦ୍‌ଖୋର୍ । ମୁହାଁମୁହିଁ ଜବାବ ଦିଏ । ଏଇ ପୁରବୀ ସଙ୍ଗେ ମାନସର ପରିଚୟ ଅନେକ ପୁରାତନ । କେଉଁ ପୃଷ୍ଠଭୂମିରେ ଦୁହେଁ ଦୁହିଁଙ୍କୁ ଜାଣିଥିଲେ, ଆଜି କହିବା ସହଜ ନୁହେଁ । ତେବେ ପରସ୍ପରର ପରିଚୟ କେବଳ ପରିଚୟରେ ସୀମିତ ରହି ଯାଇଥିଲା-। ସେମାନେ ଶିକ୍ଷାନୁଷ୍ଠାନର ପାଠ ଶେଷ କରି ଆସିଲେ କର୍ମକ୍ଷେତ୍ରକୁ । ପୁରବୀ ଯୋଗ ଦେଲା ଅଧ୍ୟାପିକାରୂପେ, ଆଉ ମାନସ ଯୋଗ ଦେଲା ଶାସନ ବିଭାଗର ଜଣେ ଦ୍ୱିତୀୟ ଶ୍ରେଣୀ କର୍ମଚାରୀରୂପେ ।

 

ନିଜ ଜନ୍ମମାଟିର ବହୁ ଦୂରରେ ନୂତନଭାବେ ଗଢ଼ି ଉଠୁଥିବା ସହରଟିରେ ଆଜି ସେମାନେ ଏକତ୍ରିତ ହୋଇଛନ୍ତି । ପୁରବୀ ସେଦିନ କଲେଜ ପରେ ବସାକୁ ଫେରୁଥାଏ । ରାସ୍ତାରେ ସାକ୍ଷାତ ହେଲା ମାନସର ।

 

–‘‘ଆପଣ ଏଠି ଯେ ?’’

 

–‘‘ମୁଁ ଏଠାରେ ମହିଳା କଲେଜରେ ଅଛି ।’’

 

–‘‘କେଉଁଠି ରହୁଛନ୍ତି ?’’

 

–‘‘ଉଦୟନ, ସେଇ ଯେଉଁ ଦୁଇ ମହଲା କୋଠା । ଗେଟ୍ ଉପରେ ବିରାଟ ରାଧାତମାଳ ମାଡ଼ିଛି ।’’

 

–‘‘ଆଉ ସବୁ କିଏ ?’’

 

–‘‘ଅନ୍ୟ ଅଧ୍ୟାପିକାମାନଙ୍କ ବ୍ୟତୀତ କେତେଜଣ ଛାତ୍ରୀ ମଧ୍ୟ ଅଛନ୍ତି ।’’

 

–‘‘ତେବେ କହୁନାହାନ୍ତି ଲେଡ଼ିଜ୍ ହଷ୍ଟେଲ୍ ?’’

 

–‘‘ନା, ହଷ୍ଟେଲ୍ କହିବା ଠିକ୍ ହେବ ନାହିଁ । କାରଣ ହଷ୍ଟେଲର ଆଇନକାନୁନ ସେଠି ନାହିଁ । ମାନେ...ମାନେ... ।’’

 

–‘‘ହଁ, ବୁଝିଲି, ଯାଆନ୍ତୁ । ମୁଁ ଏଠିକି ମୋଟେ ଦୁଇ ଚାରିଦିନ ହେଲା ଆସିଛି । ପରେ ଯାଇ ଦେଖା କରିବି । ବର୍ତ୍ତମାନ ମାର୍କେଟ ଯାଉଛି ।’’ ବାସ୍ ସେତିକି । ସେଇ ମାତ୍ର ଆଳାପ ।

 

–ଦୁଇ–

 

ମାନସ ଆଉ ଥରେ ଚାହିଁଲା ଆକାଶକୁ । ଆକାଶ ମେଘାଚ୍ଛନ୍ନ । ମଳିନ ଚନ୍ଦ୍ର । କ୍ଷୁଦ୍ର ସହରର ପରିବେଶ କ୍ରମେ କୋଳାହଳରୁ ଶାନ୍ତ ହୋଇଆସୁଛି । ନଦୀ ପଠାର କାଶତଣ୍ତି ଫୁଲଗୁଡ଼ିକ ବେଶ୍ ଉପଭୋଗ୍ୟ ହୋଇଛି । ‘ଉଦୟନ’ର ଶେଷ ପ୍ରକୋଷ୍ଠ ବାତାୟନରେ ସିଲ୍‌ହଟ ଚିତ୍ରର ଭ୍ରମ ସୃଷ୍ଟି କରୁଥିବା ଛାୟାଟି ଯେ ପୁରବୀର ପ୍ରତିଫଳନ, ଏଥିରେ ସନ୍ଦେହ ନାହିଁ । ମାନସର ଚାଲିବାର ଗତି ଧୀରେ ଧୀରେ ମନ୍ଥର ହୋଇଗଲା । ସେ ଅନେକ କିଛି ଚିନ୍ତା କଲା । ସୂର୍ଯ୍ୟକୁ କେନ୍ଦ୍ରକରି ଅନ୍ୟ ଗ୍ରହ ଉପଗ୍ରହ ଘୂରିଲା ପରି ପୃଥିବୀକୁ କେନ୍ଦ୍ର କରି ତା’ର ବାନ୍ଧବୀମାନେ ମାନସର ମନରାଜ୍ୟରେ ଘୂରିବାକୁ ଲାଗିଲେ ।

 

ମାନସ ଏ ମଧ୍ୟରେ ଦୁଇବାର ପୁରବୀକୁ ସାକ୍ଷାତ କରିବାକୁ ଯାଇଛି । ପୁରବୀ ପ୍ରତି ଧୀରେ ଧୀରେ ମାନସର ମମତା ବୃଦ୍ଧି ପାଇଛି । ପୁରବୀ ମାନସର ଆଖିରେ ଓ ମନରେ ଏକ ସୌନ୍ଦର୍ଯ୍ୟ ପ୍ରତୀକରୂପେ ଗଢ଼ିଉଠିଛି । ପୁରବୀର କଥା, ଚାଲି, ଚାହାଣି, ତାଚ୍ଛଲ୍ୟ, ମାନସ ଉପଭୋଗ କରିଛି । ସେ ମନେ କରିଛି ନିର୍ଜୀବ ‘ଉଦୟନ’କୁ ସତେ ଯେପରି ଏଇ ପୁରବୀ କେବଳ ଚଞ୍ଚଳ କରି ଉଠାଇଛି । ପୁରବୀ ନ ଥିଲେ, ‘ଉଦୟନ’ର ପରିବେଶ ମୃତ, ଶୀତଳ ହୋଇ ପଡ଼ିଥାନ୍ତା-।’’

 

ରାତିର ଶେଷ ପହର । ମାନସ ଶେଯରେ ପଡ଼ିରହି ଦୀର୍ଘ ସମୟ ଧରି ପୁରବୀ କଥା କେବଳ ଚିନ୍ତା କରୁଥିଲା । ପୁରବୀ ହୁଏତ ପ୍ରଥମେ ତା’ର ନିମନ୍ତ୍ରଣ ରକ୍ଷାକରି ତା’ ବସାକୁ ଆସି ନ ପାରେ । ମାତ୍ର ସାମାନ୍ୟ ବାଧ୍ୟ କଲେ ସେ ନିଶ୍ଚୟ ଆସିବ । ଏଥିରେ ସନ୍ଦେହ ନାହିଁ । ସେ ଏକା ଆସିବ କିମ୍ୱା ସାଙ୍ଗରେ ଆଉ ଜଣେ ଦୁଇଜଣ ସଙ୍ଗୀଧରି ସେ ଆସି ଧୀର ସଞ୍ଜତଭାବେ ବସିବ ଗୋଟିଏ ଚୌକିରେ । ହୁଏତ ପଚାରିବ, ଆଉ କେତେଦିନ ଏ ଘରେ ଖିନ୍ ଭିନ୍ ହୋଇ ଏପରି ଅବସ୍ଥାରେ ଜିନିଷ ପଡ଼ିଥିବ ! ଘର କରନ୍ତୁ । ଘର ଲାଗି ମଣିଷଟିଏ ଆଣନ୍ତୁ । ଆପଣ ଛାଡ଼ନ୍ତୁ, ମୁଁ କଫି ବସାଉଛି କହି ହୁଏତ କେଟ୍‌ଲୀ ଛଡ଼ାଇ ନେବ ହାତରୁ ।

 

ପୁରବୀ ଫେରିଯିବ... ।

 

ପୁରବୀ ପୁଣି ଆସି... ।

 

କିଛିଦିନ ପରେ ବସାକୁ ଆସିବାଲାଗି ନିମନ୍ତ୍ରଣ କଲେ ପୁରବୀ ହୁଏତ ପ୍ରଥମ ଥର ପରି ଏତେ ଅବାଧ୍ୟ ହେବ ନାହିଁ ।

 

ପୁରବୀ ଆସିବ...।

 

ପୁରବୀ ଫେରିଯିବ...।

 

ପୁରବୀ ଫେରିଗଲାବେଳେ ତାକୁ ଯେ ମୋ ବସାକୁ ଏକାଧିକ ବାର ଆସିବାକୁ ପଡ଼ିବ, ସେ ଗୋଟିଏ ପ୍ରକାର ନିଶ୍ଚିତ ହୋଇ ଫେରିବ ।

 

ସେ ଆସିଲେ ମାନସ ତା’ଠାରୁ ତା’ର ବଂଶାବଳୀର ପରିଚୟ ସଂଗ୍ରହ କରିନେବ । ପୁରବୀର ବାପା କ’ଣ କରନ୍ତି, ଧନ ସମ୍ପତ୍ତି, କେତେ ଭାଇ, ଭଉଣୀ...ବନ୍ଧୁବାନ୍ଧବ...। ପୁରବୀ ଏଇ ପ୍ରଶ୍ନର ଉଦ୍ଦେଶ୍ୟ ନିଶ୍ଚୟ ବୁଝିବ । ସମ୍ମତି ହୁଏତ ଜଣାଇବ କିମ୍ୱା... । ନାହିଁର ପ୍ରଶ୍ନ ନାହିଁ । କାରଣ ପୁରବୀର ନାହିଁ କରିବାର ରଙ୍ଗ କିମ୍ୱା ପ୍ରକୃତିର ନୁହେଁ ।

 

ସେଇ ସକାଳ ଶେଯରେ ମାନସର ଅସୁମାରି କଳ୍ପନା...ପୁରବୀ ପାଦ ଚିପି ଚିପି ଆସିବ...କୁଳବଧୂରୂପେ....ପୁରବୀର ସୁନ୍ଦର ମୁହଁଟି ବିବାହଦିନ କୁଙ୍କୁମ ଚନ୍ଦନରେ ଚିତ୍ରିତ ହୋଇ ଅଧିକ ସୁନ୍ଦର ଓ ଲୋଭନୀୟ ଦେଖାଯାଉଥିବ । ଘରେ ଅନେକ ଲୋକ...କୋଳାହଳ...ଶୁଭବାସରର ଶଙ୍ଖଧ୍ୱନି ।

 

‘‘ପୁରବୀ ଆସିବ ତା’ର ଘରକୁ... ।’’

 

ଆଉ ଫେରିବ ନାହିଁ... ।

 

ମାନସର ଶେଯ ଛାଡ଼ିବାକୁ ଇଚ୍ଛା ହେଉ ନ ଥାଏ । ସେ ବାଧ୍ୟ ହୋଇ ଶେଯ ଛାଡ଼ିଥିଲା-। ଅନେକ ବିଳମ୍ୱ ହୋଇ ଯାଇଥିଲା । ହକର୍ ସକାଳ ଖବରକାଗଜ ଆଣି ଘରେ ପକାଇଦେଇ ଗଲା ।

 

ସନ୍ଧ୍ୟା ଆକାଶ ତଳେ ମାନସ ଆଜି ନିଜକୁ ଏକାକୀ ମନେକରି ନାହିଁ । ସେ ଆଉ ଖଣ୍ତେ ସିଗାରେଟ୍‌ରେ ନିଆଁ ଧରାଇଲା । ନଦୀ କୂଳରେ ଥିବା ସିମେଣ୍ଟ ବେଞ୍ଚ ଉପରେ ସେ ଚିତ୍‌ହୋଇ ଶୋଇଗଲା ନିଜକୁ ଟିକେ ହାଲୁକା କରିନେବା ଲାଗି । ସେ ଗଣିବାକୁ ଚେଷ୍ଟାକଲା ଆକାଶର ତାରକା; କିନ୍ତୁ ପାରିଲା ନାହିଁ । ତା’ର ମନେହେଲା ସତେ ଯେପରି ତା’ ଜୀବନରେ ଗୋଟିଏ ବିରାଟ ପରାଜୟ ହେଲା ଓ ଏଇ ବ୍ୟର୍ଥତା ଲାଗି ପୁରବୀ ପରିହାସ କରି କହୁଛି,–ମୁଁ ଜାଣିଥିଲି ତୁମେ ପାରିବ ନାହିଁ । ତୁମେ ତାରା ଗଣିପାରିବ ନାହିଁ । ତାରା ତ ଅନେକ ଉପରେ, ତୁମେ ଏଇ ଛୋଟ ନଈଟି ମଧ୍ୟ ଅତିକ୍ରମ କରି ପାରିବି ନାହିଁ । ଆହତ, ଅଭିମାନରେ ସେ ନଦୀ ପହଁରା ଯିବାଲାଗି ଉଦ୍ୟତ । ସେଇ ଶାନ୍ତ ପରିବେଶରେ ପ୍ରତିଧ୍ୱନିତ ହେଲା ପୁରବୀର ମଧୁରକଣ୍ଠର ମୂର୍ଚ୍ଛନା । ପରିହାସରେ କହିଲି । ତୁମ କୋଟ କାଢ଼ିବା ଦରକାର ନାହିଁ । ସନ୍ଧ୍ୟାରେ ପାଣିରେ ପଶ ନାହିଁ । ଶୀତ ଦିନ । ଥଣ୍ତା ଧରିବ ।’

 

ମାନସ ସଚେତନ ହେଲା...ସଚେତନ ହେଲା ପରିବେଶର । ରାତି ତେବେ ଅନେକ ହେଲାଣି । ସମସ୍ତେ ଫେରିଗଲେଣି । ସେ ସିମେଣ୍ଟ ବେଞ୍ଚ ଉପରୁ ଉଠି ଧୀରେ ଧୀରେ ବସା ଅଭିମୁଖରେ ଚାଲିଲା ।

 

ପ୍ରଧାନ ରସ୍ତାପାର୍ଶ୍ୱରେ ‘ଉଦୟନ’, ଦ୍ୱିତଳ ପ୍ରାସାଦର ଶେଷ ପ୍ରକୋଷ୍ଠର ବାତାୟନ ପରଦା ଉପରେ ସିଲହଟ ଚିତ୍ର ପ୍ରତିଫଳିତ ହେଉଛି । ହୁଏତ ପୁରବୀ ବସିଛି...।

 

ମାନସ ସାମାନ୍ୟ ବିରକ୍ତ ହେଲା । ଏ ଶୀତରେ ମଧ୍ୟ ପୁରବୀ ଝରକା ଖୋଲି ବସିଛି । ଥଣ୍ତା ଧରିବ । ମାନସ ଫେରୁଥିଲା ବସାକୁ । ଶୀତ ରାତିର ଅନ୍ଧକାର ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ଛୋଟ ସହରଟି ଶୋଇବାକୁ ଉଦ୍ୟମ କରୁଥିଲା ।

 

–ତିନି–

 

ଅଫିସ ରୁମ୍‌ରେ ଫୋନ୍ ବାଜିଉଠିଲା...। ରୀତା ପରିହାସ କରି ଉଠିଲା...

 

–‘‘ପୁରବୀ, ମାନସ...।’’

 

–‘‘ନା, ମୋର ନୁହେଁ । ବୀଣାର ନିଶ୍ଚୟ ହୋଇଥିବ, ଜେଲର୍ ହୋଇଥିବେ...କିମ୍ୱା ତନୁର କଲ୍...ମହେନ୍ଦ୍ରବାବୁ ହୋଇଥିବେ । ମାନସ ଟୁର୍‌ରେ ଯାଇଛି ।’’

 

ଫୋନ୍ ବାଜିଉଠିଲେ ନିଜ ଅଜଣାରେ ଆପଣା ମନ ଚହଲି ଉଠେ । ହୃଦୟରେ ରେଖାପାତ କରେ । ଏ ରେଖା ଦେଖିହୁଏ ନାହିଁ; କିନ୍ତୁ ମନକୁ ଛୁଏଁ । ଆପଣା ଭିତରେ ଗୋଟାଏ ପରିହାସ ସୃଷ୍ଟି ହୁଏ । ଏଇ ମଫସଲ ସହରର ପରିସର ଏତେ କ୍ଷୁଦ୍ର ଯେ, ଏଠାରେ କାହାର ଅଜଣାରେ କିଛି କରିବା କଷ୍ଟ । ତେଣୁ ପାଖକୁ କିଏ ଆସେ...ଶ୍ୟାମା ନିକଟକୁ କିଏ ଆସେ...ଓଃ, ଆଉ କିଏ କାହା ନିକଟକୁ ଆସନ୍ତା, ତାହା ସମସ୍ତେ ଜାଣନ୍ତି । ମାନସ...ଶାସନ ବିଭାଗର ଯୁବ ଅଫିସର ମହେନ୍ଦ୍ର...ୟଙ୍ଗ ଲୟାର୍....ବିବାହିତ । ନିର୍ମଳ...ପବ୍ଳିକ ରିଲେସନ୍ ଅଫିସର, ପୃଥୁଳ ଶରୀର, ଚନ୍ଦା ମୁଣ୍ତ ।

 

ଏମାନେ ସମସ୍ତେ ସମୟ ଅସମୟ ବିଚାର ନ କରି ‘ଉଦୟନ’ କିମ୍ୱା ଶିକ୍ଷାନୁଷ୍ଠାନକୁ ଫୋନ୍ କରନ୍ତି । ନିର୍ମଳ ‘ଉଦୟନ’ରେ ଘଣ୍ଟା ଘଣ୍ଟା ବସି ଗପ କରନ୍ତି । ସେ ଗପର ନା ଥାଏ ଆରମ୍ଭ, ଆଉ ଶେଷ । ଅନେକ ଏଟାକୁ ପସନ୍ଦ ନ କଲେ ମଧ୍ୟ ମୁହାଁମୁହିଁ ନ ଆସିବାକୁ ନିର୍ମଳକୁ କେହି ମନା କରି ପାରନ୍ତି ନାହିଁ ।

 

ସୌଜନ୍ୟ ରକ୍ଷାକରି ପ୍ରଥମେ ଯେଉଁ ପରିଚୟ ଆରମ୍ଭ ହୋଇଥାଏ, ତାହା ଧୀରେ ଧୀରେ ଅତ୍ୟାଚାରରେ ପରିଣତ ହୁଏ । ଅସହ୍ୟ ହୋଇଉଠେ ।

 

ବହୁ ବିବାହିତ, ସଦ୍ୟ ବିବାହିତ, ଅବିବାହିତ ଏଠାକୁ ଆସନ୍ତି, ବିଭିନ୍ନ ଆଳ ଦେଖାଇ । କିଏ ଆସେ ଅଭିଭାବକ ସାଜି, କିଏ ଆସେ ଶୁଭେଚ୍ଛୁ ସାଜି । ଆପଣା ସାଜରେ ସେମାନେ ପରିଚିତ ହୁଅନ୍ତି ପୁରବୀ ଓ ତା’ର ବନ୍ଧୁମାନଙ୍କ ସହିତ । ସମସ୍ତେ ଆସନ୍ତି ନିଜର ସ୍ୱାର୍ଥ ନେଇ । ନିଜକୁ ବାଦ ଦେଲେ ଅନ୍ୟ ଯେଉଁମାନେ ଆସନ୍ତି, ତାଙ୍କର ଚରିତ୍ର ଭଲ ନୁହେଁ ବୋଲି ଆଗନ୍ତୁକମାନେ ପ୍ରତିପାଦିତ କରନ୍ତି । ସୁବିଧା ସୁଯୋଗ ଦେଖି ସେମାନଙ୍କୁ କେହି ନିମନ୍ତ୍ରଣ କରନ୍ତି ସିନେମାକୁ, କିଏ ହାତରୁ ପଇସା ଦେଇ ଗାଡ଼ି ଠିକ୍‌ କରି ପିକ୍‌ନିକ୍ ଯିବାଲାଗି ପ୍ରସ୍ତାବ ଦିଅନ୍ତି, କିଏ କହେ, ନଗରଠାରୁ ଦୂରକୁ ଯାଇ ସବୁଜ ବନାନୀ ଦେହରେ ହଜିଯିବାକୁ ।

 

କଲେଜରୁ ସମସ୍ତେ ଫେରିଆସନ୍ତି । ଶୋଇବା ପୂର୍ବରୁ ପୁରବୀ ଓ ତା’ର ସହବାସିନୀଙ୍କ ମଧ୍ୟରେ ଆଲୋଚନା ଚାଲେ । ସମସ୍ତେ ପରିହାସ କରନ୍ତି, ଯେଉଁମାନେ ଆସନ୍ତି, ଆଉ ଫେରିଯାଆନ୍ତି ସେହିମାନଙ୍କୁ । ସାମୟିକ ଉପଭୋଗ, ଖୁସିବାସି ଲାଗି ସବୁ ନିମନ୍ତ୍ରଣ; କିନ୍ତୁ କାହିଁ କେହି ତ ଚିରଦିନ ଲାଗି ନୀଡ଼ ରଚନାର ଦାୟିତ୍ୱପାଇଁ ପ୍ରସ୍ତୁତ ହୋଇ ଆସନ୍ତି ନାହିଁ ।

 

ରୀତା ଥଟ୍ଟା କରି କହେ, ‘‘ବୁଝିଲ...ନାରୀ ସିନା ଚାହେଁ ନୀଡ଼ ରଚନା–ଆଶ୍ରୟ ଲାଗି ନିର୍ଦ୍ଦିଷ୍ଟ ବନ୍ଦର; ମାତ୍ର ପୁରୁଷ ଚାହେଁ ଦୈନନ୍ଦିନ ଜୀବନରେ ବ୍ୟତିକ୍ରମ, ପରିବର୍ତ୍ତନ । ସେ ନୀଡ଼ ଅପେକ୍ଷା ଅଧିକ ପସନ୍ଦ କରେ ପାନ୍ଥଶାଳା । ବାହାରେ ଆଶ୍ରୟ ମିଳିଲେ ସେ ଘରକଥା ଭୁଲିଯାଏ । ତା’ ବ୍ୟତୀତ ତୁମପରି ଗୁଡ଼ିଏ ବୟସ ଗଡ଼ି ଯାଇଥିବା ଅଧ୍ୟାପିକାଙ୍କୁ ନେଇ ଘର ସଂସାର କରିବ ବା କିଏ ? ମୁଁ ଯଦି ସତରେ ମରଦ ପିଲା ହୋଇଥାନ୍ତି, ତୁମ ସମସ୍ତଙ୍କୁ ନେଇ ଗୋଟାଏ ବିରାଟ ପରିବାର ଗଠନ କରନ୍ତି । ତମକୁ ଏ ଡହଳବିକଳରୁ ରକ୍ଷା କରନ୍ତି ।’’

 

କେବେକେବେ ଆଗନ୍ତୁକମାନଙ୍କର ଚରିତ୍ରକୁ ନେଇ ଆଲୋଚନା ଚାଲେ । କିଏ ବାହାକୁ ବ୍ୟଙ୍ଗ କରେ ତ, କିଏ କାହାକୁ ପ୍ରଶଂସା କରେ ଭଦ୍ରଲୋକ କହି, ନିରୀହ କହି । ଜେଲର କଥା ପଡ଼ିଲେ ମାନସୀ ଉପହାସ କରି କହେ, ‘‘ସେ ମୋ ଲୋକ । ମୁଁ ତାଙ୍କର ହେବାରେ ସାମାନ୍ୟ ଆପତ୍ତି ନାହିଁ ।’’ ରୀତା କହେ, ‘‘ସେ କେବଳ କାମୁଡ଼ିବା ପରି ରଙ୍ଗ ଢଙ୍ଗ ଦେଖାନ୍ତି ସିନା, କାମୁଡ଼ିବାର ଶକ୍ତି ନାହିଁ । ଅବଶ୍ୟ ତାଙ୍କର ବଦପ୍ରକୃତି ହେଉଛି ଥରେ ଫୋନ୍ ଧରିଲେ ଆଉ ଛାଡ଼ନ୍ତି ନାହିଁ ।’’ ହଠାତ୍ କେହି ଜଣେ କହିଲା, ‘‘ପବ୍ଳିକ ରିଲେସନ୍ ଅଫିସରଟି ଖୁବ୍ ଭଲଲୋକ । ଶାନ୍ତ, ଅମାୟିକ ।’’ କ୍ଷୀରୋଦ୍ରା କହିଲା, ‘‘ପୋତାମୁହାଁମାତ୍ରେ ବଦମାସ । ତା’ପାଇଁ ତା’ ପ୍ରଥମ ସ୍ତ୍ରୀ ଆତ୍ମହତ୍ୟା କରିଛି । କିଛି କହେନି ସିନା, ବଡ଼ ଅଶ୍ଳୀଳଭାବେ ଚାହେଁ । ସେ ଆମମାନଙ୍କୁ କହେ ଆମେ ସବୁ ନଗରବଧୂ । ଯେତେ ନାଗର ସମସ୍ତଙ୍କର ଅଧିକାର ଆମ ଉପରେ ଅଛି । ବଡ଼ ବେଇମାନ ଲୋକ ।’’

 

ତା’ପରେ କ୍ଷୀର ବର୍ଣ୍ଣନା କଲା ତା’ର ଅନୁଭୂତି । ବରଗଡ଼ରୁ ସମ୍ୱଲପୁର ଆସୁଥିବାବେଳେ ସେ କିପରି ହଠାତ୍ ପ୍ରୋଗ୍ରାମ କରି ସେ ଯାଉଥିବା ବସ୍‌ରେ ଉଠିଲା । ରାସ୍ତାରେ ଯେଉଁଠି ବସ୍ ରହିଛି, ଜେଲର କିପରି ହାତରୁ ପଇସାଖର୍ଚ୍ଚ କରି ପାନ, ଚା’, କଫି, ବିସ୍କୁଟ ଆଣି ତାକୁ ଖାଇବାକୁ ଦେଉଥିଲା । ଉପରେ ପଡ଼ି କଥାର ଖିଅ ଟାଣୁଥିଲା... ।

 

–‘‘ମନ୍ଦ କ’ଣ ହେଲା ? ଟିକେଟ୍ କିଏ କରିଥିଲା ?’’ ପୁରବୀ ହସ ଚାପି ପ୍ରଶ୍ନ କଲା ।

 

–‘‘ହସୁଛୁ କ’ଣ ? ଯାହା ଲାଗୁଥିଲା ନା, ଭଦ୍ରତା ଖାତିରରେ ସବୁ ସମ୍ଭାଳି ଯିବା କଥା । ଇଚ୍ଛା ହେଉଥିଲା ପାଦରୁ ଚପଲ କାଢ଼ି...କେବଳ ଏତିକିରେ ଶେଷ ନୁହେଁ, ସମ୍ୱଲପୁରରୁ ଯାଇ ହୀରାକୁଦରେ ଗୋଟିଏ ରାତି କଟାଇବା ଲାଗି ସେ ମତେ ନିମନ୍ତ୍ରଣ କରୁଥିଲା । ଧନ୍ୟ ସାହସ...ମଣିଷଖିଆ ବାଘଟାଏ...ବଡ଼ ଅଭଦ୍ର ।’’

 

ମାନିନୀ ପଚାରିଲା, ‘‘ପୁରବୀ, ମାନସ କଥା ଏବେ କହ ! ଏବେ ତ ସେ ସବୁଦିନ ସନ୍ଧ୍ୟାରେ...ମେସ କୁକୁର ତାକୁ ପ୍ରଥମେ ଦେଖି ଭୁକୁଥିଲା...ଏବେ ସେତିକି ବନ୍ଦ ।’’

 

ପୁରବୀ–ଦରହସି ଉତ୍ତର କଲା–‘‘କ’ଣ ମ, ମାନସ କଥା ଗୋଟାଏ ପଚାରୁଛୁ । ମାଇଚିଆଟା, ନିଶ ଉଠିନି, ପ୍ରେମ କରିବାକୁ ମନ । ହେଲେ ସାହସ ନାହିଁ । କ’ଣ କହିବ କହିବ ହୋଇ ସାତଦିନ ଗଲାଣି । ଘଣ୍ଟା ଘଣ୍ଟା ଗପ ପରେ ଯିବାବେଳକୁ କହିବା କଥାଟା ଆଉ ଦିନକୁ କହିବ ବୋଲି କଣ୍ଟ କରିଯାଇଛି ।’’

 

କ୍ଷୀରୋଦ୍ରା–‘‘କିଛି ବୁଝିପାରୁନୁ ? ଆଲୋ ପୁରବୀ, ତୁ ତୋ ତରଫରୁ କହୁନୁ ?’’

 

–‘‘ରବି ଠାକୁର ରାଜ୍ୟର କୁମାରୀ ହୋଇଥିଲେ ମୁଁ ସିନା ପ୍ରସ୍ତାବ ଦିଅନ୍ତି...’’

 

କ୍ଷୀର ମୁରୁକି ହସି କହିଲା, ‘‘ସେ ତ ଏବେ ବରାବର ଫୋନ୍ କରୁଛି । ଆମେ କିନ୍ତୁ ଆଭୟେଡ଼୍‍ କରୁଛୁ । ସବୁର ଗୋଟାଏ ସୀମା ଅଛି । କାଲି ଫୋନ୍ କରିଥିଲା, ପଚାରିଲି, କ’ଣ କାମ ଅଛି ? ଉତ୍ତର ପାଇଲି ସେପରି କିଛି କାମ ନାହିଁ । ଫୋନ୍ କରିଥିଲି ଜାଣିବାକୁ ତମ ଦେହ କିପରି ଅଛି ।’’

 

ଉଦୟନକୁ ଯେତେ ଭଦ୍ରଲୋକ ଆସନ୍ତି, ମଝିରେ ମଝିରେ ସମସ୍ତଙ୍କ ଉପରେ ଆଲୋଚନା ହୋଇଥାଏ, କୌଣସି ଅସୂୟା ନ ଥାଏ, କୌଣସି ଉଦ୍ଦେଶ୍ୟ ନ ଥାଏ ଆଲୋଚନା ମୂଳରେ । କାହାକୁ ଆଘାତ ଦେବାର ଲକ୍ଷ୍ୟ କଲାପରି ଏ ଆଲୋଚନା ମଧ୍ୟ ହୋଇଥାଏ ।

 

‘‘ଉଦୟନ’’ର ଗେଟ୍ ପାଖରେ ଗୋଟାଏ ବିରାଟ ଚମ୍ପା ଗଛ । ଅନେକ ଫୁଲ ଫୁଟିଛି । ଉଦୟନର ଅନ୍ତେବାସିନୀଙ୍କ ପ୍ରଶଂସା କରିବାକୁ ସାହସ ସଂଗ୍ରହ କରିବା ପୂର୍ବରୁ ଅନେକେ ପ୍ରଥମେ ଏଇ ଚମ୍ପା ଗଛର ପ୍ରଶସ୍ତି ଗାନ କରିଥାନ୍ତି ।

 

–ଚାରି–

 

ମାନସ ଚାହିଁଲା ଟେବୁଲ କ୍ୟାଲେଣ୍ତରକୁ, ନଭେମ୍ୱର ପନ୍ଦର । ଠିକ୍ ଗତବର୍ଷ ନଭେମ୍ୱର ପହିଲାରେ ଏଠାକୁ ବଦଳି ହୋଇ ଆସିଥିଲା । ଆସିଲାବେଳେ ଏ ସ୍ଥାନ ପ୍ରତି ତା’ର ଗୋଟାଏ ବିତୃଷ୍ଣା ହୋଇ ଯାଇଥିଲା । ଅନ୍ୟମାନଙ୍କଠାରୁ ଏ ସ୍ଥାନ ବିରୁଦ୍ଧରେ ଶୁଣି ଶୁଣି; ମାତ୍ର ଆଜି ଏ ସ୍ଥାନ ଛାଡ଼ି ଯିବାପାଇଁ ସେ ଚାହୁଁ ନଥିଲା । ସ୍ଥାନ ପ୍ରତି ତା’ର ଗୋଟାଏ ମମତା ଆସି ଯାଇଥିଲା; ଗୋଟାଏ କିଛି ନିଷ୍ପତ୍ତି କରି ଚାଲି ଯିବ ବୋଲି ସେ ହୁଏତ ଭାବୁଥିଲା । କିନ୍ତୁ ହୋଇପାରିଲା ନାହିଁ । ସେ ଏବେ ସିଧାସିଧା ପୁରବୀକୁ କିଛି ଗୋଟାଏ ପଚାରିବା ଅସୁନ୍ଦର ହେବ ମନେ କରି, କିଛି ନ ପଚାରି ପୁଣି କିଛିଦିନ ଛୁଟି ନେଇ ଏଠିକୁ ଆସିବାକୁ ସ୍ଥିର କରି ଫୋନ୍ ଉଠାଇଲା । ପୁରବୀ ହେଉ, କିମ୍ବା ତା’ର କୌଣସି ସାଙ୍ଗକୁ ସମ୍ୱାଦଟା ଜଣାଇଁ ଦେବାକୁ । ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଏତେ ଶୀଘ୍ର ପାଇଯିବ ବୋଲି କେବେ ଆଶାକରି ନଥିଲା । ନୂଆ ସ୍ଥାନକୁ ଯାଇ ସଙ୍ଗେ ସଙ୍ଗେ କାମରେ ଯୋଗଦେବାଲାଗି ଜରୁରି ନିର୍ଦ୍ଦେଶ ।

 

ମାନସ ଆଉ ଥରେ ରିଂ କଲା । ନୋ ରିପ୍ଳାଇ । ଶେଷରେ ଏକ୍‌ସଚେଞ୍ଜରୁ ଉତ୍ତର ମିଳିଲା ଫୋନ୍ ଆଉଟ୍ ଅଫ୍ ଅର୍ଡ଼ର ।

 

ପୁରବୀ ସଙ୍ଗେ ତେବେ ତା’ର ଆଉ ଦେଖା ହେବନାହିଁ । ପୁରବୀବୁ ପ୍ରତିଶ୍ରୁତି ଦେଇ ଆସିଥିଲା ଆସନ୍ତା ରବିବାର ଦିନ କହିବା ଲାଗି ସେ କ’ଣ ଚାହେଁ...ଦୁଃଖର କଥା ସେ ପୁରବୀବୁ ହୁଏତ କହିପାରିବ ନାହିଁ ।

 

ଅଫିସ କାମ ଶେଷକର ଅଫିସ ଛାଡ଼ିବାବେଳକୁ ରାତି ସାଢ଼େ ଦଶ । ବସାକୁ ଫେରିବା ରାସ୍ତାରେ ଉଦୟନ । ଛାଏଁ ଛାଏଁ ତା’ର ପାଦ ଅଟକିଗଲା, ସେ ଭିତରକୁ ଯିବ କି ନାହିଁ ସ୍ଥିର କରିବାପୂର୍ବରୁ ସେଠାରେ ଯାଇ ପହଞ୍ଚି ଯାଇଛି ।

 

‘ଉଦୟନ’ ଗେଟ୍ ପାଖ ରୁମ୍ କବାଟରେ ମାନସ ଠକ୍ ଠକ୍ କରିଛି । ମାନିନୀ ଶୋଇବାକୁ ଯାଉଥିଲା, ପଦାକୁ ଆସି ଦେଖେ ତ ମାନସ । ଗୋଟାଏ ଦୁଃସମ୍ୱାଦ ଧରିଆସିଲା ପରି ଚେହେରା । ଓଠ ଦୁଇଟି ଶୁଷ୍କ...ନୟନତାରା ଶାନ୍ତ । ମାନିନୀ ଭୟ ପାଇଗଲା । କ୍ଷୀରର ବଡ଼ ଭଉଣୀ ଡାକ୍ତରଖାନାରେ । ଭୟଙ୍କର ଭାବରେ ଅସୁସ୍ଥ ଥିଲା । କିଛି ଆଉ ହେଲା କି ? ନା, ନା, ଭଗବାନ କରନ୍ତୁ । ଭଉଣୀଟି ବ୍ୟତୀତ ବିଚାରୀର ଆଉ କିଏ ଅଛି ?

 

ମାନିନୀ ଶକ୍ତି ସଞ୍ଚୟ କରି ପଚାରିଲା, ‘‘ଖବର କ’ଣ ? ଏପରି ଅସମୟରେ ?’’

 

‘‘ପୁରବୀ ଅଛି ? ଟିକେ ଡାକି ଦେଇ ପାରିବେ ?’’

 

–‘‘ସମସ୍ତେ ଶୋଇଗଲେଣି । କହିବେ ଯଦି ଉଠାଇବି । ନ ହେଲେ ଯଦି କିଛି ଆପତ୍ତି ନ ଥାଏ, କ’ଣ କହିବା କଥା ମତେ କହିଯା’ନ୍ତୁ । ମୁଁ କହିଦେବି ।’’

 

–‘‘ପୁରବୀକୁ ମୋର କେତେକ କଥା କହିବାର ଥିଲା, ଆସନ୍ତା ରବିବାର ଦିନ ।’’

 

–‘‘କହିବେ । ଅସୁବିଧାଟା କ’ଣ ?’’

 

–‘‘ନା, ମୋର ବଦଳି ହୋଇଯାଇଛି । ସଙ୍ଗେ ସଙ୍ଗେ ଯାଇ ଅଫିସରେ ଯୋଗଦେବାକୁ ତାର ଆସିଛି । କାଲି ସକାଳ ଲୋକାଲରେ, ମୁଁ ଏଠାରୁ ଚାଲିଯିବି । ପୁରବୀ ସଙ୍ଗେ ସାକ୍ଷାତ ହୋଇପାରିବ ନାହିଁ । ତାକୁ କହିବେ, ମୁଁ ପୁଣି ଆସନ୍ତା ସପ୍ତାହରେ ଛୁଟି ନେଇ ଆସିବି ।’’

 

ବଦଳି କଥା ଶୁଣି ମାନିନୀ ମୁହଁର ଗାମ୍ଭୀର୍ଯ୍ୟ ଧୀରେ ଧୀରେ ଲିଭି ଗଲା । ନିଜ ଭିତରେ ହସର ଗୋଟାଏ ଜୁଆର ମାଡ଼ିଆସିଲା । ମାତ୍ର ସେ ଓଠଚାପି ଅତି ନମ୍ରଭାବେ କହିଲା, ‘‘ଆପଣଙ୍କ ବଦଳିରେ ଆମେ ସମସ୍ତେ ଦୁଃଖିତ । ଆଚ୍ଛା, ଆପଣ ଯାଆନ୍ତୁ । ମୁଁ ପୁରବୀକୁ ସବୁକଥା କହିଦେବି-।’’

 

ମାନସ କ’ଣ କହିବାକୁ ଚାହୁଁଥିଲା । କିଛି କହି ନ ପାରି ହାତ ଟେକି ନମସ୍କାର ଜଣାଇ ଫେରିଲା । ‘ଉଦୟନ’ର ମେନ୍‌ଗେଟ୍ ଅତିକ୍ରମ କରିବା ପୂର୍ବରୁ ସେ ଶୁଣିପାରିଲା ମାନିନୀ ରୁମ୍ କବାଟ ବନ୍ଦ କରୁଥିବାର ଶବ୍ଦ ।

 

ମାନସ ଆଉଥରେ ଚାହିଁଲା । ଦ୍ୱିତଳ ପ୍ରସାଦରେ ପୁରବୀ ରହୁଥିବା କୋଠରି ଆଡ଼କୁ । ବାତାୟନ ବନ୍ଦ ଅଛି । ବିଚାରୀ ଶୋଇ ଯାଇଥିବ ଗଭୀର ନିଦ୍ରାରେ । ଉଦୟନର ସାମନା ଛୋଟ ଫୁଲ ବଗିଚାଟିରେ ଶିଶିରବିନ୍ଦୁ ବିଚ୍ଛୁରିତ ହୋଇପଡ଼ିଛି ।

 

କିଛିବାଟ ଆଗେଇବା ପରେ ସେ ପୁନର୍ବାର ପଛକୁ ମୁହଁ ଫେରାଇଲା । ‘ଉଦୟନ’ର ପାଚେରି ଭିତରେ ଥିବା ଚମ୍ପାଗଛରେ ଅନେକ ଫୁଲ ଫୁଟିଛି । ଜୋତ୍ସ୍ନାରାତିରେ ବେଶ୍ ଚମତ୍କାର ଦିଶୁଛି । ତା’ର ମନେ ହେଲା, ପ୍ରତିଟି ଚମ୍ପାଫୁଲ ସତେ ଯେପରି ତାକୁ ପରିହାସ କରୁଛି । ମାନସ ସେମାନଙ୍କୁ କିଛି ଉତ୍ତର ଦେଇପାରୁ ନାହିଁ । ପୁରବୀ ଏଇ ଚମ୍ପାଫୁଲକୁ ବହୁତ ଭଲ ପାଏ ।

 

ଏଇ ଅଳ୍ପଦିନ ଦେଖା ସାକ୍ଷାତ ଓ ପରିଚୟ ମଧ୍ୟରେ ପୁରବୀଠାରୁ ମାନସ କୌଣସି ଉପହାର ପାଇଁ ନାହିଁ । ପୁରବୀ ସ୍ମୃତିର ସ୍ମାରକସ୍ୱରୂପ ସେ ଯାଇ କେତୋଟି ଚମ୍ପାଫୁଲ ତୋଳି ସଙ୍ଗରେ ନେଇଯିବ କି ନାହିଁ ସେଇକଥା ଭାବୁଥିଲା ।

 

ମାନସ ଆଉ ଥରେ ଆକାଶକୁ ଚାହିଁଲା । ଏ ଆକାଶ, ଏ ଚାନ୍ଦ ଶାନ୍ତ, ନିର୍ବିକାର । ମାନସର ଅଭିମାନ ହେଲା । ମଣିଷର ଦୁଃଖ ସେମାନେ ବୁଝନ୍ତି ନାହିଁ । ଅଶ୍ରୁଳ ନୟନ ଉପରେ ହାତଦୁଇଟି ବୁଲାଇ ଆଣି ସେ ଆଗେଇଲା ନିଜର ଗନ୍ତବ୍ୟପଥରେ । ବସା ତା’ର ଆହୁରି ଅନେକ ଦୂର ।

 

ଚଲାପଥରେ କୌଣସି ବସ୍ତୁ ତା’ର ଦୃଷ୍ଟି ଆକର୍ଷଣ କରିପାରୁ ନଥିଲା । ସେ କେବଳ ଦେଖିପାରୁଥିଲା ଜ୍ୟୋତ୍ସ୍ନାଭିଜା ଅସୁମାରି ଚମ୍ପାଫୁଲ ପରିବେଶ ମଧ୍ୟରେ ଶାନ୍ତ, କୋମଳ, ନିଦ୍ରିତ ପୁରବୀର ମୁଖମଣ୍ତଳ ।

Image

 

ପ୍ରଥମ ସକାଳ

 

ଏଇ ଅସରାଏ ବର୍ଷା ହୋଇ ଅଳ୍ପ ସମୟ ହେଲା ବନ୍ଦ ହୋଇଯାଇଛି । ଆକାଶ ତଥାପି ମେଘାଚ୍ଛନ୍ନ । କୋଠା ଛାତ ଉପରେ ଜମିଥିବା ପାଣି ଏବେବି ଶୁଖି ନାହିଁ । ଟପ୍‌ଟପ୍ ହୋଇ ପଡ଼ି ଚାଲିଛି । ସେହି ଟୋପା ଟୋପା ପଡ଼ୁଥିବା ପାଣିରେ ଓଦା ହୋଇ କୁଲୁ ଆଉ ବୁଲୁ ଫେରିଆସିଲେ ଘରକୁ । ମା ଟୁନି ଦେଈ ଅନ୍ୟମନସ୍କ ଥିଲେ । ‘‘ରେନି ଡେ ହେଲା, ଆମେ ଫେରିଆସିଲୁ’’ ଶୁଣି ପିଲାମାନଙ୍କୁ କହିଲେ, ‘‘ହଁ, ସୁନାପିଲା ! ସ୍କୁଲଛୁଟି ହେଲେ ସିଧା ଚାଲିଆସିବ ଘରକୁ, କେଉଁଠି ଅଟକିବ ନାହିଁ । ଯାଅ, ଶୋଇପଡ଼ିବ ଯାଅ ।’’

 

ପିଲାଙ୍କୁ ଖେଳୁଥିବାର ଦେଖି ଶ୍ରୀକାନ୍ତବାବୁ ପଚାରିଲେ, ‘‘ତୁମେ ପିଲାମାନେ ଆଜି ସ୍କୁଲ ଯାଇ ନାହାନ୍ତି କାହିଁକି ? ‘ତୁମ ପିଲା’ ଥାଇ ପ୍ରଶ୍ନ ହେଲେ ଟୁନି ଦେଈ ବିରକ୍ତ ହୁଅନ୍ତି । ତଥାପିବି ଚିଡ଼ାଇବା ପାଇଁ ଶ୍ରୀକାନ୍ତ ବହୁ ସମୟରେ ଏପରି ପ୍ରଶ୍ନ କରନ୍ତି । ସେଦିନ ଟୁନି ଦେଈ ଅନ୍ୟ କିଛି ନ କହି ସଂକ୍ଷେପରେ ଉତ୍ତର କଲେ, ‘‘ସେମାନଙ୍କର ଆଜି ‘ରେନି ଡେ’ ହେଲା ।’’

 

‘‘ଓଦା ହେଲେ କାହିଁକି ?’’

 

‘‘ବାପା ସେମାନଙ୍କ ପାଇଁ ଯେଉଁ ରେନିକୋଟ ଆଣି ଦେଇଥିଲେ ତାହା ହଜିଗଲାଣି ।’’

 

‘‘ସେମାନଙ୍କର ଛତା କ’ଣ ହେଲା ?’’

 

‘‘ତୁମେ କହୁନ ! ଗଲା ମାସେ ହେଲା ଲଗାଇଛି ପିଲାଙ୍କ ପାଇଁ ଛତା ଦି’ଟା ଆଣ, ଛତା ଦି’ଟା ଆଣ । ମୋ କଥା ଶୁଣୁଛି କିଏ । ଏକାନରେ ପଶି ସେକାନରେ ବାହାରି ଯାଉଛି । ଭୀଷଣ କାର୍ଯ୍ୟବ୍ୟସ୍ତ ଲୋକ କିନା ?’’

 

‘‘କାହିଁକି, ଗଲାବର୍ଷ କିଣା ହୋଇଥିଲା, ସେ ଛତା କ’ଣ ହେଲା ?’’

 

‘‘ଥରେ ପରା କହିଲି, ଭାଙ୍ଗିଦେଇଛନ୍ତି ।’’

 

‘‘ମରାମତି କଲନାହିଁ, ପ୍ରତିବର୍ଷ ଏମିତି କେତେ ଛତା କିଣାଯିବ ?’’

 

‘‘ଏ ଘରକରଣାବୁଦ୍ଧି କେଉଁ ଦିନଠୁ ହେଲାଣି ! ଯା ବି ହେଉ, ଶୁଭସୂଚନା ।’’

 

‘‘କାହିଁ ମୋର କ’ଣ ଘରକରଣା ବୁଦ୍ଧି ନାହିଁ ? କ’ଣ କହିଲ ? କ’ଣ କହିଲ ? ଆଉ ଥରେ କୁହ ।’’

 

‘‘ଆଉ ଥରେ କହିବି କ’ଣ ? ଥରେ କହିଲି ଛତା ଭାଙ୍ଗିଯାଇଛି । ଦି’ଟା କିଣି ଆଣ ।’’

‘‘କାହିଁକି ତୁମେ କିଣି ଆଣୁନ ? ସବୁଦିନ ତ ବଜାର ଯାଉଛ, ଛତା ଦି’ଟା ନେଇଆସିବାରେ ଅସୁବିଧା ରହୁଛି କେଉଁଠି ?’’

 

‘‘କେତେବେଳେ ଆଉ ବଜାର ଗଲି ଯେ, ଛତା ନେଇ ଆସିଥାନ୍ତି । କାହିଁକି, ମୁଁ ଛତା ଆଣିଲେ ଯାଇହେବ; ନଚେତ ତୁମେ ଆଣିଲେ କ’ଣ ହେବ ନାହିଁ ?’’

 

‘‘ଥରେ ପରା କହିଲି, ସମୟ ହେଉ ନାହିଁ ।’’

 

‘‘ନିଜ ପିଲାଙ୍କ ପାଇଁ ଛତା ଦି’ଟା କିଣିଦେବାକୁ ସମୟ ନାହିଁ, ଅଥଚ ଇଞ୍ଜିନିୟରଙ୍କ ପୁଅର ଖାତା କେଉଁଠି ପଡ଼ିଛି, ବୁଲି ବୁଲି ବୁଝି ନମ୍ୱର ଚଢ଼ାଇବା ପାଇଁ ତ ବେଶ୍ ସମୟ ହେଉଛି, ନୁହେଁ ?’’

 

‘‘ଟୁନି ଏସବୁ କ’ଣ କହୁଛ ?’’

 

‘‘ଭୁଲ୍ କହିଲି କ’ଣ ? ଯାଅ, ଖାଇବ ଯାଅ ।’’

 

ଶ୍ରୀକାନ୍ତ ନ ଖାଇ ଅଭିମାନରେ ଯାଇ ଚୁପ୍‌ଚାପ୍ ଶୋଇଲେ । ମଝିରେ ମଝିରେ ଏମିତି ଶ୍ରୀକାନ୍ତବାବୁ ରାଗି ଶୁଅନ୍ତି । ଖାଆନ୍ତି ନାହିଁ । ମାନ ଅଭିମାନରେ ଘର ଭାଙ୍ଗେ ।

 

ଟୁନି ଦେଈ ଜାଣନ୍ତି ସ୍ୱାମୀଙ୍କ ରାଗ । ସେ ବି ନ ଖାଇ ନ ପିଇ ଶୋଇରହନ୍ତି ଅନ୍ୟ ଏକ ଘରେ ।

 

ଟିକିଏ ଅଧିକା କିମାମ୍ ଓ ପିପର୍‌ମେଣ୍ଟ ଦେଇ କେଇଖଣ୍ତି ଖିଲପାନ ଥୋଇ ଦେଉ ଦେଉ ଟୁନି ପଚାରିଲେ, ‘‘କ’ଣ ଖାଇବ ନାହିଁ ?’’

 

‘‘ଥରେ ପରା କହିଲି ଖାଇବି ନାହିଁ । ଯେତେବେଳେ ଘରେ ପଶିଲେ ଚାରିଆଡ଼ୁ ଅଭିଯୋଗ । କି ଅଶାନ୍ତି । ଏଠି ଆଉ ରହିହେବ ନାହିଁ । ଏ ଘରୁ ନ ଗଲେ ନ ଚଳେ ।’’

 

ପାନ ଦୁଇ ଚାରିଖଣ୍ତ ଥୋଇ ଦେଇ ଟୁନି ଚାଲିଗଲେ । ପୃଥିବୀ ପ୍ରଳୟ ହୋଇଗଲେବି ପାନ ନ ହେଲେ ନ ଚଳେ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳି ହେଲେ ଦିନ ଦିନ କଥା ବନ୍ଦ । ମାତ୍ର ପାନଟା ନିୟମିତ ଭଙ୍ଗାଯାଏଁ । ଶ୍ରୀକାନ୍ତ କିଛି କଥା ନ କହି ଏଣେତେଣେ ଅନାଇ କହନ୍ତି, ‘‘ଟୁଲୁ ପାନ ଆଣିଲୁ ।’’ ଟୁନି କିଛି ନ କହି ମଧ୍ୟ ସେହିପରି ପାନ କେଇଖଣ୍ତି ଭାଙ୍ଗି ପଠାଇ ଦିଅନ୍ତି ସ୍ୱାମୀଙ୍କ ପାଖକୁ ।

 

ଲଳିତା ଶ୍ରୀକାନ୍ତବାବୁଙ୍କ ଶାଳୀ, ଚାରିବର୍ଷ ହେବ ଏମ୍.ଏ.ପାଶ୍ କରି ଅଧ୍ୟାପିକା ଅଛନ୍ତି । ଲେଖାଲେଖି କରନ୍ତି । ଟିକେ କବିପ୍ରକୃତିର । କାହିଁକି କେଜାଣି ବିଭା ହେବା ପାଇଁ ମନ ବଳାଉ ନାହାନ୍ତି । ଘରେ ତାଙ୍କର ଯାବତୀୟ ବ୍ୟସ୍ତତା । ଗଣିତ ପାଠସାଙ୍ଗକୁ ତାଙ୍କର କବିତାପ୍ରେମ ଦେଖି କିଏ କିପରି ଟାହି ଟାପରା କରନ୍ତି । ସମ୍ପାଦକମାନେ କିନ୍ତୁ ତାଙ୍କ ଲେଖା ନ ହେଲେ ସ୍ୱତନ୍ତ୍ର ସଂଖ୍ୟାର ଦାମ୍ କମିଯିବ ବୋଲି ବାଧ୍ୟକରି ଲେଖା ମାଗିବାର ତାଙ୍କଠାରୁ ଶୁଣାଯାଏଁ । କିଏ କହେ, ନିକଟରେ ପତ୍ନୀ ହରାଇଥିବା ଜଣେ ଅଧ୍ୟାପକଙ୍କ ସଙ୍ଗେ ଏନ୍‌ଗେଜେଡ଼, କିଏ ବା କହେ ସେକ୍ରେଟେରୀଏଟର ଜଣେ ହେଡ଼୍‍ ଆସିଷ୍ଟାଣ୍ଟଙ୍କୁ ସେ ୱାର୍ଡ଼ ଦେଇଛନ୍ତି । ମାତ୍ର ସେ କିଛି କୁହନ୍ତି ନାହିଁ-। ବିବାହ କଥା ପଚାରିଲେ କେବଳ କୁହନ୍ତି ପରେ...

 

ଏ ଉତ୍ତର ଶୁଣି ତାଙ୍କ ଭାଉଜ ପରିହାସ କରି କହନ୍ତି, ‘‘ଲଳିତା...କାହାପାଇଁ ଏ ସାଧନା-। ଖୋଲି କୁହ, ବ୍ୟବସ୍ଥା କରିବା, ଝିଅ ଜୀବନ...ଯୌବନର ରଙ୍ଗ ଥିବାଯାଏଁ ଭ୍ରମର ସିନା ଆସିବେ-। ରଙ୍ଗ ମଉଳିଲେ ଅଯଥା ଅସୁବିଧା ଭୋଗିବାକୁ ହେବ ସିନା, ଲାଭ କିଛି ହେବ ନାହିଁ ।’’

 

ଲଳିତା ଛୁଟିରେ ଅଛି । ଆସି ପହଞ୍ଚିଲା ଭଉଣୀ ଟୁନି ଘରେ । ସଙ୍ଗରେ ନିରୁ, ଫାଇନାଲ ଇୟର । ମେଡ଼ିସିନ ପଡ଼ୁଛି । ଦୁହେଁ ଭାରି ସାଙ୍ଗ । ଶ୍ରୀକାନ୍ତବାବୁଙ୍କଠୁ ଲେଖା କରେକ୍‌ଟ କରାଇ ନେବାପାଇଁ ଆସିଛନ୍ତି ।

 

ଘରେ ପାଦ ଦେଇଛି କି ନାହିଁ ଟୁଲୁ ଦୌଡ଼ି ଆସି ଚୁପ୍‌ଚୁପ୍ ଲଳିତା କାନରେ କହିଲା, ‘‘ମାସି....ତୁମେ ଜାଣିଛ ବାପା ଘର ଛାଡ଼ି ଚାଲିଯିବେ । ଆଉ ଏଠି ଆମ ସଙ୍ଗେ ରହିବେ ନାହିଁ । ଲଳିତା ହସ ଚାପି କହିଲା, କୁଆଡ଼େ ଚାଲିଯିବେ ରେ ବାପା ? କାହିଁକି ?’’

 

‘‘କୁଆଡ଼େ ଯିବେ ଜାଣେ ନାହିଁ, ତେବେ ଆଉ ଏଠି ରହିବେ ନାହିଁ ବୋଲି ମାକୁ ଶେଷଥର ପାଇଁ କହିଦେଇଛନ୍ତି । ମା’କୁ ମୁଁ କହିଲି ଛତା କିଣିଦେ ଆମପାଇଁ । ମା କିଣି ଦେଲା ନାହିଁ, ଆମେ ଓଦାହେଲୁ । ବାପା ଏବେ ଘରୁ ଯିବେ ।’’

 

‘‘ଆଚ୍ଛା, ନିରୁ ବୁଢ଼ା ବୁଢ଼ୀଙ୍କ ମଧ୍ୟରେ ଝଗଡ଼ା, ତେଣୁ ଆଶ୍ରମ ଶାନ୍ତ’’ କହି ଲଳିତା ଶ୍ରୀକାନ୍ତଙ୍କ ଶୋଇବା ଘରକୁ ପଶି ପ୍ରଶ୍ନକଲେ, ‘‘କେତେବେଳେ ଯାଉଛ ?’’

 

‘‘କୁଆଡ଼େ ?’’

 

‘‘କୁଆଡ଼େ ମୁଁ କେମିତି କହିବି ? ତୁମେ ପରା କୁଆଡ଼େ ଚାଲିଯାଉଛ ?’’

 

‘‘ହଁ, ଯାଉଛି ।’’

 

–‘‘କ’ଣ ହେଉଛି କୁହ, ବେଶି ଦାମ୍ ବଢ଼ାନା ? ଶ୍ରୀକାନ୍ତ ଭାଇ, ତୁମେ କିଛି ନ କହି ଗୋଟିଏ ବଳଦ ପରି ଯେପରି ଚାହିଁରହିଛ, ଦେଖିଲେ ସତରେ ଦୟା ଆସେ ।’’

 

‘‘ପାନ ରଖିଛୁ ।’’

 

‘‘ହଁ, ଦଉଛି...କ’ଣ ହୋଇଛି ପ୍ରଥମେ କୁହ ।’’

 

‘‘ତୋ ବିଭାଘର କଥା ପଡ଼ିଥିଲା । ମୁଁ ସିଧା ମନା କରିଦେଲି । କହିଲି, ସେ ବିଭା ହେବ ନାହିଁ । ମୁଁ ତାକୁ ବିଭା ହେବି । ସେ ମୋ ବ୍ୟତୀତ ଅନ୍ୟ କାହାକୁ ବିଭାହେବନାହିଁ । ତୋ ଭଉଣୀ ସଙ୍ଗେ ଆଉ ଚଳିହେବ ନାହିଁ । ସବୁବେଳେ ଗୋଳମାଳ, ପାଟିତୁଣ୍ତ ।’’

 

‘‘କାହିଁକି, କ’ଣ ହେଲା କି ?’’

 

‘‘ଯାଅ, ତୁମ ଆଦର୍ଶ ଭଗ୍ନିନୀଙ୍କୁ ପଚାର ।’’ ଟୁନି ଦେଈ କେତେବେଳୁ ଆସି ପଛରେ ଠିଆ ହୋଇଛନ୍ତି ଶ୍ରୀକାନ୍ତଙ୍କ ନଜର ନାହିଁ ।

 

‘‘କାହିଁକି, ଆପଣ କହୁ ନାହାନ୍ତି ?’’

 

‘‘କିଏ ମୁଁ ଘରେ ରଖାଇ ଦେଉ ନାହିଁ ? ବୁଝିଲୁ ଲଳିତା ! ମୁଁ କହିଲି ବର୍ଷା ହେଲାଣି, ପିଲାମାନଙ୍କ ପାଇଁ ଛତା ଆଣ । ଏଟା ମୋର ଭୁଲ୍ । ଏଥିପାଇଁ ବାରଟାବେଳୁ ମୋ ସଙ୍ଗେ ଲଗାଇଛନ୍ତି । କ’ଣ ନା ମୁଁ ଘରେ ରଖାଇ ଦେଉ ନାହିଁ । ଆଉ ମୁଁ ଯଦି କାଉନ୍‌ସିଲର ସ୍ତ୍ରୀ ଭଳି ମାଡ଼ ଦେଉଥାନ୍ତି, ତେବେ ଏ’ତ ସହରସାରା ବୁଲି ମୋ ନାଁରେ ନିଶାପ କରନ୍ତେ ।’’

 

‘‘କ’ଣ ଶୁଣୁଛ ଲଳିତା ! ଭଉଣୀ ତୁମର କ’ଣ କହୁଛନ୍ତି । କାଉନ୍‌ସିଲର ସ୍ତ୍ରୀ ଭଳି ମୋତେ ମାରିବେ ।’’

 

ଲଳିତା ହସ ଚାପି ପଚାରିଲା, ‘‘ଦେଖ ଶ୍ରୀକାନ୍ତଭାଇ ! ଭୁଲ୍ କରି ଅନ୍ୟ ହାତରୁ ମାଡ଼ଖାଇବା ଅପେକ୍ଷା ନିଜ ସ୍ତ୍ରୀ ନିଜ ଘରକୁ ସୁନ୍ଦର କରିବାପାଇଁ ସ୍ୱାମୀଙ୍କର କାନଟି ଯଦି ଥରେ ଅଧେ ଟାଣିଦେଲେ ବା ଝାଡ଼ୁରେ ପାହାରେ ପକାଇଦେଲେ, ଦୁଃଖ କରିବାର କ’ଣ ଅଛି ?’’

 

ନୟନ ଦୁଇଟି ସାମାନ୍ୟ ବିଷ୍ଫାରୀତ କରି ଶ୍ରୀକାନ୍ତ ଗମ୍ଭୀରଭାବେ ପୁଣି ଲଳିତାକୁ ଚାହିଁ ରହିଲେ !!

 

ଟୁନି ଲଳିତାର ପ୍ରଶ୍ନ ଶୁଣି ହସିଉଠିଲେ ।

 

ଲଳିତା କହିଲା ଭାବିଥିଲି, ‘‘ଆଷାଢ଼ର ଏ ପ୍ରଥମ ବର୍ଷାରେ କବି କିଛି ଲେଖିଚାଲିଥିବେ-। ଆସିଲେ ଶୁଣିବା । ମାତ୍ର ଆସି ଦେଖୁଛି କ’ଣ ? ଛତାକୁ କେନ୍ଦ୍ର କରି ହଟ୍ଟଗୋଳ । ଧନ୍ୟ ତୁମେ ଶ୍ରୀକାନ୍ତ ଭାଇ । ଦେଖୁଛି ଟୁନି ଅପାଟାକୁ ତୁମେ ମୋର ମାରି ଦେବ କେଉଁଦିନ । ଏ କି କଥା...ଏଥିପାଇଁ ଦୁହେଁ ନ ଖାଇ ଶୋଇଛ ! ଆସି ସନ୍ଧ୍ୟା ହେଲା !

 

ଶ୍ରୀକାନ୍ତଙ୍କ ହାତକୁ କିମାମ୍ ଦିଆ ପାନଟା ବଢ଼ାଇ ଦେଉ ଦେଉ ଲଳିତା କହିଲା, ‘‘ତୁ ବି ସେମିତି ଗୋଟାଏ ବୋକୀ । ଥରେ ପରା କହିଥିଲି, ଯେତେ ଯାହା ହେଲେବି ଉପାସ ରହିବୁ ନାହିଁ-! ଖାଇ ଚୁପ୍‌ଚାପ୍ ଶୋଇପଡ଼ିବୁ । ସବୁକଥା ଆପଣା ଛାଏଁ ଠିକ୍ ହୋଇଯିବ । ଗଲୁ ଗଲୁ ଆମପାଇଁ ଟିକେ କଫି ବସାଇବୁ...ଆମେ ଫାଷ୍ଟ୍ ସୋ ଯିବୁ । ସମୟ ହୋଇଗଲାଣି ।’’

 

କଫି କରିବାପାଇଁ ଟୁନି ଦେଈ ଚାଲିଗଲେ ରୋଷଘରକୁ । କୋଠ ଉପରୁ ସେହିପରି ଟପ୍ ଟପ୍ ହୋଇ ପାଣି ପଡ଼ୁଥାଏ ।

Image

 

Unknown

ମଧୁଛନ୍ଦା

 

ଶ୍ରାବଣ ଅପରାହ୍ନର ମେଘାଚ୍ଛନ୍ନ ଆକାଶ । ଅବିରାମ ଲାଗି ରହିଥିବା ବାରିଧାରା ସାମାନ୍ୟ ଥମି ଯାଇଛି । ତିନି ମହଲା ଶେଷ କୋଠାରି ବାତାୟନ ଉନ୍ମୁକ୍ତ କରି ଜଳବିନ୍ଦୁ ସିକ୍ତ ଦେବଦାରୁ ପତ୍ରରୁ କେତେଗୋଟି ମଧୁଛନ୍ଦା ଟାଣିଆଣି, ସେହିପରି ଆକାଶକୁ ଅନାମନାଭାବେ କିଛି ସମୟ ଚାହିଁ ରହିବା ପରେ, କକ୍ଷ ମଧ୍ୟକୁ ଦୃଷ୍ଟି ଫେରାଇଲା ।

 

ଶିପ୍ରା ଶୋଇ ପଡ଼ିଛି । ମଧୁଛନ୍ଦାର ସହପାଠିନୀ । ଏଥର ଏମ୍.ଏ. ଫାଇନାଲ୍ ହେବ । ଅସୁସ୍ଥତା ହେତୁ ଦୁଇଟି ବର୍ଷ ନଷ୍ଟ ହୋଇଗଲା । ମଧୁଛନ୍ଦା ଏମ.ଏ. ପରେ ଡକ୍ଟରେଟ୍ କରୁଛି । ଦୀର୍ଘ ଦୁଇଟି ବର୍ଷ ଛାଡ଼ି ଛାଡ଼ି ହୋଇ ରହିବା ପରେ ପୁଣି ଏକାଠି ହୋଇଛନ୍ତି । ଥେସିସ୍ କମ୍ପଲିଟ୍ ହୋଇଗଲାଣି । ଏଇ ଦିନେ, ଦୁଇଦିନ ମଧ୍ୟରେ ଅଧ୍ୟାପିକାରୂପେ ନିଯୁକ୍ତି ପାଇଯିବ । କେଉଁ ଏକ ନୂଆ ସ୍ଥାନକୁ, ପରିବେଶକୁ ଚାହିଁ ପୁଣି ସେ ନିଜକୁ ପ୍ରସ୍ତୁତ କରିବ ।

 

ଇଉକାଲିପଟାସ୍ ପତ୍ର କେଇଟା ତୋଳି ଆଣିବାପାଇଁ ମଧୁଛନ୍ଦା ଫିଟାଇଲା ଅନ୍ୟ ଗୋଟିଏ ବାତାୟନ । ବାତାୟନ ଉନ୍ମୁକ୍ତ ହେବା ସଙ୍ଗେ ସଙ୍ଗେ ଦଲକାଏ ଥଣ୍ତା ପବନ ଭାସିଆସିଲା କକ୍ଷ ମଧ୍ୟକୁ । ତନ୍ଦ୍ରାବୋଳା ଭ୍ରୂଲତା ମନ୍ଥୁ ମନ୍ଥୁ ଶିପ୍ରା ଡାକିଲା, ‘‘ଛନ୍ଦା, ସେଠି ଠିଆହୋଇ କ’ଣ ଭାବୁଛୁ, ଆକାଶକୁ ଚାହିଁ ଚାହିଁ ? ଆସିଲୁ...ଗୋଟିଏ ଗୀତ ଗାଆ ତ...ପାଗଟା ବେଶ୍ ଚମତ୍କାର ନୁହେଁ ?’’ ମଧୁଛନ୍ଦା କିଛି ନ କହି ଚୁପ୍‍ଚାପ୍ ଆସି ଶିପ୍ରା ପାଖରେ ବସି ଇଉକାଲିପଟାସ୍ ପତ୍ରଗୁଡ଼ିକୁ ଦଳି ଦଳି ତା’ ମୁହଁରେ ବୋଳି କହିଲା–‘‘ଶିପ୍ରା, କାଲିପରି ଲାଗୁଛି...ଏ ଗଛଗୁଡ଼ା କେଡ଼େ ସାନ ସାନ ହୋଇଥିଲା...ଆଜି ଆସି ତିନି ମହଲାକୁ ଟପିଯିବା ଉପରେ ।’’

 

ମଧୁଛନ୍ଦା ଆରମ୍ଭ କଲା ରବୀନ୍ଦ୍ର ସଙ୍ଗୀତ...ଏକ୍‌ଲା ଚଲୋ ରେ...ଏ ସଙ୍ଗୀତ ମଧୁଛନ୍ଦାର କଣ୍ଠରେ ଆଜି ନୂତନ ଜୀବନ ଲାଭ କଲା ପରି ଶିପ୍ରା ଅନୁଭବ କଲା । ଶିପ୍ରା ଅନୁରୋଧ କଲା, ‘‘ଛନ୍ଦା ଆଉ ଗୋଟିଏ ଗାଆ । ତୋଠୁ ଗୀତ ଶୁଣିବା ବୋଧେ ମୋର ଏଇ ଶେଷ । ଏଇ ଦିନେ ଦୁଇଦିନ ପରେ ପୁଣି କେବେ କେଉଁ ପରିବେଶରେ ସାକ୍ଷାତ ହେବ । ହୁଏତ ତୋର ଏ ମିଠା ସ୍ୱର ଶୁଣିବା ସମ୍ଭବ ହେବ ନାହିଁ ।’’ ‘‘ମୁଁ ତୋ ପାଇଁ ସଙ୍ଗୀତ ଲେଖି ପଠାଇ ଦେବି । ସ୍ୱର ଦେବ କିଏ...-?’’ ସ୍ମିତ ହସି ଶିପ୍ରା ପ୍ରଶ୍ନ କଲା ।

 

ଏଇ ମଧୁଛନ୍ଦା...ସହପାଠିନୀମାନେ ତାକୁ ସଂକ୍ଷେପରେ ଡାକନ୍ତି ଛନ୍ଦା...ତା’ର ସ୍ୱର ଅତି ମଧୁର...ବହି ଛାଡ଼ିଲେ ସେ ଗୀତ ଗାଏ । ଗାଇବାରେ ତା’ର ଅନେକ ଆଗ୍ରହ...ଅନେକ ସଉକ । ସେ କହେ ସଙ୍ଗୀତ ଗାଇ ଆକାଶର ଚାନ୍ଦକୁ ମାଟିକୁ ଖସାଇ ଦିଆଯାଇପାରେ...ରୁକ୍ଷ ସାହାରା ବୁକୁରେ ମନ୍ଦାକିନୀକୁ ପ୍ରବାହିତ କରାଯାଇପାରେ । ତେବେ ସେ ସଙ୍ଗୀତ ଗାଏ, ନିଜର ତୃପ୍ତିପାଇଁ...ଆପଣାର ଜୀବନର ପୁଞ୍ଜିଭୂତ ବ୍ୟାଥାର ପ୍ରଲେପର ଉପଶମ କରିବାକୁ । ତା’ ପ୍ରତି ଅପରର କଟାକ୍ଷ, ବ୍ୟଙ୍ଗ, ବିଦ୍ରୂପ, ସମାଲୋଚନା ସେ ସଙ୍ଗୀତ ଗାଇ ଗାଇ ଭୁଲିଯାଏଁ ।

 

ମଧୁଛନ୍ଦା ସହପାଠିନୀମାନଙ୍କର ଅତି ଆପଣାର...ସଙ୍ଗୀତର ଉତ୍ସ । ସ୍ନେହ, ସହାନୁଭୂତି, ମମତାର କେନ୍ଦ୍ରବିନ୍ଦୁ । ସେ ଗୀତ ଗାଇଲେ ମୃତ ପରିବେଶ ଜୀବନ୍ତ ହୋଇଉଠେ । ଜଡ଼ ପଦାର୍ଥ ଆପଣା ଦେହରେ ଘୁଙ୍ଗୁର ପରିଧାନ କରି ନୃତ୍ୟର ତାଳେ ତାଳେ ମଜ୍ଜି ଯାଇ ପାଗଳ ହେବାପରି ହୁଏ । ଏହି ସେହି ମଧୁଛନ୍ଦା, ବର୍ଷଣ ମୁଖର ଅପରାହ୍ନରେ ସହପାଠିନୀ ଶିପ୍ରାପାଇଁ ସଙ୍ଗୀତ ବୋଲି ଚାଲିଛି ।

 

ସଙ୍ଗୀତ ସାଙ୍ଗ ହେବା ପରେ ଶିପ୍ରା ପ୍ରଶ୍ନ କଲା ଛନ୍ଦାକୁ, ‘‘ଛନ୍ଦା, ଅଫିସ ଯାଇଥିଲୁ...ଆପଏଣ୍ଟମେଣ୍ଟ ନେଇ କିଛି ସମ୍ୱାଦ ପାଇଥିଲୁ କି ?’’ ଉଦାସୀନଭାବେ ଉତ୍ତର କଲା, ‘‘ହଁ’’ ।

 

‘‘କେଉଁଠିକୁ ।’’

 

ଦୀର୍ଘ ନିଃଶ୍ୱାସ ପକାଇ ଛନ୍ଦା ଉତ୍ତର କଲା–ଯେଉଁଥିପାଇଁ ଭୟ କରୁଥିଲି...ଆମର ଗାଁ କଲେଜକୁ...ବିଭାଗୀୟ କର୍ତ୍ତୁପକ୍ଷ ମୋର ସୁବିଧା ପ୍ରତି ଦୃଷ୍ଟି ଦେଇ ଗାଁ କଲେଜରେ ନିଯୁକ୍ତି ଦେଉଛନ୍ତି; ମାତ୍ର ସେମାନେ କେଉଁଠି ବୁଝିବେ ମୋତେ କିପରି ଦିନ ଦିନ କଠିନ ଅଗ୍ନି ପରୀକ୍ଷାରେ ସମ୍ମୁଖୀନ ହୋଇ ବଞ୍ଚିବାକୁ ପଡ଼ିବ !’’

 

ମଧୁଛନ୍ଦାର ହାତରୁ ମଥିତ ଇଉକାଲିପଟାସ୍‌ପତ୍ର ଚଟାଣରେ ପଡ଼ିଗଲା ଅଶ୍ରୁସଜଳ ନୟନ ଧାରରେ ହାତ ବୁଲାଇ ଆଣି ମଧୁଛନ୍ଦା କହିଲା, ‘‘ଶିପ୍ରା, ସମସ୍ତଙ୍କର ଧାରଣା ମୋପରି ବେପାରୁଆ ଝିଅ ବୋଧହୁଏ ଆଉ କେହି ନାହିଁ । ନିଜକୁ ପ୍ରତାରଣା ନ କରି ମୋର ଅନ୍ୟ ଉପାୟ ଆଉ କ’ଣ ଅଛି ?’’

 

ପ୍ରତୀକ୍ଷମାଣ ମେଘ ଆରମ୍ଭ ହୋଇଯିବା ପୂର୍ବରୁ ଦଲକାଏ ପବନ ଆସି ଝରକା ପାଖରେ ଥିବା ଗୋଲାପକୁଣ୍ତର ଡାଳଗୁଡ଼ିକୁ ଧକା ଦେଇ ପୁଣି ଇଥର ଦେହରେ ମିଶିଗଲା । ଗୋଲାପବୃନ୍ତରେ ଆତ୍ମଗୋପନ କରିଥିବା ଛୋଟ ଛୋଟ ପ୍ରଜାପତି କେଇଟି ଉଡ଼ିଗଲେ । ପବନ ଧକ୍‌କାରେ ଆଲୁଳାୟିତ ବିପର୍ଯ୍ୟସ୍ତ କେଶଗୁଚ୍ଛକୁ ସଜାଡ଼ିବା ଲାଗି ମଧୁଛନ୍ଦା ଉଦ୍ୟତ ହେଉଛି...ଶିପ୍ରା ଛନ୍ଦାର ହାତ ଦୁଇଟି ଧରି କହିଲା, ‘‘ଛନ୍ଦା, ତୁ ଯେପରି ବସିଛୁ ମୋ ସମ୍ମୁଖରେ ଠିକ୍‌ ସେହିପରି ବସି ରହ । ଏହି ପରିବେଶରେ ତୁ କିପରି ଦିଶୁଛୁ ଠିକ୍‌ କହିପାରିବି ନାହିଁ । ତୁ ଟିକିଏ ବସିରହ, ଧୀରସ୍ଥିରଭାବେ । ମୁଁ ଦେଖେ, ଆଉ ଗୋଟିଏ; ଫିଲ୍‌ମ ଅଛି ବୋଧହୁଏ ।’’

 

ଶିପ୍ରାର କ୍ୟାମେରା କ୍ଳିକ୍‌ କରିଉଠିଲା କ୍ୟାମେରା ଥୋଇ ଦେଇ ଶିପ୍ରା କହିଲା, ‘‘ଛନ୍ଦା, ଲଳିତମାଧବକୁ ଏଇ ପୋଜ ତୋର; ମୋର ହେବ, ତୋର ପୁଣ୍ୟ ବିବାହ ଲଗ୍ନରେ ପ୍ରୀତି ଉପହାର-। ସୀତାରର ଗତି ହଠାତ୍‌ ମନ୍ଥର ହୋଇଆସିଲା । ଲଳିତମାଧବ ନାମ ଶ୍ରବଣ–ବ୍ୟଥାରେ ସେ ସତେ ଯେପରି ମର୍ମାହତ...ଏକ ରୁକ୍ଷ ପରିବେଶର ଶିକାର...ନିର୍ଜନ ଗିରିଗୃହାର ପଥହରା ପଥୁକୀ । ମଧୁଛନ୍ଦାର ଅଜ୍ଞାତରେ ତା’ର ନୟନରୁ ଦୁଇଟୋପା ଉଷ୍ଣ ଅଶ୍ରୁ ସୀତାର ଉପରେ ପଡ଼ିଯାଇଛି । ଶିପ୍ରା ବିବ୍ରତ ହୋଇ ପ୍ରଶ୍ନ କଲା, ‘‘ଛନ୍ଦା, କ’ଣ ହୋଇଛି ? ତୁ ତ ମତେ କହିନୁ ।’’ ‘‘ହଁ, ତୋତେ କହିନି...ସମୟ ସୁଯୋଗର ଅଭାବରୁ...କିନ୍ତୁ ତୋଠୁ କୌଣସି କଥା ଗୋପନ ରଖିବାର ଅଭିପ୍ରାୟ କେବେ ନଥିଲା...ନାହିଁ ମଧ୍ୟ । ଲଳିତମାଧବକୁ ବାପା ନାହିଁ କରିଦେଲେ ।’’

 

ଲଳିତମାଧବ ଆଭିଜାତ୍ୟପୂର୍ଣ୍ଣ ପରିବାରର ସନ୍ତାନ । ଯୁବକ ଡାକ୍ତର...ଜୀବନରେ ଅଛି ସ୍ୱପ୍ନ...ସଂକଳ୍ପ । ପରକୁ ଆପଣାର କରି ତା’ର ଦୁଃଖରେ ଭାଗୀଦାର ହେବାର ମହାନ୍‌ ଗୁଣ । ଏଇ ଲଳିତମାଧବଙ୍କର ମଧୁଛନ୍ଦା ସଙ୍ଗେ ଅଳ୍ପଦିନର ପରିଚୟ । ରୋଗୀ ଡାକ୍ତରର ସମ୍ପର୍କରୁ ସେମାନଙ୍କର ପରିଚୟ, ଏହି ପରିଚୟରୁ ପ୍ରଣୟ...ମାତ୍ର ପ୍ରଣୟ ପୁଷ୍ପ ଫଳରେ ପରିଣତ ହେବା ପୂର୍ବରୁ... ।

 

ମଧୁଛନ୍ଦା ବାରଣ କରିଥିଲେ, ଲଳିତମାଧବଙ୍କ ବଂଶର କୁଳବଧୂ ହେବା ଲାଗି । ସେ ତା’ର ଗୁରୁଦାୟିତ୍ୱ ବୁଝିଥିଲେ ଏକ ମଧ୍ୟବିତ୍ତ ପରିବାରର କନ୍ୟାରୂପେ । ବାପା ମା’ଙ୍କ ବ୍ୟତୀତ ଛ’ଟି ସାନ ଭାଇ ଭଉଣୀ । ସେମାନଙ୍କୁ ଏ ଦୁନିଆରେ ମଣିଷ କରିବାକୁ ହେବ । ସମସ୍ତଙ୍କ ଦାୟିତ୍ୱ ଲଳିତାମାଧବ ନେବାପାଇଁ ପ୍ରତିଶ୍ରୁତି ଦେବାପରେ ମଧୁଛନ୍ଦା ଏକପ୍ରକାର ସମ୍ମତ ହୋଇଥିଲେ । ତାଙ୍କ ମା ଲେଖିଥିଲେ ବାପାଙ୍କ ମତାମତ ପ୍ରତି ଅପେକ୍ଷା ନ କରି ନିଜେ ନିଜେ ବିବାହ କରି ନେବାକୁ । କାରଣ ମଧୁଛନ୍ଦାର ମା ଆପଣାର ସ୍ୱାମୀଙ୍କୁ ହାଡ଼େ ହାଡ଼େ ଜାଣିଥିଲେ ।

 

ଶିପ୍ରା ବ୍ୟସ୍ତ ତଥା ବିସ୍ମିତ ହୋଇଉଠିଲା । ସେ କିଛି ବୁଝିପାରିଲା ନାହିଁ । ମଧୁଛନ୍ଦାର ବାପା କାହିଁକି ମନାକଲେ ତା’ର କାରଣ ସେ ଖୋଜି ପାଇପାରିଲା ନାହିଁ । ତେବେ ସେ ଦୁଃଖ କଲା...ମଧୁଛନ୍ଦାର ଦୁଃଖରେ । ମଧୁଛନ୍ଦାର ସ୍ୱପ୍ନ ଫଳବତୀ ହୋଇପାରିଲା ନାହିଁ । ସେ ବେଶ୍‌ ଜାଣେ, ଲଳିତାମାଧବଙ୍କୁ ମଧୁଛନ୍ଦା କେତେଦୂର ଭଲପାଏ । ସେ ମଧ୍ୟ ଦେଖିଛି, ଶଯ୍ୟାଶାୟୀନି ମଧୁଛନ୍ଦାକୁ ଆରୋଗ୍ୟ କରିବାକୁ ଯୁବକ ଡାକ୍ତର ଲଳିତମାଧବଙ୍କ କି ଆପ୍ରାଣ ଉଦ୍ୟମ, ତତ୍‌ପରତା-

 

‘‘ବାପା ତେବେ କ’ଣ ଚାହାନ୍ତି ?...ଅନ୍ୟ କେଉଁଠି ନିଜେ ଠିକ୍‌ କରିଛନ୍ତି ?’’

 

‘‘ତାଙ୍କୁ ଜଣା’’–ଚୁମ୍ୱକରେ ଉତ୍ତର କଲା ମଧୁଛନ୍ଦା ।

 

ଅନ୍ୟ ଏକ ଅସରା ଝଡ଼ର ତରଙ୍ଗ ପ୍ରକୋଷ୍ଠଟିର ମୌନ ପରିବେଶରେ ଆଣିଦେଲା ପୂର୍ଣ୍ଣଚ୍ଛେଦ । ସୀତାରଟି ରଖିଦେଇ ଉଦାସୀନଭାବେ ମଧୁଛନ୍ଦା ଯାଇ ବାତାୟନର ରେଲିଂ ଧରି ପାର୍ଶ୍ୱକୋଠର ଛାତ ଆଡ଼କୁ ଚାହିଁ ଶିପ୍ରାକୁ ଡାକି କହିଲା, ‘‘ଶିପ୍ରା, କ’ଣ କିଛି ଦେଖିପାରୁଛୁ ?’’

 

‘‘ହଁ ଦେଖୁଛି...ନବଘନ ଅବଲୋକନ କରି ମୟୂରୀ ଅବିଚଳିତ ପଦରେ ନୃତ୍ୟ କରି ଚାଲିଛି ।’’

 

‘‘ତୁ ଅନୁମାନ କରି ପାରୁଛୁ...ମୁଁ କ’ଣ ଚାହେଁ ? ମୁଁ ଚାହେଁ, ଏଇ ମୟୂରୀର ନୃତ୍ୟର ତାଳ ସଙ୍ଗେ ତାଳ ଦେଇ ସୀତାର ବାଦନ କରିବାକୁ...କଣ୍ଠଫଟାଇ ସଙ୍ଗୀତ ଗାଇବାକୁ...ଭାବୁଛି, ଏଇ ପରିବେଶରେ ମୋର ମୃତ୍ୟୁ ହୋଇଗଲେ ମୁଁ ମୁକ୍ତି ପାଇଯାଆନ୍ତି । ତୁ ଜାଣୁ, ଜୀବନ ପ୍ରତି ମୋର ମାୟା ମମତା ଖୁବ୍‌ କମ୍‌ । ଦୁଃଖର ସାଗରରେ ମୁଁ ଜୀବନତରୀ ବାହି ଚାଲିଛି ।’’

 

ଶିପ୍ରା ହାତରୁ କଫି କପ୍‌ଟି ନେଇ ଢକ୍‌ଢ଼କ୍‌ କରି ପିଇ ମଧୁଛନ୍ଦା ଆଖି ପିଛୁଳାକେ ଟେବୁଲ ଉପରେ କପ୍‌ଟି ରଖିଦେଇ ଝରକାର ପରଦା ଉଠାଇ ଶୋଇଗଲା । ପାଣି ଛାଟି ହୋଇ ଟୋପାଏ ଟୋପାଏ ତା’ ଉପରେ ପଡ଼ୁଥାଏ ।

 

ମୁହୂର୍ତ୍ତ କେଇଟି ମଧ୍ୟରେ ମଧୁଛନ୍ଦାର ଲୋଭନୀୟ ଭ୍ରୂଲତା ଉପରେ ନିଜର ଶୀତଳ ସ୍ପର୍ଶ ବୋଳିହୋଇଗଲା । ଶିପ୍ରା ଲକ୍ଷ୍ୟକଲା, ମୋଟା ଥିସିସ୍‌ ବହିଟା ସେହିପରି ପଡ଼ିଛି । ଲୋଭନୀୟ ମଧୁଛନ୍ଦାର ମୁହଁ ଉପରେ ଅସୁମାରି ଯନ୍ତ୍ରଣା...ପୁଞ୍ଜିଭୂତ ବେଦନା...ଚାପିଲା ମନର ବହୁ ଅକୁହା କାହାଣୀର ଲିପିବଦ୍ଧ ପତ୍ରାବଳୀର ସ୍ପଷ୍ଟ ପ୍ରତିଫଳନ । ସତେ ଯେପରି ବିରାଟ ଦୁନିଆକୁ ସେ କିଛି ଦେବାକୁ ଚାହେଁ କିମ୍ୱା ତାଠାରୁ କୌଣସି ବସ୍ତୁ ଗ୍ରହର କରିବା ଚାହେଁ ନାହିଁ । ବିଚାରୀର ଓଠ ଦୁଇଟି ଶେଢ଼ା ପଡ଼ି ଯାଇଛି । ଶିପ୍ରା ବିସ୍ମିତ ହେଲା ମଧୁଛନ୍ଦା କଥା ଚିନ୍ତା କରି । ଛନ୍ଦା ତ ଲାଗି ଏକ ବିରାଟ ବିସ୍ମୟ । ସେ ଜାଣେ, କୌଣସି ନା କୌଣସି କାରଣରୁ ମଧୁଛନ୍ଦା ସୁଖୀ ନୁହେଁ । ତେବେ ମଧୁଛନ୍ଦା କେବେ ତା’ ଦୁଃଖର କାହାଣୀ କାହା ନିକଟରେ ପ୍ରକାଶ କରି ନାହିଁ । ତା’ର ଧାରଣ ଦୁଃଖ ପ୍ରକାଶ କରିବା ଦ୍ୱାରା ଲାଘବ ହୁଏ ନାହିଁ, ବରଂ ସଂକ୍ରାମକ ରୋଗ ପରି ଅନ୍ୟକୁ ଆକ୍ରମଣ କରେ । ଦୁଃଖରୁ ମୁକ୍ତିଲାଗି ସେ ଗାଇ ବସେ ସଙ୍ଗୀତ । ଆହା ବିଚାରୀ... ।

ମଧୁଛନ୍ଦା ଚାଲିଯିବାର ଦୁଇ ଦିନ ହୋଇଗଲାଣି । ଶିପ୍ରା କକ୍ଷ ମଧ୍ୟରେ ଏକାନ୍ତ ଏକାକିନୀ ଅନୁଭବ କରୁଛି । ମଧୁଛନ୍ଦା ଚାଲିଯିବା ପରେ ପରିବେଶ ନିର୍ମମଭାବେ ନିଃସହାୟ ହୋଇଉଠିଛି । ଏଇ ପୁଣି ଆକାଶରେ ଝଡ଼ର ଗର୍ଜନ । ମଧୁଛନ୍ଦା ଥିଲେ ଗୀତ ଗାଇବାକୁ ଆରମ୍ଭ କରି ଦିଅନ୍ତାଣି । ସତରେ ମଧୁଛନ୍ଦା କେଡ଼େ ଭଲ ଝିଅଟିଏ...ସ୍ୱର ତା’ର କେଡ଼େ ଚମତ୍କାର ! ମଧୁଛନ୍ଦା ଚିଠି ଦେଇଥିଲେ, ଶିପ୍ରା ହୁଏତ କାଲି ପାଇବ । ଶିପ୍ରା କେବଳ ମଧୁଛନ୍ଦାର କଥା ଶୁଣିପାରୁ ନାହିଁ, ମାତ୍ର କାହିଁ ସେ ସାଗରିକା (ଛାତ୍ରୀନିବାସ) ଛାଡ଼ି ଚାଲିଗଲା ପରି ତା’ର ତ ମନେ ହେଉନାହିଁ !

ଅନ୍ୟମନସ୍କଭାବେ କ’ଣ ଭାବୁଥିଲା ଶିପ୍ରା । ହଠାତ୍‌ ଖଟତଳେ ପଡ଼ି ଯାଇଥିବା ମଧୁଛନ୍ଦାର ଡାଏରୀ ଉପରେ ଦୃଷ୍ଟି ପଡ଼ିଲା । ମୋଟ ବନ୍ଧାଇ ବହିଟା ଦେଖି ପ୍ରଥମେ ସେ ଭାବିଥିଲା ମଧୁଛନ୍ଦାର ସଙ୍ଗୀତ ବହି । କେଉଁଠି ହଜିଗଲା ବୋଲି କେତେ ବ୍ୟସ୍ତ ହେଉଥିବ । ମାତ୍ର ସଙ୍ଗୀତ ବହି ନୁହେଁ, ଡାଏରୀଟି । ଅନେକ ମୋଟ ଏ ଡାଏରୀ ।

ଡାଏରୀ ବହିଟି ଆଣି ଟେବୁଲ ଉପରେ ରଖିଦେଇ ସେ ଆକାଶରେ ଝୁଲି ରହିଥିବା ମେଘମାଳକୁ ଚାହିଁ ରହିଲା । ଶ୍ରାବଣର ସ୍ପର୍ଶ ପାଇ ନିକଟ ପାହାଡ଼ର ସବୁଜ ସୁଷମା ଲୋଭନୀୟ ହୋଇଉଠିଛି । ମଧୁଛନ୍ଦା ଏଇ ବଣମାଳତୀକୁ କେତେ ଭଲପାଏ । ଘଣ୍ଟା ଘଣ୍ଟା ଧରି ଚାହିଁରହେ କୃଷ୍ଣଚୂଡ଼ାର ଲାଲ ଫୁଲକୁ । ବର୍ଷା ପରେ କୃଷ୍ଣ ବାଦଲ ଭିତରେ ଲାଲ ଟହ ଟହ ତତଲା ନିଆଁ ରଡ଼ପରି ଜଳିଉଠେ ।

କ’ଣ ସବୁ ମଧୁଛନ୍ଦା ଲେଖିଛି ବୋଲି ସେ ତା’ର ଡାଏରୀଟି ଖେଳାଇଲା । ବିରାଟ ଏକ ଡାଏରୀ, ମାତ୍ର ପୃଷ୍ଠା କେଇଟା ଲେଖାଯାଇଛି । ବାକି ସବୁ ପୃଷ୍ଠା ଖାଲି । ଛ’ବର୍ଷ ତଳର ଏ ଡାଏରୀ...ତଥାପି ସେ ଲେଖିଚାଲିଛି ।

 

ପ୍ରଥମ କେଇ ପୃଷ୍ଠା ପରେ ମଧୁଛନ୍ଦା ଲେଖିଛି, ‘‘ସ୍କୁଲ ପରେ କଲେଜରେ ନାମ ଲେଖାଇ, କଲେଜ ଯିବାର ଏ ହେଉଛି ଦ୍ୱିତୀୟ ସପ୍ତାହ । ଟିକିଏ ସାବଧାନ ହେଲେ ମୁଁ ପରୀକ୍ଷାରେ ବେଶ୍‌ କୃତିତ୍ୱ ଦର୍ଶାଇ ପାରିବି । କଲେଜରୁ ଫେରି ଶୁଣିଲି, ମୋ ପାଇଁ ଗୋଟିଏ ପ୍ରସ୍ତାବ ବରଗଡ଼ ଗଉଁନ୍ତିଆଙ୍କ ପୁଅ ଲାଗି ଆସିଥିଲା । ବାପା ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମନା କରିଦେଲେ ମୁଁ ତାଙ୍କ ପାଇଁ ଉପଯୁକ୍ତ ନୁହେଁ । ମୋର ଚରିତ୍ର ବୋଲି ଗୋଟିଏ କିଛି ନାହିଁ । ମୁଁ ଅନ୍ୟର ବାଗ୍‌ଦତ୍ତା ।

 

ଏକଥା ଶୁଣି ମୁଁ ନିଜକୁ ସାନ୍ତ୍ୱନା ଦେଇପାରିଲି ନାହିଁ । ବାପା ଶେଷରେ ଏଇୟା କଲେ-। ମୋତେ କଳଙ୍କିନୀ ବୋଲି ଚିତ୍ରଣ କରି ତାଙ୍କର ଯଦି ଆନନ୍ଦ ବୃଦ୍ଧି ପାଉଛି, ତେବେ ସେ ସେଥିରେ ସୁଖୀ ହୁଅନ୍ତୁ । ବାପା ତେବେ କ’ଣ ଚାହାନ୍ତି ନାହିଁ ମୋର ବିବାହ ହେଉ ! ବ୍ୟସ୍ତ ହୋଇ ଲାଭ ନାହିଁ । ଯାଏଁ ପ୍ରାକ୍‌ଟିକାଲ୍ ପାଇଁ ପ୍ରସ୍ତୁତ ହୁଏ ।

 

ଆଉ କେଇ ପୃଷ୍ଠା ପରେ...ଆଇ.ଏସ୍‌. ସି. ପରୀକ୍ଷାରେ ମୋର କୃତିତ୍ୱପାଇଁ ଅଧ୍ୟକ୍ଷଙ୍କଠାରୁ ବୋଧହୁଏ ମୋର ଏଇ ଫାଷ୍ଟ ଓ ଲାଷ୍ଟ ଗ୍ରୀଟିଂସ୍‌ । ମୋତେ ସମ୍ଭାଷଣ ଜଣାଇବ ବା କିଏ ? ମୁଁ ନିଜକୁ ସମ୍ଭାଷଣ ଜଣାଉଛି ।

 

କଲେଜରୁ ଫେରିଲାବେଳେ ଜ୍ୟୋତ୍ସ୍ନା ମୋତେ ବିବାହ ପ୍ରସ୍ତାବ ନେଇ ବ୍ରହ୍ମପୁର ଭଦ୍ରବ୍ୟକ୍ତିଙ୍କ କଥା କହୁଥିଲା । ମୁଁ କି ଜବାବ ଦିଅନ୍ତି ! କେବଳ ଚୁମ୍ୱକରେ ମୁଁ ନାହିଁ କଲି । ଆଉ କିଛି ପଢ଼ାପଢ଼ି କରିବା ମୋର ଇଚ୍ଛା । କିପରି କୁହନ୍ତି ? ବାପା ମୋର ଅନ୍ୟ ଲୋକଙ୍କ ହାତରେ କହି ପଠାଇଲେ...କହିଦେବ, ସେ ଅନ୍ୟ ପରିବାରରେ ଅଶାନ୍ତିର ବୀଜ ବପନ କରିଦେବାକୁ ଚାହାନ୍ତି ନାହିଁ, ଶୋଚନା ଅନୁତାପର ଶିକାର ଅନ୍ୟକୁ କରିବାକୁ ଚାହାନ୍ତି ନାହିଁ । ଝିଅ ମୋର ଦ୍ୱିତୀୟ ବାର ଗର୍ଭପାତ କରିଛି । ଏ କଥା କ’ଣ ଅଛପା ରହିବ ? ପାପ ଛପି ରହେ ନାହିଁ । ଦିନେ ନା ଦିନେ ପ୍ରକାଶ ପାଇବ । ଏପରି କନ୍ୟାକୁ ମୋର କାହା ହାତରେ ସମର୍ପି ଦେବି ! ଏ ଲଜ୍ଜା ଆଉ ଅପମାନରେ ମୁଁ ମୃତ ପ୍ରାୟ । ଦୋଷ ଦେବି କାହାକୁ ?

ନିଜର ପରିବାର ପୋଷଣରେ, ବିବାହ କରିଗଲେ ମୁଁ ଯେ ବାପାଙ୍କୁ ସାହାଯ୍ୟ ନ କରିବି, ସେ ଏପରି ଆଶଙ୍କା କରୁଛନ୍ତି କାହିଁକି ? ମୋର ଏ ମାନସିକ ଯନ୍ତ୍ରଣା ମଧ୍ୟରେ ପରୀକ୍ଷା ଲାଗି ପ୍ରସ୍ତୁତ ହେବା ଅସମ୍ଭବ । ମାତ୍ର ଘର ଯାହାପାଇଁ କାରାଗାର...ଆତ୍ମୀୟ ଯା’ର ଚରମଶତ୍ରୁତା ପାଇଁ...ପୁସ୍ତକର ଶୁଷ୍କ ପୃଷ୍ଠା ଦେହରେ ହଜିଯିବା ବ୍ୟତୀତ ଆଉ ଉପାୟ କ’ଣ ଅଛି ?

କଲେଜର ବଟାନିକାଲ ଗାର୍ଡ଼ନରେ ଡାଲିଆଗୁଡ଼ା ବେଶ୍‌ ଚମତ୍କାର ଓ ଲୋଭନୀୟ ହୋଇଛି । ଜୁଲଜି ଡିପାର୍ଟମେଣ୍ଟରେ ଥିବା ଘରଚଟିଆ ଦୁଇଟି ଦୁଇ ଦିନ ଧରି ବସାକୁ ଫେରି ନାହାନ୍ତି...ସାର୍‌ ବ୍ୟସ୍ତ ହେଉଥିଲେ । ମୋର ଘରକୁ ଫେରିବାରେ ବିଳମ୍ୱ ହେଲେ ସେତିକି ବ୍ୟସ୍ତ ହେବା ପାଇଁ ମଧ୍ୟ କେହି ନାହିଁ ।

ଆଜି କଲେଜରୁ ଫେରିବାକୁ ମୋର ଇଚ୍ଛା ହେଉ ନଥିଲା । ମମତା ଯାହା କହିଲା...ନୂଆ ନ ହେଲେ ମଧ୍ୟ...ସେ ଲୁହ ସମ୍ଭାଳି ପାରିଲି ନାହିଁ । ବାପା ଗତ କାଲି ତାଙ୍କ ଘରକୁ ଯାଇଥିଲେ । ଅନେକ ରାତି ପର୍ଯ୍ୟନ୍ତ ବସି ତାଙ୍କ ମା’ଙ୍କ ସଙ୍ଗେ ଗପ କରୁଥିଲେ । ବାପା ତା’ର ନାହାନ୍ତି । ମମତାପାଇଁ ବର ଦେଖି ଯାଇଛନ୍ତି । ଦୁଇ ଦିନ ପରେ ଫେରିବେ, ମମତାର ବୋଉକୁ ବାପା କହୁଥିଲେ–ସେ ଆଉ ମୁହଁଟେକି ଚାଲିପାରିବେ ନାହିଁ । ସେ ଉପାୟହୀନ...ଝିଅ ତ ଆଉ ଛୋଟ ପିଲା ନୁହେଁ...ହାତ ପୂରାଇ ମାରିବେ । ତା’ର କ’ଣ ବା ଖର୍ଚ୍ଚ...ତାଙ୍କୁ କହିଲେ ସେ କ’ଣ ଦିଅନ୍ତେ ନାହିଁ...ତେବେ ଆପଣା ଛାଏଁ ଯିଏ ବିପଦକୁ ବରଣ କରି ଆଣିବ, ଦେବତା ମଧ୍ୟ ତାକୁ ସାହାଯ୍ୟ କରିପାରିବ ନାହିଁ । ସେ ତ ସହଜେ ରକ୍ତମାଂସର ମଣିଷ ।

ଘରେ ପହଞ୍ଚିଲା ପରେ ବାପା ଖାଇବାକୁ ଡାକିଲେ, ମୁଁ ପରେ ଖାଇବି ବୋଲି ଚୁପ୍‌ଚାପ୍‌ ପଢ଼ାଘରେ ଆସି ଶୋଇଲି । ବାପାଙ୍କର ମୁହଁକୁ ଚାହିଁବାର ଶକ୍ତି ମୋର ନଥିଲା । ଯେଉଁ ବାପା କହିପାରେ କନ୍ୟା ତା’ର ଦେହ ବିକେ...।

ଏମ୍‌. ଏ. ପାଇଁ ବିହାର ଚାଲିଯିବି । ଦୂରରେ ଅନ୍ତତଃ ଦୁଇଟି ବର୍ଷ କଟାଇ ଆସିବି ଶାନ୍ତିରେ । ଶାନ୍ତିରେ ସେଠି ମୁଁ ମରିପାରିବି...ପାଠ ପଛେ ନ ହେଲେ ନାହିଁ ।

ତା’ପରେ ଅନେକ ସବୁ କ’ଣ ଲେଖାଯାଇଛି ଲୁହରେ ଲିଭିଯାଇଛି, ପଢ଼ିପାରିଲା ନାହିଁ ଶିପ୍ରା ।

ଶିପ୍ରା ଦୀର୍ଘନିଃଶ୍ୱାସ ମାରିଲା । ଆହା ସେ କିଛି ବୁଝି ପାରିଲା ନାହିଁ । ବିଚାରୀ...ଦୀର୍ଘଦିନ ଏକତ୍ର ରହିବା ପରେ ମଧ୍ୟ ମଧୁଛନ୍ଦା ତା’ କଥା କେବେ କହି ନାହିଁ ।

ପବନରେ କେତେପୃଷ୍ଠା ଆପଣା ଛାଏଁ ଉଡ଼ି ଯାଇଛି । ହଠାତ୍‌ ଗୋଟିଏ ପୃଷ୍ଠାରେ ‘ଶିପ୍ରା’ ନାମ ଲେଖାଯାଇଥିବା ତା’ର ଦୃଷ୍ଟିରେ ପଡ଼ିଲା ଶିପ୍ରା ଖୁବ୍‌ ଭଲ ଝିଅଟିଏ । ସେ ମୋ ସମ୍ୱନ୍ଧରେ ଜାଣିବାଲାଗି ଅନେକ ଆଗ୍ରହ ଦେଖାଇଛି...ଅନେକ କଥା ପଚାରିଛି । ମାତ୍ର ଯେତେଦୂର ପାରେ ତାକୁ ମୋ ବିଷୟରେ ସମସ୍ତ କଥା ଗୋପନ ରଖିଛି । ଶିପ୍ରା ପରି ସରଳ ଝିଅକୁ ମୋ ଦୁଃଖରେ ମ୍ରିୟମାଣ କରିବାକୁ ମୁଁ ଚାହୁଁ ନ ଥିଲି ।

ଶିପ୍ରାର ଆଗ୍ରହ ବୃଦ୍ଧି ପାଇଲା । ସେ ଆଉ କେଇ ପୃଷ୍ଠା ଆଡ଼େଇ ଚାଲିଲା ଡାଏରୀର । ଯିବାର ଠିକ୍‌ ପୂର୍ବରୁ ସେ ଲେଖିଛି, ‘‘ହଷ୍ଟେଲରେ ରହିବାର ସୁଯୋଗ ବୋଧେ ଆଉ ଜୀବନରେ ଆସିବ ନାହିଁ । ଯିବା ପୂର୍ବରୁ ଲଳିତମାଧବଙ୍କୁ ଥରେ ଦେଖିଯିବା ଲାଗି ଏକାନ୍ତ ଇଚ୍ଛା । ଷ୍ଟେସନକୁ ଆସିବାକୁ ଲେଖିଛି...ହୁଏତ ଆସିପାରନ୍ତି । ମୋ ପାଇଁ ଅନେକ ଅପମାନିତ ହେଲେ । କ୍ଷମା ମାଗିନେବି ।’’

ଏଠି ସମସ୍ତ ଦେବାନେବା ଶେଷ ହୋଇଯାଇଛି । ଯିବାବେଳେ ଦେଇଯିବି କେବଳ ବୁଦ୍ଧଙ୍କର ଏହି ମୃଣ୍ମୟ ମୂର୍ତ୍ତିଟି ଶିପ୍ରାକୁ...ସେ ଭଲପାଏ ବୁଦ୍ଧଦର୍ଶନ...ବୃଦ୍ଧଙ୍କ ଏହି ମୃଣ୍ମୟ ମୂର୍ତ୍ତିଟି । ସେ ସତରେ ଅତି ଭଲପାଏ ମୋର ସଙ୍ଗୀତ ।

 

ଶିପ୍ରା ଡାଏରୀଟି ଥୋଇ ଅତି ଉଦାସଭାବେ ଚାହିଁଲା ବାହାରକୁ...ଶ୍ରାବଣର ମେଘ ଆଚ୍ଛନ୍ନକରି ରହିଛି ଆକାଶକୁ । ପାର୍ଶ୍ୱ କୋଠା ଉପରେ ମୟୂର ପୁଚ୍ଛଟେକି ନୃତ୍ୟ କରିବାକୁ ପ୍ରସ୍ତୁତ ହେଉଛି । ‘‘ଏ ଶିପ୍ରା ଦେଖ ତ... ମୁଁ ଚାହେଁ ଏହି ମୟୂରର ନୃତ୍ୟର ତାଳେ ତାଳେ ସଙ୍ଗୀତ ଗାଇ ଗାଇ ମୋର କଣ୍ଠଫଟାଇ ତୃପ୍ତିରେ ଶେଷ ନିଃଶ୍ୱାସ ମାରିବାକୁ । ମଧୁଛନ୍ଦାର ଏହି କେଇପଦ କଥା ସେ ସ୍ପଷ୍ଟ ଶୁଣିପାରୁଛି ।

 

ଶିପ୍ରା ଏ ଡାଏରୀରୁ ଯେତିକି ଆଭାସ ପାଇଲା, ସେତିକିରେ ମଧୁଛନ୍ଦାର ବେଦନାବିଧୌତ ଜୀବନ ପ୍ରତି ଅତିମାତ୍ରାରେ ସମ୍ୱେଦନଶୀଳ ହୋଇଉଠିଲା । ସାଧୁଚରଣଙ୍କର ମଧୁଛନ୍ଦା ପାଳିତ କନ୍ୟା କିମ୍ୱା ରକ୍ତର କନ୍ୟା ବୁଝିପାରିଲା ନାହିଁ ।

 

ଦରଜାରେ ଆଘାତ ଶୁଣି ଶିପ୍ରା ପ୍ରକୃତିସ୍ଥ ହୋଇ ଦ୍ୱାର ଖୋଲିଲା । ପିଅନ ଚିଠିଟିକୁ ଦେଉ ଦେଉ କହିଲା, ‘‘ମଧୁଛନ୍ଦା ନାନୀଙ୍କୁ ପି. ଏଚ. ଡ଼ି. ଡିଗ୍ରୀ ମିଳିଯାଇଛି । ଆପଣ ଜାଣିଥିବେ । ଅଫିସ ଯାଇଥିଲି ତାଙ୍କର କଥା ପଡ଼ିଥିଲା ।’’

 

ଅନ୍ୟମନସ୍କଭାବେ ହଁ କରି ସେ ଚିଠି ଖୋଲିଲା । ମଧୁଛନ୍ଦା ଲେଖିଛି ‘‘ଶିପ୍ରା, ମୋର ସ୍ନେହନେବୁ । ତୋଠୁ ଅନେକ କଥା ମୁଁ ଗୋପନ ରଖିଛି । ଅନ୍ୟ କିଛି କାରଣ ନୁହେଁ...ମୋଲାଗି ତୋ ସୁଖୀ ଜୀବନରେ ବ୍ୟର୍ଥତାର ତିକ୍ତ ସ୍ପର୍ଶ ଦେବା ଲାଗି । ସେଥିପାଇଁ କ୍ଷମା ମାଗୁଛି ।

 

‘‘ପୁଞ୍ଜିଭୂତ ବ୍ୟଥାର ଭାର ବୋହି ମୁଁ ଆଉ ଏ ଧରିତ୍ରୀକୁ ଅଧିକ ଭାରାକ୍ରାନ୍ତ କରିବାକୁ ଚାହେଁ ନାହିଁ । ଯେଇଁ ଗଙ୍ଗାର ନୀଳବେଣୀ ମୋତେ ଅପାର ଆନନ୍ଦ ଦେଇଥାଏ, ସେହି ପୁଣ୍ୟସ୍ରୋତରେ ମୁଁ ମିଶିଯିବାକୁ ସିଦ୍ଧାନ୍ତ କରିଛି ।

 

‘‘ତୁ ମୋର ସଙ୍ଗୀତ ଶୁଣିବାଲାଗି ଖୁବ୍‌ ଭଲପାଉ । ଶାନ୍ତ ପରିବେଶର ତୁ ସେହି ଗଙ୍ଗାର କୂଳରେ ବସିଲେ ମୋର ସଙ୍ଗୀତ ଶୁଣିପାରିବୁ । ମୁଁ କେବଳ ତୋତେ ସଙ୍ଗୀତ ଶୁଣାଇବା ଲାଗି ବେଳେବେଳେ ଆସିବି । ମୁଁ ଜାଣେ ମୋପରି ଏକ ଅସହାୟ ଜୀବନକୁ ତୁଇ କେବଳ ପ୍ରାଣଭରି ସ୍ନେହ କରୁଥିଲୁ ।

 

‘‘ଦୁନିଆରେ କୌଣସି କନ୍ୟାକୁ ମୋ ପିତାଙ୍କ ପରି ପିତା ନ ମିଳନ୍ତୁ । ମୋର ଆଉ ଅଧିକ ଲେଖିବାର କିଛି ନାହିଁ । ଏତିକି...ତୋର ଛନ୍ଦା ।’’

 

ଶିପ୍ରା କିଛି ବୁଝିପାରିଲା ନାହିଁ । ମନରେ ତା’ର ବହୁ ପ୍ରଶ୍ନ ଉଙ୍କି ମାରିଲା । ମଧୁଛନ୍ଦା ତେବେ ଆତ୍ମହତ୍ୟା କରିଦେଇଛି ! ଅତି ନିଃସହାୟ ମନେକରି ସେ ଚାହିଁଲା...ଦୂରରେ ବହିଯାଉଥିବା ଗଙ୍ଗାର ଅସୁମାରି ଜଳରାଶିକୁ । ତା’ରି ଦେହରେ ମଧୁଛନ୍ଦା ତେବେ ଆପଣାର ସତ୍ତା ହଜାଇ ଦେଲା ? ମଧୁଛନ୍ଦା ଏଇ ଜଳରାଶିକୁ କେତେ ଭଲପାଏ...ଘଣ୍ଟା ଘଣ୍ଟା ଧରି ଝରକା ପାଖରେ ବସି ସେ ଗଙ୍ଗା ନଦୀକୁ ଚାହିଁ ତୃପ୍ତି ହୁଏ ।

 

ଶିପ୍ରା ହାତରୁ ଚିଠିଟି କେତେବେଳେ ଖସିପଡ଼ିଛି ସେ ଜାଣେ ନାହିଁ । ଦୀର୍ଘଶ୍ୱାସ ତ୍ୟାଗ କରି ସେ ଦୃଷ୍ଟି ଫେରାଇଲା...ବର୍ଷା ଥମି ଯାଇଛି । ଆକାଶକୁ ସ୍ପର୍ଶ ନ କରି ଝୁଲିରହିଛି ବର୍ଣ୍ଣିଳ ଇନ୍ଦ୍ରଧନୁ । ଠିକ୍‌ ଇନ୍ଦ୍ରଧନୁ ପରି ମଧୁଛନ୍ଦା ତାକୁ ସ୍ପର୍ଶ ନ କଲେ ମଧ୍ୟ ଦେହରେ ତା’ର ବଳୟ ପରି ଝୁଲି ରହିଲା ପରି ଶିପ୍ରା ଅନୁଭବ କରୁଥାଏ ।

 

ଶିପ୍ରା ଅନେକ କିଛି କହିବାକୁ ଚାହିଁ କିଛି କହି ପାରୁ ନଥିଲା । ସମ୍ମୁଖରେ ତା’ର ଟେବୁଲ ଉପରେ ଥିବା ମଧୁଛନ୍ଦାର ଫଟୋଟିକୁ ଚାହିଁ କେବଳ ଭାବୁଥିଲା...ଫଟୋଟି ହେଲେ କଥା କହି ପାରନ୍ତା !

 

ଛଳ ଛଳ ହେଉଥିଲା ଲୁହବିନ୍ଦୁ ଶିପ୍ରାର ନୟନର ସୀମା ଧାରରେ ।

Image

 

ପୋଡ଼ା ମାଟି

 

ସୌଭାଗ୍ୟ ଏକ ବ୍ୟତିକ୍ରମ । ସୌଭାଗ୍ୟଙ୍କର ସହଧର୍ମିଣୀ ଗୋଟିଏ ନୁହେଁ, ଦୁଇଟି । ତଟିନୀର ଦୁଇଧାର କୂଳ ଖାଇ ପ୍ରବାହିତ ହେବା ପରି ସୁମିତ୍ରା ଓ ବନିତା ସୌଭାଗ୍ୟଙ୍କ ସଙ୍ଗେ ପାଦ ମିଳାଇ ଚାଲନ୍ତି । ଦୁହେଁ ସୌଭାଗ୍ୟଙ୍କୁ ପ୍ରାଣଭରି ସ୍ନେହ କରନ୍ତି । ତାଙ୍କର ସହଧର୍ମିଣୀରୂପେ ଗର୍ବ କରନ୍ତି । ସ୍ୱାମୀ ସ୍ନେହରେ କାଣିଚାଏ ଊଣା ହେଲେ ତା’ର ପ୍ରତିବାଦ କରିଥାନ୍ତି । ଗୃହର ବାତାବରଣ ଉତ୍ତେଜନାମୟ ହୋଇଉଠେ । ସେଠାରେ ମୂର୍ତ୍ତିଟିଏ ଅଟକିଯିବା ଆଉ ସମ୍ଭବହୁଏ ନାହିଁ ।

 

ଜୀବନଯାତ୍ରା ମଧୁମୟ ହେବା ଲାଗି ସୌଭାଗ୍ୟ ଦୁଇ ପତ୍ନୀଙ୍କୁ ନେଇ ଆଉ ଗୋଟିଏ ଗୃହରେ ନାହାନ୍ତି । ଦୁଇ ପତ୍ନୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କ୍ୱାର୍ଟର । ଦୁଇ ପତ୍ନୀଙ୍କ ସେବାଯତ୍ନ ନେବା ଲାଗି ସମାନ ସଂଖ୍ୟକ ଚାକର ପୂଝାରୀ, ଦୁଇ ସ୍ତ୍ରୀଙ୍କ ଡ୍ରଇଂରୁମ୍‌ ନିମନ୍ତେ ସମାନ ସଂଖ୍ୟକ ଚୌକି, ଉଚ୍ଚ ଦାମ୍‌ର କାରପେଟ୍‌, ସମାନ୍‌ ଦାମ୍‍ର ସୋଫାସେଟ୍‌ । କଭର ପାଇଁ କନା । ଯେଉଁ ପୃଷ୍ଠଭୂମିରେ ସୁମିତ୍ରା ସଙ୍ଗେ ଛାୟାଛବି ନେଇ ଶୟନକକ୍ଷରେ ଝୁଲାଇଥାନ୍ତି, ଅବିକଳ ସେହି ପୃଷ୍ଠଭୂମି, ସେହି ପୋଷାକ, ସେଇ ସ୍ମିତ ଚାହାଣି ନେଇ ବନିତାଙ୍କ ସଙ୍ଗେ ଛବି ଉଠାଉଛନ୍ତି ।

 

ସୌଭାଗ୍ୟ ଅତିମାତ୍ରାରେ ସାବଧାନ । ସେ ହସନ୍ତି । ସେ ହସ ଦେଖି ସୁମିତ୍ରା ବୁଝେ ଏ ତା’ ଲାଗି, ବନିତା ବୁଝେ ଏ ହସ ତାଲାଗି ସ୍ୱାମୀଙ୍କ ଓଠରେ ସୁନ୍ଦର ଦିଶୁଛି । ବନିତାକୁ ବିବାହ କରିବାର ଅନେକଦିନ ପର୍ଯ୍ୟନ୍ତ ସୌଭାଗ୍ୟକୁ କେନ୍ଦ୍ରକରି ସୁମିତ୍ରା ବନିତା ବେଶ୍‌ ଘୂରୁଥିଲେ । ସୂର୍ଯ୍ୟକୁ କେନ୍ଦ୍ର କରି ଗ୍ରହ ଉପଗ୍ରହ ଘୂରିଲା ପରି ଦୁଇ ପତ୍ନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା, ସ୍ୱାମୀଙ୍କୁ ସେବା ଯତ୍ନ କରିବାରେ, ସ୍ନେହଦାନ କରିବାରେ । ପରସ୍ପର ଦୁଇ ଭଗିନୀ ପରି ଅତିବାହିତ କରୁଥିଲା । ମାତ୍ର ସୁମିତ୍ରା ଦ୍ୱିତୀୟ ସନ୍ତାନର ମା ହେବାପରେ ବନିତା ଆଉ ସହ୍ୟ କରିପାରିଲେ ନାହିଁ । ବନିତାର ନାରୀମନ ବିକଳ ହୋଇଉଠିଲା । ସେ ବି ଚାହିଁଲା ତା’ର ପ୍ରାପ୍ୟ । ସ୍ୱାମୀଠାରୁ ତା’ର ସୌଭାଗ୍ୟ । ସେ ତା’ର ଦାବି ହାସଲ କରିବାଲାଗି ଅଭିମାନ କଲା । ନୀରବରେ କଲା ଅଶ୍ରୁପାତ । ସୁମିତ୍ରାଙ୍କ ସଙ୍ଗେ ଏକ କକ୍ଷରେ ସେ ଆଉ ରାତ୍ରିଯାପନ କରିବା ଲାଗି ପ୍ରସ୍ତୁତ ହେଲା ନାହିଁ । ସେ ଚାହିଁଲା ତା’ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ, ଯେଉଁ କେତେ ଗୋଟି ରାତିହେଉ, ଯେଉଁ କେତେ ଗୋଟି ମୁହୂର୍ତ୍ତ ହେଉ ସେ ସୌଭାଗ୍ୟକୁ ଏକାନ୍ତ ନିଜରଭାବେ ପାଇପାରିବ । ବୁକୁ ଭରା ସ୍ନେହ ସ୍ୱୀମୀଠୁଁ ଦାବି କରି ପାରିବ । ଶେଷରେ ତାହାହିଁ ହେଲା । ବନିତାଙ୍କ ଲାଗି ବ୍ୟବସ୍ଥା ହେଲା ସ୍ୱତନ୍ତ୍ର ଶୟନ ପ୍ରକୋଷ୍ଠ । କାଳକ୍ରମେ ବନିତା ହେଲେ ପୁତ୍ର ସନ୍ତାନର ମା’ । ଏବେ ରୁଷାରୁଷି, ମାନଅଭିମାନ, ଆଉ ପିନ୍ଧା ଶାଢ଼ି, ଗହଣାଗାଣ୍ଠି ନିମନ୍ତେ ନ ହୋଇ ହେଲା ସେ ପିଲା ନିମନ୍ତେ କେଉଁ ପୋଷାକ ଆସିଲା, ଏ ପିଲା ନିମନ୍ତେ କାହିଁକି ନ ଆସିଲା । ସେ କେତେ ଗୋଟି ଗ୍ଳୁକୋଜ୍‌ ଖାଇଲା, ଏହାପାଇଁ ନ ଆସିଲା କାହିଁକି ? ସୁମିତ୍ରା ପିଲାଙ୍କ ପାଇଁ ପ୍ଳାଷ୍ଟିକ୍‌ କଣ୍ଢେଇ ଆସିଲା, ରବର୍‌ ବେଲୁନ୍‌ ଆସିଲା, ବନିତା ପିଲାଙ୍କ ନିମନ୍ତେ ସେ ସବୁ ଆସିଲା କି ନାହିଁ ? ଏପରି କି ସୁମିତ୍ରା ପିଲାଙ୍କ ଲାଗି ଘଣ୍ଟା ସାରି ଚାରି ଥର ଔଷଧପାଇଁ ଡାକ୍ତରଖାନାକୁ ଗଲେ ବନିତା ଦାବି କରି ବସେ ଡାକ୍ତରଖାନା ନ ଗଲେ ନାହିଁ, ପିଲାଙ୍କୁ ଜଗି ତା’ ପାଖରେ ଚାରି ଘଣ୍ଟା ରହିବା ଲାଗି ।

 

ଗୋଟିଏ କ୍ୱାର୍ଟର ମଧ୍ୟରେ ଚଳିବା ଅସମ୍ଭବ ହୋଇଉଠିଲା । କେତେ ସାବଧାନ ହେବେ-! ସୁମିତ୍ରା ପାନ ଖାଇଲେ ପାଞ୍ଚ ଖଣ୍ତ । ବନିତା ଜଗି ବସିଥାନ୍ତି । ସେ ପାନ ଖାଆନ୍ତି ନାହିଁ । ମାତ୍ର ପାନ ବାବଦରେ ସେ ସ୍ୱାମୀଙ୍କ ଠାରୁ କୌଶଳ କରି ପ୍ରାପ୍ୟଟା ଅସୁଲ କରି ନିଅନ୍ତି, ପଚିଶ ଜାଗାରେ ତିରିଶ ପଇସା ପାନର ଦାମ୍ । ବେଳେବେଳେ ସୌଭାଗ୍ୟ ବ୍ୟତିବ୍ୟସ୍ତ ହୋଇ ଉଠନ୍ତି; ମାତ୍ର କାହାକୁ କିଛି କହନ୍ତି ନାହିଁ । ଦିନ ଅତିବାହିତ ହୋଇ ଚାଲେ । ବୃଦ୍ଧି ପାଏ ତାଙ୍କର ପରିବାର, ସୁମିତ୍ରା ତିନି ଗୋଟି ସନ୍ତାନର ମାଆ ହେଲାବେଳେ ବନିତା ଗୋଟିଏ ପିଲାକୁ କୋଳ କଲେ ଆଉ ଗୋଟିକୁ ଚଲାଇ ଚଲାଇ ନେଉଥାନ୍ତି ।

 

ପିଲାମାନେ ବଡ଼ ହୋଇ ପାଟି ଫିଟାଇ କଥା କହିଲା ବେଳକୁ, ନିଜ ମାଆ କିଏ, ବଡ଼ମା ବା ସାନମା ବା ସାନମା କିଏ ଚିହ୍ନିପାରିଲାବେଳକୁ, ସୌଭାଗ୍ୟ ଦୁଇ ସ୍ତ୍ରୀଙ୍କ ଲାଗି ଦୁଇଟି ସ୍ୱତନ୍ତ୍ର ଗୃହ ନିର୍ମାଣ କରି ଦେଇଥିଲେ । ସୁମିତ୍ରା ମହଲ, ବନିତା ମହଲ । ଦୁଇ କ୍ୱାର୍ଟର ମଧ୍ୟରେ ଦୂରତା ମାତ୍ର କେଇ କଦମ । ନଚେତ ଆଉ ସବୁ ସମାନ । ସୁମିତ୍ରା ମହଲ କିଚେନ ଗାର୍ଡ଼ନରେ ମନିପ୍ଳାଣ୍ଟ୍‌, ସୂର୍ଯ୍ୟମୁଖୀ, ବାକସ୍‌ଗଛ ପ୍ରଭୃତି ଯେତେଗୋଟି, ବନିତା ମହଲରେ ମଧ୍ୟ ସେତିକି ଗୋଟି-। ଏଠି ପିଲାଙ୍କୁ ଦୁଧ ଯୋଗାଇବା ପାଇଁ ଦୁଇଟି ଦୁହାଁଳିଆ ଗାଈ । ସୁମିତ୍ରାଙ୍କ ଗାଈ ଦୁଇ ଦିନ ହେଲା ଗୋଟିଏ ବାଛୁରୀ ଜନ୍ମ କରିଛି । ବନିତା ମଉନ ଅଭିଯୋଗ କରିଛନ୍ତି...ମୁହଁ ଫୁଲାଇଛନ୍ତି...ସ୍ୱାମୀଙ୍କର ବଡ଼ ସ୍ତ୍ରୀଙ୍କ ପ୍ରତି ଅଧିକ ଦୁର୍ବଳତା...ତାଙ୍କ ପିଲାଙ୍କ ପାଇଁ ଅଧିକ ସ୍ନେହ । ସେ କ’ଣ ପାପ କଲେ କି ? ତାଙ୍କ ପାଇଁ ଏ ହତାଦର କାହିଁକି ? ତାଙ୍କ ଗାଈଛୁଆ ଜନ୍ମ କରିବାରେ ବିଳମ୍ୱ କରିଛି କାହିଁକି ?

 

ସୌଭାଗ୍ୟ ବୁଝନ୍ତି...ଦୁଃଖ କରିବାର କୌଣସି କାରଣ ନାହିଁ । ଗାଈ ଜନ୍ମ କଲା ନାହିଁ ସେହି ଅଭିଯୋଗରୁ ରକ୍ଷା ପାଇବାପାଇଁ ସ୍ୱାମୀ ଲୁଚାଇ ବନିତାଙ୍କୁ ପିନ୍ଧାଇ ଦିଅନ୍ତି ସୁନାହାର । ଚୁପ୍‍ଚାପ୍‌ ସତର୍କ କରାଇ ଦିଅନ୍ତି, ସୁମିତ୍ରା ଯେପରି ନ ଜାଣନ୍ତି ଏହି ନୂଆ ଉପହାର କଥା । ସ୍ୱାମୀଙ୍କ ହାତକୁ ପାନ ନେଇ ଖିଲ ବଢ଼ାଇ ଦେଇ ସେ ଯାଇ ହାର ଲଗାଇ ଡ୍ରେସିଂ ଦର୍ପଣ ସାମନାରେ ଠିଆ ହୁଅନ୍ତି । କିପରି ଦିଶୁଛନ୍ତି ଦେଖିବା ଲାଗି । ସୁହାଗଭରା ଚାହାଣି ଓ ପ୍ରଫୁଲ୍ଲିତ ମନ ନେଇ ସେ ଫେରନ୍ତି ନିକଟକୁ ।

 

ସପ୍ତାହରେ ସାତ ଦିନ । ସୋମ, ମଙ୍ଗଳ, ବୁଧ ତିନି ଦିନ ସୌଭାଗ୍ୟ ରହନ୍ତି ସୁମିତ୍ରା ମହଲରେ । ଗୁରୁ, ଶୁକ୍ର, ଶନି ଏହି ତିନି ଦିନ ରହନ୍ତି ବନିତା ମହଲରେ । ବାକି ଗୋଟିଏ ଦିନ ରବିବାର । ଗୋଟାଏ ସପ୍ତାହରେ ସୁମିତ୍ରାଙ୍କ ସଙ୍ଗେ ରବିବାର ଦିନ କାଟିଲେ ଅନ୍ୟ ସପ୍ତାହରେ ବନିତାଙ୍କ ସଙ୍ଗେ ରବିବାର କଟାନ୍ତି । ସୁମିତ୍ରାଙ୍କ ପିଲାମାନେ ହେଲେ ରମା, ଉମା, ମୀନା । ବନିତାଙ୍କ ପିଲାମାନେ ହେଲେ ମିନୁ, ମିତା । ଛୋଟ ପିଲାମାନେ ମଧ୍ୟ ସବୁ ବୁଝିଗଲେଣି । ସେମାନଙ୍କୁ ପ୍ରଶ୍ନକଲେ, ସେମାନେ ମଧ୍ୟ କହନ୍ତି ସେମାନଙ୍କର ବାପା (ସୌଭାଗ୍ୟ)ଙ୍କ ଆଜି ପାଳି କେଉଁଠି ? ସୁମିତ୍ରାଙ୍କ ପିଲାମାନେ ଠିକ୍‌ ଜାଣନ୍ତି ଗୁରୁବାର, ଶୁକ୍ରବାର, ଶନିବାର, ତାଙ୍କର ବାପାଙ୍କ ଉପରେ କୌଣସି ଅଧିକାର ନାହିଁ । ସେମାନେ ବାପାଙ୍କ କୋଳରେ ବସି ପାରିବେ ନାହିଁ । ତାଙ୍କ ସାଙ୍ଗରେ ରିକ୍‌ସାରେ ବସି ବୁଲିଯାଇ ପାରିବେ ନାହିଁ । ବାପାଙ୍କ ସାଙ୍ଗରେ ବସି ତାଙ୍କ ଥାଳିରେ ଖାଇ ପାରିବେ ନାହିଁ । ବାପାଙ୍କୁ ତାଙ୍କ ବରାଦ ଜିନିଷ ଆଣିବାଲାଗି କହିବା ନିମନ୍ତେ ସେମାନଙ୍କୁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

 

ମିନୁ, ମିତା ମଧ୍ୟ ଠିକ୍‌ ସେହିପରି ମା ଶାଢ଼ି ବଦଳାଇବା ଦେଖି ବଜାର ଯିବା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତି । ସିନେମା ଯିବାପାଇଁ କେବେକେବେ ଜିଦ୍‌ କରନ୍ତି । ସଙ୍ଗରେ ରମା, ଉମାଙ୍କୁ ନେଇ ଯିବା କଥା ଉଠାଇଲେ ବନିତାଙ୍କ ଅଭିମାନ ଆରମ୍ଭ କରିଦିଅନ୍ତି । ବାପା ପୁଣି ତାଙ୍କ ସ୍ୱର ବଦଳାନ୍ତି । ଲେସ୍‌ ପୁଣି ଭିଡ଼ାଯାଏଁ । ବନିତା ଆଉ ଥରେ ଡ୍ରେସିଂ ଦର୍ପଣ ସମ୍ମୁଖକୁ ଯାଆନ୍ତି ।

 

ଏକା ଧାଡ଼ିରେ ଘର । ‘ସୁମିତ୍ରା ମହଲ’, ‘ବନିତା ମହଲ’ । ଗୋଟିଏ ପିତାର ସନ୍ତାନ ସମସ୍ତେ । ରମା, ଉମା ଭୁଲ୍‍ରେ ବନିତା ମହଲ ନିକଟରେ ଯେପରି ନ ଅଟକନ୍ତି, ମିନୁ, ପିତା ମଧ୍ୟ ସେହିପରି ସୁମିତ୍ରା ମହଲକୁ ଚାହିଁବାକୁ ମଧ୍ୟ ଏକ ପ୍ରକାର ପାପ ବୋଲି ମନେ କରନ୍ତି । ଏକା ରିକ୍‌ସାରେ ସମସ୍ତେ ସ୍କୁଲକୁ ଆସନ୍ତି । ମାତ୍ର ପିଲାଙ୍କର ବାଟ କେବେ ଭୁଲ୍ ହୁଏ ନାହିଁ । ବେଳେବେଳେ ସୌଭାଗ୍ୟ ମଟରରେ ସବୁ ପିଲାଙ୍କୁ ଧରି ସ୍କୁଲରୁ ଫେରନ୍ତି । ଧରନ୍ତୁ ସେ ଦିନ ସୋମବାର । ଗାଡ଼ି ଅଟକିଲା ସୁମିତ୍ରା ମହଲ ନିକଟରେ । ସୌଭାଗ୍ୟ ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ମିନୁ, ମିତା ସିଧା ଚାଲିଯାଆନ୍ତି ‘ବନିତା ମହଲ’ ଅଭିମୁଖେ । ବାପା ଯେତେ ଡାକିଲେ ମଧ୍ୟ ସେମାନେ ଶୁଣନ୍ତି ନାହିଁ । ମୁହଁରେ ଶୁଖିଲା ହସ ଖେଳାଇ ସୁମିତ୍ରା କହନ୍ତି,–‘‘ଦେଖ, ତୁମ ବନିତା ଟ୍ରେନିଂ । ମୁଁ କ’ଣ କହୁଥିଲି !’’ ସୁମିତ୍ରା ପାଟିରୁ କଥା ସରିଥାଏ ନ ଥାଏ, ରମା ଅଭିଯୋଗ କରେ, ‘‘ମାଆ, ଗତକାଲି ମିତାପାଇଁ ନୂଆ ଫ୍ରକ ବାପା ଆଣି ଦେଇଛନ୍ତି । ସାନ ମାଆ ଲାଗି ଶାଢ଼ି ଆଣି ଦେଇଛନ୍ତି । ମିତା କହୁଥିଲା ।’’ ସୁମିତ୍ରା ସାମାନ୍ୟ ଗମ୍ଭୀର ହୋଇ କହେ, ‘‘ଆରେ ତମେ ସବୁ କ’ଣ ତମ ବାପାଙ୍କର...ତମପାଇଁ କାହିଁକି କ’ଣ ବା ଆଣିବେ ? ଆଚ୍ଛା, ହଉ, ଗଲୁ ବାପାଙ୍କ କୋର୍ଟ ନେଇ ଘରେ ରଖିଦେ ।’’ ମା’ଙ୍କ ନିର୍ଦ୍ଦେଶ ଦିଆ ଆଖିର ସଙ୍କେତ ପାଇ ସେ ବାବାଙ୍କ କୋର୍ଟ ରଖି ଦେଉ ଦେଉ ସେଥିରୁ ଆବିଷ୍କାର କରେ କେବେକେବେ ଦଶ ଅବା ଶହେ ଟଙ୍କାର ନୋଟ୍ ! ପାଟି କରିଉଠେ ମା ଏ ଟଙ୍କା ମୋର । ବାତ୍ସଲ୍ୟମମତାପୂର୍ଣ୍ଣ କଣ୍ଠରେ କହନ୍ତି–‘‘ହଉ ନେ, ସଙ୍ଗେ ସଙ୍ଗେ ରଖିଦେ । କେଉଁଠି ନଚେତ ପକାଇ ଦେବୁ ।’’ ପିଲା ଯାଏଁ, ସେ ନୋଟ୍‍କୁ ସିଧା ସେଭିଙ୍ଗ୍‍ସ ବକସ୍‌ରେ ପକାଇ ଦିଏ ।

ସୋମ, ମଙ୍ଗଳ ବୁଧବାର ଦିନର ସମସ୍ତ ରୋଜଗାର ସୌଭାଗ୍ୟ ଯାହା କିଛି କରନ୍ତି, ସବୁ ସୁମିତ୍ରାଙ୍କର । ସବୁ ତାଙ୍କର ପିଲାମାନଙ୍କର । ଏହି ଦିନମାନଙ୍କରେ ସୌଭାଗ୍ୟ ଅସୁସ୍ଥ ହେଲେ ସୁମିତ୍ରା ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି । ଖିଆପିଆ, ଗାଧୋଇବା, ଔଷଧ ଖାଇବା ପର୍ଯ୍ୟନ୍ତ ସବୁ କିଛି ସୁମିତ୍ରା କରନ୍ତି । ବନିତା ସୁମିତ୍ରା ମହଲରେ ପାଦ ସୁଦ୍ଧା ପକାନ୍ତି ନାହିଁ । ଗୁରୁବାର ଦିନ ରାତି ପାହିଗଲେ ମିନୁ, ମିତା ଆସି ସୁମିତ୍ରା ମହଲରେ ହାଜର ହୁଅନ୍ତି, ସୁମିତ୍ରା ବୁଝନ୍ତି, ସୌଭାଗ୍ୟ ବୁଝନ୍ତି, ପରିବେଶର ଦାବି କ’ଣ । ସେ ସେହି ଅସୁସ୍ଥ ଅବସ୍ଥାରେ ଯାଆନ୍ତି ବନିତା ମହଲକୁ । ସାଙ୍ଗରେ ଚାକର ହାତରେ ଧରି ଚାଲେ ଅଧାଖିଆ ଔଷଧ...ପ୍ରେସ୍‌କ୍ରିପ୍‌ସନ୍‌ । ଏଥିରେ ସୁମିତ୍ରାଙ୍କର କୌଣସି ପ୍ରତିକ୍ରିୟା ହୁଏ ନାହିଁ । ବନିତାଙ୍କର ମଧ୍ୟ ବିଶେଷ କିଛି କହିବାର ନ ଥାଏ । କେବଳ ପଡ଼ୋଶୀମାନେ ଟୁପ୍‌ଟାପ୍‌ ହୁଅନ୍ତି...ପରିହାସ କରନ୍ତି...ସୌଭାଗ୍ୟ ଯଦି ସୋମ, ମଙ୍ଗଳ କିମ୍ୱା ବୁଧବାର ଦିନ ଇହଲୀଳା ସାଙ୍ଗ କରେ, ତେବେ ବନିତା ବିଧବା ହେବ କି ନାହିଁ ? ମଥାର ସିନ୍ଦୂର ଲିଭାଇବ କି ନାହିଁ ? ଭାଙ୍ଗିବ କି ନାହିଁ ହାତ ପିନ୍ଧା ଚୁଡ଼ି । କିଏ ଦୁଃଖ କରି କହେ, ଧିକ୍‌ ଏ ଜୀବନ । କିଏ ପରିହାସ କରି କହେ...ଭାଗ୍ୟରେ ଥିଲେ ଏପରି ସୌଭାଗ୍ୟ ମିଳେ । ସାତ କ୍ଷୀରୀପିଠା କରି ଖାଇବାକୁ ଦେବା ଲାଗି କାହା ଭାଗ୍ୟରେ ଦୁଇ ଦୁଇଟି ମାଇକିନା ଖଟନ୍ତି । ଯେ ଯାହା କହୁନା କାହିଁକି, ସୌଭାଗ୍ୟ ତଟିନୀର ସ୍ରୋତ ଦୁଇ କୂଳ ସ୍ପର୍ଶକରି ବହିଚାଲିଲା ପରି ସୁମିତ୍ରା ଓ ବନିତାଙ୍କ ପାଦ ସଙ୍ଗେ ତାଳଦେଇ ଆଗେଇ ଚାଲିଛନ୍ତି । ଦେଖାଯାଉ କେତେ ଦିନ ଏପରି ଆଗେଇ ସେ ଚାଲିବେ ।

ସୁମିତ୍ରା ମହଲରେ ସନ୍ଧ୍ୟା ନଇଁଆସେ । ଘନୀଭୂତ ହୋଇ ଆସେ ରାତ୍ରିର ଅନ୍ଧକାର । ପିଲାମାନେ ଶୋଇପଡ଼ନ୍ତି ।

ସୁମିତ୍ରା ମହଲର ଶୟନକକ୍ଷର ପରଦା ଅତିକ୍ରମ କରି ସକାଳ ସୂର୍ଯ୍ୟରଶ୍ମି ଆସେ । ସେ ସ୍ୱାମୀକୁ ହାତଠାରି ଦେଖାଇ ଦିଅନ୍ତି, କିଚେନ୍‌ ଗାର୍ଡ଼ନରେ ଶିଶିରବୋଳା ସୂର୍ଯ୍ୟମୁଖୀ ଫୁଲ । ଆହା, କି ସୁନ୍ଦର...ରକ୍ତରେ ମାଂସରେ ଉତ୍ତେଜନା...ଶିହରଣର ଊର୍ମୀ ଖେଳାଇ ଦେବାଲାଗି ସତରେ ଏହି ମୌନ ପୁଷ୍ପରାଜ ଓ ସବୁଜ ବନାନୀର ଅବଦାନ କେତେ ଅଧିକ ?

ସୁମିତ୍ରା ପଲ୍ଲୀ ପରିବେଶରେ ବର୍ଦ୍ଧିତା, ଆଭିଜାତ୍ୟପୂର୍ଣ୍ଣ ପରିବାରର ଆଦରର ଦୁହିତା । ସୁନ୍ଦରୀ, ସରଳା, ସ୍ୱାମୀହିଁ ତା’ର ସର୍ବସ୍ୱ, ସ୍ୱାମୀହିଁ ସ୍ୱପ୍ନ, ତା’ର କାମ୍ୟ । ସୁଯୋଗ ନେଇ ସୌଭାଗ୍ୟ ବନିତାକୁ ଘରକୁ ଆଣିବାକୁ ସାହସ କରିଥିଲା । ବନିତା ଚଳନୀୟଭାବେ ସୁନ୍ଦରୀ; ମାତ୍ର ଜାଣେ କଥାଶିଳ୍ପୀ, ପରକୁ ଆପଣାର କରିବାରେ ମହାନ୍‌ କୌଶଳୀ । ସେହି ଶକ୍ତବଳରେ ସେ ସୌଭାଗ୍ୟ ମନରେ ପ୍ରଥମେ ରେଖାପାତ କରିଥିଲା ।

ସାମାଜିକ ମାନସମ୍ମାନ ଭୁଲି, ଇତର ଜନର ସମାଲୋଚନାକୁ ଭ୍ରୂକ୍ଷେପ ନ କରି ବନିତା ବଳେବଳେ ଆସି ସୌଭାଗ୍ୟଙ୍କ ଘରେ ଆସନ ଜମାଇ ବସିଥିଲା; ମାତ୍ର ଶେଷରେ ପରିସ୍ଥିତି ଏପରି ହେଲା ଯେ, ଘର ଫାଳ ଫାଳ ହେଲା । ବିବାହିତା ସ୍ତ୍ରୀ ସୁମିତ୍ରାଠାରୁ ପ୍ରତ୍ୟେକ କ୍ଷେତ୍ରରେ ଭାଗ ଖୋଜି ବସିଲା ।

ସୁମିତ୍ରା ଆଉ ସହ୍ୟ କରିପାରିଲା ନାହିଁ । ମୁହଁ ଖୋଲି କହିଲା, ‘‘ବନିତା, ବୁଝିଲୁ, ତୋର ଠିକ୍‌ ମନେରଖିବା ଉଚିତ...ତୁ ସୌଭାଗ୍ୟ ବର୍ମାଙ୍କର ବିବାହିତା ସ୍ତ୍ରୀ ନୋହୁ...ରକ୍ଷିତା । ଏ ମାଟିରେ ତୋର ଠା ନଥିଲା । ସେ ତୋତେ ଦୟାକରି ଆଣି ଏ ଘରେ ସ୍ଥାନ ଦେଲେ । ସ୍ୱାମୀଙ୍କର ସୁଖସମ୍ଭୋଗ ଲାଗି ମୁଁ ତୋତେ ବରଦାସ୍ତ କଲି । ମାତ୍ର ତୁ ମୋ ମୁହଁରେ ଜବାବ ଦେଉଛୁ !’’

ବନିତା କହିଲା, ‘‘ମୁଁ ବେଦିରେ ବସି ଅଗ୍ନିକୁ ସାକ୍ଷୀ ଦେଇ ବିବାହ କରିନାହିଁ ସତ; ହେଲେ ରମା, ଉମାଙ୍କ ଦେହରେ ଯେଉଁ ବାପର ରକ୍ତ ମିନୁ, ମିତାଙ୍କ ଦେହରେ ସେହି ବାପର ରକ୍ତ-। ମୁଁ କୌଣସି କାରଣରୁ ନିଜକୁ ଛୋଟ ମନେ କରି ନାହିଁ । ତୁମର ତାଙ୍କ ଉପରେ ଯେତିକି ଅଧିକାର, ମୋର ମଧ୍ୟ ସେତିକି । ତୁମେ ତାଙ୍କର ଯେତିକି ଆପଣାର, ମୁଁ ସେତିକି ନିକଟତର । ତୁମେ ଯଦି ତୁମ ନାଁରେ ଦୁଇଟା ଇନ୍‌ସୁରାନ୍‌ସ କରିବାଲାଗି କହୁଛ, ତେବେ ମୋ ନାଁରେ ନ ହେବ କାହିଁକି ? ବନିତା ନାଁଟା ସୁମିତ୍ରା ନାମ ଅପେକ୍ଷା କୌଣସି ଗୁଣରେ କମ୍‌ ଲୋଭନୀୟ ନୁହେଁ । ତୁମେ ବୁଝିପାରିବନି ସେ ମୋତେ କେତେ ଭଲ ପାଆନ୍ତି । ତାଙ୍କୁ ପଚାରିବ ।’’

ସାମାନ୍ୟ ଶାଢ଼ିକୁ କେନ୍ଦ୍ରକରି ଏତେ ବଡ଼ ଗୋଟିଏ ଝଡ଼ ଉଠିବ ବୋଲି ବନିତା କେବେ ଆଶଙ୍କା କରି ନ ଥିଲେ । ସୁମିତ୍ରା ଆଉ ଅଧିକ ଯୁକ୍ତି ନ କରି ସିଧା ସୁମିତ୍ରା ମହଲରୁ ବାହାରିଯିବା ଲାଗି କହି ଦ୍ୱାର ବନ୍ଦ କରିଦେଲେ । ଆହତ ଅଭିମାନ ନେଇ ଫେରିଲା ବିନିତା ‘ବନିତା ମହଲ’ ଅଭିମୁଖେ । ଅଭିଯୋଗ କରିବାକୁ ସୌଭାଗ୍ୟ ପାଇ ନାହାନ୍ତି । ସେ ବମ୍ୱେ ଯାଇଛନ୍ତି । ଫେରିବେ ଦୁଇ ଦିନ ପରେ । ସୋମ, ମଙ୍ଗଳ, ବୁଧ, ଦୀର୍ଘ ତିନି ଦିନ ପରେ ସୌଭାଗ୍ୟ ସଙ୍ଗେ ଦେଖାହେଲେ, ସେ ତାଙ୍କୁ ପଚାରିବେ ବନିତା ସ୍ତ୍ରୀ ନା ରକ୍ଷିତା ? ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ସୁମିତ୍ରା ପରି ତାଙ୍କର ଅଧିକାର ଅଛି କି ନାହିଁ ? ଏ ଦୁନିଆରେ ନିଜର ଦାବି ନିଜେ ହାସଲ ନ କଲେ କେବଳ ଅବହେଳିତ ଓ ଅପରର ଦୟାର ପାତ୍ର ହେବାଟାହିଁ ସାର ହେବ ।

ରାତି ଏକ୍‌ସପ୍ରେସରେ ଓହ୍ଲାଇ ଟ୍ୟାକ୍‌ସି ଧରି ସୌଭାଗ୍ୟ ଆସିଲେ ନିଜ ବସାକୁ । ଦୀର୍ଘ ରାସ୍ତା ଆସିବା ଫଳରେ ସାମାନ୍ୟ କ୍ଳାନ୍ତ । ସାମାନ୍ୟ ଅସୁସ୍ଥ । ଟ୍ୟାକ୍‌ସି ରାସ୍ତାରେ ବନିତା ମହଲ ନିକଟରେ ସାମାନ୍ୟ କେଇ ମିନିଟ ଠିଆହୋଇ ଚାଲିଗଲା ସୁମିତ୍ରା ମହଲ ଉଦ୍ଦେଶ୍ୟରେ । ଆଜି ବୁଧବାର । ବନିତା କାହିଁକି ସ୍ୱାମୀଙ୍କ ପ୍ରତୀକ୍ଷାରେ ଥିବେ । ହୁଏତ ଶୋଇପଡ଼ିଥିବେ ଗଭୀର ନିଦ୍ରାରେ କିମ୍ବା ଶେଯରେ ପଡ଼ି ରହି କେବଳ ଅନୁତାପ କରୁଥିବେ ସେ ସୌଭାଗ୍ୟକୁ ବେଦିରେ ବସି ବିବାହ ନ କଲେ କାହିଁକି ? ସେ ହୁଏତ ଅନୁତାପ କରୁଥିବେ, ବେଳ ଅବେଳରେ ସେ ସୁମିତ୍ରା ମହଲ ଯାଆନ୍ତି କାହିଁକି ଓ ଅଯଥା ଅଶାନ୍ତି ସୃଷ୍ଟି କରନ୍ତି କାହିଁକି ? ମନରେ ତାଙ୍କର ପ୍ରଶ୍ନ ଉଙ୍କିମାରେ...ସ୍ୱାମୀ କ’ଣ ତାଙ୍କ ନିମନ୍ତେ ଅନୁତପ୍ତ...ସେ ସୁନ୍ଦରୀ ନୁହନ୍ତି; ହୁଏତ ହୋଇଥିବ ।

ସୌଭାଗ୍ୟ ବନିତାକୁ ଉଠାଇବେ ଉଠାଇବେ ହୋଇ ବାଟ ଘରେ ଟ୍ୟାକ୍‌ସିରୁ ନୂଆ ଟ୍ରଙ୍କଟି କାଢ଼ି ଥୋଇ ଦେଇ ସୁମିତ୍ରା ମହଲ ଉଦ୍ଦେଶ୍ୟରେ ଚାଲିଲେ । ତଳେ ହର୍ଣ୍ଣ ବାଜିବା ସଙ୍ଗେ ସଙ୍ଗେ ସୁମିତ୍ରାଙ୍କ ବେଡ଼୍‌ରୁମ୍‌ରେ ଆଲୋକ ଜଳିଉଠିଲା । ଚାକର ଯାଇ ଟ୍ରଙ୍କଟି ନେଇଆସିଲା ଶୋଇବା ଘରକୁ । ସୌଭାଗ୍ୟ ବାଥ୍‌ ରୁମ୍‌ ଯିବା ଅବସରରେ ସୁମିତ୍ରା ଚାକରଠାରୁ ବୁଝିନେଲେ, ଟ୍ୟାକ୍‌ସି ଡ୍ରାଇଭର କିପରି ନୂଆ ଟ୍ରଙ୍କଟି ବନିତା ମହଲରେ ଛାଡ଼ିଆସିଛି । ସେଇ ଯଥେଷ୍ଟ ।

ବାଥ୍‌ ରୁମ୍‌ରୁ ଫେରି ସୌଭାଗ୍ୟ କହିଲେ, ‘‘ସୁମି ! ତମପାଇଁ ସେଥିରେ ଶାଢ଼ି ଅଛି, କାଢ଼ । ପିଲାଙ୍କ ଲାଗି ମିଠା ଅଛି । ମିତାପାଇଁ ବ୍ଳାଉସ୍‌କନା ଓ ବ୍ଳାଙ୍କେଟ ।

ସୁମିତ୍ରା ଏତେ ରାଗି ଯାଇଥିଲେ ଯେ, ଆଉ କିଛି ନ କହି ବାଞ୍ଚ ଉପରୁ ଟେକିନେଇ ଦୁଆରକୁ ଟ୍ରଙ୍କଟା ସିଧା ଫିଙ୍ଗିଦେଲେ ।

‘‘ଆରେ ଏ କ’ଣ କରୁଛ... ?’’

‘‘କ’ଣ କରୁଛି ? ସେଠି ଦେଇଆସିଲ ନୂଆ ଟ୍ରଙ୍କ । ଏଠିକି ଆଣିଛ...।’’

‘‘ଆରେ ଟ୍ରଙ୍କଟା କେବଳ ଯାହା ନୂଆ । ବାକି ସବୁ ଏକା । ବନିତାଙ୍କର ତୁମ ଶାଢ଼ିପରି ଶାଢ଼ି; ପିଲାଙ୍କ ଲାଗି ମିଠା... । ବନିତା କହିଥିଲା ନୂଆ ଟ୍ରଙ୍କଟାଏ ଆଣିବାକୁ । ତା’ର ଟ୍ରଙ୍କ ନଥିଲା-।’’

ଏତିକି ଶୁଣି ସୁମିତ୍ରା ପୂର୍ବ ଅପେକ୍ଷା ଅଧିକ ଗର୍ଜିଉଠିଲେ । ନିର୍ଦ୍ଦେଶ ପାଇ ଚାକର ଷ୍ଟୋର ରୁମ୍‌ରେ ଯେତେ ଗୁଡ଼ାଏ ଟ୍ରଙ୍କ ଥିଲା ଗୋଟି ଗୋଟି କରି ପଦାକୁ ବୋହିଆଣିଲା । ଗୋଟାଏ ପରେ ଗୋଟାଏ ଦେଖାଇ ସୁମିତ୍ରା କହିଯାଉଥାନ୍ତି ସବୁ ଟ୍ରଙ୍କଗୁଡ଼ା କିପରି ପୁରୁଣା ହୋଇଗଲାଣି । ତାଙ୍କ ପାଇଁ ଗୋଟିଏ ନୂଆ ଟ୍ରଙ୍କ ଆସିବା ଉଚିତ ଥିଲା । ଚାକର ପିଲାଟି ମା’ଙ୍କର ହୁକୁମ ତାମିଲ କରି ଚାଲିଥାଏ । କାରଣ ସେ ଜାଣେ, ଏ ଘରେ ମା ସବୁ । ବାବୁ କିଛି ନୁହେଁ । ମା ଯେପରି ନଚାଇବେ, ବାବୁ ସେହିପରି ନାଚିବେ । ଚାକର ପିଲାଟି କିଛି ନ କହି ସେହିପରି ମା’ଙ୍କ ହୁକୁମ ତାମିଲ କରିବାକୁ ଚାହିଁ ରହିଥାଏ । ଶେଷରେ ସୌଭାଗ୍ୟ କହିଲେ ଆଚ୍ଛା, ତୁମେ ଯଦି ଅବିଶ୍ୱାସ କରୁଛ, ‘ଶାମ’ ଯାଉ ବନିତାଠାରୁ ଟ୍ରଙ୍କଟା ମାଗି ନେଇଆସିବ । ଏ ପ୍ରସ୍ତାବରେ ସୁମିତ୍ରା ସାମାନ୍ୟ ଶାନ୍ତ ହେଲେ ।

ଶ୍ୟାମ ଏ ବଡ଼ଲୋକି, ଏ କୋଠା ଓ ଧନ ସମ୍ପଦର ପ୍ରାଚୁର୍ଯ୍ୟ ମଧ୍ୟରେ ମଣିଷର ମନ କିପରି ସ୍ନେହମମତାର ଅଭାବରେ ପଳେ ପଳେ ପୋଡ଼ି ପାଉଁଶ ହେଉଛି ସେହି କଥା ଅନୁଭବ କରୁଥାଏ । ଶ୍ୟାମ ଫେରି କହିଲା, ‘‘କବାଟ ବନ୍ଦ । ସମସ୍ତେ ଶୋଇପଡ଼ିଲେଣି । ଡାକି ଡାକି କେହି ଉଠିଲେ ନାହିଁ । ଫେରିଆସିଲି ।’’

ସୁମିତ୍ରା କହିଲେ, ‘‘ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ? ସ୍ୱାମୀଙ୍କ ପ୍ରତି ପୁଣି ତା’ର ତ କର୍ତ୍ତବ୍ୟ ଅଛି । ସେ ତୁମକୁ ଧରା ପକାଇବ କିପରି ? ତୁମକୁ କିଏ କହିଥିଲା, ମୋ ପାଇଁ ଶାଢ଼ି ଆଣିବାକୁ ? ମୋର ଢେର ଶାଢ଼ି ଅଛି । ତୁମେ ତୁମ ବନିତା ପାଖରେ ସବୁ ଛାଡ଼ି ଆସିଲ ନାହିଁ ?’’

ସୌଭାଗ୍ୟ ଖାଇବାଲାଗି ଚାମଚ ଉଠାଉଥିଲେ । କାହିଁକି କେଜାଣି ଏତେ ବିରକ୍ତ ହୋଇଗଲେ ଯେ, ଚାମଚ ରଖି ଦେଇ ସେ ବାହାରିଲେ ବନିତା ମହଲକୁ ନୂଆ ଟ୍ରଙ୍କଟି ଆଣିବାକୁ । ଚାହିଁଥିଲେ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହ ମୋଚନଲାଗି, ଅଭିଯୋଗ ଦୂରକରିବା ଲାଗି । ସେ ଜଣେ ଆଦର୍ଶ ସ୍ୱାମୀ...ସେ ଦୁଇ ସ୍ତ୍ରୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଟେବୁଲ ଛାଡ଼ି ଗଲାବେଳେ ସୁମିତ୍ରା ସେହିପରି ଚାହିଁ ରହିଥାନ୍ତି ।

 

ସୌଭାଗ୍ୟ ଚାହିଁଲେ ଘଣ୍ଟାରେ ତିନିଟା ପନ୍ଦର । ସୁମିତ୍ରା ମହଲରୁ ବନିତା ମହଲ ମାତ୍ର କେଇ କଦମ୍‌ ରାସ୍ତା । ଅତି ପରିଚିତ । ଏକାନ୍ତ ଆପଣାର । ଅଧିକାଂଶ ସମୟରେ ସେ ଅଶାନ୍ତି, ମନସ୍ତାପ, ସ୍ତ୍ରୀଙ୍କ ଅଭିଯୋଗର ଶିକାର ହୋଇଥାନ୍ତି । ସୁମିତ୍ରାଠାରୁ ଗାଳି ଖାଇ ଯାଇ ବନିତା ପାଖରେ ହସନ୍ତି, ବନିତା ପାଖରୁ ଆସି ସୁମିତ୍ରା ପାଖରେ ବସନ୍ତି । କାରଣ, ସେ ନ ହସିଲେ ନାରୀର ମନଦର୍ପଣରେ ତାଙ୍କ ହସର ପ୍ରତିଫଳନ ଯେ କେବଳ ହୁଏ ନାହିଁ ତା’ ନୁହେଁ; ବଂର ଦୁଃଖ ଦ୍ୱିଗୁଣିତ ହୁଏ । ଖସିଗଲା ପାଦପରି ସେ ତଳକୁ ତଳକୁ ଯାଆନ୍ତି । ଆଜି କାହିଁକି କେଜାଣି ସେ ପରିସ୍ଥିତି ସହିନେବାର ଧୈର୍ଯ୍ୟ ହରାଇ ବସିଛନ୍ତି । ସତେ ଯେପରି ଆଜି ରାସ୍ତାର ଆଲୋକବତି, ତାରଖୁଣ୍ଟ, ଲାଲଧୂଳି, କାନ୍ଥର ସିନେମାପୋଷ୍ଟର ଉପରେ ଥିବା ଚିତ୍ରନାୟିକା ତାଙ୍କୁ ଉପହାସ କରୁଛନ୍ତି । ଦୁଇଟି ଘର ଥାଇ ସେ ଆଜି ଗୃହହୀନ, ଦୁଇଟି ସ୍ତ୍ରୀ ଥାଇ ସେ ଆଜି ହତଭାଗ୍ୟ । ବହୁ ସମ୍ପଦର ଅଧିକାରୀ ହୋଇ, ସେ ଆଜି ରାସ୍ତାର ଭିକାରିଠାରୁ ମଧ୍ୟ ଅଧିକ ନିଃସ୍ୱ ।

 

ସେ ଯାଇ ବନିତା ମହଲ ଗେଟ୍‌ ପାଖରେ ପହଞ୍ଚିଲେ । କାହିଁକି କେଜାଣି ଫାଟକରେ ଆଘାତ କରି ବନିତା ଓ ପିଲାମାନଙ୍କର ନିଦ ଭାଙ୍ଗିବାକୁ ତାଙ୍କର ଆଦୌ ଇଚ୍ଛା ହେଲା ନାହିଁ । ସେ ବାରଣ୍ଡାରୁ ଆସ୍ତେ ପାଦ ପକାଇଲେ ତଳକୁ, କିଚେନ୍ ଗାର୍ଡ଼ନର ଶ୍ୟାମଳ ଦୁର୍ବାଦଳ ଉପରେ ଦୁଇ ଟୋପା ଲୁହ ତାଙ୍କର ଖସିପଡ଼ିଲା । ସେ ବାହାରି ଆସିଲେ ରାସ୍ତାକୁ...ଅତି ମାତ୍ରାରେ କ୍ଷୁଧାର୍ତ୍ତ । କ୍ଳାନ୍ତ ଶ୍ରାନ୍ତ । କେବେ କେବେ ସୁମିତ୍ରା ମହଲରେ ଖାଇସାରି ବନିତା ମହଲକୁ ଆସିଲେ, ତାଙ୍କୁ ତାଙ୍କର ଅନିଚ୍ଛା ସତ୍ତ୍ୱେ ଅନେକ ଖାଇବାକୁ ହୋଇଥାଏ । ମାତ୍ର ଆଜି... । ସେ ଫେରୁଛନ୍ତି...କ୍ଷୁଧାର୍ତ୍ତ ମନ, କ୍ଷୁଧାର୍ତ୍ତ ଦେହ ନେଇ । ଆଗକୁ...। ସମ୍ମୁଖରେ ତାଙ୍କର କେବଳ ଦୀର୍ଘ ରାସ୍ତା ପଡ଼ି ରହିଛି-। ...କେତେ ଯାଇଛନ୍ତି...କେତେ ଯିବେ...ସୌଭାଗ୍ୟ ଆଜି ଚାଲିଯାଇଛନ୍ତି ଲକ୍ଷ୍ୟହୀନଭାବେ ।

 

ସୁମିତ୍ରା ହୁଏତ ଚାହିଁ ବସିଥିବେ ସୌଭାଗ୍ୟଙ୍କ ପଥକୁ । ...ସ୍ୱାମୀ ଫେରିବେ ବନିତା ମହଲରୁ ନୂଆ ଟ୍ରଙ୍କ ସଙ୍ଗରେ ଧରି । ବନିତା ହୁଏତ କର ଲେଉଟାଉ ଥିବେ । ଆଜି ରାତିରେ ସେ ଏକାକୀ...ଏ ଅନ୍ଧକାର ଉପଭୋଗ୍ୟ ହୋଇ ଉଠିବ ।

 

ବୁଧବାର ପରେ ଆସିବ ଗୁରୁବାର । ସୁମିତ୍ରା ପରେ ବନିତାର ପାଳି । ସ୍ୱାମୀ ଆସିବେ ମୁମୂର୍ଷୁ ମନ ନେଇ । ପ୍ରାଣରେ ନୂତନ ଶିହରଣ ଜାଗି ଉଠିବ । ନୂଆ ସ୍ୱପ୍ନ ରୂପ ପାଇବ । କଥା କହିବ ସୂର୍ଯ୍ୟମୁଖୀ...କଥା କହିବ ବନିତା ।

Image

 

ଶିକାର

 

ପ୍ରଦୀପରେ ଅଗ୍ନି ସଂଯୋଗ କରି ସଭା ମଞ୍ଚକୁ ଆରୋହଣ କଲେ ନରେନ୍ଦ୍ରକୁମାର । ନାରୀସମ୍ପଦର ନୂତନ ଗୃହ ‘‘ମାଳଞ୍ଚ’’ର ଉଦ୍‌ଘାଟନ ଉତ୍ସବ ।

 

ଉତ୍ସବମୁଖର କୋଳାହଳରତ ଏଇ ନୂତନ ଗୃହର ଉଦ୍‌ଘାଟନ ଉତ୍ସବରେ ପୌରୋହିତ୍ୟ କରିବାଲାଗି ‘ଜନତା’ ଦଳର ଦଳପତି ନରେନ୍ଦ୍ରକୁମାର ଆସିଛନ୍ତି । ଦେଶର ସ୍ୱାଧୀନତା ସଂଗ୍ରାମରେ ନରେନ୍ଦ୍ରଙ୍କ ଅବଦାନ ସ୍ୱର୍ଣ୍ଣଲିପିରେ ଲିପିବଦ୍ଧ ହୋଇ ରହିବ । ସେ ଜଣେ ଦୁର୍ଦ୍ଦାନ୍ତ କର୍ମୀ, ବିଚକ୍ଷଣ ରାଜନୀତିଜ୍ଞ, ଦେଶସେବୀ, ସାହିତ୍ୟିକ । ନିଜର କୂଟନୀତି ବଳରେ ସେ ନିଜର ସମସାମୟିକ ବହୁ ପ୍ରତିଦ୍ୱନ୍ଦ୍ୱୀଙ୍କ ପତନ କରିବାକୁ ସମର୍ଥ ହୋଇପାରିଛନ୍ତି । ନିଜର ଆଭିଜାତ୍ୟପୂର୍ଣ୍ଣ ଐତିହ୍ୟରେ ଆଞ୍ଚ ନ ଲଗାଇ ସେ ବର୍ତ୍ତମାନ ସମୟ ସଙ୍ଗେ ତାଳ ଦେଇ ଅଗ୍ରସର ହୋଇପାରିଛନ୍ତି । ସେ ଯଥାର୍ଥରେ ଜଣେ ରାଜନୀତିଜ୍ଞ । ବାଘ ସିଂହଙ୍କୁ ସେ ଏକା ତୁଠରେ ପାଣି ପିଆଇ ପାରିବେ । ବାସ୍ତବରେ ତାଙ୍କ ଦେହ କାଟିଲେ ଯେଉଁ ଶୋଣିତ ବିନ୍ଦୁ ପ୍ରବାହିତ ହେବ, ତାହା ମଧ୍ୟ ରାଜନୀତିର ବାଖ୍ୟା କରିବ । ଦୂର ଅତୀତର ସେ କେଉଁ ଏକ ରାଜପରିବାର । ଆଜି କାଳଚକ୍ରରେ ତାହା ଧୂଳିସାତ୍‌ ହୋଇଛି । ଇତିହାସ ବଖାଣିଲେ କେବଳ ସେଇ ରାଜପରିବାରର ପରିଚୟ ମିଳିବ । ନରେନ୍ଦ୍ରକୁମାର ସେହି କୂଳର ଚନ୍ଦ୍ରମା, ନରେନ୍ଦ୍ରକୁମାର ଆପଣାର ଗୌରବରେ ଦୀପ୍ତିମାନ । ତାଙ୍କର ପରମ୍ପରାର ପ୍ରୟୋଜନ ପଡ଼େନା । ଅଧଃପତିତ, ଅଭାବଗ୍ରସ୍ତର ସିନା କୁଳଶୀଳ, ଅତୀତ ଖୋଜାଯାଏଁ । ଉଦୟଭାନୁର ଜାତକ ସମୀକ୍ଷା ଲାଗି ବ୍ୟାକୁଳତା କାହିଁକି ବା ପ୍ରକାଶ ପାଆନ୍ତା ! ସେହି ନରେନ୍ଦ୍ର ଆଜି ଏ ପୁଣ୍ୟ ଉତ୍ସବର ପୁରୋଧା ।

 

ଉତ୍ସବ ଶେଷ ପ୍ରାୟ । ଦୂରରେ ନଳିନୀ ଦେବୀ ଅନ୍ୟତମ ବିଶିଷ୍ଟା କର୍ମକର୍ତ୍ତ୍ରୀ । ଚଞ୍ଚଳ ପଦରେ ସଭାଗୃହକୁ ପ୍ରବେଶ କରୁ କରୁ ଜଣାଇଲେ ପ୍ରଣତି ନରେନ୍ଦ୍ରକୁମାରଙ୍କୁ । ନଳିନୀ ଯୁବନେତା କମଳକୁମାରର ସ୍ତ୍ରୀ, କମଳକୁମାର ମାର୍କ୍‌ସ୍‌ପନ୍ଥୀ କମୁନିଷ୍ଟ । ସେ ଶ୍ରେଣୀସଂଘର୍ଷରେ ବିଶ୍ୱାସ କରେ । ସେ ଶ୍ରମିକର ପ୍ରତିନିଧି, ଦଳିତ ଜନତାର ନେତା, ହାତୁଡ଼ି ଆଉ ଦାଆ ତା’ ଦଳର ନିଶାଣ, ନିର୍ବାଚନର ସ୍ମାରକୀ । ଲାଲଝଣ୍ଡା ତା’ର ବିପ୍ଳବର ସାକ୍ଷୀ । ଏଇ କମଳକୁମାର ଗାଁ ଗାଁ ବୁଲି ଜନ ସଂଗଠନ କରି ନରେନ୍ଦ୍ରକୁମାର ନେତୃତ୍ୱରେ ବିରୋଧ କରିବାଲାଗି ପ୍ରବଳ ଉଦ୍ୟମ କରି ଚାଲିଛି । ସେ କେବଳ ନରେନ୍ଦ୍ରକୁମାରଙ୍କ ଆଭିଜାତ୍ୟପୂର୍ଣ୍ଣ ପରିବାରର ସମାଧି ଚାହେଁନା, ସେ ଚାହେଁ ଏଇମାନଙ୍କ କବରକୁ ମଧ୍ୟ ମାଟିରେ ସ୍ଥାନ ନ ଦେବାକୁ । ରକ୍ତରେ ଉଷ୍ଣତା...ଜୀବନ ଅପେକ୍ଷା ଆଦର୍ଶରେ ଅଧିକ ଆସ୍ଥା । ସେହି କମଳକୁମାର ବିଚକ୍ଷଣ ଲେଖକ, ବାଗ୍ମୀ, ବିଚକ୍ଷଣ କର୍ମୀ, ଅସାଧାରଣ ବୁଦ୍ଧିଜୀବୀ । ଏହିପରି ପ୍ରତିଭା ଲାଗି ଯେକୌଣସି ରାଜନୈତିକ ସଂସ୍ଥା ଗର୍ବ ଅନୁଭବ କରିବା ଉଚିତ । ସେହି କମଳକୁମାରର ସ୍ତ୍ରୀ ନଳିନୀ...ଜୀବନର ରୁକ୍ଷ କଠୋର ଓ ସ୍ୱାମୀର ଆଦର୍ଶବାଦ ମଧ୍ୟରେ ସଂଘର୍ଷ କରି ଚାଲିଛି । ଚାରୋଟି ସନ୍ତାନର ମାଆ...। ସେହି କମଳକୁମାରଙ୍କୁ କୌଣସିମତେ ଆପଣାର ଅକ୍ତିଆରକୁ ଆଣିବାକୁ ନରେନ୍ଦ୍ରକୁମାର ଚାହିଁ ବସିଥାନ୍ତି ।

 

ସଭାମଞ୍ଚରୁ ତଳକୁ ଅବରୋହଣ କରି ନରେନ୍ଦ୍ରକୁମାର ପ୍ରଶ୍ନ କଲେ, ‘‘କ’ଣ ନଳିନୀ, ବଡ଼ ବିଚିତ୍ର କଥା ! ଆଜି ଉତ୍ସବରେ ତୁମେ ଏତେ ବିଳମ୍ବରେ ! କମଳ କିପରି ? କ’ଣ ଏଠିକୁ ଆସିବାଲାଗି ନିମନ୍ତ୍ରଣ ନଥିଲା ? ଏ’ତ ପୁଞ୍ଜିପତିମାନଙ୍କର ଅନୁଷ୍ଠାନ ନୁହେଁ । ଆଚ୍ଛା, ଆଉ ସବୁ ସମ୍ବାଦ କ’ଣ ? ଭଲ ତ ? କୁଶଳ ପ୍ରଶ୍ନର ଉତ୍ତର ନଳିନୀ ଦରଦକଣ୍ଠରେ ପ୍ରଦାନ କଲେ...ଅଭାବ ଅନଟନ ମଧ୍ୟରେ ସଢ଼ୁଛି । ଛୋଟ ପିଲାଟିକୁ ଡାକ୍ତରଖାନାରୁ ଔଷଧ ଟିକେ ଆଣିଦେବାକୁ ମଧ୍ୟ କେହି ନାହିଁ । ବଡ଼ଟିକୁ ଟାଇଫଏଡ଼୍‌ । ଘରେ ପଇସାଟିଏ ନାହିଁ । ସେ ପନ୍ଦର ଦିନ ହେଲା ଖଣି ଅଞ୍ଚଳକୁ ସଂଗଠନ ପାଇଁ ଯାଇଛନ୍ତି । ଏଥିରୁ ସବୁ ବୁଝିବେ ।’’

 

ସହାନୁଭୂତିପୂର୍ଣ୍ଣ ଗଳାରେ ନରେନ୍ଦ୍ର କହିଲେ, ‘‘ପ୍ରତିଭାର ଅପପ୍ରୟୋଗ ହେଲେ ଯାହା ହୁଏ । ଆମେ ତ କମଳିକୁମାର ଦୃଷ୍ଟିରେ ସମାଜର ଶତ୍ରୁ । କେତେ ଲୋକଙ୍କୁ ମୁଁ ଶାସନକୁ ଆସିଲା ପରେ କର୍ମ ସଂସ୍ଥାପନର ବ୍ୟବସ୍ଥା କରି ନ ଦେଇଛି ? କମଳକୁମାର ପାଇଁ କ’ଣ କିଛି ଗୋଟାଏ ବ୍ୟବସ୍ଥା ହୋଇପାରନ୍ତା ନାହିଁ ? ଛାଡ଼ ତା’ ନିକଟରେ ତ ଜୀବନ ଅପେକ୍ଷା ଆଦର୍ଶ ଅଧିକ ମହାନ୍ । ମାତ୍ର ତୁମେ ନିଜର ଆଦର୍ଶ ଲାଗି ସ୍ତ୍ରୀ ଓ ସନ୍ତାନମାନଙ୍କୁ ଅବହେଳା କରିବାର ଯଥାର୍ଥଟା କେଉଁଠି ? ଛାଡ଼ ସେ ସବୁ । କମଳ ଆସିଲେ ଟିକେ କହିବ 'ଜନତା' ଅଫିସରେ ଯାଇ ସାକ୍ଷାତ କରିବ । ଗୋଟାଏ ଲେଖା ଅଛି...ଅନୁବାଦ କରିବାଲାଗି ଖୋଜୁଥିଲି...ଅନ୍ୟ କିଛି ନୁହେଁ । ଦରକାର ହେଲେ ମୋତେ ଫୋନ୍ କରିବ ମୁଁ ଜଣେ ଡାକ୍ତର ପଠାଇବି ।”

 

‘ଜନତା’ ଅଫିସର ଅପେକ୍ଷାଗୃହରେ ପହଞ୍ଚିଲେ କମଳକୁମାର । ନରେନ୍ଦ୍ରକୁମାର ଅନ୍ୟ ସହିତ ସାକ୍ଷାତରତ । ସାମାନ୍ୟ ପରେ ଭିତରେ ପ୍ରବେଶ କରିବେ । ‘ଜନତା’ ଅଫିସରେ କମଳକୁମାରଙ୍କ ଉପସ୍ଥିତି ଜନତାର ବିସ୍ମୟ ସୃଷ୍ଟି କରୁଛି । କମଳକୁମାର ସ୍ଥିରଚିତ୍ତରେ ବସି ରହିଥାନ୍ତି...ସମ୍ମୁଖରେ ତାଙ୍କର ଦେଖାଯାଉଥାଏ...ନଳିନୀ ଦେବୀଙ୍କ ହାତରେ ଦଶଟଙ୍କିଆ ନୋଟ କେତେ ଖଣ୍ଡି...ରୁକ୍ଷ ଗଳାର ଆବାଜ..."ଦେଖ, ପିଲାମାନଙ୍କ ଲାଗି କିଛି ବ୍ୟବସ୍ଥା କର । ସେମାନଙ୍କୁ ମୁଁ ବିନା ଦୁଧରେ ଭାତ ଖୁଆଇପାରିବି ନାହିଁ, ତୁମେ ଏଥର ସେ ଖଣି ଅଞ୍ଚଳକୁ ଯିବା ପୂର୍ବରୁ ଯାଇ ନରେନ୍ଦ୍ରକୁମାରଙ୍କୁ ସାକ୍ଷାତ କର...ନିଜ ଅନ୍ନସଂସ୍ଥାନର କିଛି ଗୋଟାଏ ବ୍ୟବସ୍ଥା କର । ନଚେତ ଦେଖିବ...ତମର ଲାଲଝଣ୍ଡାକୁ ଜାଳିପୋଡ଼ି ପାଉଁଶ କରିଦେବି । ତୁମ ପାମ୍ଫଲେଟ ପୋଷ୍ଟର ସବୁ ଓଜନ କରି କାଗଜ କିଣାଳୀକୁ ବିକ୍ରି କରିଦେବି । କମଳକୁମାର ଦୀର୍ଘନିଃଶ୍ୱାସ ମାରିଲେ...ଗୋଟାଏ ପଟେ ଅଗଣିତ ଶ୍ରମିକ...ସେମାନଙ୍କର ଦାବି...ସେମାନଙ୍କ ନିକଟରେ 'ଜନତା' ଦଳକୁ ଶାସନରୁ ହଟାଇବା ଲାଗି ତାଙ୍କର ଆଗ୍ନେୟ ଶପଥ...ଅନ୍ୟ ପଟେ ନିର୍ମମ ଜୀବନଯାତ୍ରା ଲାଗି ନଳିନୀ ଦେବୀଙ୍କ କଡ଼ା ନିର୍ଦ୍ଦେଶ । ଭିତରକୁ ଯିବାପାଇଁ ଡାକରା ଆସିଲା…। ନରେନ୍ଦ୍ରକୁମାର କହିଲେ...‘‘ଅନ୍ୟ କିଛି ନୁହେଁ, ଏ ଇଂରାଜୀ ରଚନାଟିକୁ ତର୍ଜମା କରିବାକୁ ଡାକିଥିଲି । ନିଅ ଏଇ ପାରିଶ୍ରମିକ ଦୁଇଟି ଟଙ୍କା ଅଛି ଏଥିରେ ଦଳଗତ ପ୍ରଶ୍ନ ନାହିଁ । ମୁଁ ଚାହେଁ ପ୍ରତ୍ୟେକ ତା’ର କାମର ମୂଲ୍ୟ ପାଉ । ନାଁ, ନାଁ ଏଥିରେ ସଙ୍କୋଚ କରିବାର କିଛି ନାହିଁ ।” ବହୁ ଦ୍ଵିଧା ପରେ କମଳକୁମାର ଅର୍ଥ ଗ୍ରହଣ କଲେ ।

 

ଏହିପରି ଏକାଧିକବାର ଅନୁବାଦ କରି ମାସ କେଇଟା ମଧ୍ୟରେ ୩।୪ ହଜାର ମୁଦ୍ରା ପାଇ ପାରିଲେଣି । ଏଇ ମାସ କେତେଟା ମଧ୍ୟରେ କମଳକୁମାରଙ୍କ ଜୀବନରେ ବହୁ ପରିବର୍ତ୍ତନ ଦେଖାଦେଲାଣି, ବୈଠକଖାନାରେ ପଡ଼ିଥିବା ମଳିନ ଟେବୁଲ ଚୌକି ଏବେ ସଫା ହେଲାଣି । ଟେବୁଲ ଉପରେ ଟେବୁଲ କ୍ଳଥ ପଡ଼ିଲାଣି । ଦରଜାରେ ପରଦା ଝୁଲିଲାଣି । ନଳିନୀ ଦେବୀଙ୍କ ନଗ୍ନପଦ ଜୋତା ପରିଧାନ କଲାଣି । ଏଇ ବୈଠକଖାନାରେ ରିକ୍‍ସା...ଗାଡ଼ି ଘୋଡ଼ାର ଶବ୍ଦ ଶୁଣାଗଲାଣି । ପାର୍ଟି ପ୍ରଚାର ପତ୍ରଗୁଡ଼ିକ ଟେବୁଲ ଉପରୁ ଖଟ ତଳକୁ ଗଲାଣି । 'ଜନତା' ପାର୍ଟିର କେତେକ ପ୍ରଚାର ପତ୍ର ସେଠାରେ ରଖାଯାଇଛି । କମଳକୁମାରଙ୍କର ଏବେ ହୃଦ୍‍ବୋଧ ହୋଇଛି...ଏ ମାଟିରେ ଶ୍ରମିକ ମଙ୍ଗଳପାଇଁ ଯେତେଦିନ ଲାଗିଥିବ, ସେତେଦିନ ନିଜର ମଙ୍ଗଳ ଅସମ୍ଭବ ।

 

ନଳିନୀଦେବୀ କମଳଙ୍କୁ ଅନ୍ୟମନସ୍କଭାବେ ବୈଠକଖାନାରେ ବସିଥିବା ଦେଖି ଚଢ଼ା ଗଳାରେ କହିଲେ–"ହଁ ମୁଁ ଜାଣେ । ବସି ବସି ସମୟ କଟାଇ ଦେବାଟା, ତମେ ବେଶ୍ ଜାଣ । ନରେନ୍ଦ୍ରକୁମାରଙ୍କଠୁଁ ଆଉ ଗୋଟାଏ ଲେଖା ଆଣି ତର୍ଜମା କରିଦେଇଥିଲେ ଆଉ କିଛି ଟଙ୍କା ତ ମିଳି ଯାଇଥାନ୍ତା !"

 

"ଆଉ ଲେଖା ନାହିଁ...ଦରକାର ପଡ଼ିଲେ ସମ୍ବାଦ ଦେବୀ ବୋଲି ନରେନ୍ଦ୍ରକୁମାର କହିଲେ...ମୁଁ ଜନତା ଅଫିସକୁ ଯାଇଥିଲି ଏଇ ଅଳ୍ପ ସମୟ ହେବ ଫେରୁଛି ।”

 

–‘‘ମଲା, ଲେଖା ନ ଥିଲେ ଟଙ୍କା କିଛି ମାଗିଆଣିଲ ନାହିଁ ? ପରେ ଲେଖା ବାବଦକୁ କଟାଇ ଦେଉଥାନ୍ତି । ଲେଖା ନ ଥିଲେ ଆଉ କିଛି କହିଲା ନାହିଁ ? ଦେଖ, ମୁଁ ଖାଲି ଭାତ ଖାଇପାରିବି ନାହିଁ...ତୁମପରି ମୁଁ ଶ୍ରମିକ ନେତା ନୁହେଁ । ପଇସା ସାରିବା ଉପରେ । ବାକି ମାଛ ସେ ଦେବନାହିଁ । କିଛି ସରୁ ଚାଉଳ କେଉଁଠୁ ମଗା । ଚାଲ, ସନ୍ଧ୍ୟାବେଳେ ସାଙ୍ଗହୋଇ ଆଜି ନରେନ୍ଦ୍ରଙ୍କ ନିକଟକୁ ଯିବା, ମୁଁ କିଛି ଟଙ୍କା ଲାଗି କହିବି ।”

 

"ମଜଦୁର ସଭା ଅଛି... ।”

 

‘‘ଚୁପ୍‌କର...ଥରେ କହିଲି ମୋ ଆଗରେ ଏ ମଜଦୁର ଫଜଦୁର କିଛି କହିବ ନାହିଁ । ରାଜନୀତି କରିବ’ତ କର...ଜନତା ଦଳରେ ରହି...ମନ୍ତ୍ରୀ ହେବ, ମାନ, ସମ୍ମାନ, ଫୁଲମାଳ ଓ ମଟରକାର୍‌ର ଅଭାବ ରହିବ ନାହିଁ ।’’

 

‘‘କିନ୍ତୁ ଏଟା କିପରି ସମ୍ଭବ ?’’ ...ଲୌହକଠିନ ସ୍ୱରରେ ଦରଦ ମିଶାଇ ପ୍ରଶ୍ନ କଲେ କମଳକୁମାର ।

 

‘‘ଅପେକ୍ଷା କର, ମୁଁ ବତାଇ ଦେଉଛି ।’’

 

ନରେନ୍ଦ୍ରକୁମାର କହିଲେ, ‘‘ବୁଝିଲ ନଳିନୀ, ତୁମ ସ୍ୱାର୍ଥପ୍ରତି ଦୃଷ୍ଟି ଦେବା ମୋର କର୍ତ୍ତବ୍ୟ-। ହେଲେ ଜନତା ଦଳର ଦଳପତିରୂପେ ତା’ର ସଦସ୍ୟମାନଙ୍କ ପ୍ରତି ମୋର ଅଧିକ କର୍ତ୍ତବ୍ୟ ରହିଛି-। ଭୁଲିଯାଉଛ କାହିଁକି ?’’

 

‘‘ଆପଣ କ’ଣ ଆମର ନେତା ନୁହନ୍ତି ?’’

 

‘‘ମୁଁ ନାହିଁ କରୁ ନାହିଁ, ତେବେ ନିଅ (ଦଶଟଙ୍କାର ଗୋଟିଏ ଛୋଟ ବିଡ଼ା) ମାତ୍ର ଏଥିପାଇଁ କମଳକୁ କିଛି କାମ କରିବାକୁ ହେବ । ସେ ବୋଧେ ଆମ ପାର୍ଟିର ଦୈନିକ ଅଫିସକୁ ଆସିବାକୁ କୁଣ୍ଠିତ ହେବ, ଘରେ ବସି କିଛି ଲେଖି ପଠାଉ ।’’

 

‘‘ଦୈନିକ ଅଫିସକୁ ଆସିବାରେ କ’ଣ ଅଛି ?’’

 

‘‘ସେକଥା କମଳ ବୁଝୁଛି ? ମୁଁ ତାକୁ ଏଇ ପତ୍ରିକାର ସମ୍ପାଦକ ହେବାକୁ କହିଲି । ଅନେକ ଦିନ ତଳର କଥା ।’’

 

‘‘ଏବେ କ’ଣ ଆପଣ ଚାହାନ୍ତି, ସେ ସମ୍ପାଦନା...।’’

 

‘‘ମାତ୍ର ଜନତା ଦଳର ସଭ୍ୟ ନ ହେଲେ....ସଭ୍ୟ ହେବା ନ ହେବା କଥା ପରେ ବୁଝାଯିବ । ପ୍ରଥମେ ତାକୁ ପଚାର, ସେ ରାଜି ଅଛି ତ । ତା’ ପାଇଁ ମୁଁ ଅନ୍ୟମାନଙ୍କୁ ବୁଝାଇବି ।’’ ‘‘ସେ ନିଶ୍ଚୟ ରାଜି ହେବେ । ମୁଁ ସେକଥା ବୁଝିବି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।’’ କହି ନଳିନୀ ନମସ୍କାର ଜଣାଇ ବିଦାୟ ନେଲେ ।

 

ନଳିନୀ ଦେବୀ ନିଜଲାଗି ଗୋଟାଏ ଉଚ୍ଚ ଦାମ୍‍ର ଶାଢ଼ି, ପିଲାମାନଙ୍କ ଲାଗି ନାଇଲନ୍ ଡ୍ରେସ, ଗୋଟାଏ ଥର୍ମୋଫ୍ଳାସ୍କ ଧରି ଆସି ପହଞ୍ଚିଲେ । କମଳକୁମାରଙ୍କୁ କହିଲେ–‘‘ଏଇ ଦେଖ, (ଟଙ୍କା ଦେଖାଇ) ମୁଁ କ’ଣ କହୁଥିଲି ?’’

 

‘‘ଏ କିଏ ?’’

 

‘‘ମିସ୍ତ୍ରି...ଏଇ ଟେବୁଲ ଚେୟାରରେ ଟିକେ ରଙ୍ଗ ଦେଇଦେବ । ଡାକିଆଣିଛି । ଏହି ଚେୟାର୍ ପରି ଆଉ ଖଣ୍ତେ ଚେୟାର୍‍ବି କହିବି । ଗୋଟାଏ କଥା ତୁମକୁ କରିବାକୁ ହେବ ।’’

 

କମଳ ସ୍ତ୍ରୀଙ୍କ ମୁଖକୁ ଚାହିଁ ରହିଲେ... ।

 

‘‘ତୁମେ ଜନତାପାଇଁ କିଛି ଲେଖାଲେଖି ଦେବ । ସେହି ଲେଖା ଲାଗି ଅଗ୍ରିମ ନେଇ ଆସିଛି ।’’

 

‘‘ଠିକ୍ ଅଛି... ।’’

 

‘‘ସେତିକି ନୁହେଁ...ଶୁଣ, ତୁମେ କମ୍ୟୁନିଷ୍ଟ ଦଳ ଛାଡ଼ି ଜନତା ଦଳର ସଭ୍ୟ ହେବ । ତା’ପରେ ‘ଜନତା’ର ସମ୍ପାଦନାର ଦାୟିତ୍ୱରେ ରହିବ ।’’

 

‘‘ନୋ...ନୋ...ମୋଟେ ନୁହେଁ ନଳିନୀ, ଏହା କେବେ ସମ୍ଭବ ନୁହେଁ । ମୁଁ ଭିକମାଗି ପାରେ ମାତ୍ର ଦଳ ତ୍ୟାଗ...।’’ କମଳଙ୍କ ସମ୍ମୁଖରେ ଅଗଣତି କୃଷକ ମଜଦୁର, ଶ୍ରମିକ, ଅର୍ଦ୍ଧଭିକ୍ଷୁ ଜନତାର ଚିତ୍କାର ଶୁଣାଗଲା । ଆମର ନେତା ‘‘କମଳକୁମାର’’ ‘‘କମଳକୁମାର’’ ଜିନ୍ଦାବାଦ୍’’ । ଦରିଦ୍ର ଜନତା ଏଇ କମଳକୁ କେତେ ଆପଣାର ମନେ କରନ୍ତି ! ସେଦିନ ଦୀର୍ଘପଥ ଅତିକ୍ରମ କରି ଗଡ଼ଜାତର ସେ ଅଖ୍ୟାତପଲ୍ଲୀ ସୁରଭି ଗାଁର ଗଣ୍ତ ସର୍ଦ୍ଦାର ଅଧପା ଘିଅ, କିଛି ବରକୋଳି ଶ୍ରଦ୍ଧାରେ ଧରି ଆସିଥିଲେ, ପିଲାମାନେ ବାବୁଙ୍କର ଖାଇବେ । ବାବୁଙ୍କୁ ଦେଖିଯିବ...ପାର୍ଟି ଚାନ୍ଦାଟା ମଧ୍ୟ ଦେଇଯିବ । କମଳକୁମାର ଥରିଉଠିଲେ । ସମ୍ମୁଖରେ ତାଙ୍କର ଲାଲଝଣ୍ତା ଉଡ଼ିଆସିଲା । ଦିଶିଗଲା ହାତୁଡ଼ି ଆଉ ଦାଆ । ପାର୍ଟି ଅଫିସ....କମ୍ରେଡ଼ ଲେଲିନର ଛାୟାଚିତ୍ର...ସାଥୀ ଅଜୟ ଘୋଷ ଓ ଆହୁରି ଅନେକ । ସେ ଦଳ ଛାଡ଼ିବେ–ମୋଟେ ହୋଇପାରେ ନାହିଁ...ସେ ସାଧାରଣ ସଭାରେ ଶପଥ କରିଛନ୍ତି...ଏ ଦଳକୁ ନେତୃତ୍ୱ ଦେବେ...ସେ ଏମାନଙ୍କୁ ଧୋକା ଦେଇପାରିବେ ନାହିଁ । ନା, ସେ ପାରିବେ ନାହିଁ...ନୋ, ନୋ, ମୋଟେ ନୁହେଁ...ପାର୍ଟି ତ୍ୟାଗ କଲେ ଇତିହାସ ମୋତେ କ୍ଷମା ଦେବ ନାହିଁ । ବିଦ୍ରୂପ କରି ନଳିନୀ କହିଲେ, ‘‘ସେତିକି କମ୍ରେଡ଼୍ ହୁଅ...ବୋକାମିର ଗୋଟାଏ ସୀମା ଅଛି...ଇତିହାସକୁ ତୁମର ଏତେ ଭୟ ! ମହମ୍ମଦ ଟୋଗଲ୍‌କ, ଆଉରଙ୍ଗଜେବ ଓ ଆହୁରି ଅନେକଙ୍କୁ ଆଜି ଇତିହାସ କ୍ଷମା ଦେଉନି । ହେଲେ ସେଥିରେ ସେମାନେ କ୍ଷତିଗ୍ରସ୍ତ ନୁହନ୍ତି । ତୁମେ ଯାହା କର...ଇତିହାସ ତୁମକୁ ଯାହା କହୁ...ତୁମେ ଏ ଲାଲଝଣ୍ତା ନ ଛାଡ଼ିଲେ ତୁମକୁ ମୁଁ କ୍ଷମା ଦେଇପାରିବି ନାହିଁ । ଗତ ଦଶ ମାସ ମଧ୍ୟରେ ନରେନ୍ଦ୍ରକୁମାର ଆମକୁ ଯେତିକି ସାହାଯ୍ୟ କରିଛନ୍ତି, ଆଗାମୀ ପନ୍ଦରବର୍ଷ ମଧ୍ୟରେ ତୁମେ ସେତିକି ରୋଜଗାର କରିପାରିବ ନାହିଁ ଏହା ମୁଁ ଦୃଢ଼ତାର ସହିତ କରିପାରେ । ତୁମେ ‘ଜନତାର’ ସମ୍ପାଦନା କରିବ, ଏ ପ୍ରତିଶ୍ରୁତି ମୁଁ ତାଙ୍କୁ ଦେଇଆସିଛି...ମୋତେ ମୋର ପ୍ରତିଶ୍ରୁତି ରକ୍ଷା କରିବାକୁ ହେବ । ତୁମ ପାର୍ଟି, ତୁମ ଲାଲଝଣ୍ତା, ତୁମେ କମ୍ରେଡ଼, ସମସ୍ତେ ଚୁଲିକୁ ଯାଆନ୍ତୁ । ମୁଁ ଚାହେଁ ମୋର ଘର...ମୋର ପିଲା ସୁଖରେ ରହନ୍ତୁ...ସେଥିଲାଗି ମୋର ଦରକାର ଟଙ୍କା...ମୁଁ ଆଉ କିଛି ଶୁଣିବାକୁ ଚାହେଁନି’’ କହି, ନଳିନୀ ବୈଠକଖାନାରୁ ଚାଲିଲେ ଘରମଧ୍ୟକୁ ।

 

କମଳକୁମାର ମୁଣ୍ତରେ ହାତ ଦେଇ ବସିଥାନ୍ତି...ସମ୍ମୁଖରେ ଫଟୋ ଝୁଲୁଛି...ଦୀର୍ଘଦିନ ଷ୍ଟ୍ରାଇକ୍ କରିଥିବା ଶ୍ରମିକମାନଙ୍କୁ ଉଦ୍‌ବୋଧନ ଦେଉଛନ୍ତି...।

 

ମୁଁ ଜନତା ଦଳର ଜଣେ ପୁରାତନ ସକ୍ରିୟ କର୍ମୀ, ବହୁତ ଦିନ ଧରି ଅଫିସକୁ ଆସି ନଥିଲି । ପହଞ୍ଚିବା ସଙ୍ଗେ ସଙ୍ଗେ ସେଠାରେ ଥିବା କର୍ମୀମାନେ ମୋତେ ଘେରିଗଲେ । ‘ଜନତା’ କାଗଜରେ ଦେଖିଲି ପ୍ରଥମ ପୃଷ୍ଠାରେ ଡବଲ କଲମ ହେଡ଼ିଂ..."କମଳକୁମାର ଜନତା ପାର୍ଟିରେ ଯୋଗଦେଲେ,...କମ୍ୟୁନିଷ୍ଟମାନଙ୍କ ଦ୍ୱାରା ଏ ଦେଶର କୌଣସି ମଙ୍ଗଳ ସାଧିତ ହୋଇପାରିବ ନାହିଁ-। ଏହା ଦୀର୍ଘ ଦିନ ଧରି ଏ ଦଳରେ କାମ କଲା ପରେ ମୋର ହୃଦବୋଧ ହୋଇଛି...ତାଙ୍କର ବିବୃତି-। ସେ 'ଜନତା' କାଗଜର ସମ୍ପାଦନା ଦାୟିତ୍ୱରେ ରହିପାରନ୍ତି ।’’

 

ନିଜକୁ ବିଶ୍ୱାସ କରିପାରିଲେ ନାହିଁ । କମଳକୁମାର ଲାଗି ମୋତେ ଦୁଃଖ ଲାଗିଲା । କମଳର ପ୍ରତିଭା ଉପରେ ମୋର ଆସ୍ଥା ଥିଲା । କି ଅଗ୍ନିମୟ ସେ ଭାଷଣ...ସେଦିନ କହୁଥିଲେ...ଆମେ ଦରିଦ୍ର ଜନତା...ଖଟିଖିଆ...ଖଣ୍ତେ ପିନ୍ଧିବାକୁ, ମୁଠାଏ ଖାଇବାଲାଗି ଆମର ଏ ସଂଗ୍ରାମ । ଏହା ପଛରେ ବିରଳା, ଡାଲ୍‌ମିଆଁ ବା ପୁଞ୍ଜିପତି ସାଜିବାର ସ୍ୱପ୍ନ ଆମର ନାହିଁ । ମାତ୍ର ଆଜି କ’ଣ ? ଟଙ୍କା କେଇଟା ଲାଗି କମଳ ଆପଣାକୁ ନିଲାମ କରିଦେଲା ! ମନେ ମନେ ଭାବିଲି ନିଜ ରୀତିରେ ଆସ୍ଥା ନ ଥିଲେ ପରିଣତି ଏଇଆ ହୁଏ । କମଳ ଅଧିକ ଟଙ୍କା ପାଇଲେ ‘ଜନତା’ ଦଳକୁ ଯେ ଧୋକା ନ ଦେବ, କିଏ କହିବ ? ଏଇମାନେହିଁ ଗଣତନ୍ତ୍ରର ପ୍ରକୃତ ଶତ୍ରୁ । ପାର୍ଶ୍ୱ କୋଠରିରୁ ନରେନ୍ଦ୍ରକୁମାର କାହାକୁ କହିବାର ଶୁଣା ଯାଉଥାଏ...କମଳ ଶପଥ କରିଥିଲା...ମୋ ରକ୍ତରେ ଚିତା ଘେନିବାକୁ...ମାସ କେଇଟା ଯାଇନି–ଏଇ ଦେଖ;–ମୁଁ ଜାଣେ ଏଇ ମେରୁଦଣ୍ତହୀନ ପଶୁଗୁଡ଼ିକୁ ଆଣି ଜନତା ଦଳର ଶକ୍ତି ବୃଦ୍ଧି ପାଇବ ନାହିଁ । ମାତ୍ର ନିଜର ଶକ୍ତି ବୃଦ୍ଧି ନିମନ୍ତେ ଏହିପରି ଗୁଡ଼ିଏ ଜୀବଙ୍କୁ ମୋତେ କବର ଦେବାକୁ ହେବ । ମୁଁ ଜାଣେ, ଏହା ଅତି ଜଘନ୍ୟ କାର୍ଯ୍ୟ । ମାତ୍ର ମୁଁ ଏଥିଲାଗି ସାମାନ୍ୟ ମାତ୍ର ଦୁଃଖିତ ନୁହେଁ । କାରଣ ମୁଁ ରାଜନୀତି କରୁଛି–ଏହା ମୋର ଧର୍ମ । ମୁଁ ଏହା ନ କଲେ ଅନ୍ୟ କେହି କରିବ ।

 

ନରେନ୍ଦ୍ରକୁମାରଙ୍କ ଯୁକ୍ତି ମୁଁ କେବଳ ମନଧ୍ୟାନ ସହକାରେ ଶୁଣୁଥାଏ...ତଳେ ଯୁବକ କର୍ମୀମାନେ ଗୀତ ଗାଇ ମାର୍ଚ୍ଚିଂ କରି ଯାଉଥାନ୍ତି...କଦମ୍ କଦମ୍ ବଢ଼ାଏ ଯା...।

Image

 

ଚର୍ଚ୍ଚ ବେଲ

 

ଚର୍ଚ୍ଚ ବେଲ୍ ବାଜି ଉଠେ ।

 

ଡାଭିଡ଼୍ ଗାଡ଼ି ବନ୍ଦ କରି ରୁମାଲରେ ମୁହଁ ପୋଛି ପୋଛି ଚର୍ଚ୍ଚ ଭିତରେ ପ୍ରବେଶ କରେ । ଯାଏଁ, ପ୍ରଥମ ଧାଡ଼ି ବେଞ୍ଚରେ ବସେ । ମଝିରେ ମଝିରେ ପଛକୁ ଚାହେଁ । ଦେଖେ, ପଛରେ ବସିଛି ମେରୀ । ତାକୁ ଚିହ୍ନିଲା ଆଖିରେ ଚାହିଁ ପୁଣି ଆଖି ଫେରାଇ ନିଏ । ଡାଭିଡ଼୍‍ର ସେହି ମୁହଁ ତା’ର ବହୁଦିନର ଚିହ୍ନିଲା ପରି ମନେହୁଏ । ସତେ ଯେମିତି ଡାଭିଡ଼୍ ଦୁଃଖରେ, ମୋରୀର ଆଖିରୁ ଲୁହ ଛୁଟେ । ସୁଖରେ ଓଠରେ ହସ ଫୁଟେ । ବେଳେବେଳେ ଏକସମୟରେ ଚାରି ଚକ୍ଷୁର ମିଳନ ହୁଏ । ମେରୀର ଭ୍ରୂଲତା ଦୁଇଟି ନଇଁ ଆସେ । ଓଠ ଦୁଇଟି ସତେଜ ଜଣାପଡ଼େ । ଡାଭିଡ଼୍ ସାମାନ୍ୟ ଅପ୍ରସ୍ତୁତ ବୋଧ କରେ । ପୁଣି ଆଗକୁ ଚାହେଁ । ସିଧା ହୋଇ ବସେ । ଟାଇ ଠିକ୍ ଅଛି କି ନାହିଁ, ହାତ ମାରି ଦେଖେ ।

 

ପ୍ରିଷ୍ଟ ପଢ଼ି ଚାଲନ୍ତି ନିଉ-ଟେଷ୍ଟାମେଣ୍ଟ । ଡାଭିଡ଼୍ ତାଙ୍କରି ମୁହଁକୁ ଚାହିଁ ରହିଥାଏ । ସତେ ଯେମିତି ସେଥିରେ ମଜ୍ଜି ଯାଇଛି । ଏହିପରି କିଛି ସମୟ ଯାଏଁ । ସେ ପୁଣି ଫେରି ଚାହେଁ । ଦେଖେ, ମେରୀ ତାକୁ ଲକ୍ଷ୍ୟ କରିଛି । ମେରୀ ସାମାନ୍ୟ ଅପମାନିତ ବୋଧ କରେ । ଓଭର୍‌କୋଟରେ ହାତ ରଖେ; ନିଜେ ନିଜକୁ ଚାହେଁ । କେବେକେବେ ପଦାକୁ ଯାଏଁ । କ’ଣ ଭାବୁଥାଏ କେଜାଣି ? ହୃଦୟରେ ସ୍ପନ୍ଦନ ସୃଷ୍ଟି ହେଉଥାଏ । ମୁହଁର ରଙ୍ଗରୁ ବେଶ୍ ବୁଝାଯାଏ । ଡାଭିଡ଼୍ ମୁହଁ ପୋଛି ଭାବୁଥାଏ । ମେରୀର କେଶରାଜି ଅତି ଚମତ୍କାର, ଯେପରି କଇରା ସେପରି ପତଳା । ମେରୀ ଦେଖେ–ଡାଭିଡ଼୍‍ର କୋଟ୍ କଟିଙ୍ଗ୍‍ଟା ଅତି ଚମତ୍କାର । ଶେଷରେ ଡାଭିଡ଼୍ ଚର୍ଚ୍ଚରୁ ଚାଲିଆସେ ଯିବାପାଇଁ । ଗାଡ଼ି ଷ୍ଟାର୍ଟ ଦିଏ । ଦେଖେ, ଜଣେ କିଏ ତାକୁ ଚାହିଁ ନ ଜାଣିଲା ପରି ହସେ ।

 

ସେଦିନ ମେରୀ ସୁପ୍ରଭାତ ଜଣାଇ କରମର୍ଦ୍ଦନ କରିବାପାଇଁ ବଢ଼ାଇ ଦେଇଛି ହାତ । ଡାଭିଡ଼୍ ଉଲ୍ଲସିତ ହୋଇଉଠିଛି । ‘କ୍ଷମା କରିବେ, ଆପଣଙ୍କ ଠିକଣା ଜାଣି ପାରେ କି ? ଆପଣଙ୍କ ସଙ୍ଗେ କେତେକ କଥାବାର୍ତ୍ତା ଥିଲା । ଆପଣଙ୍କ ସଙ୍ଗେ କେତେବେଳେ ସାକ୍ଷାତ କରିପାରିବି ?’ ଡାଭିଡ଼୍‍ ମେରୀ ହାତକୁ ତା’ର ଠିକଣା ବଢ଼ାଇ ଦେଇ ଗାଡ଼ି ଷ୍ଟାର୍ଟ ଦେଇଛି । ଏକ ସମୟରେ ଦୁଇଟି ମୁହଁରୁ ବାହାରିପଡ଼ିଛି ‘ବିଦାୟ ବନ୍ଧୁ, ବିଦାୟ ।’

 

ଆସିବାପାଇଁ ପ୍ରତିଶ୍ରୁତି ଦେଇ ମେରୀ ଆସିଲା ନାହିଁ । ଡାଭିଡ଼୍ ପ୍ରତୀକ୍ଷା କରି କରି ବ୍ୟସ୍ତ ହୋଇପଡ଼ିଛି । ‘ଯାଇ ମେରୀକୁ ଭେଟିବ କି ?’–ଭାବୁଛି, ହଠାତ୍ ମେରୀର ଚିଠିଟି ପାଇଲା !

 

‘‘ପ୍ରିୟ ଡାଭିଡ଼୍,

 

–କ୍ଷମା କରିବେ । କହିଥିଲି ଯିବାଲାଗି; କିନ୍ତୁ ଯାଇପାରିଲି ନାହିଁ । ସେଥିପାଇଁ ଦୁଃଖିତ ଓ ଲଜ୍ଜିତ । ଟମିର ସ୍ୱାସ୍ଥ୍ୟ ଆଜି ପ୍ରକାରେ ଅଛି । ମୁଁ କାଲି ଯାଇ ନିଶ୍ଚୟ ପହଞ୍ଚିବି । ସ୍ୱାସ୍ଥ୍ୟ ସହ ଭଲ ଥିବ । ମୋର ସସ୍ନେହ ଧନ୍ୟବାଦ ଜଣାଇ ରହୁଛି । ଇତି ।

 

ସ୍ନେହାଧୀନା

ମେରୀ ।’’

 

ଶେଷ ଅଫିସ ବେଳ । ନିଜେ ଡ୍ରାଇଭିଂ କରି ପହଞ୍ଚିଛି ମେରୀ । ଡାଭିଡ଼୍ ଯାଇ ଅଭିବାଦନ ଜଣାଇଛି । କେଇଟି ମିନିଟ୍ ମଧ୍ୟରେ ଗାଡ଼ି ଯାଇ ପହଞ୍ଚିଛି ନିୟୁପାର୍କରେ । ସବୁଜଘାସର ଗାଲିଚା । ବହୁବିଧ ରଙ୍ଗ ବେରଙ୍ଗର ଫୁଲ । ମୁଣ୍ତ ଉପରେ ଛିଣ୍ତା ଆକାଶ । ସେହି ପାର୍କ ମଧ୍ୟରେ ସେମାନେ ସନ୍ଧ୍ୟାଟି କଟାଇ ଫେରିଛନ୍ତି । ଆସନ୍ତା ରବିବାରରେ ସେମାନଙ୍କ ବିବାହ ହେବ ବୋଲି ସେମାନେ ସ୍ଥିରସିଦ୍ଧାନ୍ତ କରି ନେଇଛନ୍ତି ।

 

ସାଇରନ ବାଜିବା ପୂର୍ବରୁ ଡାଭିଡ଼୍‍ର ନିଦ ଭାଙ୍ଗିଯାଇଛି । ବିଜୁଳିବତି ଜଳାଇ ଦେଇ ସେ ଲେଖି ବସିଛି ଚିଠି ।

 

‘‘ଅନ୍ତରତମ ମେରୀ,

 

ସୁପ୍ରଭାତ ଜଣାଉଛି । ଆମର ଏଠି ସକାଳ ହେବାପାଇଁ ଆହୁରି ଅନେକ ଡେରି ଅଛି । ନିଦ ନ ହେବାରୁ ଉଠି ତମକୁ ଲେଖୁଛି ଚିଠି । ମୋର ବିଶ୍ୱାସ ରାତିରେ ତମେ ଭଲରେ ଶୋଇଥିବ-। ଶେଯରୁ ଉଠି ଦେଖୁଛି, ତମ ହାତର ମୁଦିଟି ମୋ ଅଙ୍ଗୁଳିରେ ରହିଯାଇଛି । ମୁଦି ଉପରେ ତମ ନାଁଟା ବେଶ୍ ସୁନ୍ଦରଭାବେ ଲେଖା ହୋଇଛି । ମୁଦିଟି ହଜିଯାଇଛି ଭାବି ବ୍ୟସ୍ତ ହେଉଥିବ । ତେଣୁ ସଙ୍ଗେ ସଙ୍ଗେ ଲେଖିଲି । କାଲି ସନ୍ଧ୍ୟାରେ ପ୍ରସ୍ତୁତ ଥିବ, ବୁଲିଯିବା । ଏତିକିରେ ବିଦାୟ ନେଇଛି । ଆଉ ସବୁ ସାକ୍ଷାତରେ । ମୋର ସ୍ନେହ ନେବ । ଇତି ।

 

ତମର ଏକାନ୍ତବିଶ୍ୱସ୍ତ

ଡାଭିଡ଼୍’’

 

ଡାଭିଡ଼୍‍ ଉପଭୋଗକରି ଚାଲିଛି । ରାଜପଥର ଉଭୟ ପାର୍ଶ୍ୱରେ ସାନ ବଡ଼ ବୃକ୍ଷରାଜିର ଶ୍ୟାମଳିମା, ଆକାଶର ନୀଳିମା, ଅସଂଖ୍ୟ ଅଟ୍ଟାଳି, କାରଖାନା–ସମସ୍ତେ ସତେ ଯେପରି ତାକୁ ଶୁଭେଚ୍ଛା ଜଣାଉଛନ୍ତି, ଆଶୀର୍ବାଦ କରୁଛନ୍ତି । ସେ ଯେ ଅଶ୍ୱପିଠିରେ, ସେକଥା ସେ ପୂରାପୂରି ଭୁଲି ଯାଇଛନ୍ତି । ଅଶ୍ୱ ଚମକି ହଠାତ୍ ମାରିଛି କୁଦା ।

 

–୨–

 

ଡାଭିଡ଼୍ କର ଲେଉଟାଇବାକୁ ଚାହିଁଛି; କିନ୍ତୁ ଲୁସିନ୍ଦା ତାକୁ କର ଲେଉଟାଇବାକୁ ମନାକରିଛି । ଚୁପ୍‌ଚାପ୍ ଶୋଇ ରହିବାକୁ ଓ ବ୍ୟସ୍ତ ନ ହେବାପାଇଁ ବାରମ୍ୱାର ଅନୁରୋଧ କରିଛି–ଡାଭିଡ଼୍ ଧୀରେ ଧୀରେ ବ୍ୟଥାବୋଳା କଣ୍ଠରେ ପ୍ରଶ୍ନ କରିଛି, ‘‘କିଏ ମେରୀ ? ତମେ ଯେ ଏଠି, ସ୍ୱାସ୍ଥ ଭଲ ନଥିଲା । ଆସିଲ କାହିଁକି ? ମୁଁ ମୋଟେ ଦେଖିପାରୁ ନାହିଁ । ଡାକ୍ତର କହୁଛନ୍ତି ଶୀଘ୍ର ମୁଁ ମୋର ଦୃଷ୍ଟିଶକ୍ତି ଫେରିପାଇବି, ପୂର୍ବପରି ଦେଖି ପାରିବି । କୌଣସି ଅସୁବିଧା ହେବ ନାହିଁ । ଘୋଡ଼ାଟା କେଉଁଆଡ଼େ ଗଲା ? କିଛି ସନ୍ଧାନ ପାଇଲ କି ?’ ଲୁସିନ୍ଦା ଏସବୁ ଶୁଣି ଅବାକ ହେଲା । ରୋଗୀ ଏପରି ମେରୀ ବୋଲି କାହାକୁ ସମ୍ୱୋଧନ କରୁଛି ?

ହଲଚଲ୍ ହୁଅ ନାହିଁ । ବ୍ୟାଣ୍ତେଜ୍ ଫିଟିଯିବ । ଶୋଇପଡ଼–ଅନୁରୋଧ କରିଛି ନର୍ସ ।

ନର୍ସର ଅନୁରୋଧରେ ଡାଭିଡ଼୍ ଶୋଇ ରହିଛି । ମେରୀ, ମେରୀ, ଡାକ ଶୁଣି ଲୁସିନ୍ଦା ଆସି ତା’ ପାଖରେ ପହଞ୍ଚିଛି । ମୁଣ୍ତରେ ହାତ ବୁଲାଇଛି । ନର୍ସ ବେକରେ ହାତ ବାନ୍ଧି ଡାଭିଡ଼୍ ଦରଦ ଗଳାରେ କହିଛି, ‘‘ମେରୀ, ଆଜି ରବିବାର । ଯିଶୁ ପ୍ରତିବନ୍ଧକ ହେଲେ । ସ୍ୱପ୍ନ ତେବେ ସ୍ୱପ୍ନରେ ରହିଯିବ । ସତେ ମୁଁ ମୋର ଏ ଚକ୍ଷୁରେ ଦୃଷ୍ଟିଶକ୍ତି ଫେରିପାଇବି ? ତମକୁ ଟିକିଏ ଆଖିପୂରାଇ ଦେଖି ପାରିବି ? ସତେ କ’ଣ ସେଇ ବିଶ୍ୱପିତାଙ୍କୁ ପ୍ରାର୍ଥନା କରିବାପାଇଁ ସାଙ୍ଗ ହୋଇ ଆମେ ଚର୍ଚ୍ଚକୁ ଯାଇପାରିବା ।’’

‘‘ସବୁ ହେବ । ସେ ଦୟାମୟ ପ୍ରଭୁ ତମକୁ ଶୀଘ୍ର ଆରୋଗ୍ୟ କରିଦେବେ । ତମେ ଶୋଇପଡ଼ ।’’ ‘‘ନା ମେରୀ–’’କହି ଡାଭିଡ଼୍ ଲୁସିନ୍ଦାକୁ ଆହୁରି ପାଖକୁ ନେଇଚି । ହଠାତ୍ କକ୍ଷ ମଧ୍ୟରେ ସେ ଏକ ଲୁଚି ଯାଉଥିବା ଯୁବତୀର ଛାୟା ଦେଖି କିଏ ବୋଲି ଦେଖିବାପାଇଁ ଡାଭିଡ଼୍‍ର ବାହୁବନ୍ଧନରୁ ଆପଣାକୁ ମୁକ୍ତକରି ଆସିଛି କକ୍ଷର ବହିର୍ଦେଶକୁ ।

ଡାଭିଡ଼୍ ଶେଯରେ ପଡ଼ି କେବଳ ଭାବୁଥାଏ–ଏତେ ବିନିଦ୍ର ରଜନୀ ଅତିବାହିତ କରି ତା’ର ଯେ ସେବାଯତ୍ନ କରୁଛନ୍ତି, ତା’ର ପୁରସ୍କାର, ପ୍ରତିଦାନ ଦେବାପାଇଁ ଯିଶୁ ସତେ କ’ଣ ସହାୟ ହେବେ ?

ଦୀର୍ଘ ଦିନ ବିତି ଯାଇଛି । ସବୁଦିନ ପରି ସେଦିନ ଲୁସିନ୍ଦା ଡାଭିଡ଼୍‍ର ଚିଠିଟି ପଢ଼ି ଶୁଣାଇ ଦେଇଛି । ସେ ଚିଠିରେ ଲେଖାଥିଲା–

‘‘ଡାଭିଡ଼୍,

କ୍ଷମା କରିବ । ତମେ ଏକା ମୋତେ ନା ତମର ଜାତିଟା ସମସ୍ତଙ୍କୁ ଏହିପରି ଠକନ୍ତି । ସେ ଯାହାହେଉ, ତମେ ଯେ ମୋତେ ବିବାହ କରି ମୋରି ବୟସର ଗୋଟିଏ ଯୁବତୀର ଜୀବନ ଜାଳିପୋଡ଼ି ଧ୍ୱଂସ କରି ଦେଇଥାନ୍ତ ! ବହୁ ପୂର୍ବରୁ ଜାଣି ନିଜକୁ ଭାଗ୍ୟବତୀ ମନେ କରୁଛି । ଦୁଇ ଦିନ ହେଲା ମୋର ଉଇଲିୟମଙ୍କ ସଙ୍ଗେ ବିବାହ ହୋଇଯାଇଛି । ସେ ଜଣେ ବିମାନଚାଳକ । ସେ ଯାହାହେଉ, ଜଣେ ପରିଚିତ ଲୋକ ହିସାବରେ ତମର ସ୍ୱାସ୍ଥ୍ୟର ଆଶୁ ଆରୋଗ୍ୟପାଇଁ ପ୍ରାର୍ଥନା କରୁଛି । ତମେ, ତମ ବିବାହ ଜୀବନରେ ସୁଖୀ ହୁଅ । ମୋ ପାଖେ ଥିବା ତମର ଛାୟାଚିତ୍ରଟି ଶୀଘ୍ର ପଠାଇଦେବି । ଇତି ।

ମେରୀ’’

 

ଡାଭିଡ଼୍ ପ୍ରଥମେ କିଛି ବୁଝିପାରିଲା ନାହିଁ । ମେରୀ ଏପରି ପରିହାସ କରିବାର ଅର୍ଥ କ’ଣ ? ଚିଠି କିଏ ଦେଇଛି ?

 

‘ମେରୀ’–ନମ୍ରଭାବେ ସର୍ବଦା ଉତ୍ତର କରିଛି ନର୍ସ ଲୁସିନ୍ଦା ।

 

‘‘ତାହାହେଲେ ତମର ନାମ ?’’

 

‘‘ଲୁସିନ୍ଦା ।’’

 

‘‘ତାହାହେଲେ ତମେ ମେରୀ ନୁହ ?’’

 

‘‘ନା ।’’

 

‘‘କିନ୍ତୁ ମୁଁ ମେରୀ ଡାକିଲେ ତମେ ଯେ ଉତ୍ତର ଦିଅ । କାରଣ କ’ଣ ?’’ ରାଗ ରାଗ ଗଳାରେ ପ୍ରଶ୍ନ କରିଛି ଡାଭିଡ଼୍ ।

 

‘‘କ୍ଷତିଟା କ’ଣ ?’’

 

ଟିକେ ଉଠି ଡାଭିଡ଼୍ ପଚାରିଛି, ‘‘ମେରୀ ଡାକିଲେ ତମେ ଯେ ବିନାଆପତ୍ତିରେ ଉତ୍ତର ଦିଅ, ସେଥିରେ ତମର କି ସ୍ୱାର୍ଥ ନିହିତ ଅଛି ?’’

 

‘‘ତମକୁ ବେଶ୍ ଜଣା ।’’

 

ଡାଭିଡ଼୍ କ’ଣ କହିବାକୁ ଚାହେଁ ରାଗରେ ଆଉ କିଛି କହିପାରିଲା ନାହିଁ । ତାକୁ ଶୋଇବାକୁ କହି ଔଷଧପାଇଁ ଲୁସିନ୍ଦା ଯାଇଛି ପାର୍ଶ୍ୱ କୋଠରିକୁ । ଔଷଧ ଆଣୁଥିବାବେଳେ ଲୁସିନ୍ଦା ଭାବୁଥାଏ–ଶେଯରେ ପଡ଼ି ପଡ଼ି ଡାଭିଡ଼୍ ଏପରି ରାଗି ହୋଇଗଲାଣି । ହେଉ ତାଙ୍କର ସ୍ୱାସ୍ଥ୍ୟ ଭଲ ହୋଇଯାଉ । ଯୀଶୁ ସହାୟ ହୁଅନ୍ତୁ । ତା’ପରେ.....

 

ଡାଭିଡ଼୍ ବେଶ୍ ବୁଝିପାରିଛି । ମେରୀର ବିବାହ ହୋଇ ସାରିଛି । ତା’ର ବଞ୍ଚିବାରେ ଆଉ କୌଣସି ଆବଶ୍ୟକତା ନାହିଁ । ହଠାତ୍ ଅଙ୍ଗୁଳିର ମୁଦ୍ରିକାଟିକୁ ଆଣି ସେ ଦାନ୍ତରେ କାମୁଡ଼ିଛି ଓ ଶେଯରୁ ପଡ଼ିଯାଇଛି । ପିଠିର ଷ୍ଟିଚ୍ ଖୋଲି ସେଠୁ ହୋଇଛି ରକ୍ତସ୍ରାବ । ସେ ଶେଯରୁ ପଡ଼ିଗଲାବେଳେ କେବଳ ଶୁଭିଛି–ମେରୀ, ମେରୀ ।

 

ଲୁସିନ୍ଦା ଦୌଡ଼ିଆସି ଦେଖେ ତ ଡାଭିଡ଼୍ ମହାନିଦ୍ରାରେ । ପଲ୍‌ସ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଲୁସିନ୍ଦା ଚାରିଆଡ଼କୁ ଚାହିଁଲା । ନାଁ, କେଉଁଠି କିଛି ନାହିଁ । ପଡ଼ିଛି କେବଳ ଡାଭିଡ଼୍‍ର ମୁଦି । ନର୍ସ ଦେଖିଲା ମୁଦି ଉପରେ ଡାଭିଡ଼୍‍ର ଦାନ୍ତ ବସିଯାଇଛି । ତା’ର ନାମ ଲେଖାଥିଲା ପଢ଼ି ନ ପାରିଥିଲେ ମଧ୍ୟ ବେଶ୍ ଅନୁମାନ କରିପାରିଛି । ସେ ଚୁପ୍‌ଚାପ୍ ଠିଆହୋଇ ରହିଛି । ଝରି ପଡ଼ିଛି ଆଖିର ଦୁଇକୋଣରୁ ଦୁଇଟୋପା ଲୁହ ।

 

ଦୂରରେ ଚର୍ଚ୍ଚ ବେଲ୍ ବାଜି ଉଠୁଥିଲା ।

Image

 

ପୃଷ୍ଠଭୂମି

 

ସୂର୍ଯ୍ୟ ଅସ୍ତପ୍ରାୟ । ଚତୁର୍ଦ୍ଦିଗରେ ଏକ ଶାନ୍ତ ପରିବେଶ । ବିକ୍ରମ ନିଜ ଚଷମାର ମୋଟାମୋଟା କାଚ ଦୁଇଟିକୁ ସଫାକରି ପୁନଃ ପରିଧାନ କଲେ । ସମ୍ମୁଖରେ ଝୁଲୁଥିବା ଛାୟାଛବିଟିକୁ ଚାହିଁଲେ । ବହୁ କ୍ଷତବିକ୍ଷତ ସ୍ୱପ୍ନ ଆଉ ବ୍ୟର୍ଥତାର ଧକ୍‌କାରେ ସ୍ଥବିର ହୋଇପଡ଼ିଥିବା ମାନସପଟରେ ବହୁସ୍ମୃତି ସତେଜ ହୋଇଉଠିଲା । ଅବିକଳ ପାଉଁଶ ତଳର ସ୍ଫୁଲିଙ୍ଗ ପରି । କେତେ ପରିକଳ୍ପନା ନେଇ ସେ ଦେବଗଡ଼ ସ୍କୁଲକୁ ଆସିଥିଲେ । ଏଠାରେ କିଛିଦିନ ରହି ଅନ୍ୟତ୍ର ବଦଳିହୋଇ ଚାଲିଯିବେ, ମାତ୍ର ହେଲା ନାହିଁ । ଚାହୁଁ ଚାହୁଁ ପନ୍ଦରଟି ବର୍ଷ କେଉଁଆଡ଼େ ଲୁଚିଗଲା । ସେ ଆସି ଅବସର ନେବେ । ତାଙ୍କରି ଛାତ୍ର ‘ବନ’ ପରିଦର୍ଶକଭାବେ ବଦଳି ହୋଇ ଆସୁଛି । ଗର୍ବ କରିବାର ଯଥେଷ୍ଟ କାରଣ ରହିଛି । ମାତ୍ର ସେ କାହିଁକି କେଜାଣି ଖୁସି ହୋଇପାରିଲେ ନାହିଁ । ସେ ଭୀଷଣ ଦୁର୍ବଳ ବୋଧକଲେ । ଆଗକୁ ଆଗେଇବାର ସମସ୍ତ ଶକ୍ତି ସତେ ଯେପରି କେହି ଲୁଟି ନେଇଛି ।

 

ସେ ଚୁପ୍‌ଚାପ୍ ଆକାଶର ନୀଳିମାକୁ ଚାହିଁ ସମୀକ୍ଷା କଲେ । ସେ କ’ଣ କରିଛନ୍ତି । ଚାକିରି ଜୀବନରେ ମେଘବୋଳା ଆକାଶରେ ଇନ୍ଦ୍ରଧନୁ ଯେପରି ସପ୍ତରଙ୍ଗ ନେଇ ଉଦ୍‌ଭାସିତ ହୋଇଉଠେ ଓ ମନରେ ସାମାନ୍ୟ ପ୍ରତିକ୍ରିୟା ସୃଷ୍ଟି କରେ–ସେ ଶାନ୍ତ, କୋମଳ ପ୍ରତିକ୍ରିୟା ଠିକ୍ ସେହିପରି ରାଜଧାନୀରେ ଅର୍ଦ୍ଧନିର୍ମିତ ପକ୍କା ଘର ଖଣ୍ତିକ ତାଙ୍କ ମନରେ ଏକ ତୃପ୍ତିର ପରଶ ଆଣିଦେଲା ।

 

ରାଜଧାନୀରେ ପକ୍କା ଘର, ନିଜର କଣ୍ଟ୍ରାକ୍‌ଟର ବନ୍ଧୁ ସାରଦାପ୍ରସନ୍ନ ନିଜ ଉଦ୍ୟମରେ ନିର୍ମାଣ କରି ଦେଇଥିଲେ । ସେ ଜାଗା କିଣିଥିଲେ । ସେ ଘର କରିଥିଲେ । ସେ କେବଳ ଯାହା ଟଙ୍କାଟା ଦେଇଥିଲେ । ଆଉ କିଛି ଜାଣନ୍ତି ନାହିଁ । ରାଜଧାନୀରେ ଜମି କିଣିବା ଲାଗି ବିକ୍ରମଙ୍କ ସ୍ତ୍ରୀ ଛବି ତାଙ୍କୁ ନ ଜଣାଇ ଟଙ୍କା ଦେଇଛନ୍ତି ବୋଲି ଯେବେ ଜାଣିଥିଲେ, ଅନେକ କ୍ଷୁବ୍‌ଧ ହୋଇଥିଲେ । ମାତ୍ର ଆଜି ସ୍ତ୍ରୀଙ୍କର ଦୂରଦୃଷ୍ଟିର ତାରିଫ କରୁଛନ୍ତି । ଏ ପକ୍କା ଭଡ଼ା ଲାଗି ମାସକୁ ଅନ୍ତତଃ ଦେଢ଼ ଶହ ଟଙ୍କା ମିଳିବ । ନିଶ୍ଚିତ ଆୟ, ଆସେ କୁଆଡ଼ୁ ?

 

ନୂଆ ରାଜଧାନୀ ନିର୍ମାଣ ପଥେ । ଶହୀଦ ନଗରରେ ଜମି ଦେଖି ବିକ୍ରମ ଭାବିଥିଲେ ଏ ଅଞ୍ଚଳ ସମୃଦ୍ଧ ହେବାଲାଗି ସମୟ ଲାଗିବ । ମାତ୍ର ଆଜି ଭାବୁଛନ୍ତି ଏତେ ଶସ୍ତାରେ ଜମି ମିଳୁଥିଲା, ଆଉ ଅଧିକ ଜମି କିଣିଲେ ନାହିଁ କାହିଁକି । ପ୍ରଥମ ମହଲା କାମ ସରିଛି । ଉପର ମହଲା କାମ ଆରମ୍ଭ ହେବ । ଅବସର ନେବା ପରେ ନିଜେ ତତ୍ତ୍ୱ ନେଇ କରିବେ ବୋଲି ପରିକଳ୍ପନା ରହିଛି ।

 

ଆଉ ଥରେ ଚଷମାର କାଚ ପରିଷ୍କାର କରି ସେ ହାତରେ ଧରିଥିବା ମାଗାଜିନ୍‌କୁ ମୁହଁ ନିକଟକୁ ନେଇ ଅଧ୍ୟୟନ କରିବା ଲାଗି ମନୋନିବେଶ କଲେ । ଏହି ଘରକଥା ଭାବୁ ଭାବୁ ହଠାତ୍ ‘ବିଜନ’ଙ୍କ କଥା ମନେପଡ଼ିଗଲା ।

 

ସେ ଦିନ ବିକ୍ରମ ବିଶ୍ୱବିଦ୍ୟାଳୟରୁ ଫେରୁଥାନ୍ତି । କଟକ ଯିବା ନିମନ୍ତେ ବସ୍‌ଷ୍ଟାଣ୍ତ୍‍ରେ, କଟକ ବସ୍‌କୁ ଅପେକ୍ଷା କରିଥାନ୍ତି । ହଠାତ୍ ଜଣେ ଖଦଡ଼ ଧୋତି ପରିଧାନ କରିଥିବା ଯୁବକ ଦୀର୍ଘଦିନର ପରିଚୟ ଥିଲାପରି ଆଳାପ କରିବାକୁ ଆରମ୍ଭ କରିଦେଲେ । କଥାର ସାରମର୍ମ ହେଲା, ‘‘ବିକ୍ରମଙ୍କର ଶହୀଦ ନଗରରେ ଥିବା ଘରକୁ ସେମାନେ ଦେଢ଼ଶହ ଟଙ୍କାରେ ଭଡ଼ା ନେବାକୁ ଚାହାନ୍ତି । ଏ ସମ୍ପର୍କରେ ସେ ପତ୍ର ଲେଖିଥିଲେ । ବିକ୍ରମଙ୍କ ଅନୁପସ୍ଥିତିରେ ଚିଠି ଯାଇ ଘରେ ପହଞ୍ଚିଥିବ । ସେମାନେ ଏ ଘରେ ‘ଜାଗ୍ରତ ଯୁବ ସମିତି’ ଅଫିସ ଖୋଲିବାକୁ ଚାହାନ୍ତି ।’’

 

ପରେ ଏ ଅନୁଷ୍ଠାନ ଆର୍ଥିକ ସ୍ୱଚ୍ଛଳତା ଲାଭ କଲେ ଅଧିକ ଭଡ଼ା ଦେବାକୁ କହିଲେ ଦେବେ; ମାତ୍ର ବର୍ତ୍ତମାନ ନିମନ୍ତେ ଦେଢ଼ଶହରୁ ଅଧିକ ଦେଇପାରିବେ ନାହିଁ ।

 

ବିକ୍ରମ କିଛି କହିବା ପୂର୍ବରୁ ଯୁବକ ଜଣକ କହିଲେ, ‘‘ମୁଁ ଆପଣଙ୍କୁ ଅନେକ ଦିନୁ ଜାଣେ-। ଆପଣଙ୍କ ଛାତ୍ର ସମୟରେ ଉତ୍କଳ ସାହିତ୍ୟ ସମାଜରେ ବିଭିନ୍ନ ସାଂସ୍କୃତିକ ସଭାରେ ଆପଣ ଯେପରି ସକ୍ରିୟ କାର୍ଯ୍ୟାନୁଷ୍ଠାନ କରନ୍ତି, ତାହା ଭୁଲିହେବ ନାହିଁ । ଆପଣଙ୍କ ମଧୁରକଣ୍ଠରେ ଜାତୀୟସଙ୍ଗୀତ ଶୁଣିଛି । ଗୁରୁଗମ୍ଭୀର ଭାଷଣ । ସେସବୁ ମନେ ପଡ଼ିଲେ ଆଜି ମଧ୍ୟ ମୋର ରୁମ ଟାଙ୍କୁରି ଉଠେ । ଓଡ଼ିଶାର ଯେଉଁ କେତେ ଜଣ ଶିକ୍ଷକ ସୋସିଆଲ୍ ଏଡ଼ୁକେଶନରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି, ଆପଣ ସେମାନଙ୍କ ମଧ୍ୟରେ ଅନ୍ୟତମ । ଆପଣଙ୍କ ସଙ୍ଗେ ଆଉ କ’ଣ ଅଧିକ ଆଲୋଚନା କରିବି ?’’

 

କଟକ ବସ୍ ଛାଡ଼ିବ ।

 

ବିକ୍ରମ ପ୍ରତିନମସ୍କାର ଜଣାଉ ଜଣାଉ ପଚାରିଲେ, ‘‘ଆପଣଙ୍କ ପରିଚୟ ? ମୁଁ ପରେ ଘର ଭଡ଼ା ଦେବାକଥା ବୁଝି ଲେଖିବି ।’’

 

‘‘ଆଜ୍ଞା, ଆଉ ବୁଝିବେ କ’ଣ ? ଆମେ କାଲିଠୁ ଯାଇ ସେ ଘରେ ଅଫିସ୍ କରିବୁ । ଆପଣଙ୍କ ପରି ଦେଶସେବୀ ଓ ଶିକ୍ଷିତ ବ୍ୟକ୍ତିଙ୍କର ଆଶୀର୍ବାଦ ନ ରହିଲେ, ଆମର ଏ ଅନୁଷ୍ଠାନ ତିଷ୍ଠି ରହିପାରିବ ନାହିଁ । ମୋର ପରିଚୟ ହେଲା ‘ବିଜୟ ଦାସ, ସଭାପତି–ଜାଗ୍ରତ ଯୁବସମିତି, ନୂଆ ରାଜଧାନୀ ।’’

 

ବସ୍ ଛାଡ଼ିଲା । ଚଳମାନ ବସ୍ ଭିତରୁ ଦେଖାଯାଉଥିବା ନିଜର ଘରଟିକୁ ସେ ଚାହିଁଲେ-। ଅନେକ ଆଶ୍ୱସ୍ତ ବୋଧ କଲେ । ମାସକୁ ଶହେ ପଚାଶଟି ଟଙ୍କା । ଅବସର ଜୀବନରେ ଆସେ କୁଆଡ଼ୁ ? ଛବି ଦେବୀଙ୍କର ଦୂରଦୃଷ୍ଟିର ବହୁତ ତାରିଫ କଲେ । ମନ୍ଦିରମାଳିନୀ ଭୁବନେଶ୍ୱର ନୂଆ ରାଜଧାନୀ ନୂତନ ଓ ପୁରାତନ ସଂସ୍କୃତିର ପୁଣ୍ୟ ମିଳନପୀଠ । ସେଇଠି ତାଙ୍କର ମଧ୍ୟ ଘର ଅଛି । ସେ ପାଞ୍ଚଜଣଙ୍କ ପରି ଏ କଥା ତ କହିପାରିବେ !

 

–୨–

 

ଏକ...ଦୁଇ....ତିନି ହୋଇ ଏ ମଧ୍ୟରେ ଆଠଟି ମାସ ବିତିଗଲାଣି । ରାଜଧାନୀ ଘରର ଭଡ଼ା ବାବଦକୁ ଗୋଟିଏ ସୁଦ୍ଧା ପଇସା ମିଳିଲା ନାହିଁ । ଭଡ଼ା ଟଙ୍କା ପଠାଇବା ପାଇଁ ଲେଖିଲେ କେବଳ ମିଳୁଛି ସୁନ୍ଦର ସରସ ଭାଷାରେ ଉତ୍ତର । ଲମ୍ୱା ଲମ୍ୱା ଚିଠି । ‘‘ଜାଗ୍ରତ ଯୁବସମାଜର’’ ମୋହର ଦିଆ ଚିଠି ।

 

ବିକ୍ରମ ନିଜ ଭୁଲ୍ ନିମନ୍ତେ ଅନୁତାପ କଲେ । ଛବି ଦେବୀ ଠିକ୍ କହୁଥିଲେ । ବନ୍ଧୁ କଣ୍ଟ୍ରାକ୍ଟର ସାରଦାବାବୁଙ୍କୁ କହିଥିଲେ, ସେ ଅନ୍ତତଃ ଏ ଘରଭଡ଼ା ନେବାଲାଗି, ଭଲଲୋକଟିଏ ବାଛି ଦେଇଥାଆନ୍ତେ ।

 

ଛବି ଦେବୀ ‘ବିଜନ’ଙ୍କ ଚିଠିଟିକୁ ସ୍ୱାମୀଙ୍କୁ ବଢ଼ାଇଦେଇ କହିଲେ, ‘‘ନିଅ ପଢ଼, ତୁମ ଉତ୍ତମ ଭଦ୍ରବ୍ୟକ୍ତି କ’ଣ ଲେଖିଛନ୍ତି । ଦେଖ । ଲୋକେ ଏତେ ଅଭଦ୍ର ଓ ନିର୍ଲଜ୍ଜ ହୋଇପାରନ୍ତି ମୋର ଧରଣା ନଥିଲା । ଟଙ୍କା ତ ଯାହାପାଇଲେ ପାଇଲେ, ଏବେ ସେ ଲୋକକୁ ଘରୁ ତଡ଼ିବା ବ୍ୟବସ୍ଥା କର ।’’

 

ବିକ୍ରମ ଗମ୍ଭୀରହୋଇ ଚିଠିଟି ଉପରେ ଆଖି ବୁଲାଇ ଆଣିଲେ । ରାଗରେ ସେ ଲାଲ ହୋଇଉଠିଲେ । ହଠାତ୍ ତାଙ୍କ ପାଟିରୁ ବାହାରିପଡ଼ିଲା, ‘‘ଅସଭ୍ୟ, ଅଭଦ୍ର...ଟାଉଟର୍...ଜାଗ୍ରତ ଯୁବସମାଜର ସଭାପତି । ଗାନ୍ଧୀପ୍ରାଣ ଦେଇ ଦେଶ ସ୍ୱାଧୀନ କରିଥିଲା ତୁମ ପରି ଗୁଡ଼ିଏ ପ୍ରତାରକଙ୍କ ନିମନ୍ତେ ।’’

 

ଛବି ଦେବୀ ମଧ୍ୟ ଖୁବ୍ ରାଗିଯାଇଥିଲେ । ସେ ସ୍ୱାମୀଙ୍କୁ ଚିଡ଼ାଇବା ପାଇଁ ଓ ଆପଣା ମନର ରାଗ ମେଣ୍ଟାଇବା ଲାଗି ସଞ୍ଜତକରି କହିଲେ, ‘‘ଏକାଙ୍କିକା ଲେଖ । ଭଲ ଡାଏଲଗ ହେଉଛି-। ଭଡ଼ା ବାବଦକୁ ଅନ୍ତତଃ ଏକାଙ୍କିକା ‘ସଂକଳନଟି’ ତୁମର ଛପାଇ ଆଣିବ । ଭଡ଼ା ବାବଦରେ ଏତିକି କରିବାକୁ ବୋଧେ ସେ ଆପତ୍ତି କରିବେ ନାହିଁ । ଆମ ଘରେ ପରା ସେ ଗୋଟାଏ ‘ପ୍ରେସ’ ପକାଇଛନ୍ତି !’’

 

ଅପ୍ରେଲ ଅପରାହ୍ନର ବର୍ଷା ଅବସାନ ହେବାପରେ, ପରିବେଶ ସାମାନ୍ୟ ଶୀତଳ ଓ ଶାନ୍ତ ମନେ ହେଉଛି । ଏହି ଶାନ୍ତ ପରିବେଶ ବିକ୍ରମଙ୍କର ଗାମ୍ଭୀର୍ଯ୍ୟକୁ ଆହୁରି ଗମ୍ଭୀରତର କରି ଦେଇଛି । ସେ ଚଷମାର କାଚ ସଫା କରି ଆଉ ଥରେ ଚିଠି ଉପରେ ଆଖି ବୁଲାଇଲେ ।

 

ସେ ଚିଠିର ସାରମର୍ମ ହେଲା...ଘର ଭଡ଼ା କଥା ସ୍ମରଣ କରାଇ ବାରମ୍ୱାର ଖୋଲାକାର୍ଡ଼ରେ ଚିଠି ନ ଲେଖିବା । ସେମାନେ କିଛି ଚୋର ଡାକୁ ନୁହନ୍ତି । ଏକା ଦେଶସେବୀ ଅନୁଷ୍ଠାନ । ଏଠି କାହାକୁ ଠକି ଚାଲିଯିବା ପ୍ରଶ୍ନ ବା ଯୋଜନା ନାହିଁ । ପଇସା ହେଲେ ଶେଷ ପଇସାଟି ପର୍ଯ୍ୟନ୍ତ ଦେୟ ପରିଶୋଧ କରିଦେବେ । ଆର୍ଥିକ ଅନଟନ ହେତୁ ଭଡ଼ା ଦିଆଯାଇ ପାରୁନାହିଁ । ଏହି ଅନୁଷ୍ଠାନ ସାଧାରଣ ସହାନୁଭୂତି, ସମର୍ଥନ ଓ ଭିକ୍ଷାଲବ୍‌ଧ ଧନରେ ପରିଚାଳିତ ହୋଇଥାଏ । ଭଡ଼ା ବାବଦ କେତେ ବା ଟଙ୍କା ? ଟଙ୍କା ମିଳିବା ସଙ୍ଗେ ସଙ୍ଗେ ଦେଢ଼ ହଜାର ଟଙ୍କା ନିଶ୍ଚୟ ଦେଇ ଦିଆଯିବ ।

 

ଆପଣଙ୍କ ପରି ଜଣେ ଶିକ୍ଷିତ ଶିକ୍ଷିତ ଦେଶପ୍ରେମୀଙ୍କ ଜୀବନରେ ଅଗ୍ନି ପରୀକ୍ଷାର ବେଳ ଆସିଛି । ଆପଣ ଏ ସମସ୍ୟାର ସମ୍ମୁଖୀନ ହୁଅନ୍ତୁ । ଦେଶସେବା ପାଇଁ ଯେ ଅନୁଷ୍ଠାନ ଶପଥ କରିଛି, ତାଠୁ ପ୍ରାପ୍ୟ ପାଇବାକୁ ସାମାନ୍ୟ ଅପେକ୍ଷା କରନ୍ତୁ । ଟଙ୍କାଟା ବଡ଼ କଥା ନୁହେଁ । ଟଙ୍କା ଆସିବ ଆଉ ଯିବ । ଗାନ୍ଧୀ, ଜବାହରଲାଲ, ସୁବାଷ, ଶାସ୍ତ୍ରିଜୀ କେହି ଘର ଭଡ଼ାଦେଇ ବଞ୍ଚି ନ ଥିଲେ । ସେମାନଙ୍କର ତ୍ୟାଗପୂତ ଜୀବନ ଆପଣଙ୍କୁ ପ୍ରେରଣା ଦେଉ ।

 

ମୁଁ ଆପଣଙ୍କଠାରୁ ୪୦ ଖଣ୍ତି ଚିଠି ପାଇଛି । ସବୁଥିରେ କେବଳ ଗୋଟିଏ କଥା ‘‘ଭଡ଼ା ଟଙ୍କାଟା ପଠାନ୍ତୁ । ଦୁନିଆରେ କ’ଣ ଆଉ କିଛି ଲେଖିବାର ନାହିଁ ? ଦୁଃଖର ସହିତ ଜଣାଉଛି, ଆପଣଙ୍କର ଏପରି ବ୍ୟବହାରରେ ଆମେମାନେ କ୍ଷୁବ୍‌ଧ...’’ ଇତ୍ୟାଦି ଇତ୍ୟାଦି ।

 

ଛବି ଦେବୀ ପରିବେଶକୁ ହାଲୁକାକରି ଦେବାପାଇଁ ସାମାନ୍ୟ ହସି କହିଲେ, ‘‘ନିଅ ଚା’ଟା ଖାଇଦିଅ, ଥଣ୍ତା ହୋଇଯିବ । ଆଉ ରାଗ ନାହିଁ । ଦୁନିଆ ବଡ଼ ବିଚିତ୍ର । କେତେ ଐତିହାସିକ ଚରିତ୍ର ଅଧ୍ୟୟନ କରିଛି; କିନ୍ତୁ ଏହି ‘ବିଜନ’ ଏକ ଜୀବନ୍ତ ଚରିତ୍ର । କ’ଣ, ସେମାନଙ୍କଠାରୁ ଅଧିକ ଲଣ୍ଟ୍‍ରେଷ୍ଟିଙ୍ଗ୍ ନୁହ !’’

 

ବିକ୍ରମ ଦୀର୍ଘ ନିଃଶ୍ୱାସ ତ୍ୟାଗକରି ଚା’ କପ୍‌ରେ ଓଠ ଲଗାଇଲେ । ଛବି ଦେବୀଙ୍କୁ ଚାହିଁ ଓଠରେ ସାମାନ୍ୟ ହସ ଖେଳାଇ ସେ କହିଲେ ‘‘ଛାଡ଼ ଛାଡ଼–’’ ଡ୍ରଇଂରୁମ୍ ଛାଡ଼ି ସେ ଆସିଲେ କିଚେନ୍ ଗାର୍ଡ଼େନକୁ । ଝଡ଼ରେ ନଇଁ ପଡ଼ିଥିବ ରାଧାତମାଳ ଲତାଗୁଡ଼ିକୁ ସେ ଆଉ ଥରେ ପୋର୍ଟିକୋ ଉପରକୁ ଉଠାଇ ସଜାଇ ରଖିଦେଲେ । ଦୂରରେ ଛୋଟ ଛୋଟ ପ୍ରଜାପତିଗୁଡ଼ିକ ଫୁଲରୁ ଫୁଲକୁ ଉଡ଼ି ମଧୁରେଣୁ ସଂଗ୍ରହ କରୁଥାନ୍ତି । ଆକାଶରେ ଇନ୍ଦ୍ରଧନୁ ।

 

‘ବିଜନକୁ’ ତାଙ୍କ ଘରୁ କିପରି ହଟାଇବାକୁ ହେବ, ସେଇ କଥା ଭାବୁଥାନ୍ତି । ବିଜନ ସତରେ କେଡ଼େ ଅଭଦ୍ର ! ଦ୍ୱିତୀୟବାର ବସ୍‌ଷ୍ଟାଣ୍ତରେ ବିକ୍ରମ ତାଙ୍କୁ ଯେବେ ଭେଟିଲେ ସେ ସିଗାରେଟ୍ ଟାଣି ଅନ୍ୟମନସ୍କଭାବେ ଭଦ୍ରଲୋକଙ୍କ ସହିତ କ’ଣ ଆଲୋଚନା କରୁଥାଏ । ସେତେବେଳେ ଭଡ଼ା କଥା କହିବେ କି ନାହିଁ ଦୀର୍ଘ ସମୟ ଚିନ୍ତା କରି ଶେଷରେ ଯାଇ ବିଜନକୁ ଡାକିଲେ । ମାତ୍ର ବିଜନ, ଚୁମ୍ୱକରେ କାମ ଶେଷ କରିଦେଲେ । ‘‘ପାର୍ଟି ଲିଡ଼ରଙ୍କ ଅପେକ୍ଷାରେ ଅଛୁ-। ସେ ସମ୍ୱଲପୁର ଏକ୍‌ସପ୍ରେସରେ ଆସୁଛନ୍ତି । ବର୍ତ୍ତମାନ ସମୟ ନାହିଁ । ଆସି ପାର୍ଟି ଅଫିସରେ ସାକ୍ଷାତ କରନ୍ତୁ ।’’ ବିକ୍ରମ ଅନୁଭବ କଲେ, ସତେ ଯେପରି ବଡ଼ସାଇବ ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ କିରାଣୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ ।

 

–୩–

 

‘ବିଜନ’ର ସାକ୍ଷାତ ଲାଗି ରାଜଧାନୀରେ ପୂରା ତିନିଟି ଦିନ ଅପେକ୍ଷା କରି ମଧ୍ୟ ବିକ୍ରମ ସାକ୍ଷାତ ପାଇଲେ ନାହିଁ । ଲାଭ ମଧ୍ୟରେ ଏତିକି ହେଲା, ବିଜନ ବିଷୟରେ ଯେଉଁ ସବୁ କଥା ଜାଣି ନ ଥିଲେ ତାହା ଜାଣିବାର ସୁଯୋଗ ଲାଭ କଲେ ।

 

ବିଜନ କେବଳ ‘‘ଜାଗ୍ରତ ଯୁବବାହିନୀ’’ ନୁହେଁ, ଏହିପରି ବିଭିନ୍ନ ସଂସ୍ଥା ଗଠନ କରି କେଉଁଠାରେ ସଭାପତି ଅଛି ତ, କେଉଁଠାରେ ସମ୍ପାଦକ ଅବା କେଉଁଠାରେ ସମର୍ଥକ । ବିଜନର ପ୍ରତ୍ୟେକ ପକେଟ ଗୋଟିଏ ଗୋଟିଏ ସଂସ୍ଥାର ଅଫିସ, ଏହିପରି ବିଭିନ୍ନ ସଂସ୍ଥାର ନାମ କହି ସେ ସାଧାରଣରୁ ଚାନ୍ଦା ସଂଗ୍ରହ କରିଥାଏ । ଏହି ଚାନ୍ଦାରୁ ବଞ୍ଚିବା ହେଉଛି ତା’ର ଏକମାତ୍ର ପନ୍ଥା, କୌଣସି କାମ ଶ୍ରମ ଦେଇ ନ କରି ।

 

ସାଧାରଣରୁ ଅର୍ଥ ସଂଗ୍ରହକରି ବଞ୍ଚିବାଠାରୁ ଶସ୍ତା ଓ ସହଜ ପନ୍ଥା ଆଉ କ’ଣ ବା ହୋଇପାରନ୍ତା ? ତାଳୁରୁ ତଳିପା ଯାଏଁ ଯେଉଁଠି ଦୁର୍ନୀତି, ଧପ୍ପାବାଜି, ପ୍ରତାରଣା ସେଠାରେ ‘ବିଜନ’ଙ୍କ ପରି ମୁଣ୍ତଟେକି ଉଠୁଥିବା ଯୁବକନେତାଙ୍କୁ ବା ଲଗାମ ଦେଇ ପଛରୁ ଟାଣିବ କିଏ ?

 

ସେ ହେଲା ମନ୍ତ୍ରୀଙ୍କ ନିଜ ଲୋକ । ସମସ୍ତ ଧପ୍ପାବାଜି କରି ସେ ମନ୍ତ୍ରୀଙ୍କ ନାମ କହି ରକ୍ଷା ପାଏ । ବିଶେଷ ଅସୁବିଧା ହେଲେ ମନ୍ତ୍ରୀଙ୍କ ଘରୁ ଫୋନ ଆସେ...ସଂପୃକ୍ତ ବ୍ୟକ୍ତିଙ୍କ ପାଖକୁ ‘ବିଜନ’ଙ୍କୁ ଛାଡ଼ି ଦେବାଲାଗି । ଶିକ୍ଷିତଲୋକ ବିରକ୍ତ ହୁଅନ୍ତି । କହନ୍ତି ଏମାନେ ହେଲେ ଗଣତନ୍ତ୍ରର କଳଙ୍କ । ମାତ୍ର ଏ କଳଙ୍କ ଲିଭାଇବାପାଇଁ ସମୟ କାହାର ଅଛି ?

 

X X       X

 

ମାନସ ବିକ୍ରମଙ୍କଠାରୁ ସବୁ ଶୁଣିସାରିଲା ପରେ ଦୀର୍ଘ ନିଃଶ୍ୱାସ ମାରି ପ୍ରଶ୍ନ କଲେ, ସେ ‘ବିଜନ’ର ଶିକାର ହେଲେ କିପରି ? ମାନସ ବିକ୍ରମଙ୍କର ପିଲାଦିନର ପଢ଼ାସାଥୀ... ବର୍ତ୍ତମାନ ସ୍ପେଶାଲବ୍ରାଞ୍ଚର ଇନ୍‌ସପେକ୍ଟର, ସେ କହିଲେ ବୁଝିଲୁ ବିକ୍ରମ, କେବଳ ତୋର ନୁହେଁ... ବହୁଲୋକଙ୍କର ଏହିପରି ଟଙ୍କା ବାକି ଗଡ଼ୁଛି ।

 

ସେଠାରେ ଯେଉଁ ପ୍ରେସ ଚାଲିଛି...ବାକିରେ କାଗଜ ଆସିଥିଲା...୫ ହଜାରରୁ ଅଧିକ ଟଙ୍କା ପରିଶୋଧ ନ ହୋଇ ପଡ଼ିଛି । ଦୀର୍ଘ ଦିନ ଧାଇଁ ସମସ୍ତ ପ୍ରକାର ଖୁସାମତ କରି ଶେଷରେ କାଗଜ ଦୋକାନୀ କେଶ୍ କରିଛି । ଲେବର କେଶ୍ ତ ଚାଲିଛି । ସବୁଦିନ ବକେୟା ପାଉଣା ନିମନ୍ତେ ତା’ ଅଫିସ ନିକଟରେ ଛଅ ସାତ ଜଣ ଶ୍ରମିକ ବସିଥାନ୍ତି । ସବୁଦିନ ନୂଆ ଶ୍ରମିକଙ୍କୁ ନିଯୁକ୍ତି ଦିଆ ଚାଲୁଥାଏ ।

 

‘‘ମାନେ ?’’

 

‘‘ମାନେ ହେଲା...ଦରିଦ୍ର ଶ୍ରମିକଙ୍କୁ ଶୋଷଣ କରିବାର ଏକ ଭଦ୍ରୋଚିତ ଉନ୍ନତ ଓ ରୁଚିକର ପନ୍ଥା; ଯେଉଁମାନେ ଜାଣି ନ ଥାନ୍ତି ସେମାନେ ଆସି ବିନାପାରିଶ୍ରମିକରେ କିଛିଦିନ କାମ କରନ୍ତି । ଯେତେବେଳେ ‘ବିଜନ’କୁ ଜାଣନ୍ତି, ଆଉ ରୁହନ୍ତି ନାହିଁ । କେବଳ ଗୋଟାଏ ଅନୁଷ୍ଠାନ ନୁହେଁ ପାଞ୍ଚଟା ଅନୁଷ୍ଠାନର ସେ ନେତା । ଚାନ୍ଦା ଖାତା ନାହିଁ, ହିସାବ ନାହିଁ, ଅଡ଼ିଟ ନାହିଁ, କେବଳ ଅଛି ସାଇନବୋଡ଼୍‍, ଛାପା ପ୍ୟାଡ଼୍, ଅଫିସ ମୋହର ।’’

 

‘‘ହଁ, ମୁଁ ଦେଖିଆସିଲି, ସେଠାରେ ତିନି ଚାରିଟି ସଂସ୍ଥାର ସାଇନ୍‌ବୋଡ଼୍ ଅଫିସ ଘରେ ରହିଛି ।’’

‘‘ଛାଡ଼ ସେସବୁ । ଏବେ ପନ୍ଥା କ’ଣ...ମୋତେ ବତା କିପରି ତାକୁ ଘରୁ ହଟାଇବା ?’’

‘‘କୋର୍ଟକୁ ଯିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ।’’ ଦୀର୍ଘ ନିଃଶ୍ୱାସ ଛାଡ଼ି ମାନସ ଉତ୍ତର ଦେଲା ।

‘‘ଥରେ ଯାଇ ମନ୍ତ୍ରୀଙ୍କୁ ଭେଟି କହିବୁ କି ? ତୋର ତ ସେମାନେ ଜଣାଶୁଣା ।’’

‘‘ସେ କାମ ସରିଛି ।’’

‘‘କ’ଣ କହିଲେ ?’’

‘‘ଦେଖିବେ । ମୁଁ ଜାଣେ ସେ କିଛି କରିବେ ନାହିଁ । ଜଣେ ଶିକ୍ଷକଙ୍କୁ ମନ୍ତ୍ରୀ ସାହାଯ୍ୟ କରି କି ଲାଭ ପାଇବେ । ବିଜନକୁ ହାତରେ ରଖିଲେ ନିର୍ବାଚନରେ ତାଙ୍କର କାମ ହେବ । ରାଜନୈତିକ ନେତାମାନଙ୍କ ମୁହଁ ପାଇ ଏହିପରି କେତକ ଯୁବକ ସାଧାରଣ ଜୀବନ ବିପନ୍ନ କରୁଛନ୍ତି ।’’

‘ମକଦ୍ଦମା’ ପ୍ରସ୍ତାବ ଶୁଣି...ତାଙ୍କ ସମ୍ମୁଖରେ ଗୁଡ଼ାଏ ‘ମରୀଚିକା’ର ଅଗ୍ନିବୋଳା ଶିଖା ଝଲକି ଉଠିଲା । ବିରାଟ ମରୁଭୂମିରେ ‘ଓଏସିସ’ ପରି ବିଚାର ବିଭାଗ ମାଜିଷ୍ଟ୍ରେଟ ଶ୍ରୀ ଦାସଙ୍କ ନିକଟରେ ମନ୍ତ୍ରୀଙ୍କ ଫୋନ୍ କାମ କରେ ନାହିଁ ଶୁଣି ସେ ସାମାନ୍ୟ ଆଶ୍ୱସ୍ତ ହେଲେ ।

 

–୪–

 

ରାଜଧାନୀରେ ଭୟଙ୍କର ଝଡ଼ । ରାଜପଥ ଉପରେ ଜଳଧାରା ଛୁଟି ଚାଲିଛି । କେଉଁଠି କିପରି ଗୋଟାଏ ରିକ୍‌ସା ଓ ସରକାରୀ ବସ୍‌ର ହର୍ଣ୍ଣ ଶବ୍ଦ । ନଚେତ ଆଉ ସବୁ ଶାନ୍ତ...।

ବହୁ କଷ୍ଟରେ ଖୋଜି ଆଣିଥିବା ଶଗଡ଼ିଆ ଶେଷରେ ବ୍ୟସ୍ତ ହୋଇପଡ଼ିଲା । ବାବୁଙ୍କ କଟା ହାତ ଓ ପିନ୍ଧା ଲୁଗାଜାମାରେ କଳାଦାଗ ଓ କୋମଳ ନିବେଦନ ଶୁଣି ଫେରିଆସି...ବହୁ କଷ୍ଟରେ ଦୀର୍ଘ ସମୟ ଧରି ଯେଉଁ ଫ୍ଳାଟ ‘ମେସିନ୍’ଟା ଘରୁ କଢ଼ା ଯାଇଥିଲା, ତାହା ଶଗଡ଼ରେ ଲଦା ହେଲା ।

ଶଗଡ଼ିଆ ପଚାରିଲା ଏ ଟେବୁଲ ଚଉକି ଆଲମିରା ଲଦିବୁ କି ନାହିଁ ? ପିଅନବାବୁ କହୁଛନ୍ତି, ଏସବୁ ଜିନିଷ ମଧ୍ୟ ଜବତ ହୋଇଛି । ବିକ୍ରମ ସାମାନ୍ୟ ଭାବି କହିଲେ ନାହିଁ ଥାଉ...କେବଳ ମେସିନ୍‌ଟା ଧରି କୋର୍ଟକୁ ଚାଲ । ଅନ୍ୟ ସବୁ ଜିନିଷ ନେଇ ଘରେ ରଖି ତାଲା ଦେଇଦିଅ । କେତେକ ବନ୍ଧୁ ପ୍ରସ୍ତାବ ଦେଇଥିଲେ, ‘ବିଜନ’ର ସମସ୍ତ ଆସବାବପତ୍ର ନେଇ ‘କୁଆଖାଇ’ରେ ପକାଇ ଦେବାକୁ । ତାଙ୍କର ମନେଥିଲେ ମଧ୍ୟ ସେ ତାହା କରିପାରିଲେ ନାହିଁ । ବିବେକ ତାଙ୍କର ଦଂଶନ କଲା । ସେ ତ ଦେଶସେବୀ ନୁହଁନ୍ତି....ଏ ସମାଜର ଜଣେ ପ୍ରତିଷ୍ଠିତ ଶିକ୍ଷକ...ମାନବିକ ଧର୍ମରେ ହୃଦୟ ତାଙ୍କର ରସାଣିତ ।

ଆଗରେ ଶଗଡ଼ିଆ...ଦୁଇ ଜଣ କୁଲି ସଙ୍ଗରେ ଓ ପଛରେ ଗୋଟିଏ ଛତା ଧରି ଧୀରେ ପଦରେ ବିକ୍ରମ ଚାଲିଛନ୍ତି । ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଫିସ ମାତ୍ର ଆଉ କେତେ କଦମ ରାସ୍ତା, ହଠାତ୍ ଶଗଡ଼ିଆ ପାଟି କରି ଉଠିଲା...ବାବୁ ମନା କରୁଥିଲି ଶୁଣିଲେ ନାହିଁ । ଦେଖନ୍ତୁ...ଏ ଅଖ ଭାଙ୍ଗିଲା ।

ବିକ୍ରମ ଆଉ କିଛି ଶଗଡ଼ିଆକୁ କହିବାକୁ ନ ଦେଇ ସଙ୍ଗେ ସଙ୍ଗେ ଗୋଟିଏ ପାଞ୍ଚଟଙ୍କିଆ ନୋଟ ବଢ଼ାଇ ଦେଇ କହିଲେ,...‘‘ନେ, ଆଉ ଦରକାର ହେଲେ ଆସି ନେଇଯିବୁ । ଶଗଡ଼ିଆ ପାଟିରୁ କ’ଣ ବାହାରି ଆସୁଥିଲା ହଠାତ୍ ବନ୍ଦ ହୋଇଗଲା ।’’

ରାସ୍ତାରେ ଏପରି ଅସହାୟ ଅବସ୍ଥାରେ ବିକ୍ରମକୁ ଦେଖି ପରିଚିତ ଲୋକମାନେ...ଘଟଣା କ’ଣ ଜାଣିବାକୁ ଚାହିଁଲେ...ବିକ୍ରମଙ୍କଠାରୁ ଘଟଣାର ଇତିବୃତ୍ତି ଶୁଣି କେତେକ ତାଙ୍କୁ ସହାନୁଭୂତି ଜଣାଇଲେ...କିଏବା ‘ବିଜନ’ର ସାତପୁରୁଷକୁ ଅଭିଶାପ ଦେଲେ । ବର୍ତ୍ତମାନର ଯୁବ ନେତୃତ୍ୱର ଭବିଷ୍ୟତ୍ ସମ୍ପର୍କରେ କେତେକ ଆଶଙ୍କା ପ୍ରକାଶ କଲେ ।

ସେ ପଛକୁ ମୁହଁ ଫେରାଇ ଦେଖିଲେ ବିମର୍ଷ ବଦନରେ ବିଜନ ଠିଆ ହୋଇଛନ୍ତି । ‘‘କ’ଣ ଆଜ୍ଞା, ଶେଷରେ ଏଇୟା କଲେ–ଟିକିଏ ଦୟା ହେଲା ନାହିଁ ।’’

‘‘ମୁଁ ଛାର ଶିକ୍ଷକ ଜଣେ...ଆପଣଙ୍କ ପରି ମହାନ୍ ଦେଶସେବୀଙ୍କୁ ମୁଁ କି ଦୟା କରିପାରେ ? ଭଗବାନ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ...ସେ ଆପଣଙ୍କୁ ଦୟା କରନ୍ତୁ । ଗାନ୍ଧୀର ଏ ଦେଶ ବଞ୍ଚିଯାଉ ।’’ ବିକ୍ରମ ଆଉ କିଛି କହିଲେ ନାହିଁ । ବିଜନ କ’ଣ କହିଆସୁଥିଲା ଶୁଭିଲା ନାଇଁ । ହଠାତ୍ ମେଘ ଗର୍ଜନ କରିଉଠିଲା...ଆକାଶରେ ବିଦ୍ୟୁତ୍‌ର ଝଲକ...ବତିଖୁଣ୍ଟ, ରାଜପଥର ଉଭୟପାର୍ଶ୍ୱର କୃଷ୍ଣଚୂଡ଼ା ଦେବଦାରୁର ପତ୍ରେ ପତ୍ରେ ଝଡ଼ର ବେସୁରା ରାଗିଣୀ... ।

Image